Unknown

 

 

 

 

 

 

 

 

 

 

 

ଶେଷ ବାଜି

ଗୌରହରି ଦାସ

 

ସୂଚୀପତ୍ର

 

୦୧.

କାରିଗର

୦୨.

ବିଷଚକ୍ର

୦୩.

ଇଜ୍ଜତ

୦୪.

ଧର୍ମଯୁଦ୍ଧ

୦୫.

ସୁଆଙ୍ଗ

୦୬.

ପଶାପାଲି

୦୭.

ଲଢ଼େଇ

୦୮.

ଉପେକ୍ଷିତ ରାଜପୁତ୍ର

୦୯.

ମନ୍ତ୍ରୀ ଆସିବେ ବୋଲି

୧୦.

କ୍ଳୀବ

୧୧.

ମୋହମୁକ୍ତି

୧୨.

ସୂର୍ଯ୍ୟୋଦୟର ଅପେକ୍ଷା

୧୩.

ଶେଷ ବାଜି

☆☆☆

 

କାରିଗର

 

ନା, ଏ କାହାଣୀ ଲେଖିବା ପାଇଁ ମୋତେ କେହି କୌଣସି ଦିନ ଅନୁରୋଧ କରି ନ ଥିଲେ । କାହାଣୀର ମୁଖ୍ୟ ଚରିତ୍ର ସହରତଳି ସେଇ ଗାଁରେ ରହୁଥିବା ପଙ୍ଗୁ ରିକ୍ସାବାଲା, ତାର ଲଜ୍ଜାବତୀ ସ୍ତ୍ରୀ କିମ୍ବା ତାର ଆଠ ନଅ ବର୍ଷର ପୁଅ ଏମାନେ କେହି କହି ନ ଥିଲେ । ମୋର ବନ୍ଧୁ ରଣଜିତ୍‌ ନିଜେ ମଧ୍ୟ ମୋତେ ଏକଥା ଲେଖିବା ପାଇଁ କହି ନ ଥିଲା ।

 

ସେଦିନ ସନ୍ଧ୍ୟାରେ ରଣଜିତ୍‌ ଟିକିଏ ଶୀଘ୍ର ତା ଅଫିସ୍‌ରୁ ଫେରି ଆସିଥିଲା । ଏ ସହରରେ ତା ଠିକାଦାରୀ ଫାର୍ମର ଖୁବ୍‌ ନାଁ ଅଛି । ବଡ଼ ବଡ଼ ସେତୁ, କୋଠାବାଡ଼ି ଓ ସଡ଼କ ନିର୍ମାଣରେ ଆର୍‌.କେ. ପଟ୍ଟନାୟକ ଆଣ୍ଡ୍‌ କଂପାନିର ପତିଆରା ଅଛି । ଏବେ ରଣଜିତ୍‌ର ବୟସ ହୋଇଗଲାଣି । ସେ ପୂର୍ବପରି ତା ଫାର୍ମର ସବୁକାମ ନିଜେ ବୁଝାବୁଝି କରୁନାହିଁ । ଏସବୁ ଏବେ ତାର ଦୁଇ ପୁଅ ଭଲ ଭାବେ ନିର୍ବାହ କରୁଛନ୍ତି । ରଣଜିତ୍‌ କେବଳ ଚେକ୍‌ ଓ କାଗଜପତ୍ରରେ ଦସ୍ତଖତ କରେ, ବଡ଼ ବଡ଼ ଠିକା କାମ ନେଇ ସରକାରୀ ହାକିମଙ୍କ ସାଙ୍ଗରେ ମୂଲଚାଲ କରେ ।

 

ରଣଜିତ୍‌ର ଜୀବନ ଅଦ୍ଭୁତ ପ୍ରକାରର । କହିବାକୁ ଗଲେ ସେଇଟି ବି ଗୋଟେ ନାଟକ କି ସିନେମାର କାହାଣୀ ପରି । ମୋତେ ରଣଜିତ୍‌ ଖୁବ୍‌ ଶ୍ରଦ୍ଧା କରେ । ଆମର ବନ୍ଧୁତା କଲେଜ ସମୟରୁ । ସେଥିପାଇଁ ସେ ମୋତେ ଗାଡ଼ି ପଠେଇ ସମୟେ ସମୟେ ଡକେଇ ନିଏ ଓ ମୋ ସାଙ୍ଗରେ ତାର ଦେଶ-ବିଦେଶ ଭ୍ରମଣ ଅନୁଭୂତି ଗପେ । ମିଜାଜ୍‌ ଭଲ ଥିଲେ ଅନେକ ରାତି ପର୍ଯ୍ୟନ୍ତ ଗୀତ ଗାଏ, ଜୋକ୍‌ ଶୁଣାଏ, ଭଲ ଭଲ ଜଳଖିଆ ତିଆରି କରାଏ ଓ ଖୁଆଏ । ନିଜେ ପେଗ୍‌ ପରେ ପେଗ୍‌ ହ୍ୱିସ୍କି ପିଏ ଓ ଗୋଟାଏ ପରେ ଗୋଟାଏ ସିଗ୍ରେଟ୍‌ ଟାଣେ । ମୋତେ ତାର ଅତ୍ୟଧିକ ମଦ ପିଇବା ଓ ସିଗ୍ରେଟ୍‌ ଟାଣିବା ଅଭ୍ୟାସ ଭଲ ଲାଗେ ନାହିଁ, ମାତ୍ର ତାର ହୃଦୟଟି ଭଲ ବୋଲି ତାର ସାନ୍ନିଧ୍ୟକୁ ଏଡ଼େଇ ଯାଇପାରେ ନାହିଁ । ସେ ଏକ ପ୍ରକାର ନିଃସଙ୍ଗ ଜୀବନ ଜିଉଁଥିବାରୁ ତାର ମନ ଭାଙ୍ଗିଗଲା ପରି କଥା ମୁଁ କିଛି କହେ ନାହିଁ ।

 

ମୁଁ ରଣଜିତ୍‌ ସଂପର୍କରେ ଅନେକ କଥା ଜାଣେ । ତାର ପ୍ରେମ, ବିବାହ, ତା ପତ୍ନୀର ଅକାଳ ମୃତ୍ୟୁ, ଜୀବନ ପ୍ରତି ବୀତସ୍ପୃହ ଭାବ ଏବଂ ଶେଷକୁ ଅନାସକ୍ତ ଭାବେ ଦରିଦ୍ର ଲୋକଙ୍କ ସେବା-ସାହାଯ୍ୟ ପାଇଁ ଆଗେଇ ଆସିବା କଥା ସବୁ ମୁଁ ଜାଣେ । ରଣଜିତ୍‌ ଏବେ ଗୋଟେ ଡାକ୍ତରଖାନା ବସେଇବା ପାଇଁ ଅଣ୍ଟା ଭିଡ଼ିଛି । ସେଥିପାଇଁ ସେ ଲକ୍ଷ ଲକ୍ଷ ଟଙ୍କା ଅକାତରେ ଖର୍ଚ୍ଚ କରୁଛି । ଡାକ୍ତରଖାନାଟି ତା ବାପା ମାଆଙ୍କ ସ୍ମୃତି ରକ୍ଷା ପାଇଁ ସେ ତିଆରୁଛି ।

 

ରଣଜିତ୍‌ ଯୋଉଦିନ ଏ କଥାଟି କହିଥିଲା ସେଦିନ ତାର ଜଣେ ଷ୍ଟାଫ୍‌ ବ୍ୟାଙ୍କ୍‌ରୁ ଜାଲିଆତି କରି ପାଞ୍ଚହଜାର ଟଙ୍କା ଉଠେଇ ନେଇଥିଲା । ମୁଁ ତାକୁ ବୁଝେଇଥିଲି, ପାଞ୍ଚହଜାର ଟଙ୍କା କଥା ତ ! ତା ପାଇଁ ତୁମ ଭଳି ପାଞ୍ଚକୋଟି ଟଙ୍କାର ମୁଣ୍ଡ ଏତେ ଚିନ୍ତା କରିବା ଠିକ୍‌ ନୁହେଁ । ମାତ୍ର ସେ ମୋ କଥାରେ ରାଜି ହୋଇ ନଥିଲା । କହିଥିଲା, ‘ଟଙ୍କାଟା ବଡ଼ କଥା ନୁହେଁ, ବଡ଼ ହେଉଛି ତାର ମଣିଷପଣିଆ । ଯାହା ପାଖେ ସେତକ ନାହିଁ ସେ କି ମଣିଷ !’

 

ରଣଜିତ୍‌ ତା ଗିଲାସରେ ହ୍ୱିସ୍କି ଓ ସୋଡ଼ା ଢାଳି ତହିଁରେ ବରଫ ପକେଇଥିଲା ଓ ଗିଲାସରୁ ଗୋଟେ ଢୋକ ପିଇସାରି ମୋତେ ସିଧା ଚାହିଁଥିଲା । ମୁଁ ତାର ଦୃଷ୍ଟି ଆଡ଼େଇଯିବା ପାଇଁ ଟି-ପୟ ଉପରୁ ଖବରକାଗଜ ଉଠେଇ ପଢ଼ି ବସିଥିଲି । ରଣଜିତ୍‌ କିନ୍ତୁ ମୋତେ କିଛି ଗୋଟେ ଶୁଣେଇବାକୁ ପ୍ରସ୍ତୁତ ହେଉଥିଲା । ତା’ପରେ ଏଇ କାହାଣୀ ।

 

ପ୍ରାୟ ପଚିଶ ବର୍ଷ ତଳର କଥା ।

 

ରଣଜିତ୍‌ ସେତେବେଳେ ଠିକାଦାରୀ ଜୀବନକୁ ନୂଆ ନୂଆ ଆସିଥାଏ । ଦିନରାତି ତାକୁ କାମରେ ଲାଗି ରହିବାକୁ ପଡ଼ୁଥାଏ । କିଛି ଗୋଟାଏ ବଡ଼ କାମ ପାଇବା ପାଇଁ ବାର ଲୋକଙ୍କ ଦ୍ୱାରସ୍ଥ ହେଉଥାଏ ସେ । ସୌଭାଗ୍ୟକୁ ସେଥର ସେହିଭଳି କାମଟେ ସେ ପାଇଗଲା । ସେ କାମ ପାଇଁ ଆହୁରି ଅନେକ ନାମୀ ଦାମୀ ଫାର୍ମ ଟେଣ୍ଡର ଭରିଥିଲେ । କିନ୍ତୁ ଶେଷକୁ ରଣଜିତ୍‌ ସେ କାମଟି ପାଇଲା । ୱାର୍କ-ଅର୍ଡର ମିଳିଗଲା ପରେ ରଣଜିତ୍‌ ଯେତିକି ଖୁସି ହୋଇଥିଲା କାମଟା ଠିକଣା ସମୟରେ ସାରିପାରିବ କି ନାହିଁ ଏ ଆଶଙ୍କାରେ ସେତିକି ଚିନ୍ତିତ ହୋଇ ପଡ଼ିଥିଲା ।

 

: କିନ୍ତୁ କାହିଁକି ? –ମୁଁ ପଚାରିଥିଲି ।

 

: ପୁଞ୍ଜି । –ସେ ଇସାରାରେ ମୋତେ ଉତ୍ତର ଦେଇଥିଲା ।

 

: ପୁଞ୍ଜି କ’ଣ ? ଅର୍ଡର ପାଇଲ, କାମ କଲ, ପେମେଣ୍ଟ୍‌ ମିଳିଯିବ । ବାସ୍‌ !

 

ଠିକାଦାରୀ କାମ ବାବଦରେ ଅନାଡ଼ି ମୋ ପରି ଲୋକ ମୁଣ୍ଡରେ ରଣଜିତ୍‌ର କଥାଟା ଢୁକି ନ ଥିଲା ।

 

: କାମଟା ଆରମ୍ଭ କରିବା ପାଇଁ ଅନ୍ୟୂନ ଦରକାର ଥିଲା ପାଞ୍ଚଲକ୍ଷ ଟଙ୍କା, ବୁଝିଲୁ ! ସତୁରି ମସିହାରେ ପାଞ୍ଚ ଲକ୍ଷ ଅର୍ଥ ଏବେକାର ପଚାଶ ଲକ୍ଷ ! ସେତେବେଳେ ପାଞ୍ଚଲକ୍ଷ ଟଙ୍କା ଯୋଗାଡ଼ କରିବା କିଛି କମ୍‌ କଷ୍ଟ କାମ ନଥିଲା । ପୁଣି କାମଟା ସେପ୍‌ଟେମ୍ବର କିମ୍ବା ଅକ୍‌ଟୋବର ଭିତରେ ଆରମ୍ଭ କରିବା ଥିଲା ଜରୁରୀ । ମୁଁ ଅର୍ଥ ଚିନ୍ତାରେ ବିବ୍ରତ ହୋଇପଡ଼ିଥିଲି । –ସେ କହିଥିଲା-

 

ମୁଁ ରଣଜିତ୍‌ର କଥା ମନଯୋଗ ସହକାରେ ଶୁଣିବା ପାଇଁ ସୋଫାରୁ ଉଠିଯାଇ ଟେପ୍‌ରେକର୍ଡରର ମ୍ୟୁଜିକ୍‌ ବନ୍ଦ କରିଦେଇ ଆସିଲି । ସେ ତା ଗିଲାସରୁ ଆଉ ଢୋକେ ହ୍ୱିସ୍କି ନେଉ ନେଉ କହିଲା, ‘ସେଇ ପ୍ରଥମ ଥର ପାଇଁ ମୁଁ ମୋର ମାନ ଅଭିମାନକୁ ଜଳାଞ୍ଜଳି ଦେଇ କଳ୍ପନାର ବାପାଙ୍କ ଦ୍ୱାରସ୍ଥ ହୋଇଥିଲି ।’

 

ରଣଜିତ୍‌ର କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି । କାରଣ ସେ କଳ୍ପନାର ବାପାଙ୍କୁ ନିଜର ଶ୍ୱଶୁର ବୋଲି କହିବାକୁ ସବୁବେଳେ ସଙ୍କୋଚ କରୁଥିଲା । ତା ପଛରେ କାରଣଟେ ଥିଲା । ତା ବିବାହରେ ଶ୍ୱଶୁରଙ୍କର ସମ୍ମତି ନ ଥିଲା । କଳ୍ପନାର ବାପା ରାଜ୍ୟର ଜଣେ ନାମୀ ଡାକ୍ତର । ସେ ଚାହୁଁଥିଲେ ତାଙ୍କ ଝିଅକୁ ତାଙ୍କ ପରି ଜଣେ ଡାକ୍ତର ସାଙ୍ଗରେ ବାହାଦେବେ । ଠିକାଦାରୀ ବୃତ୍ତି ପ୍ରତି ତାଙ୍କର କୌଣସି ପ୍ରକାର ସମ୍ମାନ ନ ଥିଲା । ସେ ଭାବୁଥିଲେ, ଏଇ ବେପାରରେ କିଛି ସ୍ଥାୟୀ ଉପାର୍ଜନ ନାହିଁ । ଠିକାଦାରୀ କରି ସମାଜରେ ପ୍ରତିଷ୍ଠିତ ହେବା କାଠିକର ପାଠ ଓ ରଣଜିତ୍‌ ପରି ଗୋଟେ ଅପରିଣାମଦର୍ଶୀ ଯୁବକ ଠାରୁ ସେ ସେହି ଧରଣର ନିଷ୍ଠା ଆଶା କରୁ ନଥିଲେ । ଫଳ ଏମିତି ହେଲା, କଳ୍ପନା ଓ ରଣଜିତ୍‌ ଉଭୟେ ନିଜ ନିଜ ଘରୁ ଲୁଚି ପଳେଇଯାଇ ରେଜିଷ୍ଟ୍ରି ମ୍ୟାରେଜ୍‌ କରିବସିଥିଲେ । ଏହି ବିଚାରକୁ କଳ୍ପନାର ବାପା ସ୍ୱୀକାର କରି ନ ଥିଲେ । ସେଥିପାଇଁ ସେ ବାହାଘର ସରିବାର ବର୍ଷେ ପର୍ଯ୍ୟନ୍ତ ଝିଅକୁ ଫେରାଇ ନେବା ପାଇଁ ଓ ଅନ୍ୟତ୍ର ତାର ବାହାଘର କରିଦେବା ପାଇଁ ବହୁ ଯୋଜନା କରିଥିଲେ । ସେସବୁ ଯେତେବେଳେ ସଫଳ ହେଲା ନାହିଁ ସେତେବେଳେ ସେ ଝିଅକୁ ଓ ତା ସାଙ୍ଗରେ ରଣଜିତ୍‌କୁ ଭୁଲିଯିବା ପାଇଁ ଚେଷ୍ଟା କରିଥିଲେ । ଅନେକ ବର୍ଷ ପର୍ଯ୍ୟନ୍ତ ଉଭୟ ପରିବାର ଭିତରେ କଥାବାର୍ତ୍ତା ନଥିଲା ।

 

ରଣଜିତ୍‌ କହିଲା, “ଗୋଟେ ପାଖରେ ମୋର କ୍ୟାରିୟର୍‌ ଓ ଆଉ ଗୋଟିଏ ପାଖରେ ମୋର ଅଭିମାନ । ଶେଷରେ ମୁଁ ଅଭିମାନକୁ ଭୁଲି କଳ୍ପନାର କଥା ମାନିନେଲି । ପ୍ରଥମେ ଲକ୍ଷେ ଟଙ୍କା ଦେବେ ବୋଲି ଶ୍ୱଶୁର ରାଜି ହେଲେ । ତାଙ୍କ ଘରକୁ ଯିବା ପାଇଁ ମୋର ଇଚ୍ଛା ନ ଥିଲେ ବି ଟଙ୍କା ଆଣିବା ପାଇଁ ଗଲି ।”

 

: ସେ ଟଙ୍କା ଦେଲେ ?

 

: ହଁ ଦେଲେ । ଲକ୍ଷେ ଟଙ୍କା ଦେଇ ଅପମାନିତ କରିବାକୁ ଗୋଟେ ସୁଯୋଗ ସେ ଚାହୁଁଥିଲେ ହୁଏତ । ଛାଡ଼୍‌, ସେସବୁ ଅଲଗା କଥା । ଲକ୍ଷେ ଟଙ୍କା ନେଇ ଗୋଟେ ଟ୍ୟାକ୍ସିରେ ମୁଁ ଫେରୁଥାଏ । ଦେଉଳି ଛକ ତିନି ଚାରି କିଲୋମିଟର ଦୂର ଅଛି, ଗାଡ଼ିଟାର ଷ୍ଟାର୍ଟ ବନ୍ଦ ହୋଇଗଲା । ଡ୍ରାଇଭର ଓହ୍ଲେଇଯାଇ ହୁଡ୍‌ ଟେକି କଣ ସବୁ ଖୋଜାଖୋଜି କଲା । ମାତ୍ର ତାର ଚେଷ୍ଟା ସତ୍ତ୍ୱେ ନଈବନ୍ଧ ଉପରେ ଗାଡ଼ିଟା ପଡ଼ି ରହିଲା, ଯେତେ ଯାହା କଲେ ବି ଚଙ୍କିଲା ନାହିଁ । ସେତେବେଳକୁ ସଂଜ ଗଡ଼ିଗଲାଣି । ନିଛାଟିଆ ରାସ୍ତା । ହାତରେ ପୁଣି ଟଙ୍କା ବ୍ୟାଗ୍‌ । ମୁଁ ବାଧ୍ୟ ହୋଇ ଗାଡ଼ିରୁ ଓହ୍ଲେଇ ଚାଲିବାରେ ଲାଗିଲି । ବାଟରେ କାହାଠୁ ଗୋଟେ ଲିଫ୍ଟ ପାଇଯିବି, ଏଇ ଆଶାରେ ଡ୍ରାଇଭର ଜିମାରେ ଗାଡ଼ି ଦେଇ ନଈବନ୍ଧ ରାସ୍ତା ଧରିଲି ।

 

ସେତେବେଳକୁ ନଈକୂଳ ରାସ୍ତା ଏତେ ଜନାକୀର୍ଣ୍ଣ ହୋଇ ନ ଥାଏ । ରାସ୍ତାରେ କୋଉଠି ବି ଲାଇଟ୍‌ ନ ଥାଏ । ମେଘଢ଼ଙ୍କା ଆକାଶ । ଘଣ୍ଟାକୁ ଚାହିଁ ଦେଖିଲି, ରାତି ଆଠଟା ବାଜିବ । କିଛି ବାଟ ଆସିବା ପରେ ମୁଁ ଅନୁମାନ କଲି ଦି ତିନିଜଣ ଲୋକ ଟର୍ଚ୍ଚ ପକେଇ ପକେଇ ମୋତେ ଅନୁସରଣ କରୁଛନ୍ତି । ମଝିରେ ମଝିରେ ଟର୍ଚ୍ଚ ଜଳି ଉଠୁଛି, ପୁଣି ନିଭି ଯାଉଛି । ମୋର ଆଶଙ୍କା ହେଲା ଏମାନେ ନିଶ୍ଚୟ ଡକେଇତ । ମୋର ଟଙ୍କା ନେଇ ଆସିବା ଖବର ଏମାନେ ବୋଧେ ପାଇ ଯାଇଛନ୍ତି । ହୁଏତ ଟ୍ୟାକ୍ସି ଡ୍ରାଇଭରଟା ଏଇ ଡକାୟତ ଦଳକୁ ଖବରଟା ଦେଇଛି । ତାହା ନ ହେଲେ ଏଇଠି ଗାଡ଼ିଟାକୁ ସେ ଛିଡ଼ା କରେଇଥାନ୍ତା କାହିଁକି ? ମୁଁ ଆହୁରି ଡରିଗଲି ।

 

ମୋତେ ରଣଜିତ୍‌ର କଥା ଗୋଟେ ଗୁଇନ୍ଦା ଉପନ୍ୟାସର କଥା ପରି ଶୁଭୁଥାଏ । ମୁଁ ପାଖକୁ ଘୁଞ୍ଚିଆସି ପଚାରିଲି, “ବଡ଼ ଭୟଙ୍କର କଥା ତ ! ତୁ କଣ କଲୁ ?”

 

: ମନେ ମନେ କଟକ ଚଣ୍ଡୀଙ୍କୁ ଡାକି ପାଦର ଗତି ବଢ଼ାଇଲି । ମାତ୍ର ଯେତେ ଚେଷ୍ଟା କଲେ ବି ବେଶିବାଟ ଆଗେଇ ପାରୁ ନ ଥାଏ । ଭୟ ଓ ଅସହାୟତା ମୋତେ ଦୁର୍ବଳ କରିଦେଉଥାଏ । ହଠାତ୍‌ ମୋ ମୁଣ୍ଡକୁ ଗୋଟେ ବୁଦ୍ଧି ଢୁକିଲା । ଭାବିଲି, ଟଙ୍କା ବ୍ୟାଗ୍‌ଟାକୁ କୋଉଠି ଗୋଟେ ଲୁଚେଇ ଦେଇ ଚାଲିଯିବି । ସକାଳକୁ ଆସି ସେଠୁ ପୁଣି ନେଇଯିବି । ଟଙ୍କାତକ ହାତରେ ଧରି ମୁଁ ସେମାନଙ୍କ କବଳରୁ କଦାପି ଖସିଯାଇ ପାରିବି ନାହିଁ ।

 

ସେତିକିବେଳେ ସାମ୍ନାରେ ଗୋଟେ ପକାଘର ଦେଖିଲି । ରିକ୍ସାଟାଏ ପଲା ଆଗରେ ଥୁଆ ହୋଇଥାଏ । ମୁଁ ଆଗପଛ କିଛି ଚିନ୍ତା ନ କରି ରିକ୍ସାର ସିଟ୍‌ ତଳେ ଟଙ୍କା ବ୍ୟାଗ୍‌ଟାକୁ ରଖିଦେଇ ସେଇ ପଲା ପଛପଟେ ଲୁଚିଗଲି । ମୋର ଛାତି ଉଠୁଥାଏ ପଡ଼ୁଥାଏ । କପାଳ, ବେକ ଓ କାଖରୁ ଝାଳ ବୋହି ମୋର ସାର୍ଟ ବ୍ୟାନିୟନ୍‌ ସବୁ ଓଦା ହୋଇ ସାରିଥାଏ । ମନେ ମନେ ଖାଲି ଠାକୁର ଠାକୁରାଣୀଙ୍କୁ ଡାକୁଥାଏ ।

 

ମାସଟା ସେପଟେମ୍ବର ହେବ ବୋଧହୁଏ । ଉପର ଓଳି ଖୁବ୍‌ ବର୍ଷା ହୋଇଥିଲା । ନଈବନ୍ଧର ମୋରମଗୁଡ଼ିକ ବତୁରି ଫୁଲି ଉଠିଥାଏ । ମୁଁ ଆକାଶକୁ ଅନେଇଲି । ଆଉ ପରସ୍ତେ ମେଘ ଘୋଟି ଆସୁଛି, ଯେ କୌଣସି ମୁହୂର୍ତ୍ତରେ ବର୍ଷି ଯାଇପାରେ ।

 

: ସେ ଚୋରମାନେ ଗଲେ କୁଆଡ଼େ ?

 

: କହୁଛି । ସେମାନେ ମୋ ପଛେ ପଛେ ସେଇ ପଲା ପାଖକୁ ଆସିଲେ । ତାଙ୍କ ଭିତରୁ ଜଣେ ଆସି ସାମ୍ନାପଟେ ଥୁଆ ହୋଇଥିବା ରିକ୍ସାର ଘଣ୍ଟି ଟିଣ୍‌ ଟିଣ୍‌ କଲା । ମୁଁ ଆହୁରି ଡରିଗଲି । ଗୋଟେ ମୁହୂର୍ତ୍ତ ପାଇଁ ଭାବିଲି, ଧରା ପଡ଼ିଗଲି ବୋଧହୁଏ । ମାତ୍ର କଟକଚଣ୍ଡୀ ସାହା, ସେଇ ଘରୁ ସ୍ତ୍ରୀ ଲୋକଟେ ବାହାରି ସେ ଲୋକଟାକୁ କଣ ଜବାବ ଦେଲା । ଦୁଇ ତିନି ମିନିଟ୍‌ ଅପେକ୍ଷା କରି ସେମାନେ ଆଗକୁ ଚାଲିଲେ । ମୁଁ ଜାଣିଲି, ସେମାନେ ମୋତେ ଖୋଜି ଖୋଜି ପିଚୁରାସ୍ତା ଯାଏ ଯିବେ । ସୁତରାଂ ମୋର ଏଇ ଅବସ୍ଥାରେ ସହରକୁ ଫେରିବା ବିପଦମୁକ୍ତ ନୁହେଁ ।

 

: ଫେର୍‌ ?

 

: ମୁଁ ସେଇ ପଲାର କାନ୍ଥକୁ ଭରାଦେଇ ଛିଡ଼ା ହୋଇଥାଏ । ଏମିତି କେତେ ସମୟ ବିତିଗଲା ଜାଣେ ନାହିଁ । ହଠାତ୍‌ ଥଣ୍ଡା ପବନ ବୋହିଲା ଓ ପରେ ପରେ ବର୍ଷା । ଓଃ, ସେ ଯେଉଁ ବର୍ଷା ! ବାଡ଼ିପଟ ବାଉଁଶ ଗଛଟା ମାଟି ଉପରକୁ ନଇଁ ଆସୁଥାଏ ତ ପୁଣି ଉପରକୁ ଉଠି ଯାଉଥାଏ-। ଘନ ଘନ ଘଡ଼ଘଡ଼ି ଓ ବିଜୁଳି ମାରୁଥାଏ । ମୁଁ କାନ୍ଥ ପାଖକୁ ଆହୁରି ପାଖେଇ ଗଲି-। ବର୍ଷା ଛିଟାରେ ପ୍ୟାଣ୍ଟ୍‌ ଓ ସାର୍ଟ ଗୋଟାପଣେ ଭିଜୁଥାଏ ।

 

ପବନ ଧକ୍‌କାରେ ପଲା ଘରଟିର ବାଡ଼ିପଟ ତାଟି ମୁକୁଳା ହୋଇଗଲା । ଘରର ସ୍ତ୍ରୀଲୋକଟି ତାଟି ବନ୍ଦ କରିନେବାକୁ ଆସିଲାବେଳେ ବିଜୁଳି ଆଲୁଅରେ ମୋତେ ଦେଖି ଭୂତ ଦେଖିଲା ପରି ଛାନିଆରେ ଚିତ୍କାର କରିଉଠିଲା । ମୁଁ ଚାପା ଗଳାରେ ସଙ୍ଗେ ସଙ୍ଗେ ଜବାବ୍‌ ଦେଲି, ‘ମୁଁ ଚୋର ନୁହେଁ । ମୋତେ ସେ ଚୋରମାନେ ଗୋଡ଼େଇଥିବାରୁ ମୁଁ ଏଇଠି ଲୁଚି ଛିଡ଼ା ହୋଇଛି । ବର୍ଷା ଛାଡ଼ିଲେ ପଳେଇଯିବି । କିଛି ଭାବନ୍ତୁ ନାହିଁ ।’

 

ସ୍ତ୍ରୀଲୋକଟି ଘର ଭିତରକୁ ଯାଇ ତା ସ୍ୱାମୀକୁ ଡାକି ଆଣିଲା । ସେ ଦୁହିଁଙ୍କ ପଛେ ପଛେ ଗୋଟେ ଆଠ ନଅ ବର୍ଷର ପିଲା । ସେମାନେ ଆସି ମୋତେ ଭିତରକୁ ଡାକିନେଲେ । ମୋର ଦେହ ବରଡ଼ାପତ୍ର ପରି ଥରୁଥାଏ । ମୁଁ ତାଙ୍କ କଥା ମାନି ଭିତରକୁ ଗଲି । ମୋ ଦେହରୁ ଓଦାପାଣି ନିଗିଡ଼ି ତାଙ୍କ ଘରର ମାଟି ଚଟାଣ ଓଦା ହେଉଥାଏ । ସେମାନେ ତିନି ହଳ ଆଖିରେ ମୋତେ ବାରମ୍ବାର ପରଖି ନେଉଥାଆନ୍ତି । ପୁରୁଷ ଲୋକଟି କହିଲା, ‘ଠିକ୍‌ ଅଛି । ତମେ ବସିପଡ଼-। ସେମାନେ ଚାଲିଯିବା ପରେ ତମେ ଯିବ । ଡରିବାର କିଛି ନାହିଁ ।’

 

ସେମାନଙ୍କୁ କୃତଜ୍ଞତା ଜଣାଇ ମୁଁ ଗୋଟେ ଦଉଡ଼ିଖଟ ଉପରେ ବସିଲି । ମନ ଭିତରୁ ଭୟ ଯାଉ ନଥାଏ । କିଛି ସମୟ ବସିବା ପରେ ମୋର ଟଙ୍କା ବ୍ୟାଗ୍‌ କଥା ମନେ ପଡ଼ିଲା । ମୁଁ କହିଲି, ‘ତମ ରିକ୍ସାରେ ମୋ ବ୍ୟାଗ୍‌ଟା ଅଛି, ନେଇ ଆସିବି !’

 

ପଖିଆ ମୁଣ୍ଡେଇ ସେଇ ଲୋକଟି ଯାଇ ତା ରିକ୍ସାର ସିଟ୍‌ ତଳୁ ମୋ ବ୍ୟାଗ୍‌ଟା ନେଇ ଆସିଲା । ବ୍ୟାଗ୍‌ଟା ଖୋଲି ମୁଁ ଦେଖିଲି ଟଙ୍କାତକ ସେଥିରେ ସୁରକ୍ଷିତ ଅଛି । ମୁଁ ବ୍ୟାଗ୍‌ଟାକୁ ଭିଡ଼ି ଧରି ବସି ରହିଲି ।

 

ସେ ଲୋକମାନେ ଏତେଗୁଡ଼ିଏ ଟଙ୍କା ଏକାଥରକେ ଆଗରୁ କେବେ ଦେଖି ନଥିଲେ । ସାନ ପିଲାଟା ଭଲମନ୍ଦ ନ ବିଚାରି ସାଙ୍ଗେ ସାଙ୍ଗେ ପାଟିକରି ଉଠିଲା, ‘ଏତେ ଟଙ୍କା !’

 

ତା ମାଆ ପୁଅ ପାଟିରେ ହାତ ଦେଇ ତା କଥାକୁ ରୋକିନେଲା । ମୁଁ ଗୋଟାଏ ନିଶ୍ୱାସରେ ମୋ ଦୁଃଖ କାହାଣୀ ସେମାନଙ୍କ ଆଗରେ ଗପି ଦେଇଗଲି । କୋଉ ଦୁର୍ଦ୍ଦଶାରେ ପଡ଼ି ମୁଁ ସେମାନଙ୍କ ଶରଣାପନ୍ନ ହୋଇଛି ସେକଥା ବି କହିଲି । ମାତ୍ର ନିଜର ଦୁର୍ବଳତାତକ ଗପିସାରିବା ପରେ ମୁଁ ନୂଆ ଗୋଟେ ଭୟରେ ଭୟଭୀତ ହୋଇ ପଡ଼ିଥିଲି । ଚାହିଁ ଦେଖିଲି, ପୁରୁଷ ଲୋକଟାର ଗୋଟିଏ ହାତ କହୁଣି ପାଖରୁ ନାହିଁ । ଲୋକଟା ରିକ୍ସା ଟାଣୁଥିବ କେମିତି ! ନିଶ୍ଚୟ କିଛି ଚୋରି ଡକେଇତି କାମରେ ସାମିଲ୍‌ ଥିବ । ହୁଏତ ଏଇ ଲୋକଟା ଏ ରାସ୍ତାଦେଇ ବାହାର ଲୋକଙ୍କ ଯା-ଆସ ବାବଦରେ ଚୋରଖଣ୍ଟଙ୍କୁ ଖବର ଦେଉଥିବ ଓ ତା ବଦଳରେ କମିଶନ ଖାଉଥିବ ।

 

ମୁଁ ଭିତରେ ଭିତରେ ଥରୁଥିଲି । କଣ କରିବି, କଣ ନ କରିବି ସେ ନେଇ ଶେଷ ସିଦ୍ଧାନ୍ତରେ ପହଞ୍ଚି ପାରୁ ନ ଥିଲି । ସେଇଠି ରହିଯିବି ଭାବିଲାବେଳକୁ ଡର, କାଳେ ଲୋକଟା ତା ସ୍ତ୍ରୀ-ଛୁଆ ସାଙ୍ଗରେ ମିଶି ରାତିରେ ମୋ ବେକ କାଟିଦେବ ଓ ମୋ ଟଙ୍କାତକ ନେଇଯିବ । ସେଠୁ ଚାଲିଯିବାକୁ ବସିଲେ ବର୍ଷା ଓ ଚୋରମାନଙ୍କ ଭୟ ।

 

ରଣଜିତ୍‌ର ଆଶଙ୍କା ଅମୂଳକ ନଥିଲା । ଏମିତି ଖବର ତ ବରାବର ଶୁଣିବାକୁ ମିଳେ ।

 

ରଣଜିତ୍‌ କହିଲା, “ଶେଷକୁ ସ୍ଥିର କଲି ମୁଁ ରାତିସାରା ଅନିଦ୍ରା ରହିବି । ଶୋଇପଡ଼ିଲେ ସିନା ସେମାନେ ଯାହା କିଛି କରିବେ । ଶୋଇବି ନାହିଁ କି ତାଙ୍କ ହାତରୁ କିଛି ଖିଆପିଆ କରିବି ନାହିଁ । ରାତିଟା ପାହିଗଲେ ମୁଁ ଚାଲିଯିବି ।”

 

ମୁଁ ଲୋକଟା ସାଙ୍ଗେ ଗପଯୋଡ଼ିବା ପାଇଁ ତାକୁ ପଚାରିଲି, “ତମେ ଗୋଟାଏ ହାତରେ ରିକ୍ସା ଟାଣ ? ଅସୁବିଧା ହୁଏ ନାହିଁ ?”

 

ସେ ଲୋକଟି ହସିଲା । ମୋ ପାଖକୁ ଆସି ଖଟିଆ ତଳେ ବସିପଡ଼ି ତା ଅଣ୍ଟାରୁ ବିଡ଼ି ବାହାର କଲା । ତା ସ୍ତ୍ରୀ ବିଡ଼ିରେ ନିଆଁ ଧରେଇ ଦେଇଗଲା । ଲୋକଟି କଳେ ବିଡ଼ି ଧୂଆଁ ଉପରକୁ ଛାଡ଼ି କହିଲା, “ଆଗେ ଅସୁବିଧା ହେଉଥିଲା । ଏବେ ଅଭ୍ୟାସ ହୋଇଗଲାଣି ।”

 

ମୁଁ ଆଶ୍ଚର୍ଯ୍ୟ ହେଲି ! ଆଗରୁ ଏମିତି ଏକହାତିଆ ରିକ୍ସାବାଲା ମୁଁ କୋଉଠି ଦେଖି ନଥିଲି । ଲୋକଟା ସତ କହୁଛି ତ ! ତା ସ୍ତ୍ରୀ ଗୋଟେ ଥାଳିରେ ଦି’ଖଣ୍ଡ ରୁଟି ଓ ଟିକେ ସନ୍ତୁଳା ଆଣି ମୋ ସାମ୍ନାରେ ରଖିଦେଲା । ମୋ ପେଟ ସେତେବେଳକୁ ଭୋକରେ ଜଳୁଥିଲେ ବି ମୁଁ କହିଲି, “ମୋ ଦେହ ଖରାପ । ମୁଁ କିଛି ଖାଇବି ନାହିଁ ।”

 

ସ୍ତ୍ରୀଟି କହିଲା, “ଏଇଠି ଢାଙ୍କି ରଖି ଦେଉଛି । ଭଲ ଲାଗିଲେ ଖାଇଦେବେ ।”

 

ମୁଁ ପଚାରିଲି, “ତୁମେମାନେ ଖାଇଲଣି ?”

 

ସେମାନେ ‘ହଁ’ କଲେ । ଗୋଡ଼ ହାତ ଟେକି ମୁଁ ଖଟିଆ ଉପରେ ବସିଲି । ସେତେବେଳକୁ ଭୟ ଟିକିଏ କଟିଗଲାଣି, ମାତ୍ର ସଂପୂର୍ଣ୍ଣ କଟିନାହିଁ । ଟଙ୍କା ବ୍ୟାଗ୍‌ଟାକୁ ମୁଣ୍ଡତଳେ ରଖି ଶୋଇବାର ଛଳନା କଲି ।

 

: ତୁ ଶୋଇପଡ଼ିଲୁ ?

 

: କହୁଛି ଶୁଣ୍‌, ମୁଁ ଶୋଇବାକୁ ଯାଉଛି, ଦେଖିଲି ସେ ଘରର ଗୋଟେ କୋଣରେ କେତେଗୁଡ଼ାଏ ଗଣେଶ ଓ ଖୁଦୁରୁକୁଣୀ ମୂର୍ତ୍ତି ତିଆରି ହୋଇ ରହିଛି । କେତେକରେ ରଙ୍ଗ ଦିଆ ହୋଇଛି, ଆଉ କେତେକରେ ଦିଆ ହୋଇନାହିଁ । ମୁଁ ସାନ ପିଲାଟିକୁ ପଚାରିଲି, “ଏସବୁ କିଏ ଗଢ଼ିଛି ?”

 

ପିଲାଟି ଉତ୍ସାହିତ ହେଲା ପରି କହିଲା, “ମୋ ବାପା ।”

 

: ତମେ ମୂର୍ତ୍ତି ବି ଗଢ଼ ? କେତେବେଳେ ଗଢ଼ ? ରିକ୍ସାଟଣାରୁ ଫେରି ? ମୁଁ ତା ବାପାକୁ ପଚାରିଲି ।

 

ତାପରେ ସେ ଲୋକଟି ମୋତେ ତା କଥା କହିଲା ।

 

: କଣ କହିଲା ? ମୁଁ ରଣଜିତ୍‌ କଥାରେ ଉତ୍ସାହିତ ହୋଇ ପଡ଼ିଥିଲି ।

 

ରଣଜିତ୍‌ ଏକା ଢୋକରେ ତା ଗିଲାସ ଖାଲି କରିଦେଇ ଖଣ୍ଡେ ସିଗ୍ରେଟ୍‌ ଲଗେଇଥିଲା ।

 

: ସେ ଲୋକଟା ଥିଲା ଗୋଟେ କାରିଗର । ମୂର୍ତ୍ତି ତିଆରି କରେ । ପିଲାଦିନୁ ମୂର୍ତ୍ତି ଗଢ଼ିବା କାମ ଶିଖିଥିଲା । ବୟସ ବଢ଼ିଲା ପରେ କଲିକତା ଯାଇ ସେଠି ମୂର୍ତ୍ତିଗଢ଼ା କାମରେ ତାଲିମ ନେଲା ଓ ବଡ଼ ବଡ଼ ମୂର୍ତ୍ତି ତିଆରି କଲା । ତାର ଇଚ୍ଛା ଥିଲା, ବେଶ୍‌ କିଛି ପଇସା କମେଇ ଗାଁକୁ ଫେରିବ ଓ ବାହାହେବ ।

 

: ହୁଁ !

 

: ଏଇ ଯୋଉ ତାର ସ୍ତ୍ରୀ, ତାକୁ ସେ ଅନେକଦିନୁ ଭଲପାଉଥିଲା । ଝିଅଟିର ବାପା ନଥିଲା । କେବଳ ମା ଥିଲା । ଲୋକଟାର ନାଁ ରମେଶ । ରମେଶ ଦାସ । ଦୁର୍ଯୋଗକୁ ରମେଶ କଲିକତାରେ ଟ୍ରାମ୍‌ରୁ ଖସିପଡ଼ି ଡାହାଣ ହାତଟିକୁ ହରେଇ ବସିଲା ।

 

: ଆହା !

 

: ରମେଶ ବାଧ୍ୟହୋଇ ତା ଗାଁକୁ ଫେରି ଆସିଲା । ଝିଅଟାକୁ ଭେଟି ସବୁ କହିଲା, ତାକୁ ବୁଝେଇଲା, ସେ ବରଂ ଆଉ କୋଉଠି ବାହା ହୋଇଯାଉ । ଡାହାଣ ହାତ କଟିଗଲା ପରେ ସେ ପୂରାପୂରି ଅକର୍ମଣ୍ୟ ହୋଇଯାଇଛି । ଆଉ କିଛି କାମ କରିପାରିବ ନାହିଁ କି ତାକୁ ପୋଷିପାରିବ ନାହିଁ ।

 

ମାତ୍ର ଝିଅଟା ଥିଲା ଗୋଟେ ଅଦ୍ଭୁତ ପିଲା । ସେ କହିଥିଲା ତମର ହାତ ନାହିଁ ବୋଲି କିଏ କହୁଛି ? ମୋ ହାତ ତମର ହାତ । ଆଗରୁ ତମେ ଯେମିତି ସୁସ୍ଥସବଳ ମଣିଷ ଥିଲ, ଏବେ ବି ସେମିତି ଅଛ । ବାହା ହେବି ତ ତମକୁ ବାହା ହେବି, ନ ହେଲେ ଅଭିଆଡ଼ୀ ରହିଯିବି ।

 

: ଆଶ୍ଚର୍ଯ୍ୟ ।

 

: ହଁ, ଆଶ୍ଚର୍ଯ୍ୟ । ସେମାନେ ବାହା ହେଲେ । ତାପରେ ଗାଁ ଭିତରୁ ଚାଲିଆସି ନଈବନ୍ଧ ଉପରେ ପଲାଟେ ତୋଳି ରହିଲେ । ସକାଳେ ରମେଶ ରିକ୍ସା ଟାଣେ । ସଂଜବେଳେ ବସାକୁ ଫେରି ମୂର୍ତ୍ତି ଗଢ଼େ । ତା ସ୍ତ୍ରୀ ଓ ପିଲା ସେଇ ମୂର୍ତ୍ତିରେ ରଂଗ ଦିଅନ୍ତି । ସେମାନେ ପୂଜାପାଳିରେ ସେଗୁଡ଼ିକୁ ରିକ୍ସାରେ ନେଇ ବିକନ୍ତି ।

 

ମୁଁ ଏସବୁ ଶୁଣି ଭିତରେ ଭିତରେ ଭାବପ୍ରବଣ ହୋଇ ପଡୁଥିଲି । ରଣଜିତ୍‌ କିନ୍ତୁ କହିଚାଲିଥାଏ ।

 

“ମୁଁ ଯୋଉଦିନ ସେମାନଙ୍କ ପଲାରେ ଯାଇ ପହଞ୍ଚିଲି, ସେଦିନ ବର୍ଷା ଯୋଗୁ ରମେଶ ରିକ୍ସା ଟାଣିଯାଇପାରି ନଥିଲା କି ତା ସ୍ତ୍ରୀ ବିଲ କାମକୁ ଯାଇ ନଥିଲା । ସେମାନଙ୍କ ପାଖରେ କେଇପୁଞ୍ଜା ଚାଉଳ ଓ ପୋଷେ ଦି ପୋଷ ଅଟା ଛଡ଼ା କିଛି ବୋଲି କିଛି ନ ଥିଲା । ମୁଁ ଚଣ୍ଡାଳ ସେମାନଙ୍କ ସେଇ ରୁଟି ସନ୍ତୁଳା ବିଷ ମିଶିଥିବା ଆଶଙ୍କା କରି ନଷ୍ଟ କରି ଦେଇଥିଲି । ମୋ ପାଇଁ ପିଲାଟା ଉପାସ ରହିଥିଲା ।

 

: ତୋତେ ଏକଥା କିଏ କହିଲା ?

 

: ସେ ସାନ ପିଲାଟା । ବର୍ଷା ଯୋଗୁଁ ତା ସ୍କୁଲରେ ରନ୍ଧା ହୋଇପାରି ନ ଥିବା ନେଇ ପିଲାଟା ଖୁବ୍‌ ରୁଷ୍ଟ ଥିଲା । ମୋ ଚଷମା ସାଙ୍ଗରେ ଲାଗୁ ଲାଗୁ କହିଥିଲା, ‘ଏଇ ବର୍ଷାଟା ବଦମାସ୍‌ ବର୍ଷା । ୟାରି ଯୋଗୁ ସ୍କୁଲରେ ଆଜି ଜାଉ ରନ୍ଧା ହୋଇପାରିଲା ନାହିଁ... ।’

 

ମୁଁ ତା କଥା ଶୁଣି ସ୍ତବ୍ଧ ହୋଇଥିଲି । ବର୍ଷାକୁ ନେଇ ଖବରକାଗଜରେ କେତେ ଖବର, କେତେ ଗପ ଓ କବିତା ପିଲାଦିନେ ଆମେ ପଢ଼ିନାହେଁ ! କିନ୍ତୁ ସେଦିନ ସେଇ ପିଲାଟାର ଅଭିଯୋଗ ମୋତେ ହଠାତ୍‌ ଭୀଷଣ ବର୍ଷା-ବିଦ୍ୱେଷୀ କରିଦେଲା । ବିଚରା, ଘରୁ ଥାଳି ଗିନା ନେଇ ସେ ସ୍କୁଲକୁ ଯାଇଥିଲେ ବି ଉପାସରେ ସେ ଫେରି ଆସିଥିଲା ।

 

ପିଲାଟା ଆଉ କଣ କହିବାକୁ ଯାଉଥିଲା ବୋଧହୁଏ ତା ମା ତାକୁ ଭିଡ଼ି ନେଇଥିଲା । କହିଥିଲା, “ବର୍ଷା ନହେଲେ କେତେ ଅସୁବିଧା ହେବ ତୁ ଜାଣିଛୁ ? ଆମେ କାମ ପାଇବା ନାହିଁ । ଚାଷବାସ ସବୁ ବନ୍ଦ ହୋଇଯିବ... ।”

 

ମୋର ଆଉ କିଛି ଶୁଣିବାକୁ ଧୈର୍ଯ୍ୟ ନଥିଲା । ମୁଁ କେବଳ ଚୁପ୍‌ଚାପ୍‌ ସେମାନଙ୍କୁ ଚାହିଁଥିଲି । ଗୋଟେ ଗୋଟେ କଣ୍ଢେଇ ପରି ସେମାନେ ତାଙ୍କ ତାଙ୍କ ଭିତରେ କଣ ସବୁ କଥାବାର୍ତ୍ତା ହେଉଥାନ୍ତି, ମୁଁ ବୁଝିପାରୁ ନଥିଲି । ଅନେକ ରାତିଯାଏ ସେମାନେ ଚେଇଁଥିଲେ ।

 

ବାହାରେ ସେଇମିତି ପ୍ରବଳ ବର୍ଷା । ମୁଁ ଗୋଡ଼ହାତ ଲମ୍ବାଇ ଖଟିଆ ଉପରେ ପଡ଼ିଗଲି-। ଶତଚେଷ୍ଟା ସତ୍ତ୍ୱେ କେତେବେଳେ ମୋତେ ନିଦ ଲାଗିଯାଇଛି ଜାଣିପାରି ନାହିଁ । ନିଦ ଭାଙ୍ଗିଲାବେଳକୁ ସେମାନେ ସମସ୍ତେ ଉଠି ସାରିଲେଣି । ମୁଁ ଆଗେ ପାଗଳ ପରି ମୋ ଟଙ୍କା ବ୍ୟାଗ୍‌ଟାକୁ ଖୋଜିହେଲି । ଟଙ୍କା ବ୍ୟାଗ୍‌ଟି ମୋ ମୁଣ୍ଡତଳେ ମୁଁ ଯେମିତି ଥୋଇଥିଲି ଠିକ୍‌ ସେମିତି ଥିଲା । ରିକ୍ସାବାଲା ରମେଶ ମୋତେ କହିଲା, “ଚାଲ ବାବୁ, ତମକୁ ନେଇ ଛକରେ ଛାଡ଼ିଦେଇ ମୁଁ ମୋ କାମରେ ଯିବି । ଏତେ ସକାଳୁ ଏଠୁ କିଛି ଗାଡ଼ି ଘୋଡ଼ା ମିଳିବ ନାହିଁ । ତମ ଘର ଲୋକମାନେ ତେଣେ ବ୍ୟସ୍ତ ହୋଇ କୁଆଡ଼େ ବୋଲି କୁଆଡ଼େ ଖୋଜିବେଣି !”

 

ମୁଁ ରମେଶକୁ ଚାହିଁଲି । ତା ପଛରେ ଠିଆ ହୋଇଥିବା ତାର ମଫସଲୀ ସ୍ତ୍ରୀ ଓ ଗପୁଡ଼ା ପୁଅକୁ ଭଲକରି ଥରେ ଦେଖିଲି । ହଠାତ୍‌ ମୋର ମନହେଲା, ଏମାନଙ୍କୁ କାଲି ଚୋର ଡକେଇତି ବୋଲି ଭାବି ଘୋର ଅନ୍ୟାୟ କରିଛି । ସେମାନଙ୍କ ଖାଇବା ଜିନିଷକୁ ନଷ୍ଟ କରି ଅପରାଧ କରିଛି । ଏ ଅପରାଧର ପ୍ରାୟଶ୍ଚିତ୍ତ ପାଇଁ କିଛି ଟଙ୍କା ଦେଇଯିବି । ଡକାୟତମାନେ ଧରିଥିଲେ ସବୁତକ ଯାଇଥାଆନ୍ତା । ସାଙ୍ଗରେ ନିଜର ଜୀବନଟା ବି ଯାଇଥାନ୍ତା କି ରହିଥାଆନ୍ତା ସନ୍ଦେହ । ଏମାନଙ୍କ ଋଣ ତ ମୁଁ କେବେ ଶୁଝିପାରିବି ନାହିଁ ।

 

: ସେଇଠୁ ?

 

: ମୁଁ ଗୋଟେ ହଜାର ଟଙ୍କିଆ ବିଡ଼ା ବାହାର କରି ରମେଶକୁ ବଢ଼େଇଥିଲି । କହିଲି, “ନିଅ, ତମର କାମରେ ଆସିବ । ତମେ ମୋର ଯୋଉ ଉପକାର କରିଛ, ତାର ପ୍ରତିଦାନ ମୁଁ ଦେଇପାରିବି ନାହିଁ, ଏତକ ରଖ । ନହେଲେ ମୋ ମନ କଷ୍ଟ ହେବ ।”

 

: ସେ ଖୁସି ହୋଇଥିବ ।

 

: ଆରେ ନା, ସେ ଖୁସି ହୋଇଥିଲେ ମୁଁ ଆଜିଯାଏ ତା କଥା ଏତେ ସ୍ପଷ୍ଟ ଭାବେ ମନେ ରଖି ନଥାନ୍ତି । ସେ ମୋ ହାତରୁ ଟଙ୍କା ନେଲା ନାହିଁ କି ମୋ କଥା ଶୁଣିଲା ନାହିଁ ।

 

: କଣ କହିଲା ?

 

: କାହାକୁ ରାତିକ ପାଇଁ ଆଶ୍ରାଦେଲେ ସେଥିପାଇଁ କଣ ମୂଲ୍ୟ ନିଆଯାଏ !

 

ମୁଁ ତା କଥାରେ ଆଶ୍ଚର୍ଯ୍ୟ ହୋଇଥିଲି । କହିଥିଲି, ମୋର ଇଚ୍ଛା ଓ ଆଗ୍ରହକୁ ଆଡ଼େଇ ଦିଅ ନାହିଁ । ମୋର ଉପହାରକୁ ଏମିତି ମନା କରିଦେବା ତୁମ ପରି କାରିଗର ପକ୍ଷେ କ’ଣ ଶୋଭା ପାଉଛି ?

 

କାରିଗର ରମେଶ ଦାସ ଟିକିଏ ହସିଥିଲା । ତା’ପରେ ମୋତେ ଆକାଶକୁ ଦେଖେଇ କହିଥିଲା, “ମୁଁ କି କାରିଗର ବାବୁ ? ସେଇ ଉପରବାଲା ହଉଛି ବଡ଼ କାରିଗର । ସେ ଯାହାକୁ ଯେମିତି ବନେଇଛି ସିଏ ସବୁ ସେମିତି ଅଛନ୍ତି । ସେ କାରିଗରର କାମକୁ ଓଲଟପାଲଟ କଲାବାଲା ଆମେ କିଏ... ?”

 

ରଣଜିତ୍‌ ତାର କଥା ସାରିପାରିଲା ନାହିଁ । ତାର କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଥିଲା । ମୁଁ ମଧ୍ୟ ତା କଥା ଶୁଣି କେମିତି କାଠ ପରି ନିଜକୁ ନିଶ୍ଚଳ ଅନୁଭବ କରୁଥିଲି । ଅନେକ ସମୟ ପରେ ରଣଜିତ୍‌ ତୁଣ୍ଡ ଖୋଲିଥିଲା, ‘ଏକଥା କହିଲାବେଳେ ରମେଶ ଦାସର ମୁହଁରେ ଟିକିଏ ବି ଅଭିମାନ କି ଗର୍ବ ନଥିଲା । ବରଂ ତା ମୁହଁଟି ଗୋଟେ ପ୍ରତିମାର ମୁହଁ ପରି ଦିଶୁଥିଲା ସ୍ଥିର ଓ ଉଜ୍ଜ୍ୱଳ । ମୁଁ ମୋହାବିଷ୍ଟ ପରି ତା ରିକ୍ସାରେ ବସିଥିଲି । ସେ ତାର ସେଇ ଗୋଟିଏ ହାତରେ ରିକ୍ସା ଚଳେଇ ମୋତେ ଆଣି ବଜାର ଛକରେ ପହଞ୍ଚେଇ ଦେଇ ମୋଠୁଁ ଭଡ଼ା ଦୁଇଟଙ୍କା ନେଇ ଫେରିଥିଲା ।

 

ମୋତେ ରଣଜିତ୍‌ର ଡ୍ରଇଂରୁମ୍‌ର ପରିବେଶଟା ଖୁବ୍‌ ଭାରୀ ଭାରୀ ଲାଗିଥିଲା । ମୁଁ ଉଠିପଡ଼ି ରଣଜିତ୍‌ର ପିଠି ଥାପୁଡ଼େଇ କହିଥିଲି, “ଲୋକଟି ଠିକ୍‌ କହିଛି । ଉପର କାରିଗରର କାରସାଦି ବୁଝିବାକୁ ଆମେ କିଏ ?”

 

ସେଇଦିନ ମୁଁ ମନେ ମନେ ସ୍ଥିର କରିଥିଲି, ଦିନେ ନା ଦିନେ ରମେଶ ଦାସକୁ ନେଇ କାହାଣୀଟେ ଲେଖିବି ।

☆☆☆

 

ବିଷଚକ୍ର

 

ଶାଳଗଛମାନେ ଧାଡ଼ି ଧାଡ଼ି ହୋଇ ଛିଡ଼ା ହୋଇଥିଲେ କେଉଁ ମହାମହିମଙ୍କ ଅଭ୍ୟର୍ଥନା ପାଇଁ ରାସ୍ତା ଦୁଇକଡ଼ରେ ଛିଡ଼ା ହୋଇଥିବା ସୈନିକଙ୍କ ପରି । ପବନ ବୋହୁଥିଲା ବଶମ୍ବଦ ଓ ନିଷ୍ଠାପର ଢଙ୍ଗରେ, ଫୁଲମାନେ ଆବଶ୍ୟକଠୁ ଢେର୍‌ ଅଧିକ ସୁନ୍ଦର ଦିଶୁଥିଲେ ।

 

ପାହାଡ଼ର ପାଦଦେଶରେ ହିଁ ଗାଁଟି । ପଛରେ ପାହାଡ଼, ଆଗରେ ବିସ୍ତୀର୍ଣ୍ଣ ଜଙ୍ଗଲ । ଡାହାଣ ପାଖକୁ ସରୁ ପାଦଚଲା ରାସ୍ତାଟିଏ ଆଗକୁ ଯାଇ କୁଆଡ଼େ ହଜିଯାଇଛି । ଗାଆଁ ଏ ମୁଣ୍ଡରେ ଛୋଟ ମନ୍ଦିରଟିଏ, ଠାକୁରାଣୀ ମନ୍ଦିର । ଚାରିପଟେ କିଛି ଦୂର ପର୍ଯ୍ୟନ୍ତ ଚାଷ ଜମି । ସେ ଜମି ମଝିରେ ଛୋଟ ଗୋଟେ ମୁଣ୍ଡିଆ ।

 

କଲ୍ୟାଣୀ ଅଭିଷେକକୁ ଜଡ଼େଇ ଧରିଲା । କେତେ ଖୋଲା ପବନ, ମୁକୁଳା ଆଲୁଅ ପୁଣି କେତେ ଗୋପନୀୟତା । ତାର ଇଚ୍ଛା ହେଉଥିଲା ବହୁଦିନର ଗୋଟାଏ ଅବଦମିତ କାମନାକୁ ଗୁଡ଼ି କରି ଆକାଶରେ ଉଡ଼େଇ ଦେବ । ଆଗେ ଆଗେ ସେ ଧାଉଁଥିବ ଓ ପଛେ ପଛେ ଅଭିଷେକ, ଯେମିତିକା ଦୃଶ୍ୟ ସେ ପ୍ରାୟତଃ ଦେଖିଥାଏ ସିନେମାରେ ।

 

ଦୂରରେ ପାଣିଧାରଟିଏ । କିଛି ଦୂର ଯିବାପରେ ଦୁହେଁ ଲକ୍ଷ୍ୟ କଲେ ଆଗରେ ଛୋଟ ଜଳପ୍ରପାତ । ଉପରୁ ପାଣି ପଡ଼ୁଛି ପ୍ରଚଣ୍ଡ ବେଗରେ । ସେ ପାଣି ସବୁ ଗୋଟାଏ ଜାଗାରେ ପଡ଼ି ପୁଣି ବୋହିଯାଉଛି ।

 

ଅଭିଷେକ ଧୀରେ ନିଜ ମଥାଟିକୁ ଆଣି କଲ୍ୟାଣୀର କାନ୍ଧରେ ଥୋଇଲା । କଲ୍ୟାଣୀ ଗଛଟିଏକୁ ଆଉଜି ପଡ଼ି ସାଉଁଳେଇ ଦେଲା ଅଭିଷେକର ମୁଣ୍ଡବାଳ ।

 

: ଏ ଜାଗାଟା କେତେ ଅଦ୍ଭୁତ ଭାବରେ ନିଛାଟିଆ ।

 

: ଅଥଚ ସୁନ୍ଦର ।

 

ସେମାନେ ବହୁକାଳ ସହରର ଭିଡ଼ ଭିତରେ ବିତେଇଛନ୍ତି । ଖୋଲା ପବନ ଆଞ୍ଜୁଳାଏ ମିଳିବା ସେଠି କଷ୍ଟ । ସମ୍ପର୍କ ପ୍ରୟୋଜନଭିତ୍ତିକ, ପରିବେଶ ପ୍ରଦୂଷିତ ଓ ଜୀବନଯାତ୍ରା ଯାନ୍ତ୍ରିକ । ସେଥିପାଇଁ କାନ୍ଦୁଲିପଡ଼ାକୁ ବଦଳି ହେଲାକ୍ଷଣି ଅଭିଷେକ ଆପତ୍ତି କରି ନଥିଲା । କଲ୍ୟାଣୀ ପ୍ରସ୍ତାବ ଦେଇଥିଲା, ସେ ବି ଅଭିଷେକ ସାଙ୍ଗରେ ଆସିବ ।

 

ଦୂରରୁ ଛବିବହିର ଚିତ୍ରଟେ ପରି ଦିଶେ କାନ୍ଦୁଲିପଡ଼ା । ସାତ କିଲୋମିଟର ପର୍ଯ୍ୟନ୍ତ ବଜାର, ଡାକ୍ତରଖାନା କି ପୋଷ୍ଟ୍‌ ଅଫିସ୍‌ କିଛି ନାହିଁ । ଖରାଦିନେ ଗାଁକୁ ଗାଡ଼ି ଆସିପାରିବ, କିନ୍ତୁ ବର୍ଷାଦିନେ ନାଲିଗୋଡ଼ି ରାସ୍ତା ପର୍ଯ୍ୟନ୍ତ ହିଁ ଗାଡ଼ି ଆସିବ, ଆଗକୁ ନୁହେଁ । ଅଭିଷେକର ଅସୁବିଧା ହୁଏ ନାହିଁ । ଅଫିସ୍‌ ପର୍ଯ୍ୟନ୍ତ ଚାଲିଗଲେ ଜିପ୍‌ ଅଛି, ବଜାରକୁ ଯାଇ ସବୁଦିନେ ଘେରାଏ ବୁଲି ଆସିହେବ ।

 

ଏଠିକି ଆସିବା ଆଗରୁ ଜଙ୍ଗଲ ଓ ଆଦିବାସୀ ଗାଁ ନେଇ କଲ୍ୟାଣୀର ବିଚିତ୍ର ଧାରଣା ଥିଲା । ଡାହାଣୀ, ଚିରିଗୁଣୀ, ଦିଶାରୀ ଥିବେ, ରାସ୍ତା ଧାରରେ ଛକି ରହିଥିବ ଭାଲୁ, ନହେଲେ କଲରାପତ୍ରିଆ । ଘଞ୍ଚ ଜଙ୍ଗଲ ଭିତର ଦସ୍ୟୁ । ଅଭିଷେକ ଏକଥା ଶୁଣି ହସେ । କହେ, ଏସବୁ ତମର ଦୋଷ ନୁହେଁ, ତମେ ପଢ଼ିଥିବା ବହି ଓ ଦେଖିଥିବା ଚିତ୍ରମାନଙ୍କର ଦୋଷ ।

 

କାନ୍ଦୁଲିପଡ଼ାର କାଠ ଚୋରି ସମସ୍ୟା ଏକ ଗୁରୁତର ସମସ୍ୟା–ଏକଥା ଅଭିଷେକ ଆସିବା ପୂର୍ବରୁ ଜାଣିଥିଲା । ଏଠିକାର କାଠ ଚୋରମାନେ ଖୁବ୍‌ ନୃଶଂସ । ତିନି ବର୍ଷ ତଳେ ଜଣେ ଫରେଷ୍ଟ୍‌ ଗାର୍ଡର ଦୁଇ ହାତ କାଟି ଦେଇଥିଲେ ଓ ଆଉ ଜଣେ ଅଫିସରଙ୍କ ଜିପ୍‌ ଓଲଟେଇ ଦେଇଥିଲେ । ଏଠିକି ଆସିବା ପରେ ଅଭିଷେକର କାଠ ରାକେଟ୍‌ ବାବଦରେ ପ୍ରତ୍ୟକ୍ଷ ଧାରଣା ହେଲା । ଗାଁର ପିଲାଠୁଁ ଆରମ୍ଭ କରି ବୁଢ଼ାବୁଢ଼ୀ ଯାଏ, ଜାଣତରେ ହେଉ ଅବା ଅଜାଣତରେ ହେଉ କାଠଚୋରି ସହ ସଂପୃକ୍ତ । କିଏ ଚୋରମାନଙ୍କୁ ଫରେଷ୍ଟ୍‌ବାଲାଙ୍କ ଆସିବା ଖବର ଦେବ, କିଏ ତା ବାଡ଼ିରେ ଲୁଚେଇ ରଖିବ କଞ୍ଚା ଗଛ, କିଏ ସେସବୁକୁ ହାଣି ସାଇଜ କାଠ କାଟିବ–ସେସବୁ ସ୍ଥିରୀକୃତ ହୁଅନ୍ତି । କାଠଚୋରି ଭିନ୍ନ ଆଉ କିଛି କାମ ପ୍ରାୟ ନାହିଁ କାନ୍ଦୁଲିପଡ଼ାରେ । ପେଟରେ ଭୋକ ଓ ଆଖି ଚାରିପଟେ ଜଙ୍ଗଲର ଗଛ ।

 

ବେଳେବେଳେ କଲ୍ୟାଣୀ ପାଖକୁ ଆଦିବାସୀ ଝିଅ ଆସନ୍ତି । ଆଗେ ଆଗେ ସେମାନଙ୍କ କଥା କିଛି ବୁଝୁ ନଥିଲା କଲ୍ୟାଣୀ । ସେମାନେ ବି କଲ୍ୟାଣୀର ସବୁ କଥା ବୁଝୁ ନଥିଲେ-। ଏବେ ଉଭୟ କଥାଭାଷା ହୁଅନ୍ତି ।

 

ଅଭିଷେକ କହେ, ‘ଏ ଲୋକମାନଙ୍କୁ ସହଜେ ବଦଳେଇ ହେବ । ସେମାନଙ୍କ ଦାରିଦ୍ର୍ୟ ପାଇଁ ଭାଗ୍ୟ ଦାୟୀ, ଏକଥା ତାଙ୍କ ମୁଣ୍ଡରେ ବସା ବାନ୍ଧି ଯାଇଛି । ନିଜ ସମସ୍ୟାର ସମାଧାନ ପାଇଁ କିଛି କରିବା ବଦଳରେ ସହରୀ ମଣିଷକୁ ଶତ୍ରୁ ବୋଲି ଭାବୁଛନ୍ତି, ଈର୍ଷା କରୁଛନ୍ତି । ଏଠି ଯେଉଁ ଜିନିଷର ସବୁଠୁ ଅଭାବ, ସେଇଟା ହେଲା ଶିକ୍ଷା । ଶିକ୍ଷାର ପ୍ରସାର ହେଲେ ସବୁ ସମସ୍ୟା ବଳେବଳେ ହଟିଯିବ ।’

 

କଲ୍ୟାଣୀ ଥଟ୍ଟା କରେ, “କଣ ଏ ଜଙ୍ଗଲ ମାୟାରେ ପଡ଼ିଗଲଣି କି ? ଆମ ମା ଝିଅଙ୍କୁ ଛାଡ଼ିଦେଇ ଆସ, ତେଣିକି ତମେ ସମାଜ ବଦଳେଇବ ।”

 

ଉଭୟେ ହସନ୍ତି । ଜହ୍ନ ଉଠିଆସିଥାଏ ପାହାଡ଼ର ମଥାନକୁ । ବଉଦମାନେ ଜହ୍ନକୁ ଘେରି ଚକାଚକା ଭଉଁରି ଖେଳୁଥାଆନ୍ତି ।

 

।। ଦୁଇ ।।

 

ରାମଶରଣର କଥା ଶୁଣୁ ଶୁଣୁ ଉଭୟେ ହସି ଉଠିଲେ । କଲ୍ୟାଣୀ କହିଲା, “ତମେ ବି ଏ କାଳିଶୀ, ଗୁଣିଆ କଥାରେ ବିଶ୍ୱାସ କରୁଛ ? ଆଉ ହେବ ନାହିଁ ।”

 

ରାମଶରଣ କହିଲା, “ଆପଣ ସିନା ବିଶ୍ୱାସ କରୁନାହାନ୍ତି, କିନ୍ତୁ କାନ୍ଦୁଲିପଡ଼ା ଗାଆଁଟାଯାକ ସମସ୍ତେ ବିଶ୍ୱାସ କରୁଛନ୍ତି । ସେ ସ୍ତ୍ରୀ ଲୋକଟିକୁ କାଳିଶୀ ଲାଗିଛି । ସେ ସବୁ କଥା କହିଦେଉଛି । ଆପଣ ଯାଇ ଦେଖି ଆସିଲେ ବିଶ୍ୱାସ କରିବେ । ତାକୁ ଚାରି ଚାରିଟା ଲୋକ ମାଡ଼ି ବସିଛନ୍ତି, କିନ୍ତୁ ସେ ସମ୍ଭଳା ପଡ଼ୁନାହିଁ । କାଳିଶୀ ଲାଗିବା ତ ମ୍ୟାଲେରିଆ କମ୍ପ ନୁହେଁ ଯେ କମ୍ବଳ ଘୋଡ଼େଇ ଦେଲେ ଛାଡ଼ିଯିବ ।”

 

ଅଭିଷେକ କାଳିଶୀ, ଡାଆଣୀ ଇତ୍ୟାଦିରେ ବିଶ୍ୱାସ କରେ ନାହିଁ । ଏସବୁ ମାନସିକ ରୋଗର ଲକ୍ଷଣ । ଡାକ୍ତରକୁ ଦେଖାଇବା ବଦଳରେ ଏମାନେ ନେଇକି ଯିବେ ଗୁଣିଆ ପାଖକୁ । ବିଚିତ୍ର ଲୋକ । ଇଚ୍ଛା ହେଉଥିଲା ଗାଆଁ ଭିତରକୁ ଯାଇ କାଳିଶୀ ଲାଗିଥିବା ସେ ସ୍ତ୍ରୀଲୋକଟିକୁ ଦେଖି ଆସିବ । କଲ୍ୟାଣୀ ମନା କଲା–“ସକାଳକୁ ପଛେ ଯିବ, ସଞ୍ଜବେଳଟାରେ କୁଆଡ଼େ ଯାଅନାହିଁ ।”

 

ରାମଶରଣ କହିଲା, ‘ସେଇଆ ମା, ଆପଣ ଠିକ୍‌ ବୁଝିଛନ୍ତି । ବାବୁ ଟୋକାଟାକଳା ଲୋକ । ସହରରେ ବଢ଼ିଛନ୍ତି । ଏସବୁ ଜାଣିନାହାନ୍ତି । କାଲି ସକାଳେ ଯାଇ ଦେଖି ଆସିବେ । ଠାକୁରାଣୀ ମନ୍ଦିରର ବାବାଙ୍କୁ ବି ଦେଖା କରି ଆସିବେ । ମହାଜ୍ଞାନୀ ସେ । କେତେବେଳେ ଅକାଳେ ସକାଳେ ବିପଦ ପଡ଼ିଲେ ସେଇ ତ ସାହା ଭରସା ।’

 

: ସାହା ଭରସା ? ବୁଝିଲ ରାମଶରଣ, ତମ ମୁଣ୍ଡ ପୂରା ବିଗିଡ଼ିଗଲାଣି । କାନ୍ଦୁଲିପଡ଼ାରେ ସାତ ଆଠ ବର୍ଷ ରହି ତମେ ପୂରା ଜଙ୍ଗଲୀ ପାଲଟିଗଲଣି !

 

ଅଭିଷେକର କଥାଗୁଡ଼ିକ ଖୁବ୍‌ ଟାଣ ଥିଲା । ରାମଶରଣ ଆଉ କିଛି ନ କହି କାନମୁଣ୍ଡା ଆଉଁଶି ଆଉଁଶି ଚାଲିଗଲା । ତାର ଯିବାରାସ୍ତାକୁ ଚାହିଁ ଦୁହେଁ ହସିଲେ ।

 

କଲ୍ୟାଣୀ କହିଲା, “ପିଲାଟାଏ ଠିକ୍‌ କରିବାକୁ କହୁଥିଲି । ବାସନକୁସନ ଧୋଇବା ଓ ଲୁଗାପଟା ସଫା କରିବା କାମତକ ସେ କରିଦେଲେ ମୁଁ ବାକିତକ ସମ୍ଭାଳନ୍ତି । ଭିଡ଼ କାମ ପାରୁନାହିଁ-।”

 

ଅଭିଷେକ ଉଠିଯାଇ କଲ୍ୟାଣୀର ପେଟ ଉପରେ କାନ ଡେରି ମୁଣ୍ଡ ଥୋଇଲା । ସେ କଲ୍ୟାଣୀର ମୁଣ୍ଡ ଆଉଁଶି ଦେଇ କହିଲା, “ଜାଣିଗଲି, ସମସ୍ୟାଟା ବିଷୟରେ ମୋତେ ଆଗରୁ କହିବାର ଥିଲା । କାଲି ଯେମିତି ହେଉ କାହାକୁ ଠିକ୍‌ କରିବାକୁ ପଡ଼ିବ ।”

 

ପରଦିନ ରାମଶରଣ କ୍ଷୀର ନେଇ ଆସିଲାବେଳେ ଅଭିଷେକ କହିଲା, “ପିଲାଟାଏ ଯୋଗାଡ଼ କର ।” ରାମଶରଣ କହିଲା, “ଯେତେଦିନ ଯାଏ ପିଲାଟିଏ ଠିକ୍‌ ନ ହେଇଛି ତା ଝିଅ ଆସି ବୋଲହାକ କରିଦେବ ।” କଲ୍ୟାଣୀ ରାମଶରଣ ଉପରେ ଖୁସି ହେଲା ।

 

ଅଭିଷେକ ପଚାରିଲା, “ସେ କାଳିଶୀ ଗଲାଣି ନା ନାହିଁ ?”

 

ରାମଶରଣ ହସିଲା । କାଳିଶୀ କାଲିଠୁ ଛାଡ଼ି ଚାଲିଯାଇଛି । ତାନ୍ତ୍ରିକ ମହାରାଜ ଥାଉ ଥାଉ ଏ ଗାଆଁରେ କଣ ସେ ରହି ପାରିବ ? ତାନ୍ତ୍ରିକ ସମସ୍ତଙ୍କୁ ବିଦା କରିଦେଇ ଡାଆଣୀକୁ ଭିତରକୁ ନେଇଗଲେ । ବାହାରେ ଧୂପଝୁଣା ଦିଆଯାଉଛି, ବାଜା ବାଜୁଛି । ରାତି ଅଧବେଳକୁ କାଳିଶୀ ଛାଡ଼ିକି ଗଲା । ସମସ୍ତେ ଗାଧୋଇ ପାଧୋଇ ଘରକୁ ଫେରିଲେ । ତାନ୍ତ୍ରିକ କଥା ଶୁଣିଲାବେଳେ ଅଭିଷେକ କଲ୍ୟାଣୀକୁ ଚାହୁଁଥିଲା । ତା ଇସାରାର ଅର୍ଥ ବି ବୁଝୁଥିଲା କଲ୍ୟାଣୀ ।

 

ରାମଶରଣର ଝିଅର ନାଆଁ କୁସେଇ । ରାମଶରଣ ଦେଖିବାକୁ ଯେତିକି ଅସୁନ୍ଦର କୁସେଇ ସେତିକି ସୁନ୍ଦର । କଲ୍ୟାଣୀ କହେ, କୁସେଇ ତା ମା ମୁହଁ ନେଇ ଆସିଛି ।

 

ବାର ବର୍ଷର କୁସେଇ କାମ କଲାବେଳେ ଅଭିଷେକ ଓ କଲ୍ୟାଣୀ ଦୁହେଁ ଲକ୍ଷ୍ୟ କରନ୍ତି-। କେଡ଼େ ସୁଧାର ପିଲାଟେ ! କୁସେଇ ପାଇଁ ଭଲ ପୋଷାକ ମଗେଇ ଦିଏ କଲ୍ୟାଣୀ । ତାର ଚୁଟି ବାନ୍ଧି ଦେଇ ବେଣୀ ବାଗେଇ ଦିଏ । କୁସେଇର ଚେହେରା ସାଙ୍ଗକୁ ସଫା ବେଶପୋଷାକ ଦେଖିଲେ କେହି ତାକୁ ଗରିବ ଘରର ଝିଅ କହିବ ନାହିଁ ।

 

ଏଣିକି ଅଭିଷେକ ନ ଥିବା ସମୟତକ କଲ୍ୟାଣୀ ପାଇଁ ଆଉ ଅଟକି ରହେ ନାହିଁ । କୁସେଇ ସାଙ୍ଗରେ ଗପୁ ଗପୁ ବେଳ ବିତିଯାଏ । ବେଳେବେଳେ ରାମଶରଣ ଆସେ, ତା ସ୍ତ୍ରୀ ବି ଆସେ । କଲ୍ୟାଣୀ ସେମାନଙ୍କ ହାତରେ ପନିପରିବା, ଚିନି, ତେଲ ନହେଲେ ତରକାରି ପଠେଇ ଦିଏ ।

 

ଶନିବାର ଅପରାହ୍‌ଣ ।

 

ଦପ୍ତରରେ ବେଶୀ କାମ ନାହିଁ । କଲ୍ୟାଣୀର ଡେଲିଭରି ତାରିଖ ପାଖେଇ ଆସୁଛି । ଶୀଘ୍ର ଫେରିବ ବୋଲି ଅଭିଷେକ ଚଉକୀ ହଟେଇ ଉଠି ଠିଆହେଲା । ତା ଦେଖାଦେଖି ପିଅନଟି ବି ଛିଡ଼ାହେଲା, ଝରକା ଓ କବାଟ ବନ୍ଦ କରିବ ।

 

ଠିକ୍‌ ସେତିକିବେଳେ ହିଁ ରାମଶରଣ ଝଡ଼ ପରି ଆସି ପହଞ୍ଚିଲା । ସେ ଏତେ ଧଇଁସଇଁ ହୋଇ ପଡ଼ିଥିଲା ଯେ ତା ପାଟିରୁ କଥା ବାହାରୁ ନଥିଲା । ଯେତେଥର କିଛି କହିବାକୁ ଚେଷ୍ଟା କରୁଥିଲା, ସେତେଥର ସେ ଅଣନିଃଶ୍ୱାସୀ ହୋଇ ପଡ଼ୁଥିଲା । ଅଭିଷେକ ରାମଶରଣର ଅବସ୍ଥା ଦେଖି ଆତଙ୍କିତ ହୋଇପଡ଼ିଲା । ତାକୁ ପାଣି ପିଇବାକୁ ଦେଇ କହିଲା, ‘ବେଞ୍ଚ ଉପରେ କିଛି ସମୟ ବସ । ତାପରେ ଯାହା କହିବାର କହିବ ।’

 

ରାମଶରଣ ଆଖିରେ ଲୁହ, ସେ ଗୋଟାଏ ମୁହୂର୍ତ୍ତ ନଷ୍ଟ କରିପାରିବ ନାହିଁ ।

 

: କଣ ହେଇଛି ରାମଶରଣ ?

 

: ସା-ପ, କୁ-ସେ-ଇ ।

 

ଅଭିଷେକ ମଧ୍ୟ ସମୟ ନଷ୍ଟ କରିବାକୁ ଚାହୁଁନଥିଲା । ରାମଶରଣ ଓ ସେ ଦୁହେଁ ଜିପରେ ବସିଲେ ।

 

ଅଭିଷେକ ପହଞ୍ଚିବା ବେଳକୁ ଗାଁ ଲୋକମାନେ କୁସେଇକୁ ଠାକୁରାଣୀ ମନ୍ଦିରକୁ ନେଇ ସାରିଥିଲେ । ଅଭିଷେକ କଲ୍ୟାଣୀ ଉପରେ ପ୍ରଚଣ୍ଡ ଭାବେ ଚିଡ଼ି ଉଠିଲା । ‘ପାଠଶାଠ ପଢ଼ି ମଧ୍ୟ ତମେ ବୁଝେଇ ପାରିଲ ନାହିଁ, ସାପ କାମୁଡ଼ିଲେ ଡାକ୍ତରଙ୍କୁ ଦେଖାଇବାକୁ ପଡ଼େ । ଠାକୁରାଣୀ କଣ କରିବେ ?’

 

କଲ୍ୟାଣୀ ପ୍ରଥମରୁ ବିଚଳିତ ଥିଲା । ଅଭିଷେକର ଭର୍ତ୍ସନା ତାକୁ ଆହୁରି କଷ୍ଟ ଦେଲା । ସେ କେମିତି ବୁଝେଇବ ଯେ ତା’ର ସବୁ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଲୋକମାନେ କୁସେଇକୁ ଠାକୁରାଣୀ ବେଢ଼ାକୁ ନେଇ ଗଲେ ।

 

ଅଭିଷେକ କାହାକୁ କିଛି ନକହି ପୁଣି ଯାଇ ଜିପରେ ବସିଲା । ତୁରନ୍ତ କୁସେଇକୁ ନେଇ ଡାକ୍ତରଖାନା ଯିବାକୁ ପଡ଼ିବ ।

 

ଡାକ୍ତରଖାନା ?

 

ଠାକୁରାଣୀ ମନ୍ଦିରର ସେଇ ପୂଜାରୀ ଜଣକ, ଯିଏ ପ୍ରାୟତଃ ତାନ୍ତ୍ରିକ ପରି ଦିଶୁଥିଲା, ଅଭିଷେକର କଥା ଶୁଣି ହସି ଉଠିଲା ।

 

: ବୁଝିଲ ବାବୁ, ଏ ଗାଁରେ କେହି ଡାକ୍ତରଖାନା ଯାଆନ୍ତି ନାହିଁ । ସବୁ ଲୋକ ଏଇଠିକି ଆସନ୍ତି । ମୁର୍ଦ୍ଦାର ବି ଜୀବନ ଫେରି ପାଇଛି ଏ ଠାକୁରାଣୀ ମଣ୍ଡପରୁ । ଝିଅ ଠିକ୍‌ ହୋଇଯିବ ।

 

: କିନ୍ତୁ ?

: କିନ୍ତୁ ଫିନ୍ତୁ କିଛି ନାହିଁ । ତମ ମନରେ ଠାକୁରାଣୀ ପ୍ରତି ଏ ସନ୍ଦେହ ବେଶୀ ବିଘ୍ନ ଆଣିବ । ଚୁପ୍‌ଚାପ୍‌ ଘରକୁ ଚାଲିଯାଅ ।

ଠାକୁରାଣୀ ମଣ୍ଡପଟା ଦିଶୁଥିଲା ଗୋଟାଏ ଭୌତିକ ପରିବେଶ ପରି । ଝୁଣା ଧୂଆଁ ଉଠୁଛି । ଦୁଇ ଦୁଇଟା କାଳିଆ ମୋଟା ଲୋକ କୂଅରୁ ପାଣି ଆଣି କୁସେଇ ଉପରେ ଢାଳୁଛନ୍ତି । କୁସେଇ ଦେହ ମୁଣ୍ଡ କେବେଠୁ ଓଦା ଜୁଡ଼ୁବୁଡ଼ୁ । ବିଚାରୀ ପଥର ପ୍ରତିମାଟେ ପରି ବସିଛି । ଦେହରେ ଜୀବନ ଅଛି କି ନାହିଁ ଜାଣି ହେଉନି ।

ଅଭିଷେକ ମୁଣ୍ଡ ଭିତରର ଶିରାଗୁଡ଼ିକ ଏଇ ଯେପରି ଫାଟିପଡ଼ିବ । ସେ କଣ କରିବ, କଣ ନ କରିବ ଚିନ୍ତା କରି ପାରୁନାହିଁ । ଗାଁଟାଯାକର ଲୋକେ ଦେଖଣାହାରି ସାଜି ଏସବୁ ଦେଖୁଛନ୍ତି ।

ଅଭିଷେକ ପୂଜକ ପାଖକୁ ଗଲା–ତମେ ଏପରି କରି ଗୋଟେ ଛୁଆକୁ ମାରି ଦେଇ ପାରିବ ନାହିଁ । ମୁଁ ତାକୁ ଡାକ୍ତରଖାନାକୁ ନେଇକି ଯିବି । ସେ ଆଗେଇ ଯାଇ କୁସେଇକୁ ତା ଜାଗାରୁ ଉଠେଇ ଆଣିଲା । ସଭିଏଁ ତାଟକା ହୋଇ ବସିଛନ୍ତି । ପୂଜାରୀର ରକ୍ତମନ୍ଦାର ଆଖି, ଝୁଣା ଧୂଆଁ ଓ ଦେଖଣାହାରିଙ୍କ କିଂକର୍ତ୍ତବ୍ୟବିମୂଢ଼ ଚେହେରାକୁ ଡେଇଁ ଅଭିଷେକ କୁସେଇକୁ ଜିପରେ ବସେଇଲା ଓ ଯେତେ ଦ୍ରୁତ ଗତିରେ ସମ୍ଭବ ଜିପ୍‌ ଛୁଟେଇଲା ଡାକ୍ତରଖାନାକୁ ।

ଡାକ୍ତର କହିଲେ, “ଏତେବେଳକୁ ପିଲାଟା ମରିସାରନ୍ତାଣି । ଏଠିକି ଆଣି ସୁଦ୍ଧା କିଛି ଲାଭ ହୋଇ ନ ଥାନ୍ତା । କାରଣ ସାପକାମୁଡ଼ା ଇଞ୍ଜେକସନ୍‌ ଏଠି ନାହିଁ । ଏଠିକି କେହି ସାପକାମୁଡ଼ା ରୋଗୀ ଆସନ୍ତି ନାହିଁ ।”

ଅଭିଷେକ ଅସହାୟ ଭାବରେ ଡାକ୍ତରଙ୍କୁ ଚାହିଁଲା । ବଣ ପାହାଡ଼ ଜାଗାରେ ସାପ କାମୁଡ଼ା ସ୍ୱାଭାବିକ ଦୁର୍ଘଟଣା । ଅଥଚ ଏ ଡାକ୍ତରଖାନାରେ ସାପକାମୁଡ଼ା ଇଞ୍ଜେକ୍‌ସନ୍‌ ନାହିଁ । ସେ ବିଶ୍ୱାସ କରିପାରୁ ନଥିଲା ।

: କିନ୍ତୁ କୁସେଇର କ’ଣ ହେବ ?

: ସାପଟା ବିଷାକ୍ତ ନୁହେଁ । ମୋ ପାଖେ ଯାହା ଅଛି ମୁଁ ଦେଉଛି । ବିଷାକ୍ତ ହୋଇଥିଲେ ଏତେବେଳକୁ ପିଲାଟା ମରିସାରନ୍ତାଣି ।

ଅଭିଷେକ ଦେହରୁ ଝାଳ ବୋହିଗଲା । ତା ନିଜର ପିଲା କେହି ଏ ଦଶାରେ ପଡ଼ିଥିଲେ ହୁଏତ ସେ ଏତେ ବ୍ୟସ୍ତ ହୋଇ ନ ଥାନ୍ତା । କିନ୍ତୁ ପର ପିଲାଟାର କିଛି ହୋଇଗଲେ ସେ ଜୀବନସାରା ନିଜକୁ କ୍ଷମା କରିପାରିବ ନାହିଁ ।

: କିନ୍ତୁ ଏ ତାନ୍ତ୍ରିକ ଲୋକଟା କି ଭୟଙ୍କର ?

: କଣ କରିବା କୁହନ୍ତୁ ? ବିଷାକ୍ତ ସାପ କାମୁଡ଼ାରେ କେହି ମରିଗଲେ ଲୋକଟା ଦାୟୀ କରିବ ରୋଗୀର ସଂଶୟକୁ । ଅଭିଯୋଗ କରିବ, ତମ ମନରେ ଠାକୁରାଣୀ ପ୍ରତି ବିଶ୍ୱାସ ନାହିଁ, ତେଣୁ ରୋଗୀ ମରିଗଲା । ସାଧାରଣ ସାପ କାମୁଡ଼ାରୁ ରୋଗୀ ବର୍ତ୍ତିଗଲେ ଠାକୁରାଣୀଙ୍କ ମହିମା ପ୍ରଚାର ହେବ । ଏ ବିଷଚକ୍ରରୁ ମୁକ୍ତି ନାହିଁ ।

 

।। ତିନି ।।

 

ଭୁବନେଶ୍ୱର ଫେରନ୍ତା ରାସ୍ତାରେ କଲ୍ୟାଣୀ ପଚାରିଲା, “କିନ୍ତୁ ତମେ ହଠାତ୍‌ କାନ୍ଦୁଲିପଡ଼ା ଛାଡ଼ିବା ନିଷ୍ପତ୍ତି ନେଲ କାହିଁକି ? ସାପ କାମୁଡ଼ାରୁ ତ କୁସେଇ ବଞ୍ଚିଗଲା । ଏତେ ଶୀଘ୍ର ତମେ ହାରିଗଲ ?”

 

ସଂଶୟାକୁଳ ଅଭିଷେକ ଥରେ ଚାହିଁଲା ପଛରେ ଛାଡ଼ି ଆସିଥିବା ବଣଜଙ୍ଗଲ ଘେରା କାନ୍ଦୁଲିପଡ଼ାକୁ । ଦିଗ୍‌ବଳୟ ଭିତରେ ଅଦୃଶ୍ୟ ହୋଇଗଲାଣି ଛୋଟ ଗାଆଁଟି । କଲ୍ୟାଣୀର ପିଠି ଥାପୁଡ଼େଇ ସେ କହିଲା, ସାପମାନଙ୍କୁ ମୋର ଡର ନ ଥିଲା କଲ୍ୟାଣୀ, କିନ୍ତୁ ମଣିଷମାନଙ୍କୁ ଖୁବ୍‌ ଡର । ଯେତେ ସହଜ ଓ ସରଳ ବୋଲି ମୁଁ କାନ୍ଦୁଲିପଡ଼ାର ସମସ୍ୟାକୁ ଭାବୁଥିଲି ସେସବୁ ସେତେ ସରଳ ନୁହେଁ । ସମସ୍ୟାର ସେ ଜଟିଳ ଗଣ୍ଠି ସାମ୍ନାରେ ମୋ ପରି ମଣିଷ ଦୟନୀୟ ଭାବେ ଅସହାୟ !

 

: କିନ୍ତୁ କାନ୍ଦୁଲିପଡ଼ା କେତେ ଦିନ ଏମିତି ଅନ୍ଧବିଶ୍ୱାସ ଭିତରେ ପଡ଼ି ରହିଥିବ ଅଭିଷେକ-? କୁସେଇମାନଙ୍କର ଭାଗ୍ୟ ସବୁଦିନେ କ’ଣ ଏମିତି ପଥର ତଳେ ଥିବ ?

 

ଅଭିଷେକ ନିରବ ରହିଥିଲା । କଲ୍ୟାଣୀର ଏହି ସରଳ ପ୍ରଶ୍ନର ଉତ୍ତର ତା ପାଖରେ ନ ଥିଲା ।

☆☆☆

 

ଇଜ୍ଜତ

 

ଲୋକନାଥକୁ କେନ୍ଦ୍ରକରି ଏଭଳି ଏକ ଖବର ମୋତେ ଦିନେ ଶୁଣିବାକୁ ପଡ଼ିବ, ତାହା ମୁଁ କୌଣସି ଦିନ କଳ୍ପନା କରି ନଥିଲି । ତା ସହ ମୋ ପରିଚୟ ବେଶିଦିନର ନ ହେଲେ ବି ବେଶ୍‌ ଘନିଷ୍ଠ । ବନ୍ଧୁମାନଙ୍କର ମନ ଜିଣିବାରେ ଲୋକନାଥର ନିଷ୍ଠା ମୋତେ ଅଧିକାଂଶ ସମୟରେ ମୁଗ୍ଧ କରେ । ତା ବ୍ୟକ୍ତିତ୍ୱରେ ଏତେ ଟିକିଏ ଛଳନା ମୁଁ କେବେ ଦେଖି ନାହିଁ ।

 

ଲୋକନାଥ ଦୁଇବର୍ଷ ହେଲା ଏ ସହରକୁ ଆସିଛି । ରାଜଧାନୀଠୁ ଅନେକ ଦୂର ଏ ସହର । ଏଠିକି କାହାର ବଦଳି ହେଲେ କଳାପାଣିକୁ ନିର୍ବାସନ ହେଲା ଭଳି ଲାଗେ । ପ୍ରଭାବଶାଳୀ ଅଫିସର, ଅଧ୍ୟାପକ କି କିରାଣି ହାତଗୁଞ୍ଜା ଦେଇ ହେଉ ବା କ୍ଷମତା ପ୍ରୟୋଗ କରି ହେଉ ନିଜର ବଦଳି ଆଦେଶକୁ ବାତିଲ କରିବା ପାଇଁ ଲାଗିପଡ଼ନ୍ତି । ଯେଉଁମାନଙ୍କର ଅର୍ଥବଳ କି ପ୍ରଭାବ କୋଉଟା ନାହିଁ ସେଇମାନେ ଏ ମାଳଅଞ୍ଚଳକୁ ଆସନ୍ତି । କିନ୍ତୁ ଲୋକନାଥ ସେଭଳି ଅବସ୍ଥାରେ ଆସିନାହିଁ । ବଦଳି ପଦୋନ୍ନତି ପାଇଁ କାହାକୁ ଧରାଧରି କରିବା ତା ସ୍ୱଭାବବିରୁଦ୍ଧ । ସରକାରୀ ଅର୍ଡର ବାହାରିବା କ୍ଷଣି ସେ କାହାକୁ କିଛି ନ କହି ସିଧା ଏଠିକି ଚାଲିଆସିଥିଲା ।

 

ଲୋକନାଥର ଚରିତ୍ର ଏହିପରି । ଏମ୍‌.ଏ.ରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ସେ ରେକର୍ଡ କରିଥିଲା । ବକ୍ତୃତା ଓ ପ୍ରବନ୍ଧ ଉଭୟ ପ୍ରତିଯୋଗିତାରେ ପ୍ରଥମ ହୋଇ ଚାନସେଲର୍‌ କପ୍‌ ପାଇଥିଲା ବିଶ୍ୱବିଦ୍ୟାଳୟରୁ । ଏଭଳି ଏକ ମଣିଷ ଶେଷକୁ ଗୋଟେ ଲଜ୍ଜାଜନକ ଅଭିଯୋଗରେ ଅଭିଯୁକ୍ତ ହୋଇପଡ଼ିବ, ତାହା ମୁଁ ଏକା କାହିଁକି ତା ସହ ପରିଚିତ କୌଣସି ବ୍ୟକ୍ତି ବିଶ୍ୱାସ କରିପାରୁ ନଥିଲେ ।

 

କିନ୍ତୁ ଆମ ବିଶ୍ୱାସ ଅବିଶ୍ୱାସ ଉପରେ ଘଟଣା ନିର୍ଭର କରୁ ନଥିଲା । ପୋଲିସ୍‌ ଆସି କାଲି ରାତିରେ ଲୋକନାଥକୁ ତା ଭଡ଼ାଘରୁ ଗିରଫ କରି ନେଇଯାଇଥିଲା ।

 

ଲୋକନାଥର ପୁଅ ସୁଭାଷ ଏଇଠି ତା ସାଙ୍ଗରେ ରହେ । ଲୋକନାଥ ଯୋଉ କଲେଜରେ ଅଧ୍ୟାପକ ସୁଭାଷ ସେଠିକାର ଛାତ୍ର । ପଢ଼ାପଢ଼ାରେ ସୁବିଧା ହେବ ବୋଲି ଲୋକନାଥ ପୁଅକୁ ଏଠିକି ନେଇଆସିଥିଲା । ମାତ୍ର ତା ସ୍ତ୍ରୀ ଓ ସାନଝିଅ ରାଜଧାନୀରେ ରହୁଛନ୍ତି । ଏପର୍ଯ୍ୟନ୍ତ ଖବରଟା ଜାଣି ନଥିବେ ।

 

ସୁଭାଷଠୁ ଖବରଟା ଶୁଣି ମୁଁ ହତଚକିତ ହୋଇପଡ଼ିଲି । ମେଲାଘରେ ମୋ ସ୍ତ୍ରୀ ବସି ଟି.ଭି. ଦେଖୁଥିଲା । ମୁଁ ତା ସାମ୍ନାରେ ଏକଥା ଆଲୋଚନା କରିବାକୁ ଚାହୁଁ ନଥିଲି । ସୁଭାଷକୁ ବାହାରକୁ ଡାକିଆଣି ତାଠୁଁ ସବୁକଥା ଶୁଣିଥିଲି । ସୁଭାଷ ଖୁବ୍‌ ଡରିଯାଇଥିଲା । ପିଲାଲୋକ ! ବାପ ହିଁ ତାର ଦମ୍ଭ । ବାପକୁ ପୋଲିସ୍‌ ଧରିନେଇଗଲା ପରେ ସେ ଆଉ କାହାକୁ ନ ପାଇ ମୋ ପାଖକୁ ଧାଇଁ ଆସିଥିଲା ।

 

ମୁଁ ତା କଥା ଶୁଣି ଡରିଯାଇଥିଲି । କିନ୍ତୁ ମୋର ଭୟ ମୁଁ ସୁଭାଷ ଆଗରେ ପ୍ରକାଶ କରିବାକୁ ଚାହିଁ ନଥିଲି । କାଳେ ସେ ଆହୁରି ଡରିଯିବ ! ତାକୁ ସାନ୍ତ୍ୱନା ଦେଇ କହିଥିଲି, ‘ତୁ ବ୍ୟସ୍ତ ହଅନା । କୋର୍ଟ କଚେରି ଅଛି । ଆମେ ଲଢ଼ିବା । କିଛି ହେବ ନାହିଁ ।’

 

ସୁଭାଷ କହିଲା, ‘ଚାଲନ୍ତୁ, ଟିକେ ଥାନାରୁ ଯାଇ ଆସିବା । ବାପା କିଛି ଖାଇ ନ ଥିବେ । କାଳେ ଯଦି ଆମେ ମୁକୁଳେଇ ଆଣି ପାରିବା... ।’

 

ସୁଭାଷକୁ ସ୍କୁଟରରେ ବସେଇ ଥାନାକୁ ଗଲି । ଲୋକନାଥ ଗୋଟେ ବେଞ୍ଚ୍‌ ଉପରେ ମୁହଁ ତଳକୁ କରି ବସିଥିଲା । ତାର ଗୋରା ଚେହେରା କଲାକାଠ ପଡ଼ିଯାଇଥିଲା । ଲଜ୍ଜା ଓ ଅପମାନରେ ସେ ସାଙ୍କୁଡ଼ି ଯାଇଥିଲା ।

 

ମୁଁ ତା ଆଡ଼କୁ ଚାହିଁ ପାରିଲି ନାହିଁ । ଇନଚାର୍ଜ ଅଫିସରଙ୍କୁ ଅନୁରୋଧ କଲି । ଲୋକନାଥ ବାବଦରେ ସବୁ କହିଲି । ସେ ମୋ ସହ ଏକମତ ହେଲେ । କିନ୍ତୁ ଏମିତିରେ ଲୋକନାଥକୁ ଛାଡ଼ିବା ପାଇଁ ରାଜି ହେଲେ ନାହିଁ । ‘ଆଦିବାସୀ ମହିଳା ଉପରେ ବଳାତ୍କାର ଅଭିଯୋଗ ଗୁରୁତର ଘଟଣା । କେସ୍‌ କୋର୍ଟକୁ ଗଲା ପରେ ଆପଣ ଯାହା କରିବେ ।’

 

ମୁଁ ଲୋକନାଥ ବିରୋଧରେ ଦାୟର ହୋଇଥିବା ଏଫ୍‌.ଆଇ.ଆର୍‌. ପଢ଼ିଲି । ଏଫ୍‌.ଆଇ.ଆର୍‌. ଦାଖଲ କରିଥିଲା ବୁଧା ମୁଦୁଲି । ବୟସ ଚାଳିଶ । ଅମଲାପଡ଼ା, ଫୁଲବାଣୀ । ଶନିବାର ଦିନ ସନ୍ଧ୍ୟାବେଳେ ଲୋକନାଥ ତା ଘରେ ପଶି ତାକୁ ଏକାକୀ ଦେଖି ତା ଉପରେ ବଳାତ୍କାର କରିଥିଲା ।

 

ମୁଁ ଆଉ ପଢ଼ିପାରିଲି ନାହିଁ । ବୁଧା ମୁଦୁଲି ପକ୍ଷରୁ କେହି ଜଣେ ପୁଲିସବାଲା ଏ ଅଭିଯୋଗ ଫର୍ଦ୍ଦ ଲେଖିଛି । ତା ତଳକୁ ବୁଧାର ଟିପଚିହ୍ନ ଓ ତାରିଖ ଲେଖା ହୋଇଛି । ମୁଁ ସେଇଟି ପଢ଼ିସାରି ପୁଣି ଇନ୍‌ଚାର୍ଜ ଅଫିସରଙ୍କୁ ଫେରେଇଦେଲି ।

 

ସୁଭାଷ ମୋ ପଛରେ ଛିଡ଼ା ହୋଇଥାଏ । ମୁଁ ଇନ୍‌ଚାର୍ଜ ଅଫିସରକୁ ଅନୁରୋଧ କଲି, “ବୁଧା ସାଙ୍ଗରେ ଆମର ଟିକେ ଦେଖା ହୋଇପାରନ୍ତା ନାହିଁ ?” ସେ ଜଣେ କନେଷ୍ଟବଳକୁ ଡାକି ପଚାରିଲେ । କନେଷ୍ଟବଳ କହିଲା, “ସେ ସ୍ତ୍ରୀଲୋକ ଏଠି ଢେର୍‌ ସମୟ ବସିଥିଲା, ଏବେ କିନ୍ତୁ ଚାଲିଗଲାଣି ।”

 

ଥାନାରେ ଆମର ଆଉ କିଛି କାମ ନ ଥିଲା । ଲୋକନାଥ ସହ ଦି ଚାରିପଦ କଥା ହେବାପରେ ମୁଁ ସ୍ଥିର କଲି ଜଣେ ଓକିଲଙ୍କୁ ଭେଟିବି । ଏସବୁ ମାମଲାରେ ଓକିଲଙ୍କ ବିନା ସହାୟତାରେ କିଛି କରାଯାଇପାରିବ ନାହିଁ । ସୁଭାଷ ବି ମୋ ସହ ଏକମତ ହେଲା । ଲୋକନାଥର ସ୍ତ୍ରୀକୁ ଏ ଖବର ଦେବୁ କି ଦେବୁ ନାହିଁ ସେ ସମ୍ପର୍କରେ ମୁଁ ହଠାତ୍‌ ନିଷ୍ପତ୍ତି ନେଇପାରୁ ନଥିଲି । ଯୌନ ଅତ୍ୟାଚାର, ବଳାତ୍କାର ଓ ଧର୍ଷଣ ପରି ଲଜ୍ଜାଜନକ ମାମଲାରେ କେହି ସଂଶ୍ଳିଷ୍ଟ ହୋଇପଡ଼ିଲେ ଆର୍ଥିକ କ୍ଷତି ଅପେକ୍ଷା ସାମାଜିକ ଅପନିନ୍ଦା ବଡ଼ ସମସ୍ୟା ହୋଇପଡ଼େ । ବିଚାରୀ ! ଏ ଧରଣର ନିନ୍ଦାକୁ ବରଦାସ୍ତ କରିପାରିବେ କି ନାହିଁ କିଏ ଜାଣେ ।

 

ଶେଷକୁ ସ୍ଥିରହେଲା, ସୁଭାଷ ଯାଇ ତା ମାଆକୁ ଖବରଟା ଦେଇଦେଉ । ପ୍ରକୃତ ଘଟଣା ସହ ସେମାନେ ପରିଚିତ ହେବା ଦରକାର ! ତାହା ନ ହେଲେ ପଛକୁ ସମସ୍ୟା ଜଟିଳ ହୋଇପଡ଼ିବ । ସିଏ ବି ଓଲଟା ଅଭିଯୋଗ କରିବେ । ସୁଭାଷକୁ ରାଜଧାନୀ ବସରେ ବସେଇ ଦେଇ ମୁଁ ଘରକୁ ଫେରିଆସିଲି ।

 

ରାତିସାରା ନିଦ ହେଉ ନଥାଏ । ବରାବର ଲୋକନାଥର ଚେହେରା ମୋ ଆଖି ଆଗରେ ଭାସି ଉଠୁଥାଏ । ପୋଲିସ୍‌, ହାଜତ ଓ କୋର୍ଟ କଚେରିକୁ ମୋର ଖୁବ୍‌ ଭୟ । ଏସବୁ ଜାଗାକୁ ଯିବା ଭଦ୍ରଲୋକମାନଙ୍କ ପକ୍ଷେ ସମ୍ମାନଜନକ ବୋଲି ମୋର ମନେହୁଏ ନାହିଁ । ଲୋକନାଥର ଦୁର୍ଦ୍ଦଶା ଚିନ୍ତା କରି ମୁଁ ବ୍ୟସ୍ତ ହୋଇପଡ଼ୁଥିଲି । ଗତକାଲି ସକାଳ ପର୍ଯ୍ୟନ୍ତ ସେ ଭଦ୍ରଲୋକ ଥିଲା । ତାର ପରିଚୟ ଓ ବ୍ୟକ୍ତିତ୍ୱରେ ସଂଭ୍ରମ ଓ ସମ୍ମାନ ଲାଗି ରହିଥିଲା । କିନ୍ତୁ ଆଜି ତା ପରିଚୟ ବଦଳି ଯାଇଚି । ବଣନିଆଁ ପରି ଏ ସମ୍ବାଦଟି ଛୋଟିଆ ସହରର ଚାରିଆଡ଼େ ଖେଳିଯାଇଛି । ସହଯୋଗୀ ଅଧ୍ୟାପକମାନେ ହିଁ ବେଶୀ ବେଶୀ ଏ କଥାର ଚର୍ଚ୍ଚା କରୁଛନ୍ତି । ଘଟଣାଟି ଶେଷ ପର୍ଯ୍ୟନ୍ତ କୋଉଠି ଯାଇ ପହଞ୍ଚିବ ମୁଁ ତାର କୂଳକିନାରା ପାଉ ନ ଥାଏ । ଏଭଳି ଘଟଣା ମୋ ଜୀବନରେ ପ୍ରଥମ । ଯଦି କଚେରିରେ ଲୋକନାଥ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରି ନପାରେ ତାହାହେଲେ ତାକୁ ଜେଲ୍‌ ହୋଇଯିବ–ଏହି ଆଶଙ୍କାରେ ମୋ ହାତ ଓ ପାଦ ଝାଳେଇ ଯାଉଥାଏ ।

 

ଶ୍ରାବଣ ମଝାମଝି ହୋଇଥିଲେ ବି ବର୍ଷାର ନାଁ-ଗନ୍ଧ ନାହିଁ । ରାତିସାରା ଅସ୍ୱସ୍ତିକର ଗୁଳୁଗୁଳି । କୋଉଠି ଟିକେ ଗଛପତ୍ର ହଲୁନାହିଁ । ଯେତେ ଚେଷ୍ଟା କଲେ ନିଦ ଆସୁ ନାହିଁ । ପୋଲିସ୍‌ ଇନିସ୍‌ପେକ୍ଟରର କଥାଟା ବାରମ୍ବାର ମନେ ପଡ଼ିଯାଉଛି । ଲୋକନାଥ ସେଦିନ କାହିଁକି ଏତେ ଡେରିରେ ଅଫିସ୍‌ରୁ ଆସୁଥିଲେ ବୋଲି ସେ ପଚାରୁଥିଲେ । ତା’ଛଡ଼ା ଲୋକନାଥର ଘର କଲେଜ ପାଖାପାଖି ହୋଇଥିଲାବେଳେ ସେ ସିଧା ରାସ୍ତାରେ ନ ଆସି ବୁଲାଣି ବାଟ ଦେଇ ଘୂରି ଘୂରି ଆସୁଥିଲେ କାହିଁକି ?

 

ମୋ ପାଖରେ ଏହାର ସନ୍ତୋଷଜନକ ଉତ୍ତର ନ ଥିଲା । ଆଗରୁ କେତେଥର ମୁଁ ଲୋକନାଥକୁ କହିଛି, ସେ ଯାଇ ତା ସ୍ତ୍ରୀକୁ ନେଇ ଆସୁ । ଏଠି ଖାଇବା ପିଇବାରେ ବାପପୁଅଙ୍କର ଅସୁବିଧା ହେଉଛି । ତାଛଡ଼ା...

 

ମୋ ସ୍ତ୍ରୀ କଥାଟାକୁ ଅନ୍ୟ ଦିଗରୁ ବିଚାର କରୁଥିଲା । ସେ କହୁଥିଲା ଯେ ନିଆଁ ନଥିଲେ କଦାପି ଧୂଆଁ ବାହାରେ ନାହିଁ । ପାଖରେ ସ୍ତ୍ରୀ ନଥିଲେ ପୁରୁଷ ପୁଅ ନିଶ୍ଚୟ ଆଉ କୋଉ ସ୍ତ୍ରୀଲୋକକୁ ଚାହିଁବ । ଏଥିରେ ନିଶ୍ଚୟ କିଛି ସତ୍ୟତା ଥିବ । ନହେଲେ ଗୋଟେ ସାଧାରଣ ସ୍ତ୍ରୀଲୋକ ଏଭଳି ଅଭିଯୋଗ ଆଣିବ କାହିଁକି ? ତାର ତ ପୁଣି ନିନ୍ଦା ଓ ଲୋକଲଜ୍ଜାକୁ ଭୟ ଅଛି ?

 

ମୁଁ ଯେତେ ବୁଝେଇବାକୁ ଚେଷ୍ଟା କଲେ ବି ସେ ମୋ କଥା ଶୁଣୁ ନଥିଲା । ଏହି ମାମଲାରେ ସେ ପ୍ରଥମରୁ ସେଇ ଆଦିବାସୀ ସ୍ତ୍ରୀଲୋକଟିର ପକ୍ଷ ସମର୍ଥନ କରି ବସିଥିଲା ।

 

ମୋ ଆଖି ସାମ୍ନାରେ ଲୋକନାଥର ହସଖୁସିର ପରିବାର ନଷ୍ଟ ହୋଇଯାଉଥିବାର ଚିତ୍ର ନାଚିଯାଉଥିଲା । ତା ଯୋଗୁଁ ତା ସ୍ତ୍ରୀ, ତାର ପିଲା ଓ ସଂପର୍କୀୟମାନଙ୍କର ମୁଣ୍ଡ ତଳକୁ ହୋଇଯାଇଛି । ଲାଞ୍ଚ, ଚୋରି କି ଡକେଇତିଠାରୁ ଏଇ ଯୌନ ଅତ୍ୟାଚାର ଅଭିଯୋଗ ଅଧିକ ଲଜ୍ଜାଜନକ । ଏଥିରୁ ଲୋକନାଥ କିଭଳି ମୁକ୍ତି ପାଇବ କିଏ ଜାଣେ ? ଗୋଟେ ବିପର୍ଯ୍ୟୟର ଆଶଙ୍କାରେ ମୁଁ ଶିହରି ଉଠୁଥିଲି ।

 

ଝରକା ସେପଟେ କଳାଜହ୍ନ । ରାତି ଢେର୍‌ ହେଲାଣି । ପବନ ଟିକେ ଥଣ୍ଡା ପଡ଼ିଆସିଲାଣି । ମୁଁ ଆଖିଯୋଡ଼ିକ ବୁଜିବାକୁ ଚେଷ୍ଟା କଲି ।

 

।। ଦୁଇ ।।

 

: ଆଗେ ଚାଲନ୍ତୁ ସେ ସ୍ତ୍ରୀ ଲୋକକୁ ଭେଟିବା । ତାପରେ ଜାମିନ ଓ ଓକିଲ କଥା । ନିଜର ନିଷ୍ପତ୍ତି ଶୁଣାଇଲା ଭଳି ଲୋକନାଥର ସ୍ତ୍ରୀ ପୂର୍ଣ୍ଣିମା କହିଲେ ।

 

ମୁଁ କହିଲି, “ଆଗେ ତ ତୁମେ ଲୋକନାଥକୁ ଭେଟିବା ଦରକାର । ସେ ଖୁବ୍‌ ଭାଙ୍ଗିପଡ଼ିଛି । ଥାନା ଅଫିସର ତମ କଥା ଶୁଣି ଜାମିନ ମଂଜୁର କରିପାରନ୍ତି... ।” ମୁଁ ପୂର୍ଣ୍ଣିମାଙ୍କୁ ବୁଝେଇବାକୁ ଚେଷ୍ଟା କଲି ।

 

ସେ କିନ୍ତୁ ମୋ କଥା ଶୁଣିବାକୁ ପ୍ରସ୍ତୁତ ନ ଥିଲେ । ଗଳା ଉଚ୍ଚା କରି କହିଲେ, “ତାଙ୍କୁ ଭେଟି ଲାଭ କଣ ? ମୋ କଥା ଆପଣ ମାନନ୍ତୁ । ଆଗେ ସେ ସ୍ତ୍ରୀଲୋକଙ୍କୁ ଭେଟିବା ପରେ ଯାଇ ଯୋଉ କଥା ।”

 

ପୂର୍ଣ୍ଣିମାଙ୍କର ମୁହଁ ଥମଥମ ଦିଶୁଥାଏ । କିନ୍ତୁ ତାଙ୍କ କଣ୍ଠର ଦୃଢ଼ତା ଏତେ ଟିକେ କ୍ଷୁଣ୍ଣ ହୋଇ ନ ଥାଏ ।

 

ମୁଁ ଆଉ କ’ଣ କହିବାକୁ ଯାଉଥିଲି ତାଙ୍କର ମୁହଁକୁ ଚାହିଁ କହିପାରିଲି ନାହିଁ । ଅସହାୟତା ଓ ନିଷ୍ଫଳ ଆକ୍ରୋଶ ମଣିଷକୁ ଚିଡ଼ିଚିଡ଼ା କରିଦିଏ । ପୂର୍ଣ୍ଣିମା ତେଣୁ ମୋର ସାମାନ୍ୟ ପ୍ରତିବାଦରେ ଚିଡ଼ିଯାଇଥିଲେ ।

 

ମୁଁ ତାଙ୍କର ଦୁର୍ଦ୍ଦଶା ଉପଲବ୍‌ଧି କରିପାରୁଥିଲି । ସ୍ୱାମୀଙ୍କ ଖବର ଶୁଣି ସେ ସାଙ୍ଗେ ସାଙ୍ଗେ ଟ୍ୟାକ୍ସିଟେ ଧରି ପଳେଇ ଆସିଛନ୍ତି । ଏବେ ତାଙ୍କର ଅବସ୍ଥା ସୂତା ଛିଣ୍ଡିଥିବା ଗୁଡ଼ିର ଅବସ୍ଥା ପରି । ସେ ଥୟ ଧରି ପାରୁ ନଥାଆନ୍ତି ।

 

ମୁଁ ପ୍ରସ୍ତାବ ଦେଲି, “ଆଗେ ଥାନାକୁ ଯାଇ ପଟ୍ଟନାୟକ କନେଷ୍ଟବଳଠାରୁ ସେ ସ୍ତ୍ରୀଲୋକର ଠିକଣାଟା ବୁଝିନେବା ।”

 

ଗତକାଲି ବୁଧାକୁ ଭେଟିବି ବୋଲି ମୁଁ ମଧ୍ୟ ଚିନ୍ତା କରିଥିଲି । ମାତ୍ର ତାହା ସମ୍ଭବ ହୋଇ ନଥିଲା । ତାଛଡ଼ା ତାକୁ ଭେଟିଲେ ଯେ ସମସ୍ୟାର ସମାଧାନ ହେବ ସେ କଥା ବି ମୁଁ ଚିନ୍ତା କରୁ ନଥିଲି । ଯିଏ ଅଭିଯୋଗ କରିଛି ତାକୁ ଭେଟିବାର ଅର୍ଥ କଣ ହୋଇପାରେ ? ଏହାଦ୍ୱାରା ବରଂ ସେ ବେଶୀ ଉତ୍ସାହିତ ହେବ । କିନ୍ତୁ ପୂର୍ଣ୍ଣିମାଙ୍କ ସହ ଯୁକ୍ତିତର୍କ କରିବାର ମାନସିକତା ଆଜି ମୋର ନ ଥିଲା ।

 

ପଟ୍ଟନାୟକ ଆମକୁ ଦେଖି ବିସ୍ମିତ ହେଲା । ମୁଁ ତା ହାତ ଧରିପକେଇ କହିଲି, “ଭାଇ ! ଆମକୁ ଟିକେ ସାହାଯ୍ୟ କର ।” ସେ ହସିଲା । ମାପିଚୁପି ବେପାରୀ ହସିଲା ପରି ସେ ହସ । ମୁଁ ତା ପକେଟରେ କିଛି ନୋଟ୍‌ ଖୋସିଦେଲି । ସେ ଖୁସି ଦିଶିଲା ଓ ବୁଧାର ଠିକଣା ବତେଇ ଦେଲା ।

 

ମୁଁ ପୂର୍ଣ୍ଣିମାଙ୍କୁ କହିଲି, “ମୁଦେଇ ଘରକୁ ଯିବା ଆଗରୁ ଜଣେ ଓକିଲ କି ଆଇନକାନୁନ ବୁଝୁଥିବା ଲୋକକୁ ସାଙ୍ଗରେ ନେଇଗଲେ ଭଲ ହୁଅନ୍ତା । ସ୍ତ୍ରୀଲୋକଟା ବିପଜ୍ଜନକ ହୋଇଥିଲେ ଓଲଟି ଆମ ଉପରେ ଦୋଷାରୋପ କରିବ, ତାକୁ ପ୍ରଭାବିତ କରିବାକୁ ଯାଇଥିଲେ ବୋଲି ଅଭିଯୋଗ କରିବ ।”

 

ପୂର୍ବଥର ପରି ଏଥର ବି ପୂର୍ଣ୍ଣିମା ମୋ କଥାରେ ଏକମତ ହେଲେ ନାହିଁ । ସେ କାଳବିଳମ୍ବ ନ କରି ବୁଧାକୁ ଭେଟିବାକୁ ଚାହୁଁଥିଲେ ।

 

ଗୋଟିଏ ଗୁମ୍ଫା ପରି ଦିଶୁଥିବା ଚାଳଛପର ପଲାଟିରେ ବୁଧା ମୁଦୁଲି ରହୁଥିଲା । ପିଲାଟିର ଚାରିପାଖ ଖୁବ୍‌ ଅପରିଷ୍କାର । ପଚା ନର୍ଦ୍ଦମା ପାଣି ସେଇ ପଲା ସାମ୍ନା ଦେଇ ଗଡ଼ିଯାଉଛି-। ପାଖକୁ ଗାଡ଼ି ଯାଇପାରିବ ନାହିଁ । ରାସ୍ତାକଡ଼ରେ ଗାଡ଼ି ରଖି ଆମେ ଓହ୍ଲେଇଲୁ । ସୁଭାଷକୁ କହିଲି, ‘ତୁ ଥା, ଆମେ ଆସୁଛୁ ।’

 

ପୂର୍ଣ୍ଣିମାଙ୍କ କେଶବାସ ଅସ୍ତବ୍ୟସ୍ତ ଦିଶୁଥାଏ । ମୁଣ୍ଡବାଳ ନୁଖୁରା, ଲୁଗା ଲୋଚାକୋଚା, ମୁହଁ ବିଷଣ୍ଣ । ମାତ୍ର ଚାଲିବାବେଳେ ସେ କ୍ଳାନ୍ତ ଜଣାପଡ଼ୁ ନଥାନ୍ତି । ମୋତେ ପଛରେ ପକେଇ ସେ ଆଗେ ଆଗେ ମାଡ଼ିଯାଉଥାନ୍ତି ।

 

ଦିନ ଦିପହରଟାରେ ବି ବୁଧା ମୁଦୁଲିର ଘର ଦିଶୁଥାଏ ପାହାଡ଼ ଖୋଲ କି ଗଛ କୋରଡ଼ ପରି ଅନ୍ଧାର । ଆମ ଦୁହିଁଙ୍କୁ ଦେଖି ବୁଧା ସଙ୍କୁଚିତ ହୋଇ ଗୋଟାଏ କୋଣକୁ ଘୁଞ୍ଚିଗଲା । କୋଳର ଛୁଆଟାକୁ ଚଟାଣରେ ଶୁଆଇଦେଇ ଠିଆ ହୋଇପଡ଼ିଲା ।

 

ମୁଁ ପଚାରିଲି, ‘ତମର ନାଁ ବୁଧା ମୁଦୁଲି ?’

 

ସେ ମୁଣ୍ଡ ଟୁଙ୍ଗାରିଲା ।

 

: ତମ ସାଙ୍ଗରେ ଦି’ ପଦ କଥା ଅଛି ।–ପୂର୍ଣ୍ଣିମା କହିଲେ ।

 

ମୁଁ ସେଇ ସମୟ ଭିତରେ ବୁଧା ମୁଦୁଲିର ପଲା ଚାରିଆଡ଼େ ନଜର ବୁଲେଇ ଆଣିଲି । ଚାରିଆଡ଼େ ବୁଢ଼ିଆଣୀ ବସା । ଚାଳଛପର ମଝିରେ ମଝିରେ ଉଡ଼ିଯାଇଚି । ବର୍ଷାପାଣି ନିଗିଡ଼ି ଘର ଭିତରଟା ସନ୍ତସନ୍ତିଆ ଲାଗୁଛି । ଆମେ ଆସିଲାବେଳକୁ ବୋଧହୁଏ ବୁଧା ତାର ସାନଛୁଆକୁ ଖୁଆଇ ଦେଉଥିଲା । ଅଇଁଠା ଜାଉ ଟୋପା ଟୋପା ହୋଇ ଚଟାଣରେ ପଡ଼ିଛି । ତା’ଉପରେ ମାଛି ଉଡ଼ୁଛନ୍ତି ।

 

ବୁଧା ଗୋଟେ ଛିଣ୍ଡା ଶପ ପାରିଦେଇ କହିଲା, ‘ମା ବସ ।’

 

ପୂର୍ଣ୍ଣିମାଙ୍କୁ ଲକ୍ଷ୍ୟ କଲି । ସେ ଆଖିରେ ଆଖିରେ ବୁଧାକୁ ତଉଲି ନେଉଥାନ୍ତି–ଏଇ ସ୍ତ୍ରୀଲୋକଟା ଉପରେ କ’ଣ ସତରେ ତାଙ୍କ ସ୍ୱାମୀ ବଳାତ୍କାର କରିଥାଇ ପାରନ୍ତି ।

 

ବୁଧାର ବୟସ ଯେତିକି, ଦାରିଦ୍ର୍ୟ ଓ ବ୍ୟାଧି ହେତୁ ତାହାଠାରୁ ସେ ଢେର୍‌ ଅଧିକ ବୟସ୍କ ଦିଶୁଥିଲା । ମୁହଁର ଗଢ଼ଣଟି କିନ୍ତୁ ଭଲ । ହାମୁଡ଼େଇ ପଡ଼ି ସେ ଅଇଁଠା ଗୋଟେଇ ନେଲା । ସାନ ପିଲାଟି ପୋଲିଓ ରୋଗୀ । ସେ ବସିପାରୁ ନଥିଲା କି ଛିଡ଼ା ହୋଇ ପାରୁ ନଥିଲା । ସେଇଠି ଘୁଷୁରି ଘୁଷୁରି ତା ଚାରିପଟେ ଅଦୃଶ୍ୟ ବୃତ୍ତଟେ ତିଆରି କରୁଥିଲା ।

 

ଘର ଭିତରୁ ମୁହଁ ଫେରେଇଆଣି ମୁଁ ବାହାରକୁ ଚାହିଁଲି । ଗୋଟେ ପାହାଡ଼ ମୁଣ୍ଡିଆର ତଳେ ଏଇ ଜାଗାଟି । ମଝିରେ ବଡ଼ ବଡ଼ ଗଛ । ରାସ୍ତା ପାଖରୁ ବୁଧାର ଘରକୁ ଆସିବାକୁ ହେଲେ ଚାଲି ଚାଲି ଆସିବାକୁ ପଡ଼ିବ । ଲୋକନାଥ କ’ଣ ସେଇଠୁ ଓହ୍ଲେଇ ଏଠିକି ଆସିଥିବ !

 

ମୁଁ ନିଜର ଚିନ୍ତାକୁ ନିଜ ଭିତରେ ରଖିଲି ।

 

ଆମ ଗାଡ଼ି ପାଖରେ ଦୁଇଟି ପିଲା ଗୋଡ଼ିଆଗୋଡ଼ି ଖେଳୁଥିଲେ । ବଡ଼ଟି ଆଠ ନଅ ବର୍ଷର ଓ ସାନଟି ବଡ଼ଠାରୁ ଦୁଇ ତିନି ବର୍ଷ ସାନ ହେବ । ସେମାନେ ଗାଡ଼ିଟିକୁ ମଝିରେ ରଖି ଖେଳ ଖେଳୁଥିଲେ । ମୁଁ ମୁରବି ଢଙ୍ଗରେ ପାଟିକରି ଉଠିଲି, ‘ଏ-ଇ, ଗାଡ଼ି ସାଙ୍ଗରେ ଲାଗନା ।’ ତାପରେ ଡ୍ରାଇଭର ଓ ସୁଭାଷ ଉଭୟଙ୍କୁ ହୁସିଆର କରିଦେବା ପାଇଁ ଇସାରା ଦେଲି । ବଣୁଆ ପିଲାମାନଙ୍କୁ ଭରସା ନାହିଁ । ଯଦି କିଏ କୋଉ ଚକାରେ କାଠି ଗେଞ୍ଜିଦିଏ କାମ ବଢ଼ିଲା । ଅପନ୍ତରାଟାରେ ଦୁଇଘଣ୍ଟା ପଡ଼ି ରହିବାକୁ ହେବ ।

 

ଇତିମଧ୍ୟରେ ପୂର୍ଣ୍ଣିମା ତାଙ୍କ ହାତରୁ ଚୁଡ଼ି, ଆଙ୍ଗୁଳିରୁ ମୁଦି, କାନରୁ କାନଫୁଲ ଓ ବେକରୁ ସୁନାହାର ବାହାର କରି ସାରିଥିଲେ । କଥାବାର୍ତ୍ତା କରିବାକୁ ଆସିଥିବା ପୂର୍ଣ୍ଣିମାଙ୍କର ଏ ବ୍ୟବହାର ମୋତେ ଆଶ୍ଚର୍ଯ୍ୟ କଲା । ପୂର୍ଣ୍ଣିମା ତାଙ୍କର ସବୁତକ ଅଳଙ୍କାର ବୁଧାର ଗୋଡ଼ ପାଖରେ ରଖିଦେଇ ମିନତି କଲାଭଳି କହିଲେ, “ତମ ପୁଅ ରାଣ ବୁଧା, ମୋ ସଂସାର ରକ୍ଷା କର । ମୁଁ କୋଉ କୂଳର ହୋଇ ରହିବି ନାହିଁ ।”

 

ବୁଧା ଟିକିଏ ଘୁଞ୍ଚିଗଲା । ଚଟାଣରେ ଲୋଟୁଥିବା ତାର ସାନ ପିଲାଟାକୁ ପାଖକୁ ଭିଡ଼ିନେଲା । ଯେମିତିକି ତାକୁ ଭିଡ଼ି ନ ଧରିଲେ ତା’ଠାରୁ କିଏ ତାକୁ ଛଡ଼େଇ ନେବ ।

 

ପୂର୍ଣ୍ଣିମା ଆଉ ଥରେ ମୁହଁ ଖୋଲିଲେ । ସ୍ୱର ବାଷ୍ପାକୁଳ । “ସତ କହ ବୁଧା, ମୋ ମୁଣ୍ଡ ଛୁଇଁ କହ । ତୁ ନ କହିଲା ଯାଏ ମୁଁ ତୋ ଦୁଆରୁ ଉଠିବି ନାହିଁ ।” ସେ ବୁଧାର ହାତ ଭିଡ଼ିନେଇ ନିଜ ମୁଣ୍ଡ ଉପରେ ରଖିବାକୁ ଯାଉଥିଲେ... ବୁଧା ନିଜର ହାତ ଭିଡ଼ି ଆଣିଲା ଓ ଲୁଗାକାନି ମୁହଁରେ ଜାକି ଭୋ-ଭୋ କରି କାନ୍ଦିପକେଇଲା ।

 

ଏଭଳି ଦୃଶ୍ୟ ମୋ ପାଇଁ ଅଭାବନୀୟ ଥିଲା ।

 

ବୁଧାର ଏହି ଦୁର୍ବଳତାର ସୁଯୋଗ ନେଇ ମୁଁ କହିଲି, ‘ଗୋଟେ ଭଦ୍ରଲୋକର ଇଜ୍ଜତକୁ ନେଇ ଖେଳ ଖେଳିବା କ’ଣ ଭଲ ହେଲା ବୁଧା ?’

 

ମୋ ପାଟିରୁ କଥା ସରିଛି କି ନାହିଁ ବୁଧା ଉହୁଙ୍କି ଆସିଲା । ତା ଆଖିରେ ଲୁହବୁନ୍ଦା ବଦଳରେ ନିଆଁଝୁଲ ଫୁଟିଉଠିଲା । ମୁଁ ଟିକେ ଅପ୍ରସ୍ତୁତ ହୋଇଗଲି । ସେ ମୋ ହାତକୁ ଭିଡ଼ି ଧରି ପଲା ବାହାରକୁ ମୋତେ ନେଇଗଲା । ଗାଡ଼ି ପାଖରେ ଖେଳୁଥିବା ପିଲା ଯୋଡ଼ିକଙ୍କୁ ଦେଖେଇ କହିଲା, ‘ଇଜ୍ଜତ କଥା କହୁଛୁ ବାବୁ, ତ ସିଏ କାହାର ଇଜ୍ଜତ, ଇଏ କାହାର ଇଜ୍ଜତ ଆଁ... ?’ ପୁଣି ପଲା ଭିତରକୁ ଝଡ଼ପରି ପଶିଯାଇ ଚଟାଣରେ ଘୁଷୁରୁଥିବା ଛୁଆଟାକୁ ଦେଖେଇ କହିଲା, “ଆଉ, ଇଏ କାହାର ଇଜ୍ଜତ ? କାହାର ଇଜ୍ଜତ ଏଗୁଡ଼ା ବାବୁ... ?”

 

ମୁଁ ତା କଥାର ଅର୍ଥ କିଛି ବୁଝିପାରୁ ନଥିଲି । କେବଳ ଏତିକି ବୁଝୁଥିଲି ଯେ ବୁଧା ପଛରେ ଗୋଟେ ଲମ୍ବା କାହାଣୀ ଲୁଚି ରହିଥିଲା ।

 

ପୂର୍ଣ୍ଣିମା ବୁଧାକୁ ଶାନ୍ତ କରି ବସେଇ ଦେଲେ ।

 

ବୁଧା କହିଚାଲିଲା...

 

“ମୋର ଘର କୋରାପୁଟର ମୁଦୁଲିପଡ଼ା । ଆମ ଗାଁର ସେଇ ନିୟମ । ଯିଏ ଯୋଉ ବାରରେ ଜନମ ହେବ ତାର ନାଁ ସେଇଆ ରହିବ । ସୋମବାରରେ ଜନମ ହେଲେ ସମ୍‌ବାରୀ, ମଙ୍ଗଳ ବାରରେ ମଙ୍ଗଲ୍‌, ବୁଧବାରରେ ବୁଧା । ମୋର ଜନମ୍‌ ବୁଧୁବାରରେ । ମୋର ମା ବି ବୁଧୁବାରରେ ଜନମ୍‌ ହୋଇଥିଲା, ଭଉଣୀ ବି । ତାଙ୍କର ନାଁ ବି ବୁଧା ।

 

‘ପନ୍ଦର ବର୍ଷ ହେଇଯିବ ବାବୁ, ଆମେ ଫୁଲବାଣୀ ଆସିଲୁ । ବାପ ମରିଗଲା । ରହିଲୁ ମା, ଭଉଣୀ ଆଉ ମୁଁ । ଭଉଣୀ ବାହା ହୋଇଗଲା ମୁନିଗୁଡ଼ାରେ । ମୁଁ ଆଉ ମା ଘର ଚଳାଉ ।’

 

‘ମୋତେ ସେତେବେଳେ ବାଇଶି ବରଷ । ଗୋଟେ ଇଂଜିନିୟର ବାବୁ ଘରେ ମୁଇଁ କାମ କରୁଥିଲି । ମସଲା ବାଟେ, ଘର ଓଳାଏ, ପାଣି କାଢ଼ି ରଖିଦିଏ । ଦିନେ ସେଇ ବାବୁ... ।’ ବୁଧା ଅଟକିଗଲା । ପୂର୍ଣ୍ଣିମା କଥାଟି ବୁଝିପାରୁଥିଲେ । ମୁଁ ବି । ତଥାପି ଓକିଲ ଜେରା କଲାପରି ପଚାରିଲି, “କ’ଣ ହେଲା ?”

 

ବୁଧା ମୁହଁ ଲୁଚେଇ କହିଲା, ‘ମୋର ପଛରୁ ଭିଡ଼ି ଧରିଲା । ମୋତେ କହିଲା–ତୁ ଭାରି ସୁନ୍ଦରୀ । ତୋତେ ବାହା ହେବି ।’

 

‘ତାପରେ... ?’ ବୁଧାର ସେଇ ଅଶ୍ଳୀଳ କାହାଣୀ ଜାଣିବା ପାଇଁ ମୋ ଭିତରେ ଗୋଟେ କୌତୂହଳ ମୁଣ୍ଡ ଟେକୁଥିଲା । ମାତ୍ର ବୁଧା ପୁଣିଥରେ ଭେଁ ଭେଁ କରି କାନ୍ଦିବସିଲା । ତେଣିକି ଯାହା କହିଲା ତାର ଅର୍ଥ ଏହିପରି...

 

ସେଇ ଇଂଜିନିୟର ଘରେ ବେଳଅବେଳରେ ବୁଧା ରହିଯାଉଥିଲା । ଇଂଜିନିୟରବାବୁ ଥିଲା ଖୁବ୍‌ ସଉକିଆ । ତାକୁ ପାଉଡର, ରଂଗ, ଅଳତା ଆଣି ଦେଉଥିଲା । ବୁଧା ବିଶ୍ୱାସ କରୁଥିଲା ବାବୁକୁ । ଦିନେ ସେ ବାବୁ କଟକ ଚାଲିଗଲା । ତିନିଦିନରେ ଫେରିଆସିବ ବୋଲି କହି ଗଲା ସିନା, ତିନିବର୍ଷ ଭିତରେ ବି ଫେରିଲା ନାହିଁ । ବୁଧାର ପ୍ରଥମ ଛୁଆଟି ସେ ବାବୁ ଚାଲିଯିବାର ଛଅମାସ ପରେ ଜନ୍ମ ହେଲା । ବୁଧାର ମା ବୁଧାକୁ ଗାଳିମନ୍ଦ କଲା, ବାଡ଼େଇଲା, ତାର ଚୁଟି ଧରି ତାକୁ ପଦାକୁ ବାହାର କରିଦେଲା ।

 

ବୁଧା ଗୋଟେ ଅପମାନିତ ମାତୃତ୍ୱ ଓ ଅନ୍ଧାର ଭବିଷ୍ୟତକୁ ସାଙ୍ଗରେ ଧରି ରାସ୍ତାକୁ ବାହାରି ଆସିଲା ।

 

ବର୍ଷେକାଳ ବାରଦ୍ୱାର ହୋଇଥିଲା ବୁଧା । ଛୋଟ ଛୁଆଟାକୁ ଧରି ବାରଘରେ ପାଇଟି କରେ । ସେମାନେ ଯାହା ଦିଅନ୍ତି ସେଇଥିରେ ଚଳେ । ଏମିତି ଦିନେ ଦେଖାହେଲା ‘ମୋଟରବାବୁ’ ସାଙ୍ଗରେ ।

 

: ‘ମୋଟରବାବୁ ?’–ମୁଁ ପଚାରିଲି ।

 

ଓ.ଆର୍‌.ଟି.ରେ କାମ କରୁଥିବା କିରାଣି ସାଙ୍ଗରେ ବୁଧାର ପରିଚୟ ହୋଇଥିଲା । ବୁଧା ତାଙ୍କ ଘରେ କାମ କରେ, ଦି ବେଳା ଖାଏ ଓ ସେଇଠି ରହେ ।

 

ଦିନେ ରାତିରେ ମୋଟରବାବୁ ମଦ ପିଇଦେଇ ଆସିଲା । ବୁଧାକୁ ପଛରୁ ଭିଡ଼ିଧରି ସିଧା ସିଧା କହିଲା, ‘ତୋର ଯାହା ଲୋଡ଼ା ମୁଁ ଦେବି । ମୋର ଯାହା ଲୋଡ଼ା ତୁ ଦେବୁ ।’

 

ବୁଧା ଏହି ପର୍ଯ୍ୟନ୍ତ କଥା କହିସାରି ନିରବ ହୋଇଯାଇଥିଲା । ଆଖି ପୋଛିଦେଇ ଚଟାଣରେ ଛୁଆଟି ଉପରୁ ମାଛି ଘଉଡ଼େଇ ଦେଇଥିଲା । ଶୂନ୍ୟଦୃଷ୍ଟିରେ ବାହାର ରାସ୍ତାକୁ ଚାହିଁଥିଲା-

 

ମୁଁ ପଚାରିଲି, ‘ସେଇଠୁ... ?’

 

ବୁଧା କହିଥିଲା, “କଣ କରିବି ବାବୁ ! ନିଆଶ୍ରୀ ଲୋକ । ଯିଏ ଯାହା କହିଲା ସେଇଆ କଲି । ଭାବିଲି ମୋଟରବାବୁ ଭଲଲୋକ । ସମସ୍ତେ ଏକାପରି ନୁହନ୍ତି । କିନ୍ତୁ ମୋଟରବାବୁ ଏଠୁ ବଦଳି ହେଇ ପଳେଇଲା । ମୋତେ ଦରମଲା କରି ଚାଲିଗଲା ।”

 

ଏସବୁ ପରେ ତା ଭାଗ୍ୟରେ ଆସିଥିଲା ସମ୍‌ବାରୀ । ତାଆରି ଜାତିର ମର୍ଦ୍ଦ । ତା ଆଗ ସ୍ତ୍ରୀ ମରିଯାଇଥିଲା । ସେଇ ବୁଧାକୁ ବାହା ହେବ ବୋଲି କହିଥିଲା । ତା ସାଙ୍ଗରେ ମିଛିମିଛିକା ସଂସାର କରିଥିଲା ଦେଢ଼ବର୍ଷ । କିନ୍ତୁ ସମ୍‌ବାରୀଟା ନିଷ୍ଠୁର ଲୋକ । ସେ ବୁଧାକୁ ଗାଳିଦିଏ । ଦି ଦିଇଟା ଛୁଆଙ୍କୁ ନେଇ ଆସିଥିବା ଯୋଗୁଁ ତା’ର ସବୁ ରୋଜଗାର ପାଣି ପରି ଖର୍ଚ୍ଚ ହୋଇଯାଉଛି କହି ଚଦିଆସେ । ବୁଧା ତା’ର ଗୋଡ଼ ଧରେ, ହାତ ଧରେ । ନେହୁରା ହୋଇ ବୁଝାଏ । ବେଶୀ ବେଶୀ କାମ କରେ ।

 

–‘ଫେର୍‌ ?’

 

: ନାଇଁ ବାବୁ । ସମ୍‌ବାରୀ ବି ପଳେଇଗଲା । ରାତି ଅନ୍ଧାରରେ ଚୋର ପରି ଲୁଚିକି ପଳେଇଗଲା । ସେତେବେଳକୁ ଏଇ ସାନଟା ଥିଲା ପେଟରେ ।

 

ଆଉ କିଛି ଶୁଣିବାର ଧୈର୍ଯ୍ୟ ଆମର ନଥିଲା । ମୁଁ ମୁହଁ ଉପରକୁ ଉଠେଇ ପୂର୍ଣ୍ଣିମାଙ୍କୁ ଚାହିଁଲି । ପୂର୍ଣ୍ଣିମାଙ୍କ ଆଖି ଦିଶୁଛି ଛଳଛଳ । ସେ କାନ୍ଥକୁ ଆଉଜି ପଥର ପ୍ରତିମାଟେ ପରି ବୁଧାକୁ ଚାହିଁ ରହିଥିଲେ ।

 

ବୁଧା କହୁଥାଏ, ‘କଣ କରିଥାନ୍ତି ମା ! ଦେହରେ ବଳ ନାହିଁ କି ଅଣ୍ଟିରେ କଉଡ଼ି ନାହିଁ । ତିନି ତିନିଟା ପେଟର ଭୋକକୁ କିଏ ସମ୍ଭାଳିବ ? କିଏ ବୁଝିବ ତାଙ୍କ କଥା ? ଏଇ ସାନ ଛୁଆଟା, ସବୁଦିନେ ବେମାରିଆ । ଯେତେ ଯାହା ମୋ ରକତ ଝୁଣି ଖାଇଲେ ବି ଭଲ ହେଲା ନାହିଁ । ତାକୁ ଛାଡ଼ି କୁଆଡ଼େ ଯିବି, କାହା ପାଖେ ଛାଡ଼ିଯିବି ?’

 

ମୋ ଦୃଷ୍ଟିରେ ବୁଧାର ବର୍ତ୍ତମାନ ସ୍ପଷ୍ଟ ହୋଇଉଠୁଥିଲା । ମୁଁ ଜାଣିପାରୁଥିଲି, କୋଉ ପରିସ୍ଥିତିରେ ପଡ଼ି ବୁଧା ଏପ୍ରକାର ବିପଜ୍ଜନକ ରାସ୍ତା ବାଛି ନେଇଥିଲା ।

 

ବୁଧା ତା’ର ଅଭାବ ପାଇଁ, ଚୋରି କରିଥାନ୍ତା ହୁଏତ ! କିନ୍ତୁ ଭଦ୍ରଲୋକମାନଙ୍କର ଇଜ୍ଜତ ଭୟ ତାକୁ ଚୋରିର ନୂଆ ରାସ୍ତା ଦେଖେଇଦେଇଥିଲା । ସେ ଜାଣିପାରିଥିଲା, ପୋଷାକର ଇଜ୍ଜତକୁ ଚୋରି କରିନେଲେ ପକେଟ୍‌ର ପଇସା ଆପେ ଆପେ ମିଳିଯାଏ ।

 

ତେଣିକି ବୁଧା ତା ପଲା ସାମ୍ନା ରାସ୍ତାରେ, ସଂଜ ଅନ୍ଧାର ହେଲାକ୍ଷଣି ଛପି ରହୁଥିଲା । ତାର କଙ୍କାଳସାର ଚେହେରା ପ୍ରତି ବିପଦର ଆଶଙ୍କା ନଥିଲା । ବୁଧା ନିର୍ଭୟ ହୋଇଯାଇଥିଲା । ସେଇବାଟ ଦେଇ ଯିଏ ଯାଉଥିଲା ବୁଧା ଦଉଡ଼ିଯାଇ ପଛରୁ ଭିଡ଼ି ଧରୁଥିଲା ଓ ଡାକ ପକଉଥିଲା, ‘ମୋତେ ବଞ୍ଚାଅ... । ମୋ ଇଜ୍ଜତ... ।’

 

ପୂର୍ଣ୍ଣିମା ବୁଧାର ହାତ ଧରିପକେଇଲେ । ମୁହୂର୍ତ୍ତକ ପାଇଁ ମୋତେ ଲାଗିଲା ଗୋଟିଏ ସମତଳ ଭୂମି ଉପରେ ଠିଆ ହୋଇଥିବା ଦୁଇଟି ନାରୀ ଯେପରି ପରସ୍ପରକୁ ବୁଝିପାରୁଛନ୍ତି । ମୋର ଲୋକନାଥ ପାଇଁ ଚିନ୍ତା କରିବାର କିଛି କାରଣ ନଥିଲା । କେବଳ ବୁଧାକୁ ନେଇ ଥାନାରେ କି କଚେରିରେ ଆଫିଡେଭିଟ୍‌ଟିଏ କରେଇନେଲେ କାମ ସରିଯିବ ।

 

ଆମେମାନେ ବୁଧାର ପଲାରୁ ବାହାରି ରାସ୍ତା ଉପରକୁ ଆସିଲୁ । ବୁଧା ବି ଆମ ପଛେ ପଛେ ଆସିଲା ।

 

ବୁଧା କହିଲା, ‘ତମେ ଯାଅ ମା । ମୁଁ ସବୁ ସତ ସତ କଥା କହିବି । ମୁଇଁ ହୀନିକପାଳୀ ଖାନିକୀ ତମ ବାବୁଙ୍କର କିଛି କ୍ଷତି କରିବି ନାହିଁ ।’

 

ବୁଧାକୁ ଦେଖି ଗାଡ଼ିପାଖେ ଧାଁଦଉଡ଼ କରୁଥିବା ପିଲାଯୋଡ଼ିକ ତା ପାଖକୁ ଧାଇଁ ଆସିଲେ । କଳା କିଟିକିଟି ପିଲା ଦିଇଟିଙ୍କ ଅଣ୍ଟାରେ ଛିଣ୍ଡା ପ୍ୟାଣ୍ଟ୍‌ ଖଣ୍ଡେ ଖଣ୍ଡେ ବ୍ୟତୀତ ଦେହରେ ଆଉ କିଛି ନାହିଁ । ମୁଣ୍ଡବାଳ ଫୁରୁଫୁରୁ । ଦୈନ୍ୟ, ଉପେକ୍ଷା ଓ ପୁଷ୍ଟିହୀନତାର ଦୁଇଟି ଜିଅନ୍ତା ଉଦାହରଣ ସେ ପିଲାଯୋଡ଼ିକ । ବୁଧା ସେମାନଙ୍କୁ ଦି ପଟେ ଜାକିନେଲା, କୁକୁଡ଼ା ଡେଣା ମେଲେଇ ତା ଛୁଆମାନଙ୍କୁ ଆଦରି ନେଲା ପରି ।

 

ଆମ ଗାଡ଼ି ଆଉ ଅଳ୍ପ ଦୂରରେ । ବୁଧା କହିଲା, ‘ଟିକେ ରୁହ ମା, ମୁଁ ଆସୁଛି ।’ କଣ ଛାଡ଼ିଆସିଲା ପରି ସେ ପୁଣି ତା ପଲାକୁ ଫେରି ଚାଲିଗଲା ।

 

ମୁଁ ଭାବିଲି, ବୁଧା ତା ମନ ପରିବର୍ତ୍ତନ କଲା କି ! ନ ହେଲେ ହଠାତ୍‌ ଫେରି ପଳେଇଲା କାହିଁକି !

 

କିନ୍ତୁ ମୋର ଆଶଙ୍କା ଅମୂଳକ ଥିଲା । ବୁଧା ତା ପଣତକାନିରେ କ’ଣ ସବୁ ଧରି ଆମ ପାଖକୁ ଆସୁଥିଲା । ଆମେ ତାକୁ ଚାହିଁଲୁ । ସେ ପୂର୍ଣ୍ଣିମା ସାମ୍ନାରେ ତାର କାନି ଖୋଲି ଧରିଲା । ସେଥିରେ ଥିଲା ପୂର୍ଣ୍ଣିମାଙ୍କ ଚୁଡ଼ି, କାନଫୁଲ, ମୁଦି ଓ ସୁନାହାର–ଯୋଉଗୁଡ଼ିକୁ ପୂର୍ଣ୍ଣିମା ନିଜ ଦେହରୁ ଖୋଲି ବୁଧାକୁ ଦେଇଥିଲେ ।

 

ମୁଁ କାବା ହୋଇ ଚାହିଁଲି ।

 

ବୁଧା କହିଲା, ‘ନିଅ ମା । ଏସବୁ ତମକୁ ସାଜେ । ମୁଁ ତ ଅଲକ୍ଷଣୀ । ମୋର ଛୁଆ ବେଧଛୁଆ, ଅଲକ୍ଷଣା । ଆମକୁ କଣ ଗହଣାଗାଣ୍ଠି ସାଜେ... !’ ସେ ପୁଣି କାନ୍ଦିପକେଇଲା । ‘ମା, କିଛି ଭାବନାହିଁ । ତମେ ନିଶ୍ଚିନ୍ତରେ ଯାଅ । ମୁଁ ଥାନାରେ ସତ୍‌ ସତ୍‌ କହିଦେବି... ।’

 

ମୁଁ ଗାଡ଼ିର ଦୁଆର ଖୋଲି ଧରିଲି । ସୁଭାଷ ସେ କଡ଼କୁ ଘୁଞ୍ଚିଗଲା । ପୂର୍ଣ୍ଣିମା ବସିସାରିବା ପରେ ମୁଁ ଆଗ ସିଟରେ ବସିପଡ଼ି କହିଲି, “ଚାଲ, ଥାନାକୁ ଯିବା ।”

 

ଗାଡ଼ି ଆଗକୁ ଗଡ଼ୁଥିଲା । ରାସ୍ତାମୋଡ଼ରେ ପଛକୁ ଚାହିଁ ଦେଖିଲି, ବୁଧା ମୁଦୁଲି ତାର ଛୁଆଯୋଡ଼ିକଙ୍କୁ ଦି ପଟରେ ଜାକିଧରି ସେହିପରି ଛିଡ଼ାହୋଇଛି । ତା ପଛରେ କି ଆଗରେ କେହି କୋଉଠି ନାହାନ୍ତି । ଚାରିପଟେ ଟାଙ୍ଗରା ମୁଣ୍ଡିଆ ଓ ନିଛାଟିଆ ଜଙ୍ଗଲ ।

☆☆☆

 

ଧର୍ମଯୁଦ୍ଧ

 

ନବଘନର ଚା ଦୋକାନ ସାମ୍ନାରେ ମଣ୍ଟୁ ଛିଡ଼ା ହୋଇଥିଲା । ସବୁଦିନ ପରି ଆଜି ବି ସେ ଗୋଟେ କଳା ବ୍ୟାନିଅନ୍‌ ଓ ନୀଳ ପ୍ୟାଣ୍ଟ୍‌ ପିନ୍ଧିଥିଲା । ତା ମୁଣ୍ଡର ଲମ୍ବା ବାଳ ଗୁଡ଼ିକ ମୁହଁ ଉପରେ ଖେଳେଇ ପଡ଼ିଥିଲା । ଡାହାଣ ହାତରେ ନିକେଲ୍‌ ପୁଟଦିଆ ଲୁହା ବଳା । ଶିବଙ୍କ ବେକ ଚାରିପଟେ ସାପ ଗୁଡ଼େଇ ହେଲା ପରି ମଟରସାଇକେଲ୍‌ ଚାବି ଲାଗିଥିବା ସରୁ ଷ୍ଟିଲ୍‌ ଚେନ୍‌ ମଣ୍ଟୁର ବେକ ଚାରିପଟେ ଗୁଡ଼େଇ ହୋଇ ରହିଥିଲା । କପାଳରୁ ନାକ ପର୍ଯ୍ୟନ୍ତ ଲମ୍ବା ସିନ୍ଦୂର କଲି । ଚା ଦୋକାନରେ ବସିଥିବା ଗରାଖମାନଙ୍କୁ ସେ ବୋଧହୁଏ କିଛି କହୁଥିଲା । ମୋତେ ଦେଖିଲାକ୍ଷଣି ନମସ୍କାର କଲା । ମୁଁ ଟିକେ ହସି ତା ନମସ୍କାରର ଜବାବ ଦେଲି ।

 

ସେ ଟିକିଏ ଆଗେଇ ଆସି କହିଲା, “କେତେବେଳେ ଆସିଲେ କି ସାଆରେ ? କାଲି ନ ଥିଲେ ବୋଧେ ! ରକ୍ଷା ପାଇଯାଇଛନ୍ତି ଆପଣ । କାଲି ଏଠି ଯୋଉ କାଣ୍ଡକାର୍ଖାନା, ଆପଣଙ୍କ ପରି ଦୁର୍ବଳ ହାର୍ଟବାଲା ସିଧା ପଡ଼ି ଯାଇଥାଆନ୍ତା । ହେଁ, ହେଁ... ।”

 

ମୁଁ କିଛି କହିଲି ନାହିଁ ।

 

ମଣ୍ଟୁ ନବଘନକୁ ଡାକିଲା, ‘ଏଇ... ଆଉ ଦିଇଟା ସ୍ପେଶାଲ୍‌ ହାପ୍‌ ଚା ଓ ମୋ ଆଡ଼କୁ ବୁଲିପଡ଼ି ଅଭିଭାବକ ସ୍ୱରରେ କହିଲା, “ଆଜିଠୁ ସ୍କୁଲ ଖୋଲିଲା ପରା ! କିନ୍ତୁ କଣ ହେବ ! ଟେନ୍‌ସନ୍‌ ନଯିବା ଯାଏ ପିଲାଏ କୋଉ ସ୍କୁଲକୁ ଆସିବେ !”

 

ମଣ୍ଟୁର କଥା ଶୁଣି ବିବ୍ରତ ହୋଇପଡ଼ିଲି । ପଡ଼ୋଶୀଙ୍କ ଠାରୁ ଗଣ୍ଡଗୋଳ ସଂପର୍କରେ ସାମାନ୍ୟ ସୁରାକ ପାଇଥିଲି । କିନ୍ତୁ କାହିଁକି ଏ ପ୍ରକାର ଗଣ୍ଡଗୋଳ ଘଟିଗଲା ସେ କଥା ଜାଣି ନ ଥିଲି । ପଡ଼ୋଶୀ ଭଦ୍ରମହିଳା ସେ ବାବଦରେ ମୋ ସାଙ୍ଗେ ଗପିବାକୁ ଆଗ୍ରହୀ ନ ଥିଲେ । ମୁଁ ପଚାରିଲି, “କିନ୍ତୁ ଗଣ୍ଡଗୋଳ କାହିଁକି ହେଲା ମଣ୍ଟୁବାବୁ ?”

 

ମଣ୍ଟୁ ବୀରଠାଣିରେ ଅଦୃଶ୍ୟ ସମାବେଶକୁ ଉଦବୋଧନ ଦେଉଥିବା ଭଂଗୀରେ କହିଲା, “ଯେତେବେଳେ ଶାନ୍ତିର ସବୁ ପଥ ବନ୍ଦ ହୋଇଯାଏ, ସେତେବେଳେ ଯୁଦ୍ଧ ହିଁ ଏକମାତ୍ର ଉପାୟ ହୋଇରହେ । ଭଗବାନ କୃଷ୍ଣ ନିଜେ ତ ଗୀତାରେ ଏକଥା କହିଯାଇଛନ୍ତି । ଏସବୁ କାର୍ଯ୍ୟରେ ଅର୍ଜୁନ ପରି ମୋ ଭୂମିକା ନିମିତ୍ତ ମାତ୍ର... ।”

 

ଗଣ୍ଡଗୋଳର କାରଣ ନ ହେଲେ ବି ମଣ୍ଟୁ ଯେ ତହିଁର ଅନ୍ୟତମ କର୍ତ୍ତା ଏକଥା ତା କଥାବାର୍ତ୍ତାରୁ ବୁଝିପାରୁଥିଲି । କିନ୍ତୁ ମଣ୍ଟୁ ଏମିତି ନାୟକ ଭୂମିକାରେ ଅବତ୍ତୀର୍ଣ୍ଣ ହେବାର କାରଣ କଣ !

 

ଦୁର୍ଘଟଣା ବିଷୟରେ ଜାଣିବା ପାଇଁ ମୋର ଯେତିକି ଆଗ୍ରହ ଥିଲା, ନିଜର ପାରିବାର ପଣିଆ ବିଷୟରେ ଜଣେଇବା ପାଇଁ ମଣ୍ଟୁର ତାହାଠାରୁ ଅଧିକ ଆଗ୍ରହ ଥିଲା ।

 

ମଣ୍ଟୁ ତାର ପୂର୍ବ ଆଲୋଚନାକୁ ଫେରିଯିବାକୁ ଚାହୁଁଥିଲା । ତା ସାମ୍ନାର ସେଇ ଅଦୃଶ୍ୟ ସମାବେଶକୁ ଶୁଣାଇଲା ପରି ସେ କହିଲା, “ଶଳା ଚନ୍ଦରା ବାବା କାଲି ରାତାରାତି କୁଆଡ଼େ ମଠ ଛାଡ଼ି ପଳେଇଛି । ସାଙ୍ଗରେ ସେ ଦିଇଟାଙ୍କୁ ବି ନେଇଯାଇଛି । ବଞ୍ଚିଗଲା ସେ ଭଣ୍ଡ ବାବାଜୀ ! ଭାବିଥିଲା ବିଲେଇ ପରି ଆଖି ବୁଜି ବୁଜି କ୍ଷୀର ପିଉଥିବ । ହାବୁଡ଼ରେ ପଡ଼ିଥିଲେ ତାର ଗଣ୍ଡିମୁଣ୍ଡ ଯଦି ମୁଁ ଅଲଗା କରି ଦେଇ ନ ଥାନ୍ତି ତାହାହେଲେ ମୁଁ ମାନଗୋବିନ୍ଦ ନାଏକର ପୁଅ ନୁହେଁ ।”

 

: ଚନ୍ଦରା ବାବା ? କାହିଁ ମଣ୍ଟୁ ଚନ୍ଦ୍ରମାଧବଙ୍କ ବିଷୟରେ କହୁନାହିଁ ତ ! ଚନ୍ଦ୍ରମାଧବ ତ ସନ୍ନ୍ୟାସୀ ପରି ଗାଁ ମୁଣ୍ଡ ଶିବମନ୍ଦିର ପାଖେ ଆଶ୍ରମଟେ ତୋଳି ରହୁଛନ୍ତି । ସ୍କୁଲକୁ ଯିବାଆସିବା ରାସ୍ତାରେ ଦି ଥର ତାଙ୍କ ସାଙ୍ଗେ କଥାଭାଷା ହୋଇଛି ମୋର । ମାତ୍ର ତାଙ୍କୁ ନେଇ ଗାଁରେ ବିବାଦ ମୁଣ୍ଡ ଟେକିବାର କାରଣ କ’ଣ ? ମୁଁ ମଣ୍ଟୁକୁ ଧୀରେ ପଚାରିଲି, “କିନ୍ତୁ ବାବା ଗଲେ କୁଆଡ଼େ ?”

 

ସେ ତାଚ୍ଛଲ୍ୟ କଲା ପରି ଉତ୍ତର ଦେଲା, “ବାବା ! ସେ ଶଳାଟି ବାବା ଫାବା କିଛି ନୁହେଁ-। ଗୋଟେ ନିର୍ଘାତ ଭଣ୍ଡ । କହୁନାହାନ୍ତି, ଯାହାର ନିଜ ଜାତି, ଗୋତ୍ର, ଧର୍ମ କି ବଂଶ, ପରମ୍ପରା ପ୍ରତି ଆଦର ନାହିଁ, ସେ କେବେ ସାଧୁ ସନ୍ନ୍ୟାସୀ ହୋଇପାରେ ? ଚନ୍ଦରା ଯେମିତି କାମ କରୁଥିଲା, ସେମିତି ଫଳ ପାଇଲା ।”

 

ମଣ୍ଟୁ ଏ ଗାଁର ଯୁବନେତା । ଏଇ ଗାଁରୁ ପାଖ ବଜାର ପର୍ଯ୍ୟନ୍ତ ଚାରି ପାଞ୍ଚଖଣ୍ଡ ଗାଁରେ ସମସ୍ତେ ତାକୁ ଜାଣନ୍ତି । ସ୍ଥାନୀୟ ବିଧାୟକଙ୍କ ସାଙ୍ଗରେ ତାର ଖୁବ୍‌ ଭଲ ପଚିଚୟ ବୋଲି ସେ ମୋତେ କେତେଥର କହିଛି । ‘ଡେଭିଲ୍‌ସ ଡେନ୍‌’ କ୍ଲବ୍‌ର ମଣ୍ଟୁ ହେଉଛି ସାଧାରଣ ସଂପାଦକ । ପାଟପୁର ବଜାରର ଗଂଜେଇ ଦୋକାନ ଠିକା ତା ବାପା ମାନଗୋବିନ୍ଦ ନାଏକଙ୍କ ନାଆଁରେ ଚାଲୁଛି-

 

ଚନ୍ଦ୍ରମାଧବଙ୍କୁ ମଣ୍ଟୁ ଓ ଉପସ୍ଥିତ ଲୋକମାନେ ଯେମିତି ଚନ୍ଦା, ଚନ୍ଦରା ଓ ଚନ୍ଦିଆ ବୋଲି ସମ୍ବୋଧନ କରୁଥିଲେ ତହିଁରୁ ଚନ୍ଦ୍ରମାଧବଙ୍କ ଉପରେ ସେମାନଙ୍କ କ୍ରୋଧର ପରିମାଣ ମୁଁ କଳିପାରୁଥିଲି । କିନ୍ତୁ ଚନ୍ଦ୍ରମାଧବ ଯେଉଁଭଳି ଲୋକ ସେ କଦାପି ସେପରି ଗର୍ହିତ କାମ କରି ନଥିବେ । ଗତ ମାସରେ, ସ୍କୁଲ ଛୁଟି ହେବା ପୂର୍ବ ସପ୍ତାହରେ ମୋର ତାଙ୍କ ସାଙ୍ଗେ ଦେଖା ହୋଇଥିଲା । ମୁହଁ ସଂଜବେଳେ ବଜାରରୁ ଫେରୁଥିଲି । ହଠାତ୍‌ ଝଡ଼ ତୋଫାନ ଘୋଟି ଆସିଲା । ସ୍କୁଲ ପର୍ଯ୍ୟନ୍ତ ଯିବାକୁ ତର ସହିଲା ନାହିଁ । ଚନ୍ଦ୍ରମାଧବଙ୍କ ଆଶ୍ରମ ଭିତରେ ପଶିଯାଇଥିଲି । ଚନ୍ଦ୍ରମାଧବ ସେତେବେଳକୁ ବଗିଚାରେ ପାଣି ଦେଇସାରି ପିଣ୍ଡା ଉପରେ ବସିଥାଆନ୍ତି । ପିନ୍ଧା ମଠାଲୁଗା ଓଦା ଜଡ଼ସଡ଼ । ଦେହରେ ଖଣ୍ଡିଏ ଗେରୁଆ ଚାଦର । ମୁଁ କହିଥିଲି, “ଆପଣ ଅଯଥାରେ ପରିଶ୍ରମ କଲେ । ବର୍ଷା ତ ଆରମ୍ଭ ହୋଇଗଲା ।”

 

ସେ ହସିଥିଲେ । କହିଥିଲେ, “ବର୍ଷା ହେଲା ସରକାର, ଆଉ ମୁଁ ହେଲି ଏ ଗଛମାନଙ୍କର ମା । ସରକାରଙ୍କ ଭରସାରେ ମା ପିଲା କଥା ନ ବୁଝି ମୁହଁ ବୁଲେଇ କଣ ରହିପାରେ-!”

 

ମୁଁ ଚନ୍ଦ୍ରମାଧବଙ୍କ ଚଟୁଳତାକୁ ପ୍ରଶଂସା କରିଥିଲି ।

 

ବର୍ଷା ଛାଡ଼ିବା ପର୍ଯ୍ୟନ୍ତ ମୁଁ ତାଙ୍କ ଆଶ୍ରମରେ ଥିଲି । ସୁନ୍ଦର ପରିବେଶ । ତା’ପରେ ଆଉ ତାଙ୍କ ସାଙ୍ଗେ ଦେଖା ହୋଇ ନଥିଲା ।

 

କିନ୍ତୁ ମଣ୍ଟୁ ପରି ଗୋଟେ ରାଜନୈତିକ କର୍ମୀ ଚନ୍ଦ୍ରମାଧବଙ୍କୁ ଗାଳିମନ୍ଦ କରିବାର କାରଣ କଣ ? ସେଭଳି କିଛି ସେ କରିନଥିଲେ ଲୋକମାନେ କେମିତି ମଣ୍ଟୁ କଥାକୁ ସମର୍ଥନ କରୁଥାଆନ୍ତେ ! ମୁଁ ଟିକେ ବିବ୍ରତ ହୋଇପଡ଼ିଲି । ପଚାରିଲି, “ଘଟଣାଟା କ’ଣ ମୋତେ ଟିକେ ଠିକେ ଠିକେ ବତେଇ ପାରିବ ?”

ମଣ୍ଟୁ ଟୁଲ୍‌ ଉପରୁ ଉଠି ପଡ଼ିଲା । ଚା ଗିଲାସଟିକୁ ଧଡ଼୍‌କରି ଟୁଲ୍‌ ଉପରେ କଚାଡ଼ିଦେଇ କହିଲା, “ଚାଲୁନାହାନ୍ତି, କ୍ଷେତ୍ର ଉପରୁ ବୁଲି ଆସିଲେ ବଳେ ସ୍ୱଚକ୍ଷୁରେ ଦେଖିପାରିବେ ନାହିଁ କି ! ଶଳା ଦାଦାଗିରି ଦେଖଉଥିଲା । ଇମିତି ନାମ ଦେଇଚୁ ଯେ ପୁଅ ପଥ ପଚାରି ବାପଘର ଯିବ, ଆଉ ଅଯୋଧ୍ୟାକୁ ମନ ନକରିବ ।”

ମଣ୍ଟୁର କଥାବାର୍ତ୍ତା ଏହିପରି । ପ୍ରତି ପଦ କଥାରେ ‘ଶଳା’ ପଦଟି ନ ଯୋଡ଼ିଲେ ତାର ବାକ୍ୟ ସଂପୂର୍ଣ୍ଣ ହୁଏ ନାହିଁ । କୌଣସି ସଭା ସମିତି ପାଇଁ ଭାଷଣ କି ସ୍ମାରକପତ୍ର ଲେଖିବା ଦରକାର ପଡ଼ିଲେ ସେ ମୋ ପାଖକୁ ଆସିଥାଏ । କିନ୍ତୁ ମୁଁ ଯାହା ଲେଖିଥାଏ ସେ ସେଗୁଡ଼ା ସେଇପରି ପଢ଼େନାହିଁ । ମଝିରେ ମଝିରେ ଶଳା, ପାଜି ଓ ବଦ୍‌ମାସ ଶବ୍ଦ କିଛି ତହିଁରେ ଖଞ୍ଜିଦିଏ । ଦିନେ ମୁଁ ତାର ପ୍ରତିବାଦ କରି କହିଥିଲି, “ମଣ୍ଟୁବାବୁ ! ଏଣିକି ତମେ ତମର ଭାଷଣ ଲେଖ । ତମେ ତ ଭଲ କହିପାରୁଛ ।”

ସେ ମୋ ପ୍ରତିବାଦର ଅର୍ଥ ନ ବୁଝି ଓଲଟା କହିଥିଲା, “ବୁଝିଲେ ସାଆରେ ! ଲିଡର୍‌ମାନଙ୍କ କାମ ହେଲା ଭାଷଣ ଦେବା, ଭାଷଣ ଲେଖିବା ନୁହେଁ । ସେସବୁ କାମ ଆପଣଙ୍କ ପରି ଲୋକ କରିବେ ।”

ମୁଁ ଅପମାନିତ ବୋଧ କରିଥିଲି । ମାତ୍ର ମଣ୍ଟୁ ଆଦୌ ଦୁଃଖିତ ହୋଇ ନଥିଲା ।

ମଣ୍ଟୁ ମୋତେ ତା ମଟରସାଇକେଲରେ ବସିବାକୁ ଡାକୁଥିଲା । କହିଲା, “ଆସନ୍ତୁ, ମନ୍ଦିର ଅବସ୍ଥା ଦେଖି ଆସିଲେ ଆପଣ ନିଜେ ସବୁ କଥା ଜାଣିପାରିବେ । ସେଇ ଭଣ୍ଡ ଯୋଗୁ ଏ ଗାଁର କି ଅବସ୍ଥା ନ ହେଲା... !”

 

ମୁଁ ତା ମଟରସାଇକେଲରେ ବସିଲି । ମଣ୍ଟୁ ମଝିରେ ମଝିରେ ହ୍ୟାଣ୍ଡଲ୍‌ ଛାଡ଼ିଦେଇ ଡାହାଣ ହାତରେ ତା ମୁଣ୍ଡବାଳ ସାଉଁଳେଇ ଆଣୁଥାଏ । ପଛରେ ବସି ମୁଁ ଭାବୁଥାଏ, ସବୁ ସାଧୁ ସନ୍ନ୍ୟାସୀ କଣ ଏଇମିତି ଭଣ୍ଡ, ପ୍ରତାରକ ? ଅନେକ ଦିନ ତଳେ ଆମ ଗାଁକୁ ଗୋଟେ ତାନ୍ତ୍ରିକ ଆସିଥିଲା । ପଣ୍ଡା ଘରୁ ଯକ୍ଷ ବାହାର କରିବ ବୋଲି ଘୋଷଣା କରି ପ୍ରାୟ ଦୁଇମାସରୁ ଊଦ୍ଧ୍ୱର୍କାଳ ରହିଥିଲା ଆମ ଗାଁରେ । ମାତ୍ର ଯକ୍ଷ ତ ବାହାରିଲା ନାହିଁ, ବରଂ ସେ ତାନ୍ତ୍ରିକ ଗଲାପରେ ଜଣାପଡ଼ିଥିଲା ଯେ ପଣ୍ଡାଘର ବଡ଼ଝିଅ ଊର୍ମିଳା ପାପଗର୍ଭା ହୋଇଛି । ସେଇଦିନୁ ଏଇ ବାବା, ମାତା, ସାଧୁ, ସନ୍ନ୍ୟାସୀ ସମସ୍ତଙ୍କ ଉପରୁ ମୋର ଭରସା ତୁଟିଯାଇଛି । ଶହେ କି ହଜାରରେ ହୁଏତ ଜଣେ ଦି ଜଣ ଭଲଲୋକ ଥିବେ ।

 

ଆମେ ନବଘନର ଚା-ପାନ ଦୋକାନରୁ ଡାହାଣହାତି ଭାଙ୍ଗିଗଲୁ । ଅଳ୍ପ ଦୂରରେ ଚନ୍ଦ୍ରମାଧବଙ୍କ ଆଶ୍ରମ । ସେପଟକୁ ଚନ୍ଦ୍ରଶେଖର ମହାଦେବ ମନ୍ଦିର । ବହୁ ପୁରୁଣା କାଳର ମନ୍ଦିର ଇଏ । ମନ୍ଦିର ବେଢ଼ା ଭିତରେ ଚମ୍ପା, ବେଲ, ନଡ଼ିଆ ଓ ଆମ୍ବଗଛ । କୋଉଠୁ ଗୋଟେ ଚମ୍ପାଫୁଲର ବାସ୍ନା ଭାସି ଆସୁଥାଏ । ଏ କଡ଼କୁ ଆଶ୍ରମ । ଦି ବଖରା ଚାଳଘର । ତଳକୁ ଚାହିଁଲି । ଚାରିଆଡ଼େ ଢେଲା, ପଥର, ଭଙ୍ଗା ଇଟା, ଭଙ୍ଗା କାଚ ବୋତଲ, ପଥର, ସୁରେଇ ଓ ହାଣ୍ଡି । ରାସ୍ତା ପର୍ଯ୍ୟନ୍ତ ଏଇ ସବୁ ବିଞ୍ଚି ହୋଇଯାଇଛନ୍ତି । ଆଶ୍ରମ ଓ ଦେଉଳ ବେଢ଼ା ସଂପୂର୍ଣ୍ଣ ନିର୍ଜନ । ବିଲେଇଛୁଆଟେ ବି କୋଉଠି ଦେଖାଯାଉନାହିଁ । ମଠର କବାଟ ଝରକା ମେଲା । ସବୁକିଛି ଧ୍ୱସ୍ତବିଧ୍ୱସ୍ତ । ମୁଁ ରାସ୍ତା ଉପରକୁ ଚାହିଁଲି । ସେପଟକୁ ଗଛ ଛାଇରେ ଚାରିଜଣ ପୁଲିସ କନେଷ୍ଟବଳ ବସିଛନ୍ତି । ପାଖରେ ଗୋଟେ ପୁଲିସ୍‌ ଭ୍ୟାନ୍‌ ।

 

ମଣ୍ଟୁ ତା ମଟରସାଇକେଲ୍‌ଟିକୁ ସେଇ ପୋଲିସ୍‌ ଭ୍ୟାନ୍‌ ପାଖରେ ରଖି ଓହ୍ଲେଇ ପଡ଼ିଲା-। ଆଗେ ଆଗେ ଫାଟକ ପାଖକୁ ଯାଇ ଆଶ୍ରମର ମୁକୁଳା ଗେଟ୍‌କୁ ଦୁଇ ହାତରେ ମେଲେଇ ଧରିଲା । ସେ ଏମିତି ଭଙ୍ଗୀରେ ଗେଟ୍‌ଟାକୁ ଖୋଲି ଧରିଲା ଯେମିତି ଦୁର୍ବଳ କାଠ ବାଉଁଶର ତାଟିକୁ ନୁହେଁ, ଚନ୍ଦ୍ରମାଧବଙ୍କ ଛାତିକୁ ଦୁଇଫାଳ କରି ଚିରି ଧରିଥିଲା । ଅଗଣାରେ କାଠବେଞ୍ଚ୍‌ଟିଏ ଓଲଟି ପଡ଼ିଛି । ଜାଗାଟା ଦିଶୁଛି ଗୋଟେ ରଣକ୍ଷେତ୍ର ପରି ।

 

ମଣ୍ଟୁ ତା ପକେଟରୁ ସିଗ୍ରେଟ୍‌ ଓ ଦିଆଶିଲି ବାହାର କରି କନେଷ୍ଟବଳମାନଙ୍କ ପାଖକୁ ଗଲା । ମୁଁ ତା’ର ସାହସ ଦେଖି ଆଶ୍ଚର୍ଯ୍ୟ ହେଲି । ଗଣ୍ଡଗୋଳରେ ସଂପୃକ୍ତ ତା ପରି ଗୋଟେ ଯୁବକର ପୁଲିସ ପ୍ରତି ବେଖାତିର୍‌ ଭାବ ମୋତେ ତାର ପାରିଲାପଣ ସଂପର୍କରେ ନୂଆ ପରିଚୟ ଦେଉଥିଲା । ଜଣେ କନେଷ୍ଟବଳ ତା’ଠାରୁ ସିଗ୍ରେଟ୍‌ ନେଇ ଲଗେଇଲା । ମଣ୍ଟୁ ସେମାନଙ୍କ ପାଖରୁ ଫେରିଆସି ମୋତେ କହିଲା, “ସାଆରେ, ଆପଣ ବୋଧେ ଚନ୍ଦରାବାବା ପ୍ରତି ବେଶି ଦରଦୀ ହୋଇପଡ଼ୁଛନ୍ତି । କିନ୍ତୁ ମୁଁ କହିଦେଉଛି, ସେଇଟା ଗୋଟେ ଏକନମ୍ବର ବଦମାସ୍‌ । ତାକୁ ସାବାଡ଼ କରିବା ପାଇଁ ଗାଁ ଲୋକଙ୍କୁ ଯେ କାଲି କି କଷ୍ଟ କରିବାକୁ ପଡ଼ିଛି, ସେକଥା ଆପଣ ଜାଣିପାରିବେ ନାହିଁ ।”

 

କାଳେ ମଣ୍ଟୁ ମୋତେ ଅଯଥା ଭୁଲ୍‌ ବୁଝିବସିବ ସେଥିପାଇଁ ମୁଁ ତାକୁ ବୁଝେଇବାକୁ ଯାଇ କହିଲି, “ନା ନା ମୁଁ ସେମିତି ଭାବୁନାହିଁ । ତା’ଛଡ଼ା ପୂରା ଗାଁଟି ତ ଆଉ ଭୁଲ୍‌ ବାଟରେ ଯାଇ ନଥିବ-। ତମର ବା ଦୋଷ କଣ ? ଯିଏ ଯାହା କରିବ, ସେ ତାର ଫଳ ପାଇବ ।”

 

ମଣ୍ଟୁ ମନକୁ ମୋ କଥା ପାଇଲା ।

 

ମୁଁ ପଚାରିଲି, “ଏ ପୁଲିସ ଏଠି କଣ କରୁଛି ?”

 

ମଣ୍ଟୁ କହିଲା, “ଚାଲନ୍ତୁ, ସେଇ ଭରତ କ୍ୟାବିନ୍‌ ପାଖରେ ବସିବା । ମୁଁ ଆପଣଙ୍କୁ କହିଲେ କାଳେ ଆପଣ ଅବିଶ୍ୱାସ କରିବେ, ଆପଣ ସେଇଠି ତାଆରି ମୁହଁରୁ ଶୁଣିବେ । ତା’ପରେ ସେ ଚନ୍ଦ୍ରମାଧବଙ୍କ ଉଦ୍ଦେଶ୍ୟରେ ଆଉ ଦୁଇ ଚାରିଟି ଅଶ୍ଳୀଳ ଶବ୍ଦ ଫିଙ୍ଗିଦେଇ କହିଲା, “କାଳେ ଭୀମପଡ଼ାବାଲା କିଛି ଗଣ୍ଡଗୋଳ କରିବେ, ସେଇଥିପାଇଁ ପୁଲିସ ଜଗିଛି ।”

 

ମଣ୍ଟୁ ଭରତ କ୍ୟାବିନ୍‌ ପାଖରେ ପହଞ୍ଚି କହିଲା, “ଦିଇଟା ଚା ଦେ । ଆଉ ଦିଇଟା ଡିଲକ୍ସ ମିଠା ପାନ ।”

 

ଭରତ ମଣ୍ଟୁକୁ ଦେଖି କୃତ୍ୟକୃତ୍ୟ ହେଉଥିଲା । ସେ ନିଜେ ଉଠିଆସି ସାମ୍ନାର ବେଞ୍ଚଟା ଝାଡ଼ିଦେଇ ଡାକିଲା, “ଏଇ କାଳିଆ ! ବାବୁଙ୍କ ପାଇଁ ପାନ ଭାଙ୍ଗ ।”

 

କ୍ୟାବିନ୍‌ର ଗୋଟିଏ କୋଣକୁ ବସି ପାନ ଭାଙ୍ଗୁଥିବା କାଳିଆ ତତ୍ପର ହୋଇ ଉଠିଲା । ମଣ୍ଟୁ କହିଲା, “ଏ...ଇ ଭରତ, ତୁ ଟିକେ ଚନ୍ଦରାବାବାର କୀର୍ତ୍ତି ଆମ ସାର୍‌ଙ୍କୁ ଶୁଣେଇଲୁ । ସାଆର୍‌ ତା ପାଇଁ ଭାରି ଓକିଲାତି କରୁଛନ୍ତି ।”

 

ମୁଁ ଏ ଧରଣର ଅଭିଯୋଗ ପାଇଁ ପ୍ରସ୍ତୁତ ନଥିଲି ।

 

ଭରତ କହିଲା, “ଜାଇଁଲେ ସାଆରେ, ଏଇ ଚନ୍ଦରା, ମାନେ ଆପଣଙ୍କର ବାବୁ ଚନ୍ଦ୍ରମାଧବ ଆଗେ ଥିଲେ ମିଲିଟାରିରେ । ସାତ ଆଠ ବର୍ଷ ବାବୁ ଚାକିରି କଲେ । ଭଲ ଦରମାପତ୍ର ପାଇ ଚେହେରା ବାଗେଇଲେ । ଯେତେବେଳେ ବାବୁ ମଝିରେ ମଝିରେ ଆସନ୍ତି; କି ରୋବାବ୍‌ ତାଙ୍କର ! ସୁଟ୍‌ ବୁଟ୍‌, ଗରମ କୋଟ୍‌, ଜାଣିବ ଗୋଟେ ସାଇବ । ମୋତେ ଆଣି ଥରେ ଗୋଟେ ଗରମ କମ୍ବଳ ଦେଇଥିଲା । କି ଗରମ ସେଇଟାର ବା ! ମାଘ ମାସ ଶୀତ ବି ତା ଭିତରକୁ ଭୁକିବ ନାହିଁ... ।”

 

ଭରତ ସେଇ କମ୍ବଳ ପାଖରେ ଅଟକି ଯାଉଥିବା ଦେଖି ମୁଁ କହିଲି, “କିନ୍ତୁ ଚନ୍ଦ୍ରମାଧବ ମିଲିଟାରି ଛାଡ଼ିଦେଲେ କାହିଁକି ?”

 

: ଡରିକି, ଆଉ କାହିଁକି ? ଏକସ୍ତରୀ ପାକିସ୍ତାନ ହମ୍‌ଲା କଥା ପୁଅ ଆଗରୁ ସୁରାକ ପାଇଗଲା କି କଣ ? ସେଇଠୁ ତ ପେଖନା କାଢ଼ି ପଳେଇ ଆସିଲା ଯେ ଆସିଲା, ଆଉ ଗଲା କି !

 

: କିନ୍ତୁ ଡରିକି ପଳେଇ ଆସିଲେ ବୋଲି ତମେ କେମିତି ଜାଣିଲ–ଭରତକୁ ମୁଁ ପଚାରିଲି-

 

ମଣ୍ଟୁ କହିଲା, “ନ ହେଲେ ଯୁଦ୍ଧ ଆଗରୁ ବେଡିଂପତ୍ର ବାନ୍ଧି କେଉଁ ଫଉଜୀ ପଳେଇଆସେ କି ? କହିଲା କ’ଣ ନା, ମୁଁ ଶାନ୍ତି ଚାହେଁ । ଯୁଦ୍ଧ ନୁହେଁ ।”

 

: ହଁ ମଣ୍ଟୁବାବୁ । ଥରେ ମୁଁ ବି ପଚାରିଥିଲି, ‘କିହୋ ବାବୁ ! ମଇଦାନ ଛାଡ଼ିକି ପଳେଇ ଆସିଲ କାହିଁକି ? ଏ ମଠ, ଏ ଗେରୁଆ ବେଶପୋଷାକ ତମକୁ ତ ସାଜୁନି । ସେଇଠୁ ଚନ୍ଦର କହିଲା, ମୋତେ ଯୁଦ୍ଧ, ବନ୍ଧୁକ, ବୋମା–ଏସବୁ ଭଲ ଲାଗିଲା ନାହିଁ । ଯୋଉମାନଙ୍କ ଜିଦ୍‌ ଯୋଗୁ ଯୁଦ୍ଧ ଲାଗେ, ତାଙ୍କର ତ କିଛି ହୁଏନି, ଅନ୍ୟମାନେ ମରନ୍ତି । ସାଧାରଣ ଲୋକଙ୍କୁ ଅଯଥାରେ ହତ୍ୟା କରିବା ଅମଣିଷଙ୍କ କାମ । ମୁଁ ପାରିଲି ନାହିଁ ।’–ଭରତ ଚନ୍ଦ୍ରମାଧବଙ୍କ କଥାକୁ ଦୋହରାଉଥିଲା ।

 

ମୁଁ ଦୀର୍ଘଶ୍ୱାସ ନେଲି । ଚନ୍ଦ୍ରମାଧବଙ୍କ ଏଇ କଥାରୁ ତାଙ୍କୁ ଡରୁଆ ବୋଲି ଧରିନେବାର କୌଣସି କାରଣ ମୁଁ ଦେଖୁନଥିଲି ।

 

ଭରତ କହିଲା, “ସେଇଠୁ ଆସି ଚନ୍ଦରା ଏଠି ବାବା ହୋଇ ପ୍ରବଚନ ଶୁଣେଇଲା । ତା ବାପା ଗୋସବାପ ଦେଉଳ ପାଇଁ କିଛି ଜମିବାଡ଼ି ଖଂଜି ଦେଇଥିଲେ । ଦେଉଳ ବେଢ଼ାକୁ ଲାଗି ତାଙ୍କର ଖଣ୍ଡେ ତଳା ଜମି ଥିଲା । ସେଇଠି ଗୋଟେ ମଠ ବସେଇଲା । ସେତେବେଳକୁ ତାର ମୁଣ୍ଡ ଠିକ୍‌ଠାକ୍‌ ଥିଲା । ଆମ ଧର୍ମ ପାଇଁ କାମ କରୁଥିଲା । ଏଇ ଭୀମପଡ଼ାର ଦିଇଟା ପଠାଣ ଟୋକା ଥରେ ମହାଦେବଙ୍କ ବାସୁଆ ଷଣ୍ଢକୁ ଧରିନେଇ ଖାସୁ କରିଦେଇଥିଲେ । ଚନ୍ଦରାବାବାର ରାଗ କଣ ଦେଖିବ ! କମ୍ପେଇଲା ତ ! ପୂରା ଗାଁବାଲାଙ୍କୁ ଏକାଠି କରି ଭୀମପଡ଼ା ଖିଲାପରେ ମତେଇ ଦେଲା-। ଇମିତି ହେଲା ଯେ ଭୀମପଡ଼ାବାଲା ସେ ଟୋକା ଦିଇଟାଙ୍କୁ ଧରିଆଣି ଆମ ଗାଁ ପଞ୍ଚୁଆତିରେ ହାଜର କଲେ । ସେମାନେ ଭୁଲ୍‌ ମାଗିଲେ, କାଇଲି ହେଲେ । ଦି’ ହଜାର ଟଙ୍କା ଜୋରିମାନା ଦେଇ ଛାଡ଼ ପାଇଲେ ।” ଭରତ ଦୀର୍ଘଶ୍ୱାସ ଛାଡ଼ି କହିଲା, “ସେଇ ଚନ୍ଦରା ଶେଷକୁ ଏମିତି ଧର୍ମଦ୍ରୋହୀ ହୋଇଯିବ ବୋଲି କିଏ କଳ୍ପନା କରିଥିଲା କହୁନ ? ବିଚରାର ମୁଣ୍ଡ ବିଗିଡ଼ି ଯାଇଛି ।”

 

: ମୁଣ୍ଡ ଫୁଣ୍ଡ କିଛି ନୁହେଁ ଭରତ । ସେଇଟା ମୂଳରୁ ସେମିତି । ଖାଲି ସଂସ୍କୃତ ପୁଳେ ଶିଖିଛି, ଯାହା କହିଲେ ଗଡ଼ର ଗଡ଼ର ହୋଇ ବୁଝେଇଦେବ । ତା’ଛଡ଼ା ଲୋକଟା ଗୁଣିଟୁଣି ଜାଣେ-। ତମକୁ ଦେଖିଲାକ୍ଷଣି ଏମିତି ବ୍ରେନ୍‌ ୱାସ୍‌ କରିଦେବ ଯେ ତମେ ଭକୁଆ ହୋଇ ଚାଲି ଆସିବ ।” –ମଣ୍ଟୁ କହିଲା ।

 

: ତମେ ଜାଣିନ କି ମଣ୍ଟୁବାବୁ, ଚନ୍ଦରା ପରା ଗୋଟେ ଜ୍ୟୋତିଷ । କେତେ ମାଇପି ମରଦ ପିଲାହେବା ଆଗରୁ ଚନ୍ଦରାବାବାଠୁ ପୁଅ ହବ କି ଝିଅ ହେବ ଆଗତୁରା ବୁଝିଆସୁଥିଲେ । କିନ୍ତୁ ତା କଥାଗୁଡ଼ା କିମିତି ଠିକ୍‌ ଠିକ୍‌ ବାଜି ଯାଉଥିଲା ସେଇକଥା ମୁଁ ବୁଝିପାରୁନାହିଁ । ଭରତ ତା ଦ୍ୱନ୍ଦ୍ୱର ସମାଧାନ ପାଇଁ ଥରେ ଦୂରବର୍ତ୍ତୀ ତାଳଗଛର ଶୀର୍ଷ ଓ ଆଉଥରେ ବାଁ କଡ଼ କେନାଲର ବନ୍ଧଆଡ଼େ ଚାହିଁ ପୁଣି କଥା ଯୋଡ଼ିଲା, “ହଁ, ଗୋଟେ ଯୋଡ଼ିଏ ଜ୍ୟୋତିଷୀ ବହି ପଢ଼ିଦେଇଥିବ ଆଉ କ’ଣ ! ପୋଥିରେ ତ ସବୁ ବିଦ୍ୟା । ଯିଏ ପଢ଼ିଲା, ସିଏ ସେ ବିଦ୍ୟା ଜାଣିଲା ।”

 

ମଣ୍ଟୁ ଭରତ ତୁଣ୍ଡରୁ କଥା ଛଡ଼େଇ ନେଇ କହିଲା, “ପାଠଶାଠ କିଛି ନୁହେଁ ହୋ । ଲୋକଟା ଚାରିଶବିଶ୍‌ । ମୁଁ ଶୁଣିଛି ଲୋକମାନେ ତା ପାଖକୁ ପୁଅ କି ଝିଅ ହେବ ବୋଲି ପଚାରିବାକୁ ଗଲେ ସେ ତାଙ୍କ ନାଁ ଗାଁ ସବୁ ଗୋଟେ ଖାତାରେ ଟିପି ରଖୁଥିଲା । ସେଇଥିରେ କୁଆଡ଼େ ସେ କାହାର ପୁଅ ହେବ କି ଝିଅ ହେବ ଟିପିରଖେ । ମୁଁ ଭାବୁଛି ସେଇଠି କିଛି ପେଞ୍ଚ କରିଦେଉଥିବ । ଯାହାର ପୁଅ ହେବ ବୋଲି କହୁଥିବ ତା ନାଁ ପାଖରେ ଝିଅ ଆଉ ଯାହାର ଝିଅ ହେବ ବୋଲି କହୁଥିବ ତା ନାଁ ପାଖରେ ପୁଅ ବୋଲି ଟିପି ଦେଉଥିବ । ଚନ୍ଦରା କଥା ଯଦି ଠିକ୍‌ ବାଜିଗଲା ଭଲ, ନହେଲେ କେହି ଆସି ଚ୍ୟାଲେଞ୍ଜ କଲେ ସେ ଖାତା କାଢ଼ି ଦେଖେଇଦେଉଥିବ । ପୁଅ ହେଉ କି ଝିଅ ହେଉ–ସେଇ ଦିଇଟାରୁ ତ ଗୋଟିଏ ଯାହା ହବନା !”

 

ମୁଁ ପ୍ରଥମ ଥର ପାଇଁ ମଣ୍ଟୁର ଅଭିଯୋଗ ଉପରେ ବିଶ୍ୱାସ କରି ଆସୁଥିଲି । ପଚାରିଲି, “ତମେ ଏମିତି ଖାତାଟେ କ’ଣ ତାଙ୍କ ମଠରେ ଦେଖିଛ ?”

 

ମଣ୍ଟୁ ଅପ୍ରସ୍ତୁତ ହୋଇ ଇଆଡ଼େ ସିଆଡ଼େ ଚାହିଁଲା । କାନ କୁଣ୍ଡେଇଲା ଓ ତାର ଲମ୍ବା ବାଳମାନଙ୍କୁ ଆଉଁଶିଲା । ଚା ଗିଲାସରୁ ଢୋକେ ଚା ପିଇ କହିଲା, “ମୁଁ ଦେଖିନି ଅବଶ୍ୟ; କିନ୍ତୁ ଭାବୁଛି ସେ ଲୋକଟା ସେମିତି ଗୋଟେ ବ୍ୟବସ୍ଥା କିଛି କରିଥିବ । ନହେଲେ ସିଏ କ’ଣ ଗୋଟେ ସର୍ବଜ୍ଞ ଏଇଠି ଗଳିପଡ଼ିଥିଲା !”

 

: ଛାଡ଼ ସେକଥା । କିନ୍ତୁ ହଠାତ୍‌ ଏମିତି ଗଣ୍ଡଗୋଳ, ମାଡ଼ପିଟ–ଏସବୁ କାହିଁକି ଲାଗିଗଲା ?

 

ଭରତ କହିଲା, “ଭଲ ହୋଇଛି ସାଆରେ । ଗୋଟେ ଗ୍ରହ ଯାଇଛି । ସବୁ କଥାରେ ଚନ୍ଦରା ନାକ ଗଳଉଥିଲା । ଆମର ଏଇ ଟୋକାଟାକଳା ସାଙ୍ଗ ସଙ୍ଗାତରେ ବସି ସଂଜବେଳେ ଟିକେ ନିଶାପାଣି କରୁଥିଲେ ଯେ ସେତକ ଚନ୍ଦରା କରେଇ ଦେଉନଥିଲା । କାହିଁକି ? ଏ ରାସ୍ତା ତା ବୋପାର ନା ଏ କଲ୍‌ଭର୍ଟ ତା ଅଜାର ? ସିଏ ଏଠି କୌପୀନ ପିନ୍ଧି ସଂକୀର୍ତ୍ତନ କରିବ ବୋଲି କଣ ସମସ୍ତେ ବଳଦ ହୋଇଯିବେ ? କଣ ନା, ରିପୁଦମନ କର । ହୁଃ... ।”

 

ଚନ୍ଦ୍ରମାଧବଙ୍କ ବିପର୍ଯ୍ୟୟ ଭିତରେ ଭରତ କିଛିଟା ଆତ୍ମସନ୍ତୋଷ ପାଇଥିଲା । ତାର ଏଇ କ୍ୟାବିନରେ କେବଳ ଚା, ପାନ କି ସିଗ୍ରେଟ୍‌ ସେ ବିକେନାହିଁ । ପାଖ ବଜାରରୁ ଆହୁରି କଡ଼ା ମାଲ୍‌ ଆସି ସଂଜବୁଡ଼େ ହାତରୁ ଦି ହାତ ହୋଇଥାଏ । ଚନ୍ଦ୍ରମାଧବଙ୍କ ହସ୍ତକ୍ଷେପ ତା ବ୍ୟବସାୟରେ ବାଧା ପହଞ୍ଚାଉଥିବାରୁ ସେ ତାଙ୍କ ଉପରେ ଆବଶ୍ୟକଠୁଁ ବେଶି ରୁଷ୍ଟ ହୋଇପଡ଼ିଥିଲା ।

 

ମଣ୍ଟୁ କହିଲା, “ଚନ୍ଦରାବାବା ଆଗରୁ ଯାହା ସବୁ କରୁଥିଲା ଆମେ ତାର ବିରୋଧ କରୁନଥିଲୁ । ଭାବୁଥିଲୁ, ଯାହା ହେଉଛି ହେଉ, ହିନ୍ଦୁଧର୍ମ ପାଇଁ ତ କିଛି କାମ କରୁଛି ! ଲୋକଙ୍କୁ ସଂସ୍କୃତ ପୁରାଣ ପଢ଼ି ଶୁଣଉଛି, ପ୍ରବଚନ ଦଉଛି । ଦି ଚାରିଟି ବ୍ରାହ୍ମଣ ପିଲାଙ୍କୁ ମଠରେ ରଖି ଖୁଆଇ ପିଆଇ ବେଦପାଠ ବି ଶିଖାଉଛି । ଏସବୁ କରୁ । କିନ୍ତୁ ଯେତେବେଳେ ତାର ଗୋତ୍ରମାରୁ ପରିଚୟ ପାଇଲୁ, ସେତେବେଳେ କଣ ଥୟ ଧରି ରହିପାରିଥାଆନ୍ତୁ !’

 

: କିନ୍ତୁ ତମେ ତ ଏଯାଏଁ ଯାହାସବୁ କହୁଛ ତହିଁରୁ ଚନ୍ଦ୍ରମାଧବଙ୍କ ଅପକୀର୍ତ୍ତି ବିଷୟ ଜଣାପଡ଼ୁନାହିଁ । ଖୋଲିକି କଥାଟା କହୁନ । ଅଯଥାରେ ଭଦ୍ରଲୋକଟାକୁ...

 

ମୁଁ ମୋ କଥା ସାରିନାହିଁ । ଭରତ ତା କ୍ୟାବିନ୍‌ରୁ ଉଠି ଆସିଲା । ମୋତେ ଆଙ୍ଗୁଳି ଦେଖେଇ ଜେରା କଲାଭଳି ପଚାରିଲା–

 

: ଆପଣ କଣ କହୁଛନ୍ତି ?

 

: ମୁଁ... ମୁଁ କିଛି କହୁନାହିଁ ତ...

 

: ଚନ୍ଦରା ଧର୍ମାତ୍ମା ? ପୁଣ୍ୟବନ୍ତ ଲୋକ ? ଆଁ !

 

ମୁଁ ନିରବ ରହିଲି ।

 

: ତମେ ପରା ଇସ୍କୁଲ ମାଷ୍ଟର ହେଇଛ ? ପିଲାଙ୍କୁ ଶିକ୍ଷା ଦେଉଛ ! ଦେଉଳ ଭିତରେ ପଠାଣ ପୂରେଇବା କଉଁ ଶାସ୍ତ୍ରରେ ଲେଖାହେଇଛି, ଆଁ ? –ସେ ଜେରା କଲା ।

 

ଆଞ୍ଚ ଉପରେ ବସିଥିବା କ୍ଷୀର ଡେକ୍‌ଚିରୁ ଫେଣତକ ଉତୁରି ପଡ଼ିଲା । ଭରତ ତରତରରେ ଗାମୁଛା କାନିରେ ଡେକ୍‌ଚିଟାକୁ ଧରି ଚୁଲାରୁ ଓହ୍ଲେଇ ଦେଲାବେଳେ ଦେଖିଲି ତା ପୁଅଡୋଳାରେ ନିଆଁ ଚକମକ କରୁଛି । ମୁଁ ଡରିଗଲି ।

 

ସେ ଡେକ୍‌ଚିଟାକୁ ଢାଙ୍କିଦେଇସାରି କହିଲା, “ପଳେଇ ଯାଇଛି ବୋଲି ବଞ୍ଚିଯାଇଛି । ନହେଲେ ସେ ଭଣ୍ଡକୁ... । ଯାଉ, ପଠାଣଙ୍କ ଘରେ ଯାଇ ପଶୁ ସେ ଗୋତ୍ରମାରୁ ।”

 

ଭରତ ତା ଦାୟିତ୍ୱ ଠିକ୍‌ ଭାବେ ତୁଲଉଥିବା ଦେଖି ମଣ୍ଟୁ ପ୍ରସନ୍ନ ଦିଶୁଥିଲା । ସେ କେବଳ ପୃଷ୍ଠପୋଷକତା ଯୋଗାଇଦେବା ଭଙ୍ଗୀରେ ଭରତ ଆଡ଼େ ଚାହିଁ ମୁରୁକି ମୁରୁକି ହସୁଥିଲା-

 

ମୁଁ ଭରତକୁ ଶାନ୍ତ କରିବା ପାଇଁ ଶବ୍ଦ ଖୋଜୁଥିଲି । “ମୋ କହିବା ଉଦ୍ଦେଶ୍ୟ ସେଇଆ ନୁହେଁ ବାବୁ, କଥା କ’ଣ କି ମୁଁ ତ ଘଟଣା ଘଟିଲାବେଳେ ଏଠି ନଥିଲି । ସେଇଥିପାଇଁ ଏସବୁ ଜାଣିପାରିନି । ମନ୍ଦିର ଭିତରେ ବିଧର୍ମୀଙ୍କୁ ଡାକିନେଇ ପୂରେଇବା କଣ ନ୍ୟାୟ ବୋଲି ମୁଁ କହୁଛି ?” ଏତକ କହିସାରି ମୁଁ ଅନୁଭବ କଲି ଯେ ହଠାତ୍‌ ମଣ୍ଟୁ ଓ ଭରତଙ୍କ ମେଳରେ ମୁଁ ଦୁର୍ବଳ ହୋଇପଡ଼ିଛି । ମୋର ସ୍ୱର ଅତି କରୁଣ ଏବଂ ଗୋଟେ ଛେଳିର ମେଁ ମେଁ ରଡ଼ିପରି ନିଜ କାନକୁ ଶୁଭୁଛି ।

 

: ‘ଶୁଣ ସାଆରେ’ । ମଣ୍ଟୁ ଗଳାଝାଡ଼ି କହିଲା, “ରହିମ ମିଆଁ ଏଠି ଆସି କେନାଲବନ୍ଧରେ ଗୋଟେ ସାଇକେଲ୍‌ ରିପ୍ୟାରିଙ୍ଗ୍‌ ଦୋକାନ କରିଥିଲା । ତା ଘର ଭୀମପଡ଼ା । ତାଆରି ପୁଅ ଏଠି ଗୋଟେ ଭାରି ନବାବଗିରି ଦେଖାଏ । ଏକନମ୍ବର ଫଟା ରସିକ । ସାଇକେଲ୍‌ ମରାମତି ଦୋକାନଟେ କରିଛି ଯେ ସେଇଥିରେ ନିଜକୁ ଟାଟା ବିରଳା ଭାବେ । ସେଇ ଟୋକା ପନ୍ଦରଦିନ ତଳେ ଶ୍ୟାମ ମଉସା ଝିଅକୁ ଫୁସୁଲେଇ ଫାସେଲେଇ କଲିକତା ନେଇ ପଳେଇଥିଲା । କି ଯୁଗ ହେଲାଣି କହିଲେ ? ଏଗୁଡ଼ାକଙ୍କର କେତେ ସାହସ ! ପଅରଦିନ ସଂଜବୁଡ଼େ ସେ ଯେମିତି ଆସି ପହଞ୍ଚିଲା , ହେଲା ଯେ ମାଡ଼, ପୁଅର ନାକଦଣ୍ଡା ଫାଟିଗଲା । ଆଗରୁ ତ ଗାଁ ଲୋକେ ରାଗିକି ଥିଲେ, ବାପା ପୁଅ ମା, କାହାକୁ ଛାଡ଼ିଲେ ନାହିଁ । ହେଲା ଧାମାଧମ୍‌ । ଖାଲି ସେରିକିଆ, ଦି ସେରିକିଆ । ଗୋଟେ ତ ତଳେ ପଡ଼ୁନଥାଏ । ତା ବାପାର ଗୋଟେ ଟ୍ରଲି ରିକ୍‌ସା ଥିଲା । ସେଇଟାକୁ ଆମ ପିଲା ଭାଙ୍ଗିଭୁଙ୍ଗି କେନାଲ ଭିତରକୁ ଗଡ଼େଇଦେଲେ । ତାପରେ ତା ଘରେ ନିଆଁ ଲଗେଇଦେଲୁ । ନା ରହିବ ବାଉଁଶ ନା ବାଜିବ ବାଂଶୁରୀ ? ରହିମ ତ ତା ବିବିକୁ ନେଇ ସେଇ ସଂଜେ ସଂଜେ କୁଆଡ଼େ ପଳେଇଲା । କିନ୍ତୁ ଏ ଦିହିଙ୍କୁ ଆମେ ଛାଡ଼ିଲୁ ନାହିଁ । ଗୋଡ଼େଇ ଗୋଡ଼େଇ ପିଟିଲୁ । କିନ୍ତୁ କଣ ହେବ... !’

 

ହଠାତ୍‌ ବିରକ୍ତ ହୋଇ ମଣ୍ଟୁ ରହିଗଲା । ତାର ଉତ୍ସାହ ଏମିତି ଭଟ୍ଟା ପଡ଼ିବାର କାରଣ ମୁଁ ବୁଝିପାରୁ ନଥିଲି । ପଚାରିଲି, କଣ ହେଲା କି ?

 

: ହେବ କଣ ? କହିଛି, ଗୃହଶତ୍ରୁ ବିଭୀଷଣ । ଏ ଟୋକା-ଟୋକୀ ଦି ଜଣ ଯାଇ ଚନ୍ଦରା ମଠରେ ପଶିଗଲେ, ଆଉ ଚନ୍ଦରା ତାଙ୍କୁ ନେଇ ଦେଉଳ ବେଢ଼ାରେ ଲୁଚେଇଦେଲା ।

 

: ତମେମାନେ ଝିଅଟିକୁ ତା କବଳରୁ ମୁକୁଳେଇ ଆଣିଲ ନାହିଁ ?

 

: କ’ଣ କହିବା ସାଆରେ, ସେଇ ଟୋକାଟା ତାକୁ କି ଗୁଣିଗାରେଡ଼ି କରି ଦେଇଛି ଯେ ଟୋକୀଟା ତା ପିଛା ଛାଡ଼ୁନି । ଆମେ ଏବେ କାହାକୁ ବୁଝେଇବୁ ? ବାପାର ଧର୍ମକୁ ଡର । ଝିଅ ଯାଇ ପଠାଣ ସାହିରେ ରହିଲାଣି, ତାକୁ ସେ କେମିତି ନେବ ? ତେଣେ କଲିକତା ଓଷୁଦ । ଝିଅର ଦାଦା ଆସି ବହୁତ ବୁଝାବୁଝି କଲା, ମାଡ଼ଗାଳି ବି ହେଲା । କିନ୍ତୁ ସେ ବଜ୍ଜାତ୍‌ ଟୋକୀ... । ପୂରା ତ ଦିୱାନୀ ପାଲଟି ଯାଇଛି !

 

ମୁଁ ଦୀର୍ଘଶ୍ୱାସ ନେଲି । ଜାଣିଲି, ଇଏ ପ୍ରେମ ବ୍ୟାପାର । ପ୍ରେମ କ’ଣ ଜାତିଧର୍ମ ମାନୁଛି-? ଏ ନେଇ ଚନ୍ଦ୍ରମାଧବଙ୍କୁ ଦାୟୀ କରିବା କ’ଣ ଦରକାର ?

 

ମଣ୍ଟୁ କହିଲା, “ସବୁ ସେଇ ଚନ୍ଦରାବାବାର କାଣ୍ଡ । ଆମେ ତ ସେଇ ରାତିରେ ଏ ଦିଇଟାଙ୍କୁ ଗଡ଼ ଗଡ଼ କରି କାଟି କେନାଲରେ ଭସେଇ ଦେଇଥାଆନ୍ତୁ । କିନ୍ତୁ ସେ ଭଣ୍ଡ, ସେ ବଦ୍‌ମାସ ତାଙ୍କୁ ନେଇକି କାହିଁକି ଲୁଚେଇ ରଖିଥିଲା ?”

 

: ଦେଉଳ ଭିତରେ ?

 

: ହଁ, ଦେଉଳ ଭିତରେ । ଯୋଉଠି ଶିବ, ଯୋଉଠି ବାସୁଆ, ସେଇଠି ଇଏ ନେଇ ରଖିଲା ପଠାଣ ଟୋକାକୁ । ଏଇଟା ଏଡ଼େ ବିଧର୍ମୀ ବୋଲି ଆମେ କଣ ଜାଣିଥିଲୁ ? ତଥାପି ଗାଁବାଲା ଯାଇ ତାକୁ ବୁଝେଇଲେ । ଇଏ ଧର୍ମ-ଧର୍ମ ଭିତରେ ମାମଲା । ୟାକୁ ତୁ ତୋ ମଠ ମାମଲା ବୋଲି ଭାବନା । କିନ୍ତୁ ସେ ଶୁଣିଲା ନାହିଁ । ଗାଁଲୋକେ ରାଗିକି ଢେଲାପଥର ଫୋପାଡ଼ିଲେ । ଚାଲିଲା ପ୍ରବଳ ଗଣ୍ଡଗୋଳ ।

 

: ଫେର୍‌ ?

 

: ସେ ଚନ୍ଦରା କିଛି କମ୍‌ ନୁହେଁ । ଆମେ ନିଆଁ ଲଗେଇ ଦେବାକୁ ବାହାରିଥିଲୁ । କୁଆଡ଼େ ଥିଲା ଯେ ଗୋଟେ ବନ୍ଧୁକ ଧରି ମାଡ଼ି ଆସିଲା ।

 

: ବନ୍ଧୁକ ?

 

: ହଁ, ଗୋଟେ ବ୍ଲାଙ୍କ୍‌ ଫାୟାର କରିଦେଲା । ଲୋକେ ତୁନି ପଡ଼ିଗଲେ । ସେଇଠୁ ଚନ୍ଦରା କହିଲା, ‘ଖବରଦାର୍‌, ଦେଉଳ କି ମଠ ବେଢ଼ା ଭିତରକୁ ଯିଏ ପଶିବ, ସିଏ ମୋର ମଲାଦେହ ଉପର ଦେଇ ପଶିବ ।’

 

ମୁଁ ସ୍ତବ୍‌ଧ ହୋଇଗଲି । ସେଇ ଶାନ୍ତସୁଧାର ଲୋକଟି ପୁଣି ବନ୍ଧୁକ ଧରି ବାହାରି ପାରିଲା ?

 

ଭରତ କହିଲା, “ଚନ୍ଦରା ସେଇଠୁ ଆମକୁ ଶୁଣେଇଲା, ମୁଁ ଗାଁକୁ ଫେରି କିଛି କରିବାକୁ ଚାହିଁଥିଲି । ହିନ୍ଦୁ ଧର୍ମ ଅର୍କ୍ଷିତ ହୋଇନଯାଉ, ଏଇଆ ଚାହୁଁଥିଲି । ଏବେ ଦେଖୁଛି ଧର୍ମ ଅର୍କ୍ଷିତ ହେବାର କାରଣ ନାହିଁ । ମୁଁ ଯୋଉଥିପାଇଁ ଚିନ୍ତା କରୁଥିଲି ସେ ଚିନ୍ତା ଏବେ ଗାଁର ସବୁଲୋକ ନିଜ ନିଜ କାନ୍ଧକୁ ନେଇ ଗଲେଣି । ମୁଁ ତେଣୁ ଧର୍ମ ଚିନ୍ତା ଛାଡ଼ି ଏବେ ମଣିଷ କଥା ଚିନ୍ତା କରୁଛି । ରହିମ୍‌ର ପୁଅ ଆଉ ଶ୍ୟାମ ମଉସା ଝିଅ ଆଗେ ମଣିଷ, ତା’ପରେ ହିନ୍ଦୁ କି ମୁସଲମାନ ଧର୍ମର । ଯୋଉ ଝିଅକୁ ବାପା ତା ଘରକୁ ନେଉନାହିଁ କି ସେ ଝିଅ ବି ଫେରିବାକୁ ଚାହୁଁନାହିଁ, ସେଠି ଧର୍ମ ମୁଣ୍ଡ ନ ପୂରେଇଲେ ଭଲ ।”

 

ମଣ୍ଟୁ କହିଲା, “ଜାଣିଲେ ତ ସବୁ, ଇଏ ଶଳା ପ୍ରବଚନ ଦେଇ ଆମକୁ ଭଗେଇବାକୁ ବସିଥିଲା । ଛାଡ଼ିଲୁ ଯେ ଗୋଟେ ଢେଲା, ଶଳାର ଠିକ୍‌ ମୁଣ୍ଡରେ ଯାଇ ଢୋ କିନା ବାଜିଲା । ଚନ୍ଦରା ରାଗିକି ଫେର୍‌ ଗୋଟେ ଗୁଳି ଫୁଟେଇଲା । ଆମ ଲୋକଗୁଡ଼ା ଡରିକି ପଳେଇ ଆସିଲେ ।”

 

: ତାପରେ ?

 

: ତାପରେ କଣ ? ଆମେ ଫେରିଆସି ନିଶାପ କଲୁ, ଯାହା ହେବାର ହେଇଯାଉ ପଛକେ ଚନ୍ଦରାକୁ ଛାଡ଼ିବୁ ନାହିଁ । ରାତି ଅଧରେ ଯାଇ ଯାହା କରିବାର କରିବୁ ।

 

: କଣ କରିଥାନ୍ତ ?

 

: ନିଆଁ ଲଗେଇ ଦେଇଥାଆନ୍ତୁ ।

 

: ନିଆଁ–ମୁଁ ଡରିଗଲି ।

 

: ଆଉ କଣ ତେଲ ଲଗେଇ ଥାଆନ୍ତୁ ? ଆଁ–ଭରତ ଛିଗୁଲେଇଲା ଭଳି କହିଲା । ସତେକି କଥାଟା ମୋତେ ନୁହେଁ, ଅନୁପସ୍ଥିତ ଚନ୍ଦ୍ରମାଧବଙ୍କୁ ସେ କହୁଥିଲା ।

 

: କିନ୍ତୁ ସେଗୁଡ଼ା ତ ସେଇ ରାତାରାତି କୁଆଡ଼େ ପଳେଇଗଲେ । ଆଉ ଆମେ ଯାଇ ଦେଖିଲାବେଳକୁ ଦୁଆର କବାଟ ମେଲା, କିନ୍ତୁ ଭିତରେ କେହି ନାହାନ୍ତି ।–ମଣ୍ଟୁ କହିଲା ।

 

: କିନ୍ତୁ କୁଆଡ଼େ ଗଲେ ସେମାନେ ?

 

: ଯୁଆଡ଼େ ଯାଆନ୍ତୁ ହୋ । ସେମିତିକା ବିଧର୍ମୀଗୁଡ଼ା ରହିଲେ କେତେ, ଗଲେ କେତେ-? ବଞ୍ଚିଲେ କେତେ ମଲେ କେତେ ? –ଭରତ ଚରମ ଅଶ୍ରଦ୍ଧାର ସହ ମନ୍ତବ୍ୟ ଦେଲା ।

 

ମୁଁ ଦୀର୍ଘଶ୍ୱାସ ନେଲି । ମଣ୍ଟୁକୁ ସେଇଠି ବିଦାୟ ଦେଇ କହିଲି, “ତୁମେ ଯାଅ, ମୁଁ ଏଇଠୁ ଚାଲି ଚାଲି ଯାଇପାରିବି ।” ମଣ୍ଟୁ ତା ମଟରସାଇକେଲରେ ବସି ବୀରଦର୍ପରେ ମୁଣ୍ଡ ସାଉଁଳେଇଲା ଓ ପିଁ କିନା ଗାଡ଼ି ଛୁଟେଇ ଚାଲିଗଲା । ଯିବା ଆଗରୁ ଭରତକୁ କହିଲା, “ସଂଜବେଳକୁ ମଣ୍ଡପକୁ ଆସିବୁ । ଦେଉଳ ପ୍ରତିଷ୍ଠା କଥା ଆଲୋଚନା ହେବ । ହୋମ ଯଜ୍ଞ ନକଲେ ସେ ମନ୍ଦିର ପ୍ରତିଷ୍ଠା ହୋଇପାରିବ ନାହିଁ ।’

 

ମୁଁ ଜାଣି ଜାଣି ରହିମ୍‌ର ଦୋକାନବାଟ ଦେଇ ଫେରିଲି । କେନାଲ ବନ୍ଧ ଉପରେ ତାର ଚାଳଘର ଦି’ବଖରା ସଂପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା । ପୋଡ଼ା କାଠ, ବାଉଁଶ ସାଙ୍ଗକୁ ସାଇକେଲ୍‌ ଦୋକାନର ରବର ଟ୍ୟୁବ୍‌ ଓ ଟାୟାର ପୋଡ଼ିଯାଇ ଫୁରୁକୁଟିଆ ଗନ୍ଧ ହେଉଥିଲା ।

 

ମୋ ଆଗରେ ଆଉଥରେ ଚନ୍ଦ୍ରମାଧବଙ୍କ ମୁହଁ ନାଚିଗଲା । ପଢ଼ିଥିଲି, ମହାଭାରତର ଶ୍ରୀକୃଷ୍ଣ ବି ଯୁଦ୍ଧକ୍ଷେତ୍ରରେ ଶସ୍ତ୍ର ଧରିବେ ନାହିଁ ବୋଲି ନେଇଥିବା ସଂକଳ୍ପ ଭାଙ୍ଗି ଥରେ ରଥଚକ ଧରି ଧାଇଁ ଯାଇଥିଲେ । ସେତିକି ଅନିବାର୍ଯ୍ୟ ଓ ଅସହ୍ୟ ହୋଇ ନଥିଲେ ଚନ୍ଦ୍ରମାଧବ କଦାପି ବନ୍ଧୁକ ଧରି ନ ଥାନ୍ତେ । କିନ୍ତୁ କୁଆଡ଼େ ଗଲେ ସେ ? କୋଉଠି ଥିବେ ଗୋଟେ ହିନ୍ଦୁ ଝିଅ ଓ ମୁସଲମାନ ପୁଅକୁ ଲୁଚେଇ ରଖିବାର ଦାୟିତ୍ୱ ମୁଣ୍ଡରେ ମୁଣ୍ଡେଇ ?

 

କେନାଲର ପାଣି ମୋତେ ସ୍ଥିର ଓ ନିସ୍ତରଙ୍ଗ ଦିଶୁଥିଲା । ମୁଁ ବୁଲିପଡ଼ି ଚନ୍ଦ୍ରମାଧବ ଛାଡ଼ିଯାଇଥିବା ତାଙ୍କର ବିପର୍ଯ୍ୟସ୍ତ ଆଶ୍ରମ ଓ ଦେଉଳ ଆଡ଼େ ଚାହୁଁଥିଲି ।

☆☆☆

 

ସୁଆଙ୍ଗ

 

ବିକ୍ରମ ରାଉତରାୟଙ୍କ ମନମୁଖୀ କାରବାର, ସାମନ୍ତବାଦୀ ଢଙ୍ଗରଙ୍ଗ ଓ ସ୍ଥାନୀୟ ସମସ୍ୟା ଗୁଡ଼ିକ ପ୍ରତି ଉଦାସୀନତା ନେଇ ଲୋକମାନେ ଏତେଦୂର ବିରକ୍ତ ହୋଇଯାଇଥିଲେ ଯେ ନିର୍ବାଚନରେ ତାଙ୍କର ପରାଜୟ ଖବର ଶୁଣୁ ଶୁଣୁ ସେମାନେ ଖୁସି ପାଳିବା ପାଇଁ ନିଜ ନିଜର ଘର ଅଗଣାକୁ ଚାଲିଆସିଥିଲେ । ‘ଏତେଦିନ ଲୋକମତର ବିଜୟ ହେଲା’ ବୋଲି ‘ମଧୁପୁର ପଞ୍ଚାୟତ ସ୍ୱାଧୀନତା ସଂଗ୍ରାମୀ ସମିତି’ର ଅବାହକ ଆକୁଳାନନ୍ଦ ମନ୍ତବ୍ୟ ଦେଲେ ଓ ବିଜୟୀ ନିରାକାରବାବୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇବାଲାଗି ଗୋଟେ ସମ୍ବର୍ଦ୍ଧନା ସଭା ସକାଶେ ପ୍ରସ୍ତାବ ରଖିଲେ । କହିବା ବାହୁଲ୍ୟ, ତାଙ୍କର ଏପ୍ରକାର ସମୟୋପଯୋଗୀ ପ୍ରସ୍ତାବକୁ ସମସ୍ତେ ସମର୍ଥନ କଲେ ।

ବିକ୍ରମ ରାଉତରାୟ ଗତ ପଚିଶ ବର୍ଷ ଧରି ଏହି ନିର୍ବାଚନ ମଣ୍ଡଳୀରୁ ଜିଣିଆସୁଥିଲେ । ଲୋକଙ୍କର ମନ ଓ ହୃଦୟ ଜୟ କରିବାରେ ତାଙ୍କର ବିଶେଷ ଦକ୍ଷତା ଥିଲା । ସେ ଅବଶ୍ୟ ନିର୍ବାଚନ ପରେ ପ୍ରାୟତଃ ନିର୍ବାଚନ ମଣ୍ଡଳୀକୁ ଆସୁ ନଥିଲେ କି ଏ ନିର୍ବାଚନ ମଣ୍ଡଳୀର ସମସ୍ୟା ନେଇ ବିଧାନସଭାରେ ପାଟି ଖୋଲୁ ନଥିଲେ । ସେ ନିଜକୁ ଜାତୀୟ ସ୍ତରର ନେତା ଭାବେ ସବୁଠି ଉପସ୍ଥାପନ କରୁଥିବାରୁ ସମସ୍ତେ ତାଙ୍କୁ ସେହିଭଳି ଗ୍ରହଣ କରିବା ଉଚିତ ବୋଲି ତାଙ୍କର ସମର୍ଥକମାନେ କହି ବୁଲୁଥିଲେ ।

ଆମ ଅଞ୍ଚଳ ପାଇଁ କିଛି କରୁନାହାନ୍ତି କାହିଁକି–କେହି କେହି ଏଭଳି ପ୍ରଶ୍ନ ପଚାରୁ ନଥିଲେ ନୁହେଁ; ମାତ୍ର ଏଭଳି ସମସ୍ତ ପ୍ରଶ୍ନର ଉତ୍ତର ବିକ୍ରମ ରାଉତରାୟଙ୍କ ପାଖେ ମହଜୁଦ ଥିଲା । ‘ବିରୋଧୀ ଦଳର ହୀନ ଉଦ୍ୟମ ଯୋଗୁ ନିର୍ବାଚନ ମଣ୍ଡଳୀର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି’–ବିକ୍ରମବାବୁ ତଥ୍ୟ ଓ ବିବରଣୀ ସହ ବୁଝେଇ ଦେଉଥିଲେ । ପ୍ରକୃତରେ ମତଦାତାଙ୍କ ମନ ଓ ହୃଦୟ ଜିଣିବା କୌଶଳ ତାଙ୍କୁ ଜଣା ଥିଲା ଓ ସେଥିପାଇଁ କେହି ତାଙ୍କ କଥା କାଟିପାରୁ ନ ଥିଲେ-

 

ବିକ୍ରମ ବାବୁ ଦଳ ପଛରେ ଧାଉଁ ନ ଥିଲେ, ଦଳଗୁଡ଼ିକ ତାଙ୍କ ପଛରେ ଧାଉଁଥିଲେ । ବିକ୍ରମବାବୁ କହନ୍ତି, ‘ମୁଁ କାହାର ଗୋଡ଼ାଣିଆ ହୋଇ ରହିବାକୁ ମଧ୍ୟ ଚାହେଁ ନାହିଁ । ଲୋକମତ ମୋ ସପକ୍ଷରେ ରହିଛି ଓ ରହିଥିବ । ସେଥିଲାଗି ମୁଁ ‘ହାତ’ରେ ଜିଣିଛି, ‘ହାତୀ’ରେ ଜିଣିଛି, ‘ଚକ’ରେ ଜିଣିଛି ଓ ‘ଗୋଲାପ’ ଫୁଲରେ ମଧ୍ୟ ଜିଣିଛି ।’

 

ବିକ୍ରମବାବୁ ଠିକ୍‌ କହୁଥିଲେ । ଗତ ପଚିଶ ବର୍ଷ ଭିତରେ ସେ ଚାରି ଚାରିଥର ଦଳ ବଦଳ କରିଥିଲେ ସୁଦ୍ଧା ସବୁ ନିର୍ବାଚନରେ ଜିଣିଆସୁଥିଲେ । ଗଲା ସରକାରରେ ସେ ରାଜସ୍ୱ ମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ, ଯଦିଓ ସେଇ ସମୟରେ ତାଙ୍କ ବିରୋଧରେ ଜମି ଜବରଦଖଲ ଓ କୋଟି କୋଟି ଟଙ୍କା ଉତ୍କୋଚ ନେବା ଭଳି ଗୁରୁତର ଅଭିଯୋଗ ମାନ ଆସିଥିଲା ।

 

‘ରାବଣ ଯୁଗର ଅବସାନ ଘଟିଛି’ ଜଣେ ଅତ୍ୟନ୍ତ ଉତ୍ସାହ ଯୁବକ ନିରାକାର ମହାପାତ୍ରଙ୍କ ସମ୍ବର୍ଦ୍ଧନା ସଭାରେ ଚିତ୍କାର କରି କହିଲେ ଓ ନିରାକାର ବାବୁଙ୍କ ଆଡ଼େ ଚାହିଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଘୋଷଣା କରିବା ଭଙ୍ଗୀରେ କହିଲେ, ‘ରାମ ରାଜ୍ୟର ଆରମ୍ଭ ହୋଇଛି ।’

 

ଲୋକମାନେ ତାଳି ଦେଲେ । ‘ରାମରାଜ୍ୟ’ ଶବ୍ଦଟି ଶୁଣି ନିରାକାରବାବୁ ଅସ୍ୱସ୍ତିବୋଧ କରିଥିଲେ । ଅସ୍ୱସ୍ତିର କାରଣ ଥିଲା ଯେ ତାଙ୍କ ଦଳ ‘ରାମ’, ‘ରାମରାଜ୍ୟ’, ପରି ଶବ୍ଦଗୁଡ଼ିକର ବ୍ୟବହାର କରୁ ନ ଥିଲା ଓ ସେଗୁଡ଼ିକ ଆଉଗୋଟେ ଦଳର ହସ୍ତମୁଦି ମାହାଲ ହୋଇସାରିଥିଲା । ଆମ ଅଞ୍ଚଳର ପ୍ରାୟ ଚାଳିଶଟି ସାଂସ୍କୃତିକ, ସାମାଜିକ ଓ ଯୁବ ଅନୁଷ୍ଠାନ ନିରାକାର ମହାପାତ୍ରଙ୍କୁ ସମ୍ବର୍ଦ୍ଧନାର ପୁଷ୍ପମାଲ୍ୟ ଦେଲେ । ପ୍ରତିନିଧିମାନେ ସମସ୍ତେ ଅଲଗା ଅଲଗା ଗାଁରୁ ଆସିଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ଫୁଲମାଳଗୁଡ଼ିକ ସବୁ ଏକାପ୍ରକାର ଦିଶୁଥିଲା । କ୍ରମେ ମଞ୍ଚ ଉପରେ ଗୋଟେ ଫୁଲର ପାହାଡ଼ ଗଢ଼ିଉଠିଲା ଓ ସେହି ଫୁଲର ପାହାଡ଼ ପଛରୁ ନିରାକାର ମହାପାତ୍ରଙ୍କ ମୁହଁ ଓ ସଭାପତି ଆକୁଳାନନ୍ଦ ମହାନ୍ତିଙ୍କ ଚନ୍ଦାମୁଣ୍ଡ ମେଘ କୋଳରେ କେତେବେଳେ ବିଜୁଳି ପରି ଦିଶୁଥିଲା ତ କେତେବେଳେ ସଂପୂର୍ଣ୍ଣ ଲୁଚିଯାଉଥିଲା ।

 

ସମ୍ବର୍ଦ୍ଧନା ସଭାର ବିବରଣୀ ଥିଲା ବିସ୍ତୃତ । ବିଜୟ ଅଭିନନ୍ଦନ ପାଠ, ସଂଗୀତଗାନ, ବେଦପାଠ, ମାନପତ୍ର ପଠନ, ସଭାପତି ଅଭିଭାଷଣ ଓ ନବଗଠିତ ସଂସ୍ଥାଟିର ସୁଦୀର୍ଘ ସଂପାଦକୀୟ ବିବରଣୀ ଉପସ୍ଥାପନ ଇତ୍ୟାଦି । ଶେଷରେ ବିଜୟୀ ବିଧାୟକ ନିରାକାର ମହାପାତ୍ରଙ୍କ ଭାଷଣ ଦେବା ପାଳି ଆସିବାବେଳକୁ ରାତି ଅନେକ ହୋଇଯାଇଥିଲା । ସେ ତାଙ୍କର ଭାଷଣକୁ ସଂକ୍ଷେପ କରି କହିଲେ, “ମୁଁ କଥାରେ ବିଶ୍ୱାସ କରେ ନାହିଁ, ବିଶ୍ୱାସ କରେ କାମରେ ।” ଏହାପରେ ସେ ଆଉ କଣ କହିବାକୁ ଯାଉଥିଲେ । ମାତ୍ର ଉତ୍ସାହୀ ଶ୍ରୋତାମାନଙ୍କ ପ୍ରଲମ୍ବିତ କରତାଳି ଭିତରେ ତାଙ୍କର ସେଇ ଶବ୍ଦଗୁଡ଼ିକ ବୁଡ଼ିଗଲା । କରତାଳି ଶବ୍ଦ ନିରବି ଗଲାପରେ ନିରାକାର ମହାପାତ୍ର ପୁଣିଥରେ ତାଙ୍କ ଭାଷଣ ଆରମ୍ଭ କଲେ ଓ ସେଇ ଭାଷଣରେ ସେ ମଧୁପୁର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ନିମନ୍ତେ ଉଦ୍ୟମ କରିବା ସଂଗେ ସଂଗେ ଅନ୍ୟାୟ, ଅତ୍ୟାଚାର ଓ ଦୁର୍ନୀତିର ମୁଖା ଖୋଲିଦେବେ ବୋଲି ଘୋଷଣା କଲେ ।

 

ପୁଣିଥରେ କରତାଳି । ହାଟ ପଡ଼ିଆଟି କରତାଳି ଧ୍ୱନିରେ ମୁଖରିତ ହୋଇଉଠିଲା । ସଭାରୁ ଫେରିବା ବାଟରେ ବିକ୍ରମ ରାଉତରାୟଙ୍କ ନିର୍ବାଚନୀ ଅଫିସ୍‌ ଦେଇ ଆମେ ଫେରିଥିଲୁ । ସେ ଅଫିସ୍‌ଟି ବନ୍ଦ ଥିଲା ଓ ସଦାସର୍ବଦା କୋଳାହଳରେ ମୁଖରିତ ସେହି ଅଫିସ୍‌ ଚାରିପାଖେ ଗୋଟେ ଅସ୍ୱସ୍ତିକର ନିର୍ଜନତା ଛାଇଯାଇଥିଲା ।

 

ଆମେ ଆଶ୍ୱସ୍ତ ହେଲୁ । ଅଯୋଗ୍ୟ ଲୋକକୁ ଠିକଣା ଶାସ୍ତି ମିଳିଛି ।

 

ନୂଆ ସରକାରରେ ନିରାକାର ମହାପାତ୍ର ମନ୍ତ୍ରୀ ହେବେ ବୋଲି ଆମେ ସମସ୍ତେ ଧରିନେଇଥିଲୁ । କିନ୍ତୁ କଣ ହେଲା କେଜାଣି ମନ୍ତ୍ରୀ ତାଲିକାରେ ତାଙ୍କ ନାଁଟି ପାଇଲୁ ନାହିଁ । ଯୋଉମାନେ ରାଜଧାନୀ ଯାଇଥିଲେ, ଖାସ୍‌ ଆମ ବିଧାୟକଙ୍କୁ ମନ୍ତ୍ରୀ ରୂପେ ଦେଖି ଆସିବା ପାଇଁ, ସେମାନେ ନିରାଶ ହୋଇ ଫେରିଲେ । ମାତ୍ର ଖୋଦ୍‌ ନିରାକାର ମହାପାତ୍ର ନିରୁତ୍ସାହିତ ନ ହୋଇ ଖବରକାଗଜରେ ବିବୃତି ଦେଲେ, ସେ ମନ୍ତ୍ରୀତ୍ୱ ପଛରେ ଗୋଡ଼େଇବା ପାଇଁ ରାଜନୀତିକୁ ଆସିନାହାନ୍ତି । ଜନସାଧାରଣଙ୍କ ସେବା ତାଙ୍କର ଏକମାତ୍ର ଲକ୍ଷ୍ୟ ।

 

ମୁଁ ଆମ ସ୍କୁଲରେ ହେଡ୍‌ମାଷ୍ଟ୍ରଙ୍କୁ ପଚାରିଲି, “ଏମ୍‌.ଏଲ୍‌.ଏ.ଙ୍କ ବିବୃତିର ଅର୍ଥ କଣ ? ସେ କ’ଣ ମନ୍ତ୍ରୀ ହେବାକୁ ଚାହୁଁ ନାହାନ୍ତି ?”

 

ହେଡ୍‌ମାଷ୍ଟ୍ରେ କହିଲେ, “ଏମିତି କହିବାକୁ ହୁଏ । ଏମିତି ନ କହିଲେ ତାଙ୍କୁ ଅସନ୍ତୁଷ୍ଟ ବୋଲି ଧରାଯିବ ।”

 

ନିର୍ବାଚନ ପରେ ବର୍ଷାଋତୁ ଆସିଗଲା । ବର୍ଷାଋତୁରେ ଆମ ଅଞ୍ଚଳକୁ କୌଣସି ଗାଡ଼ିଘୋଡ଼ା ଆସିପାରେ ନାହିଁ । ତା’ପରେ ଆସିଲା ବନ୍ୟା । ନିରାକାର ମହାପାତ୍ର ମନପ୍ରାଣ ଦେଇ ରିଲିଫ୍‌ କାମ ତଦାରଖ କଲେ । ଲୋକମାନେ କହିଲେ, ସରକାରୀ ନିୟମ ବଦଳୁ ନାହିଁ, ବିଧାୟକ କଣ କରିବେ ? ଜଣକା ଦେଢ଼ଶହ ଗ୍ରାମ୍‌ ଚୁଡ଼ା ଓ ଦିଇଶହ ଗ୍ରାମ୍‌ ଚାଉଳ ସରକାରୀ ନିୟମ ! ମାତ୍ର ବିକ୍ରମ ରାଉତରାୟଙ୍କ ସମର୍ଥକମାନେ ଅଭିଯୋଗ କଲେ–ରିଲିଫ୍‌ ସାମଗ୍ରୀ ସବୁ ହେରଫେର ହୋଇଗଲା ।

 

ବନ୍ୟା ପରେ ଦିନେ ସକାଳୁ ସକାଳୁ ବିକ୍ରମବାବୁଙ୍କ ଭୁବନେଶ୍ୱର, ମଧୁପୁର ଓ ଫାର୍ମ ହାଉସ୍‌ ଘରଗୁଡ଼ିକ ଉପରେ ଭିଜିଲାନ୍ସ ଚଢ଼ାଉ ହେଲା । ଆମ ଅଞ୍ଚଳର ଲୋକମାନେ ଏହି ଚଢ଼ାଉ ଘଟଣାରେ ଖୁବ୍‌ ଖୁସି ହେଲେ ।

 

ଆକୁଳାନନ୍ଦ ବାବୁ ଖବରକାଗଜର କ୍ରୋଡ଼ ପୃଷ୍ଠାଟିକୁ ଧରି ହାଟସାରା ବୁଲି ଆସିଥିଲେ-। ‘ଦେଖ, ଭୁବନେଶ୍ୱରରେ କେତେ ବଡ଼ ଘର କରିଛନ୍ତି ତମ ବିକ୍ରମ ରାଉତରାୟ । କଳାଟଙ୍କାର ଗୋଟେ ହିମାଳୟ ତ !’

 

ସେ କାଗଜରେ ଆଉ ସାତଜଣ ପୂର୍ବତନ ମନ୍ତ୍ରୀଙ୍କ ଅଟ୍ଟାଳିକା ଫଟୋ ମଧ୍ୟ ବାହାରିଥିଲା-। କଳାଟଙ୍କାରେ ହେଉ ବା ଧଳାଟଙ୍କାରେ ହୋଇଥାଉ, ଘରଗୁଡ଼ିକର ଚିତ୍ର କିନ୍ତୁ ଦିଶୁଥିଲା ବେଶ୍‌ ଚମତ୍କାର ।

 

ସମୟ ବିତୁଥିଲା ଓ କ୍ରମେ ଲୋକମାନେ ବିକ୍ରମବାବୁଙ୍କୁ ଭୁଲିଯାଉଥିଲେ । ସେ ଆଉ ଗାଁକୁ ଆସୁନଥିଲେ କିମ୍ବା ତାଙ୍କର ବହୁଚର୍ଚ୍ଚିତ ‘ଫାର୍ମହାଉସ୍‌’ରେ ରାତ୍ରିଯାପନ କରୁନଥିଲେ । ଖବର କାଗଜରେ ତାଙ୍କ ବିବୃତି ବାହାରୁ ନଥିଲା । ଆମକୁ ଲାଗୁଥିଲା ବିକ୍ରମ ରାଉତରାୟ ରାଜନୀତିରୁ ସନ୍ନ୍ୟାସ ନେଇ କୁଆଡ଼େ ଚାଲିଗଲେଣି ।

 

କିନ୍ତୁ ନିରାକାର ମହାପାତ୍ର ସୁଦ୍ଧା ମଧୁପୁରକୁ ଆସୁନଥିଲେ । ମନ୍ତ୍ରୀମଣ୍ଡଳ ଦ୍ୱିତୀୟ ଥର ପାଇଁ ସଂପ୍ରସାରିତ ହୋଇସାରିଥିଲା ଓ ମଧୁପୁର ପାଖ ବିଜୟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତ୍ରିବିକ୍ରମ ପଟ୍ଟନାୟକ ମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ନିରାକାର ମହାପାତ୍ରଙ୍କ ମନ୍ତ୍ରୀତ୍ୱ ନେଇ ଆମ ମନରେ ଥିବା ଆଶା ମଉଳି ଯାଇଥିଲା ।

 

: ଯୁଗ ଯାହା ହେଲାଣି, ଏଥିରେ ତୁଚ୍ଛା ଏମ୍‌.ଏଲ୍‌.ଏ ଜଣେ କ’ଣ ବା କରିପାରିବ ? ଆକୁଳାନନ୍ଦ ବାବୁ ବେଳେବେଳେ ନିରାକାର ବାବୁଙ୍କ ତରଫରୁ ମନ୍ତବ୍ୟ ଦେଉଥିଲେ । ଆମେ କହୁଥିଲୁ ଏମ୍‌.ଏଲ୍‌.ଏ ଚାହିଁଲେ ତାଙ୍କ ନିର୍ବାଚନ ମଣ୍ଡଳୀ ପାଇଁ ଅନେକ କାମ କରିପାରିବେ । ମନ୍ତ୍ରୀ ହେଲେ ସେ ପୂରା ରାଜ୍ୟର ସମସ୍ୟା ନେଇ ଏତେ ବ୍ୟସ୍ତ ରହିବେ ଯେ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ କଥା ବୁଝିବା ପାଇଁ ଆଦୌ ସମୟ ପାଇବେ ନାହିଁ ।

 

ମାତ୍ର ନିରାକାର ମହାପାତ୍ର ବୁଝୁ ନଥିଲେ । ଏହା ଭିତରେ ତାଙ୍କ ଦଳ ଭିତରେ ଅସନ୍ତୁଷ୍ଟ ଗୋଷ୍ଠୀ ମୁଣ୍ଡ ଟେକି ସାରିଥିଲା ଓ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବରାବର ଚାପ ପକାଉଥିବା କଥା ଖବରକାଗଜମାନଙ୍କରେ ପ୍ରକାଶ ପାଉଥିଲା । ନିରାକାର ମହାପାତ୍ର ସେଇ ଅସନ୍ତୁଷ୍ଟ ଗୋଷ୍ଠୀରେ ସାମିଲ ହୋଇଯାଇଥିବାରୁ ଆମ ନିର୍ବାଚନ ମଣ୍ଡଳୀ ପାଇଁ କୌଣସି ଯୋଜନା ମଂଜୁରି ପାଉ ନଥିଲା ।

 

ଆମେମାନେ ପଚାରିଲୁ, “ହଳଦୀଗୁଣ୍ଡ କେନାଲ କଥା କାହିଁ ?”

 

: ରାଇପୁର ସ୍କୁଲ ଭାଙ୍ଗିଯାଇଛି । ମରାମତି ହେବ ନା ନାହିଁ ?

 

: ଆମ ଗାଁକୁ କ’ଣ ବିଜୁଳି ଲାଇନ ଆସିବ ନାହିଁ ?

 

: ଲୁଣାବନ୍ଧ ମରାମତି ନହେଲେ ଆମ ଗାଁ ଭାସିଯିବ । ସେକଥା କିଏ ବୁଝିବ ?

 

ସୁଦର୍ଶନ ବେହେରା ଥିଲେ ନିରାକାର ମହାପାତ୍ରଙ୍କ ନିର୍ବାଚନ ଏଜେଣ୍ଟ୍‌ । ସେ ଆମ ସ୍କୁଲର ବାର୍ଷିକ ଉତ୍ସବକୁ ଆସିଲେ ଓ କହିଲେ, “ଏ ସରକାର ଛଅ ମାସ ଭିତରେ ଭାଙ୍ଗିଯିବ । ଉପମୁଖ୍ୟମନ୍ତ୍ରୀ ମାନସିଂହଙ୍କ ପଟକୁ ପଚାଶ ବିଧାୟକ ଢଳିସାରିଲେଣି । ଦଶହରା ଡେଇଁ ନଥିବ, ଦେଖିବ ସରକାର ଗଡ଼ିସାରିଥିବ । ନୂଆ ‘ମିନିଷ୍ଟ୍ରୀ’ରେ ନିରାକାର ବାବୁ ହେବେ ଇରିଗେସନ୍‌ ମିନିଷ୍ଟର । ଦେଖିବେ, କେମିତି କାମ ଧାଏଁ ଧାଏଁ ଚାଲିବ । ଏ ଅଞ୍ଚଳର ଭାଗ୍ୟ ଖୋଲିଯିବ ।”

 

ମୁଁ ତାଙ୍କ ମୁହଁକୁ ଚାହିଁଲି । ତାଙ୍କ ମୁହଁରେ ବିଶ୍ୱାସର ଜ୍ୟୋତି ଚକ୍‌ ଚକ୍‌ କରୁଥିଲା । ମୁଁ କହିଲି, “ଆମ ଗାଁରେ କଣ୍ଟ୍ରୋଲ ଜିନିଷ ମିଳୁନାହିଁ, ଟିକିଏ ଚେଷ୍ଟା କରନ୍ତେ ନାହିଁ ?”

 

ସୁଦର୍ଶନ ବେହେରା ହସିଲେ । କାଳିଆ ହୋଇ ଗେଡ଼ା ମଣିଷଟେ । ସବୁବେଳେ ପାନ ଚୋବାନ୍ତି । ଓଠ ନାଲି, ଦାନ୍ତସବୁ କଳା । ଲୋକମାନଙ୍କୁ ଶୁଣେଇ ଶୁଣେଇ କହିଲେ, “ଦେଖ ଏ ବାବୁଙ୍କୁ, ଯାହା ହେଲେ ମାଷ୍ଟ୍ରିଆ ବୁଦ୍ଧି । ମୁଁ ମିନିଷ୍ଟ୍ରୀ କଥା କହୁଛି, ସେ କହୁଛନ୍ତି କଣ୍ଟ୍ରୋଲ ଡିଲର କଥା !”

 

ମୋତେ ବଡ଼ ଲାଜ ଲାଗିଲା । କେତେ ସଂକୀର୍ଣ୍ଣ ମଣିଷ ମୁଁ ସତରେ ! ରାଜ୍ୟର ସ୍ୱାର୍ଥ ଆଗରେ ଆମର ଏଇ ଛୋଟ ଛୋଟ ସମସ୍ୟା କଣ ପ୍ରକୃତରେ ତୁଚ୍ଛ ନୁହେଁ ! ମୁଁ ମୁଣ୍ଡ ତଳକୁ କରି ଚାଲି ଆସିଲି ।

 

କେବଳ ବନ୍ୟା ଓ ଘରପୋଡ଼ି ପରି ବିପତ୍ତିକୁ ବାଦ୍‌ ଦେଲେ ମଧୁପୁର କଥା ପ୍ରାୟତଃ ଖବରକାଗଜରେ କିଛି ବାହାରେ ନାହିଁ । ସେଭଳି କିଛି ଘଟଣା ଆମ ଅଞ୍ଚଳରେ ଘଟେନାହିଁ, ତେଣୁ ଖବରକାଗଜଗୁଡ଼ିକୁ ଦୋଷ ଦେଇ ଲାଭ ନାହିଁ । ମାତ୍ର ହଠାତ୍‌ ଆମ ଗାଁ ନାଁ ସବୁ ଖବରକାଗଜର ପ୍ରଥମ ପୃଷ୍ଠାମାନଙ୍କରେ ବାହାରିଲା, ଏପରିକି ଇଂରାଜୀ କାଗଜରେ ମଧ୍ୟ ।

 

ଆମେମାନେ ନିଜ ନିଜ କାମ ଛାଡ଼ି ଖବରକାଗଜଗୁଡ଼ିକ ସଂଗ୍ରହ କରି ସେଗୁଡ଼ିକୁ ସବୁ ଚାରିପାଞ୍ଚଥର ଲେଖା ପଢ଼ିବାରେ ଲାଗିଲୁ ଓ ସେ ବିଷୟରେ ନିଜ ନିଜର ଟୀକାଟିପ୍ପଣୀ ଦେଇଚାଲିଲୁ ।

 

ନିରାକାର ମହାପାତ୍ରଙ୍କ ପୁଅ ଯୋଉ ଗାଡ଼ିରେ କଲିକତାରୁ ଫେରୁଥିଲେ ସେଇ ଗାଡ଼ିରୁ ଚାରିବସ୍ତା ଗଂଜେଇ ଜବତ କରାଯାଇଥିଲା ଓ ତାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା-

 

ବିରୋଧୀ ଦଳର ସେଇ ହାଟପାଖ ଅଫିସ୍‌, ଯାହା ଗତ ଆଠମାସ ହେଲା ନିର୍ଜନ ଓ ପରିତ୍ୟକ୍ତ ହୋଇ ପଡ଼ିରହିଥିଲା, ହଠାତ୍‌ କୋଳାହଳରେ ମୁଖରିତ ହୋଇ ପଡ଼ିଲା । ବିକ୍ରମ ରାଉତରାୟ ତାଙ୍କର ସୁଦୀର୍ଘ ମୌନବ୍ରତ ଭଙ୍ଗ କରି ବିବୃତି ଦେଲେ–କାଳବିଳମ୍ବ ନ କରି ବିଧାୟକ ନିରାକାର ମହାପାତ୍ର ତାଙ୍କ ସଭ୍ୟ ପଦରୁ ଇସ୍ତଫା ଦିଅନ୍ତୁ ।

 

ନିରାକାର ମହାପାତ୍ର ଏଥର ମଧୁପୁର ଫେରିବାବେଳକୁ ଦିଶୁଥିଲେ ଗୋଟେ ଅପରାଧୀ ପରି । ନିଜ ସପକ୍ଷରେ ଲୋକମତ ସଂଗ୍ରହ କରିବା ଥିଲା ତାଙ୍କ ପାଇଁ ଜରୁରୀ କାମ । କିନ୍ତୁ ବିଧାୟକ ଓ ପଲିଟିକାଲ୍‌ ଏଜେଣ୍ଟ୍‌ ସୁଦର୍ଶନ ବେହେରାଙ୍କ ସବୁ ଉଦ୍ୟମ ପଣ୍ଡ ହେଲା । ସଭା ଆଗରୁ ଭୋଜିଭାତ ଓ ସଭା ଶେଷରେ ନାଚଗୀତର ବ୍ୟବସ୍ଥା ସତ୍ତ୍ୱେ ତାଙ୍କ ସଭାରେ ହାତଗଣତି ଲୋକ ହୋଇଥିଲେ ।

 

ନିରାକାର ମହାପାତ୍ର କହିଲେ, “ଏ ଘଟଣା ପଛରେ ବିରୋଧୀ ଦଳର ହୀନ ଷଡ୍‌ଯନ୍ତ୍ର ରହିଛି । ସେ ଅସନ୍ତୁଷ୍ଟ ଗୋଷ୍ଠୀର ଆଗୁଆ ସଭ୍ୟ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳର ସ୍ଥାନୀୟ ନେତା ଓ ପୁଲିସକୁ ହାତବାରିସି କରି ତାଙ୍କ ଉପରେ ପ୍ରତିଶୋଧ ନେଉଛନ୍ତି ।” ମାତ୍ର ସେ ଏଥିରେ ଦବିଯିବେ ନାହିଁ । ଏହାର ଉପଯୁକ୍ତ ଜବାବ ଦେବେ ।

 

ତାଙ୍କ ଭାଷଣ ଶେଷରେ କରତାଳି ହେଲା । କିନ୍ତୁ ଆଗ ସଭାମାନଙ୍କର କରତାଳି ତୁଳନାରେ ଏଥରର କରତାଳି ଥିଲା କୁଣ୍ଠିତ ଏବଂ କ୍ଷୀଣ ।

 

ଆମମାନଙ୍କ ଭିତରୁ ବେଶୀଭାଗ ଲୋକ ଘଟଣାର ସତ୍ୟାସତ୍ୟ ଜାଣିପାରୁନଥିଲୁ । ଏତେବର୍ଷ ପରେ ଲୋକମତର ବିଜୟ ହୋଇଛି ବୋଲି ଗ୍ରହଣ କରିନେଇଥିବା ଲୋକମାନେ ପରସ୍ପରକୁ ପଚାରୁଥିଲେ, ଆମ ହଳଦୀଗଣ୍ଡ କେନାଲ କଥା କଣ ହେବ ?

 

: ଆମ ରାସ୍ତା ସମସ୍ୟା ?

 

: ବିଜୁଳି ?

 

: କେନାଲ ବନ୍ଧ ?

 

: ସ୍କୁଲ ଘର ମରାମତି ?

 

: କଣ୍ଟ୍ରୋଲ ଚିନି ଓ ଚାଉଳ ?

 

କିନ୍ତୁ ସେକଥାର ଜବାବ ଦେବା ପାଇଁ କେହି ନ ଥିଲେ । ଆମେମାନେ ନିରାକାର ବାବୁଙ୍କ ଠାରୁ ମଧ୍ୟ ଆଶା ହରେଇ ବସୁଥିଲୁ ଓ ନିଜ ନିଜ ଭାଗ୍ୟ ଉପରେ ସମସ୍ୟାଗୁଡ଼ିକୁ ଛାଡ଼ିଦେଉଥିଲୁ । ବିକ୍ରମବାବୁ ଯେମିତି, ଏ ନିରାକାର ବାବୁ ମଧ୍ୟ ସେମିତି ବୋଲି ଆକୁଳାନନ୍ଦ ବାବୁ ଖେଦୋକ୍ତି କରୁଥିଲେ । ମହାତ୍ମାଗାନ୍ଧୀ, ଜବାହରଲାଲ ଓ ସର୍ଦ୍ଦାର ପଟେଲଙ୍କ ପରି ନେତା ଆଉ ଆସିବେ ନାହିଁ ବୋଲି ସେ ମଝିରେ ମଝିରେ କହୁଥିଲେ ଓ ଦୀର୍ଘଶ୍ୱାସ ଛାଡ଼ୁଥିଲେ ।

 

ଏହାପରେ ଲୋକସଭା ନିର୍ବାଚନ ଘୋଷଣା ହୋଇଗଲା । ପୁଣିଥରେ ଗାଡ଼ି ମଟର, ବ୍ୟାନର, ପୋଷ୍ଟର ଜିନ୍ଦାବାଦ, ମୁର୍ଦ୍ଦାବାଦ ଶବ୍ଦ ଓ ଶୋଭଯାତ୍ରାର ଋତୁ ଆସିଗଲା ।

 

ଆମ ଗାଁର ଯେଉଁମାନେ ରାଜନୀତି, ନିର୍ବାଚନ ଓ ଦଳୀୟ ବିବାଦ ପରି ଘଟଣା ଗୁଡ଼ିକଠାରୁ ସବୁବେଳେ ଦୂରେଇ ରହନ୍ତି ସେମାନେ ମଧ୍ୟ ପୋଖରୀ ବାଟରେ ଓ ହାଟଫେରନ୍ତା ରାସ୍ତାରେ ଏ ବିଷୟରେ ଗପସପ ହେଲେ । ଦଳଦଳ ହୋଇ ଲୋକମାନେ ଦେଶର ସମସ୍ୟା, ନେତାଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଂଗରେ ଆଲୋଚନା କଲେ ।

 

ଆମେମାନେ ଶାସକ ଦଳରୁ ଆଗ୍ରହ ହରେଇ ବସୁଥିଲୁ । ବିଧାୟକ ନିରାକାର ମହାପାତ୍ରଙ୍କ ଠାରୁ ଆମର ସମର୍ଥନ ପ୍ରତ୍ୟାହାର କରି ଆଣୁଥିଲୁ ।

 

କିନ୍ତୁ ନିରାକାର ମହାପାତ୍ର ବିଧାନସଭାରେ ଆମ ଅଞ୍ଚଳର ସମସ୍ୟାଗୁଡ଼ିକ କଥା ଉଠଉଥିଲେ ଓ ବିରୋଧୀ ଦଳର ହୀନ ଷଡ୍‌ଯନ୍ତ୍ର ଯୋଗୁଁ ତାଙ୍କୁ ଓ ତାଙ୍କର ପରିବାରକୁ ବଦନାମ କରାଯାଉଥିବା କଥା ବଡ଼ପାଟିରେ କହୁଥିଲେ । ମନ୍ତ୍ରୀମଣ୍ଡଳର ପୁଣିଥରେ ଗୋଟିଏ କ୍ଷୁଦ୍ର ସଂପ୍ରସାରଣ କରାଗଲା । କିନ୍ତୁ ଆଗଥର ପରି ଏଥର ମଧ୍ୟ ନିରାକାର ମହାପାତ୍ର ମନ୍ତ୍ରୀ ହୋଇପାରିଲେ ନାହିଁ ।

 

ଏହିପରି ସମୟରେ ମୋର ଗୋଟାଏ ବ୍ୟକ୍ତିଗତ କାମ ବିଧାୟକଙ୍କ ପାଖରେ ପଡ଼ିଲା । ଏମ୍‌.ଏଲ୍‌.ଏ. କେଉଁଦିନ ଏରିଆକୁ ଯିବେ ଓ ମୁଁ ତାଙ୍କୁ ଦେଖା କରିବି–ସେ କଥା ଉପରେ ସନ୍ଦେହ ଆସିବାରୁ ମୁଁ ସ୍କୁଲରୁ ଛୁଟି ନେଇ ଭୁବନେଶ୍ୱର ଚାଲିଆସିଲି ।

 

ନିରାକାର ବାବୁଙ୍କ କ୍ୱାର୍ଟର୍ସ ଆଗରେ ଲୋକଭିଡ଼ । ଆମ ଅଞ୍ଚଳରୁ ବି ଅନେକ ଲୋକ ଆସି ଡେରା ପକେଇଥାଆନ୍ତି । କିନ୍ତୁ ତାଙ୍କ ଭିତରେ ବିକ୍ରମବାବୁଙ୍କ ଡାହାଣ ହାତ ଅଗାଧୁ ସାହୁଙ୍କୁ ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି ।

 

ଅଗାଧୁବାବୁ ପଚାରିଲେ, “ସ୍କୁଲ କାମରେ ଆସିଥିଲେ କି ମାଷ୍ଟ୍ରେ ?”

 

ମୁଁ କଣ କହିବି ନ କହିବି ସ୍ଥିର ନ କରିପାରି ପଚାରିଲି, “ଆପଣ କେମିତି ଏଠି ?”

 

ଅଗାଧୁବାବୁ ହସିଲେ । ତାଙ୍କ ହସ ମୋତେ ବଡ଼ ଅର୍ଥପୂର୍ଣ୍ଣ ମନେହେଲା । ମୋ ପ୍ରଶ୍ନର ଉତ୍ତର ନ ଦେଇ ବଡ଼ ବଡ଼ ପାହୁଣ୍ଡ ପକେଇ ସେ ଆଗେଇଗଲେ । ତାଙ୍କ ପାଇଁ ଗୋଟିଏ ଧଳା କାର୍‌ ଅପେକ୍ଷା କରି ରହିଥିଲା ।

 

ମୁଁ ନିରାକାର ବାବୁଙ୍କ ସାଂଗେ ଦେଖା କରିବା ପାଇଁ ଅପେକ୍ଷା କରି ରହିଲି । ପଚାରି ବୁଝିଲି, ଭାରି ଭିଡ଼ । ଦେଖା ମିଳୁ ମିଳୁ ରାତି ଦଶଟା ହୋଇଯିବ ! କେତେ ଆଡୁ କେତେ ଲୋକ ଆସିଛନ୍ତି । କାହାର ବଦଳି, କାହାର ପ୍ରମୋସନ୍‌, କାହାର ପୁଅ ଡାକ୍ତରଖାନାରେ ପଡ଼ିଛି, ବିଧାୟକଙ୍କ ସୁପାରିସ ମିଳିଲେ ଟଙ୍କା ମିଳିବ । ସମସ୍ତେ ନିରାକାର ବାବୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି । ତାଙ୍କ ଚପରାସୀ କହିଲା, ଦଶଟା ପୂର୍ବରୁ ଦେଖାହେଲା ଭଳି ଦିଶୁନାହିଁ । ମାତ୍ର ଦଶଟା ବାଜିବା ଆଗରୁ ନିରାକାରବାବୁ ବାହାରକୁ ବାହାରିଗଲେ । ସେ ବାବା ରାମାନନ୍ଦଙ୍କର ଶିଷ୍ୟ ଓ ଗୁରୁ ଆଶ୍ରମରେ ଭଜନ ସଭା ଥିବାରୁ ସେ ସେଇ ସଭାରେ ଯୋଗଦେବା ଲାଗି ତରତରରେ ପଳେଇଲେ । ମୁଁ ଏତେ ବାଟରୁ ଆସି ତାଙ୍କର ଦେଖା ନପାଇ କଣ ଫେରିଯିବି ? ଏକଥାଟି ଭାରି କଷ୍ଟଦେଲା । ରାତିଟା ବରଂ ଅଟକିଯିବା ଭଲହେବ ।

 

ବାବୁଙ୍କ ପିଅନକୁ ପଚାରିଲି । ବାବୁ କଣ ରାମାନନ୍ଦଙ୍କ ଭକ୍ତ ? ସେ ଉତ୍ତର ଦେଲା, ହଁ । କିନ୍ତୁ ଆମ ବିକ୍ରମବାବୁ ବି ତ ତାଙ୍କରି ଭକ୍ତ । ସେ ମୋତେ ଅନେଇ କହିଲା, ‘ଭୀମ ଦୁଃଶାସନ କଣ ଏକ ଦ୍ରୋଣଗୁରୁଙ୍କ ଶିଷ୍ୟ ନୁହନ୍ତି !’ ନିରାକାର ବାବୁଙ୍କ ମେଲାଘରେ ଅନେକ ଲୋକ ଶୋଇଥାଆନ୍ତି-। ସେମାନଙ୍କ ଶୋଇବା ଢଙ୍ଗରେ ବାଗବାଇଶ ନଥାଏ । କାହାର ଗୋଡ଼ ପାଖରେ କାହାର ମୁଣ୍ଡ ତ କାହାର ପେଟ ଉପରେ କାହାର ହାତ । କିଏ ହାତ ହଲେଇ ତ କିଏ ଗାମୁଛା ବିଞ୍ଚି ମଶା ହୁରୁଡ଼େଉଛି । ଏମିତି ଅବସ୍ଥାରେ ମୋତେ ନିଦ ମାଡ଼ୁ ନ ଥାଏ । ଭାବିଲି, ଯାଏ, ବାହାରେ କିଛି ସମୟ ଘୁରାଫେରା କରି ଆସେ । ପବନରେ ଦେହ ଟିକେ ଥଣ୍ଡା ହୋଇଗଲେ ବଳେ ବଳେ ନିଦ ଆସିଯିବ । ଏ ମଶା ଓ ଗୁଳୁଗୁଳିରେ କଣ ନିଦ ହେବ !

 

ମୋ ପୁଅଟି ଗୋଟିଏ କଲେଜରେ କିରାଣି ଇଣ୍ଟରଭ୍ୟୁ ଦେଇଛି । ନିରାକାରବାବୁ ସେ କଲେଜରେ ପ୍ରେସିଡେଣ୍ଟ୍‌ । ଗାଁ ପିଲାଟା, ସେଇଠି ରହିଯାଆନ୍ତା । ଏମ୍‌.ଏଲ୍‌.ଏ. ଟିକେ ସୁପାରିସ କରିଦେଲେ ହେବ ।

 

ରାତି ବାରଟା ପାଖାପାଖି ହେବ, ଦିଇଟି ଗାଡ଼ି ଆସି ନିରାକାରବାବୁଙ୍କ ଗେଟ୍‌ ସିଧା ରାସ୍ତା ଉପରେ ଛିଡ଼ାହେଲା । ନିରାକାରବାବୁ ଆଗ ଗାଡ଼ିରୁ ଓହ୍ଲେଇ ଆସି ପଛ ଗାଡ଼ିର ପଛ ସିଟ୍‌ ପାଖକୁ ଗଲେ । ରାତି ଅନେକ ହେଲାଣି । ରାସ୍ତାଘାଟ ଶୂନ୍‌ଶାନ୍‌ । ନିରାକାରବାବୁ ବୋଧେ କହିଲେ “ଭିଜିଲାନ୍ସ କେସ୍‌ ନେଇ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ବିଲେଇ ତା ଛୁଆକୁ କାମୁଡ଼େ ସିନା, ଦାନ୍ତ ବସାଏ ନାହିଁ । ମୋ ପୁଅ କଥା କିନ୍ତୁ ଆପଣଙ୍କୁ ଲାଗିଲା । ଆପଣ ଚେଷ୍ଟା ନକଲେ ଅସୁବିଧାରେ ପଡ଼ିଯିବି ।”

 

ପଛ ଗାଡ଼ିରେ କିଏ ? କଣ ବିକ୍ରମବାବୁ ନିଜେ ? ନା, ନା ରାମ ରାବଣ ଗୋଟିଏ ମେଢ଼ରେ କେମିତି ରହିବେ ? ଆଉ କିଏ ସରକାରୀ ଲୋକ ହୋଇଥିବେ । ମୁଁ ଟିକିଏ ମୁଣ୍ଡଟେକି ଉଣ୍ଡିଲି । ଭିତରେ ଜଣେ ଦାଢ଼ିବାଲା ଲୋକ । ସେ ଗାଡ଼ିରୁ ଓହ୍ଲାଉ ନଥାନ୍ତି । କାଚ ତଳକୁ କରି ନିରାକାରବାବୁଙ୍କୁ କଣ କହିଲେ ଓ ପୁଣି କାଚ ଟେକିଦେଲେ ।

 

ନିରାକାରବାବୁ ଗାଡ଼ିରୁ ଓହ୍ଲେଇଲେ । ପାଦ ଟଳଟଳ । ଡ୍ରାଇଭର ତା ସିଟ୍‌ରୁ ଓହ୍ଲେଇ ଯାଇ ଗ୍ରୀଲ୍‌ ଗେଟ୍‌ ଖୋଲି ଧରିଲା । ବାବୁ ଭିତରକୁ ଚାଲିଗଲେ ।

ମୋ ମନ ସମ୍ଭଳା ପଡ଼ିଲା ନାହିଁ । ମୁଁ ଧାଇଁଗଲି । ଡ୍ରାଇଭରକୁ ପଚାରିଲି, “ବାବୁଙ୍କ ପଛ ଗାଡ଼ିରେ କିଏ ଥିଲେ କି ?”

ଡ୍ରାଇଭର ଉତ୍ତର ଦେବ କଣ ଓଲଟି ପଚାରିଲା, “ତମେ ସେଠି କଣ ଉଣ୍ଡୁଥିଲ ହେ ? ତମ ଏରିଆ ଲୋକଙ୍କର ଏଇ ଦୋଷ ତ ଗଲା ନାହିଁ !”

ଡ୍ରାଇଭରର କଥା ମୋତେ ପ୍ରକୃତରେ ବାଧିଲା । ମନ ଭିତରେ ସଂଦେହ ହେଲା, ଏମାନେ କଣ ସବୁ ମିଶିଗଲେଣି କି ? କିନ୍ତୁ ନିଜ ଆଖିରେ ତ କାହାକୁ ଦେଖିନାହିଁ ।

ହାଟପଟିରେ ଆସି ପହଞ୍ଚୁ ପହଞ୍ଚୁ ମୋର ଆକୁଳିବାବୁ ଦେଖା ହେଲେ । ମୁଁ ନମସ୍କାର କଲି । ସେ କହିଲେ, “ଶୁଣିଲଣି ହୋ ମାଷ୍ଟ୍ରେ, ବିକ୍ରମ ରାଉତରାୟ ଶାସକ ଦଳରେ ଯୋଗ ଦେଇଛନ୍ତି । ସେ କୁଆଡ଼େ ଏଇଠୁ ଲୋକସଭା କ୍ୟାଣ୍ଡିଡେଟ୍‌ ହେବେ । କି କଥା ଏ କାନ ନ ଶୁଣିଲା ହୋ ! ଦିଲ୍ଲୀ, ଭୁବନେଶ୍ୱରରେ ବାଘ ଛେଳି ଏକାଠି ପାଣି ପିଉଛନ୍ତି । ଆମେ ଏଠି ବାଡ଼ିଆପିଟା !”

ମୁଁ ଆଉଥରେ ଅବା ଗଛରୁ ଖସି ପଡ଼ିଲି । କିନ୍ତୁ ଆକୁଳିବାବୁଙ୍କୁ କିଛି କହିପାରିଲି ନାହିଁ ।

ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ହେଲା । ନା, ବିକ୍ରମ ରାଉତରାୟ ନୁହେଁ, ତାଙ୍କ ପୁଅ ସନ୍ଦୀପ ରାଉତରାୟ ଶାସକଦଳରୁ ପ୍ରାର୍ଥୀ ହୋଇଥିଲେ । ସେ ବାବୁଙ୍କୁ ଆମ ଅଞ୍ଚଳରେ କେହି ଆଗରୁ ଦେଖି ନଥିଲେ କି ତାଙ୍କ କଥା କେହି ଶୁଣି ନଥିଲେ । ତାଙ୍କର ପ୍ରଥମ ନିର୍ବାଚନୀ ସଭା ହେଲା ମଙ୍ଗଳା ପଡ଼ିଆରେ । ପଡ଼ିଆ ଭର୍ତ୍ତି ଲୋକ । ପୁରୁଷ, ସ୍ତ୍ରୀ, ବୁଢ଼ା, ବୁଢ଼ୀ, ପିଲା, ଛୁଆ ହାଉଯାଉ । ନିରାକାରବାବୁ ଭାଷଣ ଦେଲେ, “ସାଂପ୍ରଦାୟିକ ଶକ୍ତିଙ୍କ ପ୍ରତିରୋଧ କରିବାକୁ ହେଲେ ସଂଘବଦ୍ଧ ଉଦ୍ୟମ ଆବଶ୍ୟକ । ସେଥିପାଇଁ ତେରଟିଯାକ ଜାତୀୟ ଦଳ ଏକାଠି ହୋଇଛନ୍ତି । ଏ ପରିସ୍ଥିତିରେ ଦେଶବାସୀ ସମସ୍ତେ ଭେଦଭାବ ଭୁଲି ସରକାରଙ୍କ ହାତମୁଠାକୁ ଟାଣ କରନ୍ତୁ ।”

ଜନତାର ପ୍ରଶ୍ନ “ଆମ ହଳଦୀଗଣ୍ଡ କେନାଲ କଥା କଣ ହେବ ?”

ସନ୍ଦୀପବାବୁ କହିଲେ, “ହେବ ।”

: ସ୍କୁଲ ଘର ମରାମତି ?

: ହେବ ।

: ବିଜୁଳି ଲାଇନ ?

: ଆସିବ ।

: କିନ୍ତୁ କୋଉଦିନ ?

: ମୁଁ ନିର୍ବାଚନ ଜିଣିଯାଏ । ରାଜ୍ୟ ସରକାରଙ୍କ ହାତରେ ପାଣ୍ଠି ନାହିଁ । ମୁଁ ଲୋକସଭାରେ ଏ ପ୍ରଶ୍ନ ଉଠେଇବି । କୋଟି କୋଟି ଟଙ୍କା କେନ୍ଦ୍ର ଅନୁଦାନ ଆସିବ । ମଧୁପୁର ନିର୍ବାଚନ ମଣ୍ଡଳୀର ଚେହେରା ବଦଳିଯିବ ।

 

ସେ ହାତଯୋଡ଼ି ସମସ୍ତଙ୍କୁ ନମସ୍କାର କରୁ କରୁ ଗାଡ଼ି ଭିତରେ ଯାଇ ବସିଲେ । ତାଙ୍କ ପଛେ ପଛେ ନିରାକାରବାବୁ ଓ ବିକ୍ରମବାବୁ ମଧ୍ୟ ସଭାମଞ୍ଚରୁ ଓହ୍ଲେଇ ଆସୁଥିଲେ । ପଛେ ପଛେ ସୁଦର୍ଶନ ବେହେରା । ଅପେରା ପାର୍ଟିର ଟ୍ରକ୍‌ରୁ ଓହ୍ଲାଉଥିବା ରାମ, ରାବଣ, ମାଙ୍କଡ଼ ଓ ଅସୁର ପରି ଦିଶୁଥିଲେ ନେତା ଓ ତାଙ୍କ ସମର୍ଥକ । ଆଉ ଅଧିକ କାଳ ସେଠି ଅପେକ୍ଷା କରିବାକୁ ମୋର ଧୈର୍ଯ୍ୟ ନଥିଲା । ମୁଁ ଭିଡ଼କାଟି ବାହାରକୁ ପଳେଇ ଆସିଲି ।

 

ସଭା ଶେଷରେ ଭୋଜିଭାତର ବ୍ୟବସ୍ଥା ହୋଇଥିଲା । ପତର ପଡ଼ି ପାଣି ଛିଞ୍ଚା ଯାଉଥିଲା । ମାଇକରେ ପ୍ରଚାର ହେଉଥିଲା, “କେହି କୁଆଡ଼େ ଯାଅ ନାହିଁ । ଭୋଜି ପରେ ସୁଆଙ୍ଗ ଅଛି । ବଡ଼ ବଢ଼ିଆ ସୁଆଙ୍ଗ । ଏ ସୁଯୋଗ ହାତଛଡ଼ା କରନ୍ତୁ ନାହିଁ ।”

☆☆☆

 

Unknown

ପଶାପାଲି

 

ଜଗବନ୍ଧୁ ଆଉଥରେ ପଛକୁ ଚାହିଁଲା । ତା ପଛରେ ତାର ଉଜୁଡ଼ିଯାଇଥିବା ବସ୍ତି । ମାଟି ଉପରେ ପେଟେଇ ପଡ଼ିଥିବା ବାଉଁଶଛାଉଣି ଚାଳଘର, ଚାଳଘରର ମାଟିଲିପା କାନ୍ଥ, ଆମ୍ବ ଓ ଚାକୁଣ୍ଡା କାଠର କବାଟ ଝରକା । ତା ତଳେ ତାର ସାତବର୍ଷର ଘରକରଣା–ହେଁସ, ଡେକ୍‌ଚି, ଥାଳି, ଗିନା ଓ ବାସନକୁସନ । ସବୁକୁ ଏକାଠି କରି ସେବତୀର ଗୋଟେ ପୁରୁଣା କସ୍ତାରେ ବାନ୍ଧି ସେ ନେଇଆସିଥିଲା । ତା ନ ହେଲେ ସେ ସବୁ ବି ଚାପିହୋଇ ପୋତି ହୋଇ ପଡ଼ିଥାଆନ୍ତା ଘରର କାନ୍ଥ ଓ ଛପର ତଳେ । ଆଉ ଦି ଚାରି ଘଣ୍ଟା ମହଲତ ଦେଇଥିଲେ ହୁଏତ ସେ ତାର ଅଇନା, ପାନିଆଁ, ସେବତୀର ଝାଡ଼ୁ, କୁଲା, ବାଉଁଶିଆ, ତା ପୁଅର ତିନିଚକିଆ କାଠଗାଡ଼ି ଓ ରବର କଣ୍ଢେଇମାନଙ୍କୁ ସାଙ୍ଗରେ ଆଣି ପାରିଥାଆନ୍ତା । ମାତ୍ର ବୁଲ୍‌ଡୋଜର ମାଡ଼ରେ ଗୋବର ଲିପାପୋଛା କାନ୍ଥଗୁଡ଼ା ତାସ୍‌ ଘର ପରି ନିମିଷକେ ଭୁଶୁଡ଼ି ପଡ଼ିଲା । ସେ ପ୍ରାଣ ବିକଳରେ ସେବତୀ ଓ କାହ୍ନୁର ହାତ ଧରି ରାସ୍ତା ଉପରକୁ ଦଉଡ଼ି ପଳେଇ ଆସିଲା । କାନ୍ଥଟା କାହ୍ନୁ ଉପରେ ପଡ଼ିଯାଇଥିଲେ ତାର ସଂସାର ଭାସିଯାଇଥାଆନ୍ତା ।

 

ସେବତୀ ଅସ୍ଥାୟୀ ଘରକରଣା ସଜାଡ଼ି ଦେଇଥିଲା ଷ୍ଟାଡିୟମ୍‌ ପାଚିରି କଡ଼ର ଆମ୍ବଗଛ ତଳେ । ପଛପଟକୁ କଳିଙ୍ଗ ଷ୍ଟାଡିୟମର ପାଚେରି । ତାଆରି ପରି ଆହୁରି ବାର ଘର ଆସି ଏଇଠି ଆଶ୍ରା ନେଇଛନ୍ତି । ଖରାବେଳେ ବେଶି କିଛି କଷ୍ଟ ଜଣାପଡ଼ୁନାହିଁ, କିନ୍ତୁ ରାତି ହେଲେ ପୁଷମାସର ହାଡ଼ଭଙ୍ଗା ଜାଡ଼ ମାଡ଼ିବସୁଛି । ସେ ଆଉ କେତେଦିନ ଏମିତି ଏଇଠି ପଡ଼ିରହିବ !

 

ସେବତୀ ବି ଆମ୍ବ ଗଛତଳେ ଛିଡ଼ାହୋଇ ସେଇ ଦିଗକୁ ଚାହିଁଥିଲା–ଯୋଉ ଦିଗରେ ଆଠଦିନ ତଳେ ଥିଲା ତାଙ୍କର ବସ୍ତି, ତାଙ୍କର ଘରସଂସାର । ସେମାନେ ସେଇଠି ସାତବର୍ଷ ହେଲା ରହିଆସିଥିଲେ । ସରକାର ସେମାନଙ୍କୁ ରହିବାକୁ ଅନୁମତି ଦେଇଥିଲା । ମ୍ୟୁନିସିପାଲିଟି ତାଙ୍କ ଘର ସାମ୍ନାରେ ପାଣିକଳ ବସେଇ ଦେଇଥିଲା । ବିଜୁଳି ଖୁଣ୍ଟ ବି ବସିଥିଲା ବସ୍ତି ରାସ୍ତାରେ । ସେଇଠି କୁସୁନି, ଲକ୍ଷ୍ମଣ, ଭରତ, ରହିମ୍‌ ମିଆଁ, ରାମ ନାଇଡୁ ଓ ଦଳବେହେରା ପାଇପ୍‌ ମିସ୍ତ୍ରି ସାଙ୍ଗରେ ମିଶି ସେମାନେ ରହୁଥିଲେ । ଗୋଟେ ଗାଁ ପରି ଗହ ଗହ ହେଉଥିଲା ତାଙ୍କର ବସ୍ତି ଦିନରାତି । କାହ୍ନୁ ପରି ଟିକି ଟିକି ଛୁଆମାନେ ସେଇ ବସ୍ତିର ରାସ୍ତାରେ ଖେଳୁଥିଲେ, ଦଉଡ଼ୁଥିଲେ । ସେମାନେ ବଡ଼ ହେଉଥିଲେ । ସେଇଠି ଗଣେଶ, ଖୁଦୁରୁକୁଣୀ, କାର୍ତ୍ତିକ ଓ ସରସ୍ୱତୀ ପୂଜା ପାଳୁଥିଲେ । ଦଶହରା, ଦୋଳ ଓ ଇଦରେ ପରସ୍ପରକୁ ଶଙ୍ଖୋଳି ଯାଉଥିଲେ । ଲାଗୁଥିଲା, ସେଇଠି ସେମାନଙ୍କର ଜୀବନ ଆରମ୍ଭ ନ ହେଲେ କଣ ହେଲା, ସେଇଠି ସରିବ ।

 

ଅନେକ ଦିନ ତଳୁ ଜଗବନ୍ଧୁ ତା ନିଜର ଗାଁ ଭୂଇଁ ଛାଡ଼ି ଏଇ ସହରକୁ ଚାଲି ଆସିଥିଲା । ସେ ମାଟି ଖୋଳେ । ଗଇନ୍ତି ଓ କୋଦାଳରେ ଟାଣ ପଥରର ଟାଙ୍ଗରା ଭୂଇଁ ଖୋଳି କୋଠା ପାଇଁ ନିଆଁ ଖୋଳେ, ନାଳ ପାଇଁ ଗାଡ଼ ଖୋଳେ । ସେ କେଳା ନୁହେଁ, କିନ୍ତୁ ତା କାମ ଦେଖି ଦଳବେହେରା ପାଇପ ମିସ୍ତ୍ରି ତାକୁ କହେ ତୁ କେଳାଙ୍କଠୁଁ ବଳି । ତୋ ପରି ଏତେ ଶୀଘ୍ର ଶୀଘ୍ର କେହି ଏ ପଥୁରିଆ ମାଟି ଖୋଳିପାରନ୍ତା ନାହିଁ ।

 

ସେବତୀ ରେଜାକୁଲି । ରହିମ୍‌ ମିଆଁ ଠିକାଦାର ସାଙ୍ଗରେ ସେ ସକାଳୁ କାମକୁ ଯାଏ, ଫେରେ ସଂଜକୁ । ଗଲାବେଳେ କାହ୍ନୁକୁ ସାଙ୍ଗରେ ନେଇଯାଏ । ଜଗବନ୍ଧୁ ଜିମାରେ ଛୁଆଟାକୁ ଛାଡ଼ିଦେଇ ଯିବାକୁ ସେବତୀର ମନ କହେ ନାହିଁ । ଲୋକଟି ପରକାମକୁ ଯେମିତି କାମିକା, ଘରକାମକୁ ସେମିତି ନିକମା । କାନ୍ଧରେ ପଡ଼ିଲେ ଓଜନିଆ ପଥର ଟେକି ଟେକି ନେଇଯିବ ପାହାଡ଼ ଶିଖକୁ, କିନ୍ତୁ ଘରେ ରହିଲେ କନ୍ଥା ଛାଡ଼ି ଆଉ କୁଆଡ଼େ ଯିବାକୁ ଚଙ୍କିବ ନାହିଁ । ଦିନେ ସେବତୀ ଜଗବନ୍ଧୁର ଜିମାରେ ପୁଅକୁ ଛାଡ଼ି କାମକୁ ଯାଇଥିଲା । ହିଟରରେ ଅଣ୍ଡା ଦିଇଟା ବସେଇ ଜଗବନ୍ଧୁକୁ ଜଗିବା ପାଇଁ ସେ କହିଯାଇଥିଲା । କିନ୍ତୁ ଲୋକଟି ଏଡ଼େ ଅଳସୁଆ, ଛୁଆଟାକୁ ଟିକେ ଜଗି ପାରିଲା ନାହିଁ । ହିଟର୍‌ ଉପରେ ଗବ ଗବ ହୋଇ ଫୁଟୁଥିଲା ଗରମ ପାଣିରେ ଅଣ୍ଡା ଦିଇଟା ଏପଟ ସେପଟ ଗଡ଼ୁଥିଲା । କାହ୍ନୁ ତ ଦି ବର୍ଷର ପିଲା । ସେ ବା କଣ ଜାଣିଥିଲା ? କାହ୍ନୁ ତାକୁ ମିଠେଇ ଭାବି ସେଇ ଗରମ ପାଣିରେ ହାତବୁଡ଼େଇ ଅଣ୍ଡା ଗୋଟିଏକୁ ଧରିପକେଇଥିଲା । ପିଲାଟାର କଆଁଳ ହାତ ସିଝିଯାଇଥିଲା ତତଲା ପାଣିରେ । ସେ ରାହା ଧରି କାନ୍ଦିଥିଲା... ।

 

ସେଇଦିନୁ ଆଉ କେବେ କାହ୍ନୁକୁ ଜଗବନ୍ଧୁ ଜିମାରେ ଛାଡ଼ି ସେବତୀ କାମକୁ ଯାଏ ନାହିଁ-। ଯୁଆଡ଼େ ଯାଏ ପିଠିରେ ଲାଉକରି ପୁଅକୁ ସାଂଗରେ ନେଇ ଯାଏ । ନିମିଷକ ପାଇଁ ତାକୁ ଆଖିରୁ ଅନ୍ତର କରେ ନାହିଁ । ନିଜ ପାଇଁ ଟିଫିନ୍‌ କ୍ୟାରିଅରରେ ପଖାଳ, ତେନ୍ତୁଳି ଓ କାହ୍ନୁ ପାଇଁ ଚୁଡ଼ାଭଜା ସାଙ୍ଗରେ ନେଇଯାଏ ।

 

ଜଗବନ୍ଧୁର ଛାତି ଭିତରଟା ହାହାକାର କରିଉଠିଲା । ସେବତୀର ବି । ଏଇ ହାତରେ ସେମାନେ ସହରର ଏକତାଲା, ଦୋତାଲାରୁ ନେଇ ଦଶତାଲା କୋଠା ତିଆରିଛନ୍ତି । ହୋଟେଲ୍‌, ଅଫିସ୍‌ ଓ ବଙ୍ଗଳା ତୋଳିଛନ୍ତି ସେମାନେ । ମୁଣ୍ଡରେ ବାଲି, ସିମେଣ୍ଟ, ଚିପ୍‌ସ ଓ ଇଟା ବୋହି ବୋହି କଇଁଛ ପାଲଟିଛନ୍ତି । ଅଥଚ ଆଜି ସେମାନଙ୍କ ମୁଣ୍ଡ ଗୁଂଜିବା ପାଇଁ ସହରରେ ଟିକେ ଜାଗା ନାହିଁ ! ସେମାନେ ରାତାରାତି ଉଦ୍‌ବାସ୍ତୁ ହୋଇଯାଇଛନ୍ତି । ମୁଣ୍ଡ ଉପରେ ମେଲା ମୁକୁଳା ଆକାଶ ଆଉ ପାଦତଳେ ନୁଖୁରା ଟାଙ୍ଗରା ଭୂଇଁ ।

 

ସେବତୀ ଜଗବନ୍ଧୁକୁ ଦମ୍ଭ ଦେଲା, “ଏକା କଣ ଆମର ଏ ଦଶା ହୋଇଛି ? ବସ୍ତିର ସବୁଲୋକ ତ ବାସ ହରେଇଛନ୍ତି । ତୁଚ୍ଛାଟାରେ ଆମେ ଆମରି ଭାଗ୍ୟକୁ ନିନ୍ଦିବା କିଆଁ ?”

 

ଜଗବନ୍ଧୁର ପୁଅ ଡୋଳାରେ ଟଳମଳ ହେଉଥିବା ଲୁହବୁନ୍ଦା ସେବତୀର ଶୀତଳ କଥାରେ ବର୍ଷାବୁନ୍ଦା ପରି ନିଗିଡ଼ିପଡ଼ିଲା । ସେ ହାତ ଚକିରେ ତାର ଲୁହଗୁଡ଼ାକୁ ରୁଢ଼ଭର୍ତ୍ତି ଗାଲ ଉପରେ ନେସିଦେଲା ।

 

ଆଗରୁ କେତେଥର ବି ଏମିତି ନୋଟିସ୍‌ ଆସିଥିଲା–ବସ୍ତି ଛାଡ଼ି ଚାଲିଯାଅ । ଏଠି ନୂଆ କଲୋନି ହେବ । ବଡ଼ ବଡ଼ ବଙ୍ଗଳା ତୋଳାଯିବ । ଇଏ ସରକାରୀ ଜାଗା, ଏ ଜାଗାର ଦାମ୍‌ ଅମୂଲ ମୂଲ । କିନ୍ତୁ ଶେଷ ପର୍ଯ୍ୟନ୍ତ ସେମାନଙ୍କୁ ଜାଗା ଛାଡ଼ି ଯିବାକୁ ପଡ଼ିନଥିଲା । ସକାଳେ ପେଣ୍ଟସାର୍ଟ ପିନ୍ଧା ବାବୁମାନେ ଧମକ ଦେଇ ଚାଲି ଯାଉଥିଲେ ସତ, ଉପରବେଳାକୁ ପଞ୍ଜାବି ଓ ଧୋତିପିନ୍ଧା ନେତାମାନେ ଆସି କହିଯାଉଥିଲେ, ‘ତମେ ଏଇଠି ରହିବ, କୁଆଡ଼େ ଯିବା ଦରକାର ନାହିଁ । ତମକୁ ଏଠୁ କେହି ଉଠେଇପାରିବ ନାହିଁ ।’ ନିଜେ ମୁଖ୍ୟମନ୍ତ୍ରୀ ବର୍ଷରେ ଥରେ ଯେମିତି ହେଲେ ଏଠିକୁ ଆସୁଥିଲେ । ତାଙ୍କର ଜନ୍ମଦିନ ସେ ପାଳୁଥିଲେ ଏଇ ବସ୍ତିରେ । ସେମାନଙ୍କୁ ଲଡୁ ଓ ଗଜା ବାଣ୍ଟୁଥିଲେ, ତାଙ୍କ ଘରବାଲୀମାନଙ୍କୁ କସ୍ତାଶାଢ଼ି ଓ ଛୁଆଙ୍କୁ ଜାମା ଦେଇଯାଉଥିଲେ । ଦୟାଳୁ ନେତା ରାଜୁବାବୁ ! ଭୋଟ୍‌ ଆଗ ସଂଜବେଳେ ତାଙ୍କର ଚୈତନ୍ୟରଥରେ ଆସି ସେ ଘର ଘର ବୁଲି ସମସ୍ତଙ୍କ ଦୁଃଖସୁଖ ବୁଝି ଯାଉଥିଲେ । ସେମାନଙ୍କୁ ଟଙ୍କା, ଚାଉଳ ଓ ଚିନି ଦେଉଥିଲେ । ପ୍ରଚାର ପାଇଁ ଗଲେ ମର୍ଦ୍ଦଲୋକଙ୍କୁ ଲଣ୍ଠନ ଚିହ୍ନ ଛାପାଥିବା ଗେଂଜି ଓ ମାଇପିଲୋକଙ୍କୁ ସେଇ ଛାପାଥିବା ଶାଢ଼ି ଦେଉଥିଲେ । ଏଥର ବି ଜଗବନ୍ଧୁ ଓ ସେବତୀ ଲଣ୍ଠନ ଚିହ୍ନରେ ଭୋଟ୍‌ ଦେଇଥିଲେ । ତାହାହେଲେ ତାଙ୍କର ଏ ଦଶା କାହିଁକି ହେଲା ? କୋଉଠି କି ଭୁଲ୍‌ ରହିଗଲା ?

 

ଆମ୍ବଗଛ ତଳେ ତିନିଟା ଭଙ୍ଗା ଇଟା ଡେରାଦେଇ ସେବତୀ ଗୋଟେ ଚୁଲି ବନେଇଥିଲା । ସେଇ ଚୁଲି ଉପରେ ବସିଥିଲା ଭାତହାଣ୍ଡି । ଜଗବନ୍ଧୁ ଇଆଡ଼ୁ ସିଆଡ଼ୁ ବର, ଅଶ୍ୱତ୍‌ଥ ଡାଳ ଗୋଟେଇ ଆଣିଥିଲା । ବରକାଠ ଜଳେ ନାହିଁ, ଧୂଆଁ ହୁଏ । ପୁଣି ସେଗୁଡ଼ା ଠାକୁର ଗଛ ବୋଲି ତା ଡାଳ କେହି ଜାଳନ୍ତି ନାହିଁ । କିନ୍ତୁ ଜଗବନ୍ଧୁ କଣ ଆପଣା ଖୁସିରେ ଠାକୁର ଗଛର ଡାଳ ଭାଙ୍ଗି ଆଣିଛି ! ପେଟ ପୋଡ଼ିଗଲା ବେଳେ ମଣିଷ ଭଲମନ୍ଦ ଚିନ୍ତା କରିପାରେ ନାହିଁ । ସେ ସେବତୀକୁ ପଚାରିଲା, “ଆଉ କେତେ ଡେରି ହବ ?”

 

ବରଡାଳର ଧୂଆଁରେ ଆକ୍ତାମାକ୍ତା ସେବତୀ ଲୁଗାକାନିରେ ତାର ଲୁହ, ସିଂଘାଣି ଓ ଝାଳ ସବୁକୁ ପୋଛି ଆଣୁ ଆଣୁ ଜବାବ ଦେଲା, “ଆଉ ଟିକିଏ ରଇଥା, ବାଢ଼ି ଦଉଛି ।”

 

ଜଗବନ୍ଧୁ ଏବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନା ପଣସ ଗଛମୂଳେ । କାହିଁ କେତେଆଡ଼ୁ ଆସିଥିବା ମାଇପି, ମରଦ, ବୁଢ଼ାବୁଢ଼ୀ, ଛୋଟା, କେମ୍ପା, ଅନ୍ଧ, ଅନ୍ଧୁଣୀ, ଭିକାରୁଣୀ, ସାନପିଲା, ବାବୁ, ବଡ଼ବାବୁ ଓ ନେତାଙ୍କ ଭିଡ଼ ଭିତରେ ଜଗବନ୍ଧୁ କୋଣଠେସା ହୋଇଯାଇଛି । ଯହୁଁ ଯହୁଁ ବେଳ ଗଡ଼ି ଯାଉଛି ତହୁଁ ତହୁଁ ଜଗବନ୍ଧୁ ଅତିଷ୍ଠ ହୋଇପଡ଼ୁଛି । ଏତେବେଳ ପର୍ଯ୍ୟନ୍ତ ବୀରବାବୁ କି ଦଳବେହେରା ପାଇପ ମିସ୍ତ୍ରି କେହି ଆସିଲେ ନାହିଁ । ଅଥଚ ଦଳବେହେରା ବାରବାର କରି କହିଥିଲା, ସେମାନେ ନିଶ୍ଚୟ ବୀରବାବୁଙ୍କୁ ସାଙ୍ଗରେ ଧରି ଆସି ପହଞ୍ଚିବେ । ବସ୍ତିବାଲାଏ ମୁଖ୍ୟମନ୍ତ୍ରୀଙ୍କ ଘର ଆଗ ପଣସ ଗଛମୂଳେ ଯେମିତି ଅପେକ୍ଷା କରିଥିବେ । କିନ୍ତୁ ସେମାନେ ଗଲେ କୁଆଡ଼େ ? ପାଖରେ ବୀରବାବୁ, ଦଳବେହେରା କି ଆଉ କେହି ବସ୍ତିବାଲା ନଥିଲାବେଳେ ଯଦି ମୁଖ୍ୟମନ୍ତ୍ରୀ ଡାକିଦିଅନ୍ତି, ସେ ଯାଇ ତାଙ୍କୁ କଣ କହିବ ? ତାକୁ କଣ ବାଗେଇକି ତା ଦୁଃଖ କହି ଆସିବ ? ତା ପାଖରେ ଦରଖାସ୍ତ ବି ନାହିଁ । ଦଳବେହେରା ପାଖରେ ସେଇଟା ଅଛି । ସେ ବୁଲି ବୁଲି ସେଥିରେ ସମସ୍ତଙ୍କଠାରୁ ଦସ୍ତଖତ, ଟିପଚିହ୍ନ ନେଇଥିଲା ।

 

କିଛି କାରଣ ନଥାଇ ଜଗବନ୍ଧୁ ଦଳବେହେରା ଉପରେ ରାଗିଗଲା । ସେବତୀ ଠିକ୍‌ କହୁଥିଲା, ଏଇ କୁଜିନେତାମାନଙ୍କୁ ଜମାରୁ ବିଶ୍ୱାସ କରିବା କଥା ନୁହେଁ । ଦଳବେହେରା ବାର ତେର ବର୍ଷ ଆଗେ ଷ୍ଟେସନ୍‌ ପାଖ ତଳ ସାହିରେ ରହୁଥିଲା । ସେଇ ସାହିରେ ଦାରୀମାନଙ୍କ ସଂଖ୍ୟା ବଢ଼ିଗଲା । ଭଡ଼ୁଆମାନେ ଯିବାଆସିବା ଲୋକଙ୍କ ଉପରେ ଜୁଲୁମ କଲେ । ରାଜଧାନୀର ଇଜ୍ଜତ ମହତ ଦିକଡ଼ାର ହୋଇଗଲା । ମନ୍ତ୍ରୀ ହୁକୁମ ଦେଲେ, ତଳସାହି ଭଙ୍ଗା ହେବ । ତଳସାହି ଲୋକମାନେ ଆପତ୍ତି କଲେ । କେତେଟା ଭଡ଼ୁଆଙ୍କ ପାଇଁ ସବୁରି ଘର କାହିଁକି ତମେ ଭାଙ୍ଗିବ ? ଦଳବେହେରା ବି ଆପତ୍ତି କଲା । ସରକାର ସେମାନଙ୍କୁ ତଳସାହିରୁ ନେଇ ଲକ୍ଷ୍ମଣପୁରରେ ରଖିଲେ । ଜାଗାଦେଲେ, ରାସ୍ତା ପାଣି ବିଜୁଳି ଆଲୁଅ ବ୍ୟବସ୍ଥା କଲେ । ଦଳବେହେରା ମଧ୍ୟ ପାଇଥିଲା ଗୋଟାଏ ଡିହ ।

 

କୁଆଡ଼ୁ କେମିତି ଏତେକଥା ସେବତୀ ସଂଗ୍ରହ କରେ କେଜାଣି ? ଜଗବନ୍ଧୁ ଜାଣିପାରେ ନାହିଁ । ଇଏ ତା ଘରବାଲୀ ନା ପୁଲିସ ଗୁଇନ୍ଦା ? ସେବତୀ କିନ୍ତୁ ତାର ଏଇ ପାରିବାପଣିଆ ନେଇ କୋଉଠି କିଛି କହେ ନାହିଁ । ‘କାମ ସାଇଟରେ ଲୋକମାନେ ନିଜ ନିଜ ଭିତରେ କଥାବାର୍ତ୍ତା ହେଉଥିଲେ, ସେଇଠୁ ଶୁଣିଥିଲି’ କହି ଚାଲିଥାଏ । ଦଳବେହେରା ଲକ୍ଷ୍ମଣପୁରର ଡିହ ଉପରେ ଘର ତୋଳି ଭଡ଼ା ଲଗେଇଦେଇଛି । ସହର ପାଖ ହେବ ବୋଲି ଆସି ରହିଛି ଏଇ ବସ୍ତିରେ ।

 

ପଣସ ଗଛ ଛାଇ ଘୁଞ୍ଚି ଘୁଞ୍ଚି ଯାଉଥିଲା । ଜଗବନ୍ଧୁ ବେକ ଟେକି ସାମ୍ନାକୁ ଅନେଇଲା । ଲୋକଙ୍କ ଗହଳି କମୁନାହିଁ, ଓଲଟି ବଢ଼ୁଛି । ଦୂରରେ ମୁଖ୍ୟମନ୍ତ୍ରୀଙ୍କ ଘରର ଫାଟକ । ଗୋଟେ ବଡ଼ ଫାଟକ, ଆଉ ଗୋଟେ ଛୋଟ ଫାଟକ । ଦି ପଟେ ପୁଲିସ । କାନ୍ଧରେ ବନ୍ଧୁକ ଓହଳିଛି । ସେ ଶଣ୍ଢା ଟେକି ଦେଖିଲା, ବେଳେ ବେଳେ ସେ ବଡ଼ ଗେଟ୍‌ ଫିଟିଯାଉଚି, ଗାଡ଼ି ପଶିଯିବା କ୍ଷଣି ପୁଣି ତହିଁରେ ଚାବି ପଡ଼ିଯାଉଛି । ଛୋଟ ଫାଟକବାଟେ ଯାଉଥିବା ଲୋକଙ୍କୁ ପୁଲିସ ଆଗେ ଧରିନେଉଛି ଗୋଟେ ଛୋଟିଆ ଘରକୁ । ସେଇଠି ସେମାନଙ୍କ ତଲାସି ନେଉଛି । ମେସିନ୍‌ ପକେଇ ଦେଖୁଛି, କେହି କିଛି ହତିଆର କି ବମ୍‌ ଫମ୍‌ ନେଇ ଯାଉଛି କି କ’ଣ ! ତାପରେ ସାନ ଫାଟକ ବି ବନ୍ଦ ହୋଇଯାଉଛି । ଜଗବନ୍ଧୁ ହତାଶ ହୋଇପଡ଼ିଲା । କାଲି ଆସି ସେ ଏଇଠୁ ଫେରି ଯାଇଥିଲା । ଆଜି ଦଳବେହେରା ନିର୍ଭୟ କରି କହିଥିଲା, ବୀରବାବୁ ଆସିବେ । ସେ ସେମାନଙ୍କୁ ସାଙ୍ଗରେ ଧରି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ନେଇଯିବେ । ମୁଖ୍ୟମନ୍ତ୍ରୀ ହେଲେ ରାଜ୍ୟର ରାଜା । ସେ କଣ କହିବେ ଜଗବନ୍ଧୁ ଓ ସେବତୀ ଅଘରୀ ହୋଇଯାଆନ୍ତୁ । ନା, କେବେ ନୁହେଁ ।

 

ଭିଡ଼ ଭିତରର ଲୋକମାନେ ଅଧୈର୍ଯ୍ୟ ହୋଇପଡ଼ୁଛନ୍ତି । କିଏ କେତେ ଦୂରରୁ ଆସିଛି । କେତେ ପ୍ରକାର ଗୁହାରିଆ । ତୁ କୋଉଠୁ ଆଇଛୁ–ଜଗବନ୍ଧୁ ତା ପାଖରେ ଛିଡ଼ା ହୋଇଥିବା ବୁଢ଼ୀଟିକୁ ପଚାରିଲା । ‘ପଥରଲସାରୁ ବାପ !’ ପଥରଲସା ? ଏମିତି ଗୋଟେ ଜାଗା ଅଛି କୋଉଠି-? ଏଇ ରାଇଜରେ ନା ଦିଲ୍ଲୀ ବମ୍ବେରେ ବା ! ଜଗବନ୍ଧୁ ନିଜର ଅଜ୍ଞତାକୁ ଲୁଚେଇ ତୁନି ପଡ଼ିଲା-

 

ଖଦଡ଼ ପିନ୍ଧା ଟୋକା ଜଣେ ଖୁବ୍‌ ପାଟିତୁଣ୍ଡ କରୁଥିଲା । ସେ ନିଜକୁ ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ ବୋଲି କହୁଥିଲେ ସୁଦ୍ଧା ପୁଲିସ ତାକୁ ଭିରତକୁ ଛାଡ଼ୁ ନଥିଲା । ସେଥିପାଇଁ ସେ ଭାଷା ଅଭାଷାରେ କଣ କଣ ସବୁ ଗପିଯାଉଥିଲା । ତାର ସେ କଥାଗୁଡ଼ା ଜଗବନ୍ଧୁକୁ ଭାଷଣ ପରି ଶୁଭୁଥିଲା ।

 

: ଶଳା, ଆମକୁ କାହିଁକି ଛାଡ଼ିବ ? ତୁମର ତ ଚାରି ରକମର ଗେଟ୍‌ । କାହା ପାଇଁ ମେଲା ମୁକୁଳା, କାହାକୁ ଗମ୍ଭୀରି ଘର, କାହା ପାଇଁ ସାହାଣ ମେଲା...ତୁମର କଣ କିଛି ନିୟମ ଅଛି-? ମୋ ସ୍ଲିପ୍‌ଟା ବି ପଠଉନାହାନ୍ତି । ସି.ଏମ୍‌. ଜାଣିଲେ ସାଙ୍ଗେ ସାଙ୍ଗେ ଡାକନ୍ତେ । –ସେ କହୁଥିଲା-

 

ଜଗବନ୍ଧୁ ଟୋକାଟାର କଥା ସବୁ ବୁଝୁ ନଥିଲେ ବି ଲୋକଟି ଯେ ପୁଲିସବାଲାଙ୍କୁ ଗାଳି ଦଉଥିଲା ସେକଥା ସେ ବୁଝି ପାରୁଥିଲା । ସେଇଥିପାଇଁ ଜଗବନ୍ଧୁ ଖୁସି ହେଉଥିଲା । ତାକୁ ବି ସେ ପୁଲିସ ଗେଟ୍‌ ପାଖରୁ ବେକୁଆ ଦେଇ ତଡ଼ିଦେଇଥିଲା । ଟୋକାଟାର ଗାଳିରେ ତା ମନ କିଛି ପରିମାଣରେ ଶାନ୍ତ ହେଉଥିଲା ।

 

ଜଗବନ୍ଧୁକୁ କାନ୍ଦ କାନ୍ଦ ଲାଗୁଥିଲା । ୟାଠୁଁ ଭଲ ହୁଅନ୍ତା ସେ ସେବତୀକୁ ନେଇ ଗାଁକୁ ପଳାନ୍ତା । କିନ୍ତୁ ଗାଁରେ ବା ତାର ଅଛି କିଏ ? ବାପ ନାହିଁ, ମା ନାହିଁ । ଘର ଡିହ ଖଣ୍ଡକ କାଶି ଦାସ କୋଉକାଳୁ କବ୍‌ଜା କରିନେଇ ସେଥିରେ ବାଇଗଣ, କାକୁଡ଼ି, ପୋଇ, କଖାରୁ ଲଗଉଛି । ଜଗବନ୍ଧୁ ଗାଁକୁ ଫେରିଗଲେ ରହିବ କୋଉଠି ? ନିଜ ଜନମ ଭୂଇଁରେ ଚିହ୍ନା ଲୋକଙ୍କ ମେଳରେ ବାରଦ୍ୱାର ହେବାଠାରୁ ଏଇ ଅଚିହ୍ନା ମୁଲକରେ ଅଘରୀ ହୋଇ ବୁଲିବା ଭଲ ।

 

ଖରା ଟାଣ ହେଉଛି । ପୁଷମାସ ଖରା ବୋଲି ଜଣାପଡ଼ୁନାହିଁ ସିନା, ଗୋଟିଏ ଜାଗାରେ ଠିଆ ହୋଇଗଲେ କାଟୁଛି । ତରବରରେ ଗରମ ଜାଉ ବେଲାଏ ହାପୁଡ଼ି ଦେଇ ଜଗବନ୍ଧୁ ପଳେଇ ଆସିଥିଲା । ଏତେ ଡେରି ହେବ ବୋଲି ଜାଣିଥିଲେ ସିଏ ଟିକେ ଥମ୍‌ ଧରି ଖାଇ ଆସିଥାନ୍ତା ।

 

ସାମ୍ନାର ଲୋକଭିଡ଼ ହଠାତ୍‌ ଯେମିତି ଚଞ୍ଚଳ ହୋଇପଡ଼ିଲା । ଗୋଟେ ପୁଲିସ ଜିପ୍‌ ସାଇରନ୍‌ ବଜାଇ ହତା ଭିତରୁ ମାଡ଼ିଆସିଲା । ବଡ଼ ଗେଟ୍‌ଟା ଉଭା ମୁକୁଳା ହୋଇଗଲା । ଜିପ୍‌ ପଛେ ପଛେ ନାଲି ଲାଇଟ୍‌ ଲଗା ତିନି ଚାରିଖଣ୍ଡ ଗାଡ଼ି ପିଁ ପିଁ କରି ପଳେଇଲା । ତାରି ଭିତରୁ ଗୋଟାକରେ ମୁଖ୍ୟମନ୍ତ୍ରୀ ବସିଥିଲେ ବୋଲି ଲୋକମାନେ କୁହାକୁହି ହେଉଥିଲେ । କାହିଁ ? କୋଉଠି ? ଜଗବନ୍ଧୁ ତ ଦେଖିପାରିଲା ନାହିଁ । ସେ ହତାଶ ହୋଇପଡ଼ିଲା । ଦୁଆର ମୁହଁରେ ଏତେ ଲୋକ ! ସେମାନଙ୍କୁ ଏଇମିତି ରାସ୍ତା ଉପରେ ଛାଡ଼ିଦେଇ କ’ଣ ମୁଖ୍ୟମନ୍ତ୍ରୀ ସତରେ ପଳେଇଥିବେ-?

 

ଜଗବନ୍ଧୁ ପାଖ ଲୋକଟିକୁ ପଚାରିଲା, “ମୁଖ୍ୟମନ୍ତ୍ରୀ କଣ ସତରେ ପଳେଇଲେ ?”

 

ଲୋକଟି ଜଗବନ୍ଧୁକୁ ଡିମାଡିମା ଆଖିରେ ଅନେଇଲା । ‘କିରେ ! ତୋର ସେ ଦିଇଟା ଆଖି ନା ଗାତ ? ତୋ ସାମ୍ନାରେ ପରା ଦେଖିଲୁ, ଏଇବାଟ ଦେଇ ଗଲେ । ଫେର୍‌ ପଚାରୁଛୁ କଣ-? ଜାଣି ଓଲାଟା କି-?’

 

ଜଗବନ୍ଧୁ ସେ ଲୋକ ଉପରେ ଚିଡ଼ିଲା ନାହିଁ । ସିଏ ବି ତା ପରି ମୁଖ୍ୟମନ୍ତ୍ରୀଙ୍କ ଦେଖା ପାଇନାହିଁ । ଭାଙ୍ଗିପଡ଼ିଥିବା ମଣିଷ ଏମିତି ଚିଡ଼ିଚିଡ଼ି ହୁଏ ।

 

ଧୀରେ ଧୀରେ ଲୋକଗହଳି ପତଳା ହୋଇଗଲା । ଜଗବନ୍ଧୁ ଭିତରେ ଥିବା ଆଶା ଟିକକ ଭାଙ୍ଗିଗଲା । ବୀରବାବୁ ଆସିଲେ ନାହିଁ । ଏଣେ ମୁଖ୍ୟମନ୍ତ୍ରୀ ଚାଲିଗଲେ । ଦଳବେହେରା କୁଆଡ଼େ ଗଲା ତାର ଦେଖା ମିଳୁନାହିଁ ।

 

ସେବତୀ ପାଖକୁ ଏଇମିତି ଖାଲି ଖାଲିଟାରେ ଫେରି ଯିବାକୁ ଜଗବନ୍ଧୁର ମନ ହେଉନଥିଲା । କାମଦାମକୁ ଯିବାପାଇଁ ବି ଆଗ୍ରହ ନାହିଁ । କୁଆଡ଼େ ଯିବ ସେ ! ମୁଣ୍ଡ ଲୁଚେଇବା ପାଇଁ ଛପରଟିଏ ତାର ନାହିଁ । ତାର ପିଲାଛୁଆ ଅପନ୍ତରାରେ ପଡ଼ିଛନ୍ତି । ଆଗକୁ ଆସୁଛି ମାଘମାସ–ଏଥିରେ ସେ ମୁଣ୍ଡ ଥଣ୍ଡା ରଖି କାମକୁ କେମିତି ଯାଇ ପାରିବ ?

 

ଜଗବନ୍ଧୁ ସେହି ଖରାରେ ଫେରି ଆସିଲା । ତା ଭିତରର ଅସହାୟତା ଗୋଟେ ନିଷ୍ଫଳ ଆକ୍ରୋଶର ରୂପ ନେଉଥିଲା । ମନେ ମନେ ସେ ଭୋଟ୍‌ ଆଗ ଦିନଗୁଡ଼ିକର କଥା ମନେପକଉଥିଲା । ସେତେବେଳେ ଯୋଉ ନେତା ଆସିଲେ ବି ଖୋଜିଲୋଡ଼ି ତାଙ୍କ ବସ୍ତିକୁ ଆସୁଥିଲେ । ଲଣ୍ଠନ ଦଳର ରାଜୁବାବୁଙ୍କର ସବୁ ରାଲି ଓ ଧାରଣାକୁ ଜଗବନ୍ଧୁ ଓ ସେବତୀକୁ ଡାକି ପଠଉଥିଲେ । ଦିନରେ ଦୁଇବେଳା ପୁରି, ଡାଲମା ଓ ଲଡୁ ଖୁଆଉଥିଲେ । ଲଣ୍ଠନ ଦଳର ପତାକା ଧରି ସେ “ଜୟ ଜୟ” ନ ହେଲେ “ଜିନ୍ଦାବାଦ ଜିନ୍ଦାବାଦ” କହି ଶୋଭାଯାତ୍ରାରେ ଚାଲୁଥିଲା । ସାଙ୍ଗରେ ସେବତୀ ବି । ମଜୁରିକୁ ମଜୁରି ମିଳୁଥିଲା, ଟ୍ରକ୍‌ ଡାଲାରେ ବସି ସହରରୁ ସହର ବୁଲୁଥିଲେ ସେମାନେ । ବୀରବାବୁଙ୍କ ସଭାକୁ ବି ଥରେ ଯାଇଥିଲା ଜଗବନ୍ଧୁ । ତାଙ୍କଠୁ ସୂର୍ଯ୍ୟଚିହ୍ନ ଛପା ପତାକାଟିଏ, ସେବତୀ ପାଇଁ ବିନ୍ଦି, କସ୍ତା ଓ କାହ୍ନୁ ପାଇଁ ଗଂଜି ଖଣ୍ଡେ ପାଇଥିଲା । ଜଗବନ୍ଧୁ କହିଥିଲା, ‘ଏସବୁ କିଛି ଆମର ଲୋଡ଼ା ନାହିଁ । ଆମେ ଯେମନ୍ତେ ମୁଣ୍ଡ ଗୁଂଜିବାକୁ ଜାଗାଖଣ୍ଡେ ପାଇବୁ, ଆମକୁ ସେଇ ବେବସ୍ଥା କରିଦିଅନ୍ତୁ ।’ ବୀରବାବୁ ଅଭୟବାଣୀ ଶୁଣାଇ କହିଥିଲେ, ‘କିଛି ଅସୁବିଧା ହେବ ନାହିଁ । ତୁମେ ଯାଅ ।’

 

ଆଜି ସେଇ ବୀରବାବୁ ସେମାନଙ୍କର ଏଇ ବିପତ୍ତି ବେଳେ ତାଙ୍କ ପାଖକୁ ଟିକେ ଆସିଲେ ନାହିଁ । ଏମିତି ପର ହୋଇଗଲେ ବୀରବାବୁ ?

 

ଜଗବନ୍ଧୁ ଯାଇ ଦଳବେହେରାକୁ ଖୋଜି ଖୋଜି ଆଠ ନମ୍ବର ପାଣିପମ୍ପ୍‌ ପାଖରେ ପାଇଲା । ତାର ସବୁ ରାଗ ଓ ଅଭିମାନ ସେ ଦଳବେହେରା ଉପରେ ଅଜାଡ଼ି ଦେଲା ।

 

: ଭଲ ଲୋକ ତ ତେମେ ! ଆମେ ସକାଳୁ ପହରୁ ଯାଇ ସେଠି ଧାରଣା ଦେଇଛୁ । ତେମେ ଆମକୁ କଥା ଦେଇ ଏଠି ଆସି ତମର କାମଧନ୍ଦା କରୁଛ ? ତାହାହେଲେ ଆମକୁ ମିଛଟାରେ ସେଠି ଠିଆ କରେଇଲ କାହିଁକି ? –ଜଗବନ୍ଧୁ ପଚାରିଲା ।

 

ଦଳବେହେରା ଦରଜଳା ବିଡ଼ିଟାକୁ ତଳେ ପକେଇ ତା ଉପରେ ନିଜର ଚପଲ ମାଡ଼ି ଦେଉ ଦେଉ କହିଲା, “ଆରେ ମୋ କଥା ତ ଆଗେ ଶୁଣ । କଥା ନଶୁଣି ରାଗିଲେ ଏବେ ମୁଁ କଣ କରିବି ?”

 

: ହଉ କୁହ–ଜଗବନ୍ଧୁ ନିସ୍ପୃହ ଭାବେ କହିଲା । ଏମିତି ଖାଲି ହାତରେ ସେବତୀ ପାଖକୁ ଫେରିଯିବା ପାଇଁ ତାର ଆଗ୍ରହ ହେଉ ନଥିଲା । ଅନ୍ତତଃ ଦଳବେହେରା କଥାରୁ କିଛି ଗୋଟେ ଯୁକ୍ତିଯୁକ୍ତ କାରଣ ମିଳିପାରେ ।

 

: ବୀରବାବୁ ଆମମାନଙ୍କ ଉପରେ ଖୁବ୍‌ ଖପ୍ପା । ମୋଟୁରୁ ତ ମୋତେ ଦେଖା ଦେଲେ ନାହିଁ । ଦି’ଘଣ୍ଟା ପରେ ଦେଖା ପାଇଲି ଯେ, ଖାଲି ଗାଳି ଶୁଣିବା ପାଇଁ । ବହୁତ କୁହାବୋଲା ପରେ ବି ଯେତେବେଳେ ସେ ମୁଖ୍ୟମନ୍ତ୍ରୀଙ୍କ ବସାକୁ ଆସିବା ପାଇଁ ମଙ୍ଗିଲେ ନାହିଁ, ମୁଁ ତାଙ୍କୁ ଟେଲିଫୋନ୍‌ କରିବାକୁ କହିଲି । ସେତେବେଳକୁ ମୁଖ୍ୟମନ୍ତ୍ରୀ ଚାଲିଗଲେଣି !

 

ଜଗବନ୍ଧୁ ଦଳବେହେରାର କଥା ଶୁଣି ହତାଶ ହୋଇପଡ଼ିଲା । ଯାହାର ଭାଗ୍ୟ ଖରାପ ତା ଉପରେ ସମସ୍ତେ ଖପ୍ପା ହୁଅନ୍ତି । କିନ୍ତୁ ସେମାନେ ହାତବାନ୍ଧି ବସି ରହିଲେ ଚଳିବ ନାହିଁ ! ସେ ଅସହାୟ ଭଂଗୀରେ ପଚାରିଲା, ‘ତାହେଲେ ଆମେ କଣ କରିବା ?’

 

ଦଳବେହେରା କିଛି ସମୟ ନେଲା ଏ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ । ତାପରେ ସେ କହିଲା, “କାଲି ଆମେ ସମସ୍ତେ ଆଗେ ବୀରବାବୁଙ୍କୁ ଯାଇ ଭେଟିବା । ତାଙ୍କୁ ବୁଝାଶୁଝା ନକରିବାଯାଏ ସେ ଆମ ଦୁଃଖ ମୁଖ୍ୟମନ୍ତ୍ରୀଙ୍କୁ କହିବେ ନାହିଁ । ଏଇକ୍ଷିଣା ବୀରବାବୁ ଛଡ଼ା ଆମର ବା ଆଉ କିଏ ଭରସା ଅଛି ? ଶୁଣିଛି ବୀରବାବୁ ତାଙ୍କ ଡାହାଣ ହାତ ।”

 

: ଆଉ ବାଁ ହାତ କିଏ ? –ଜଗବନ୍ଧୁ ନିର୍ବୋଧଙ୍କ ପରି ପଚାରିଲା ।

 

: କୁଲୁ ବାବୁ । ସେ ଖୁବ୍‌ ଟାଣୁଆ ଯୁବନେତା । କିନ୍ତୁ ତାଙ୍କୁ ଧରିବା ଭାରି କଷ୍ଟ । ତା’ଛଡ଼ା ବସ୍ତିବାଲାଙ୍କ କଥା ବୁଝିବ ବୀରବାବୁଙ୍କ ଡିପାର୍ଟମେଣ୍ଟ୍‌ । ତାଙ୍କୁ ମୁଖ୍ୟମନ୍ତ୍ରୀ ସେଇ ଦାୟିତ୍ୱ ସଆଁପିଛନ୍ତି ।

 

ବୀରବାବୁଙ୍କ ଘର ସାମ୍ନା ରାସ୍ତାରେ କଣ ସବୁଦିନେ ଏମିତି ମେଳା ମଉଛବ ପରି ଭିଡ଼ ଲାଗିଥାଏ ? ଭିଡ଼ କାଟି ଆଗକୁ ଗଲାବେଳେ ସୁବିଧା ଦେଖି ଜଗବନ୍ଧୁ ମୁକୁନ୍ଦକୁ ଏକଥା ପଚାରିଲା-

 

ମୁକୁନ୍ଦ କହିଲା, “ହଁ, ଭାରି ଟାଣୁଆ ନେତା । ବୀରବାବୁ ଫୋନ୍‌ କଲେ ପୁଲିସ ଖୁନୀ ଆସାମୀକୁ ସୁଦ୍ଧା ଛାଡ଼ିଦିଏ । କଲେକ୍ଟର ଚଉକୀରୁ ଉଠିପଡ଼ନ୍ତି । ତା ନ ହୋଇଥିଲେ ଏତେ ଲୋକ ଏଠିକି ଆସନ୍ତେ କାହିଁକି ?”

 

ଜଗବନ୍ଧୁ ସେଇ ଭିଡ଼ ଉପରେ ଆଖି ବୁଲେଇ ଆଣିଲା । ମୁଖ୍ୟମନ୍ତ୍ରୀଙ୍କ ଘର ସାମ୍ନାରେ ଯେମିତି ଭିଡ଼, ଏଠି ବି ଠିକ୍‌ ସେହିପରି ଭିଡ଼ । ଏଠି ଯାହା ଗାଡ଼ିଘୋଡ଼ା ସଂଖ୍ୟା ଟିକେ କମ୍‌ । ଗୁହାରିଆଙ୍କ ଭିଡ଼ ଦେଖି ଜଗବନ୍ଧୁ ଜାଣିଲା ଯେ ଏଇ ସହରରେ ସେଇ ଏକା ଦୁଃଖରେ ନାହିଁ । ତା ପରି ଶହ ଶହ ଲୋକ ଦୁଃଖରେ ଅଛନ୍ତି । ସେ ଗୋଟେ ଦେବଦାରୁ ଗଛ ଛାଇରେ ଯାଇ ବସିପଡ଼ିଲା ।

 

ମୁକୁନ୍ଦ କହିଲା, ‘ଦଳବେହେରା ଯାଇଛି ସିଲିପ୍‌ ଦେଇଆସିବ ।’

 

: ସିଲିପ୍‌ ! ସେଇଟି କଣ ? ବୀରବାବୁଙ୍କର ତହିଁରେ କି କାମ ?

 

: ବୀରବାବୁଙ୍କର କାମ ନାହିଁ । କାମ ଆମର । ସେଇ ଟିପଣାରେ ସେ ଆମ ବସ୍ତିବାଲାଙ୍କ ନାଁ, ଗାଁ ଲେଖିଦେଇ ଆସିବ । ନହେଲେ ବୀରବାବୁ କେମନ୍ତେ ଜାଣିବେ ଯେ ଆମେ ତାଙ୍କୁ ଭେଟିବାକୁ ଆସିଛୁ ।

 

: ଓ-ହୋ !

 

ଜଗବନ୍ଧୁ ସେଇଠି ବସିରହି କାହ୍ନୁ ଓ ସେବତୀଙ୍କ କଥା ଭାବିହେଲା । ତାର ହସଖୁସିର ଦିନଗୁଡ଼ା ମନେପଡ଼ି ଯାଉଥିଲା । କେତେ କେତେ କଥା ସେ ଭାବିଥିଲା । କାହ୍ନୁକୁ ସ୍କୁଲରେ ଭର୍ତ୍ତି କରିଥାନ୍ତା, ସେବତୀ ପାଇଁ ଗୋଟେ ରୁପାଚେନ୍‌ କିଣିଥାନ୍ତା । କିନ୍ତୁ କିଛି କୁଆଡ଼ୁ ହେଲା ନାହିଁ । ତା’ ଉପରେ ପୁଣି ଏଇ ଘରଚିନ୍ତା ।

 

ବୀରବାବୁଙ୍କ ଘର ସାମ୍ନାରେ ଭିଡ଼ ବଢ଼ୁଥାଏ । ଦଳ ଦଳ ହୋଇ ଧୋତିପିନ୍ଧା ଲୋକ, ମୁଛବାଲା ଗଜା ଟୋକା, ଧୋକଡ଼ା ବୁଢ଼ାବୁଢ଼ୀ ଆସୁଥାନ୍ତି ଓ ଗୁହାରି ଜଣେଇ ଚାଲିଯାଉଥାଆନ୍ତି । ବୀରବାବୁଙ୍କ ଘର ବାରଣ୍ଡାରେ ବାବୁଟିଏ ବସି ଗୋଟେ ଖାତାରେ ସମସ୍ତଙ୍କର ନାଁ ଗାଁ ଟିପି ରଖୁଥାଏ । ସାମ୍ନାରେ ଦି ଜଣ ପୁଲିସ ବନ୍ଧୁକ ଧରି ପଇଁତରା ମାରୁଥାଆନ୍ତି । ତା ଆଖିର ପୁଅଡୋଳା ଚକ୍ରପରି ଖାଲି ଚାରିଆଡ଼େ ଘୂରି ବୁଲୁଥାଏ । ଜଗବନ୍ଧୁର ଆଖି ଗୋଟାଏ ପୁଲିସର ଆଖି ସାଙ୍ଗରେ ଧକ୍‌କା ଖାଇଲା କ୍ଷଣି ସେ ତଳକୁ ମୁହଁ ପୋତିଦେଲା ।

 

ଦଳବେହେରା ଆସି କହିଲା, “ବୀରବାବୁଙ୍କ ମିଜାଜ ଆଜି ବି ଭଲ ନାହିଁ । ସେ ଭାରି ବିଗିଡ଼ା ବିଗିଡ଼ି କରୁଛନ୍ତି । ତେବେ ମୁଁ ଆମ ଟିପଣା ଦେଇ ଆସିଛି । ସେ ନିଶ୍ଚୟ ଡାକିବେ ।”

 

ଡାକିଲେ ବି । ସେତେବେଳକୁ ଅଢ଼େଇଘଣ୍ଟାରୁ ଊଦ୍ଧ୍ୱର୍କାଳ ଗୋଟିଏ ଜାଗାରେ ଓ ଗୋଟିଏ ମୁଦ୍ରାରେ ବସି ବସି ଜଗବନ୍ଧୁର ଅଣ୍ଟାପିଠି ଲାଗିଯାଇଥିଲା । ସକାଳେ ସେ ଚା' ସାଙ୍ଗରେ ଗୋଟେ ପାଉଁରୁଟି ଖାଇଥିଲା । ସେତକ ଏହା ଭିତରେ ପେଟରେ ମିଳେଇ ଯାଇସାରିଥିଲା । କିନ୍ତୁ କାଳେ ସେ ଉଠି ଚାଲିଗଲେ ବୀରବାବୁଙ୍କ ଦେଖା ପାଇବ ନାହିଁ, ସେଥିପାଇଁ ସେ ପାନ ଖଣ୍ଡେ ଲାଗି ସୁଦ୍ଧା ଯାଇ ନଥିଲା ।

 

ଆଗରୁ କେତେଥର ସେ ବୀରବାବୁଙ୍କୁ ଦେଖିଥିଲା । କିନ୍ତୁ ଆଜି ପରି ଏତେ ପାଖରୁ ସେ କେବେ ଦେଖି ନଥିଲା । ବିରାଟ ବପୁ, ବାଘ ପରି ନିଶ । ଫୁଙ୍ଗୁଳା ଛାତି ଉପରେ ମୋଟା ସୁନାହାର ଚକ୍‌ ଚକ୍‌ କରୁଛି । ଗୋଟେ ପାଇଜାମା ପିନ୍ଧି ବୀରବାବୁ ଛାତିବାଳଗୁଡ଼ାକୁ ଆଉଁଶୁଥାନ୍ତି । ଟେବୁଲ ଉପରେ ଗୁଡ଼ାଏ କାଗଜପତ୍ର । ଦୁଇଟା ଟେଲିଫୋନ୍‌ । ଗୋଟେ ଛୋଟିଆ ଫୋନ୍‌କୁ ଧରି ବୀରବାବୁ କଥା ହଉଥାଆନ୍ତି । ସେଭଳି ଫୋନ୍‌ ଜଗବନ୍ଧୁ ଦେଖି ନ ଥିଲା । ତହିଁରେ ତାର ଫାର କିଛି ନଲାଗି ବୀରବାବୁକୁ କିପରି ସବୁ ଶୁଭାଯାଉଥିଲା, ସେ ନେଇ ଜଗବନ୍ଧୁ ମିନିଟିଏ କାଳ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲା ।

 

ବୀରବାବୁ ଅଧାରୁ କଥା ଆରମ୍ଭ କଲା ପରି ପଚାରିଲେ, “ତମ ପାଇଁ କଣ କରାଯାଇପାରିବ କୁହ ?”

 

ଦଳବେହେରା ଥରେ ପଛକୁ ଅନେଇଲା । ପଛରେ ଜଗବନ୍ଧୁ, ମୁକୁନ୍ଦ, ନାଇଡୁ, ରାବଣା ଓ ଆହୁରି ଦଶ ବାରଜଣ । ତାପରେ ସେ ହାତଯୋଡ଼ି କହିଲା, “ବାବୁ, ଆମକୁ ରକ୍ଷା କରନ୍ତୁ । ଏ ପୁଷମାସ ଜାଡ଼ରେ ଆମ ବସ୍ତି ଭାଙ୍ଗିଦେଲେ । ମୁଣ୍ଡ ଗୁଂଜିବାକୁ ଜାଗା ନାହିଁ । ଆମେ କୋଉଠିକୁ ଯିବୁ ?”

 

ବୀରବାବୁ ମୁରୁକି ହସିଲେ ।

 

ଦଳବେହେରା ଏଥର ଜଗବନ୍ଧୁକୁ ଓ ଅନ୍ୟମାନଙ୍କୁ ଉଦ୍ଦେଶ୍ୟ କରି କହିଲା, “କହୁନ କାହିଁକି ? ବାବୁଙ୍କୁ ତମ ଦୁଃଖ ଜଣାଇଲେ ସିନା ସେ ଜାଣିବେ ।”

 

ତାପରେ ଗୋଟେ ମୃଦୁ କୋଳାହଳ ସେ ଜାଗାଟାକୁ ଦଖଲ କରି ନେଲା । ହୋ - ହଲ୍ଲା ଭିତରେ କାହାରି କଥା କାହାକୁ ସ୍ପଷ୍ଟ ଶୁଭିଲା ନାହିଁ । ବୀରବାବୁ ସେମାନଙ୍କୁ ଶାନ୍ତ ରହିବା ପାଇଁ ଦୁଇହାତ ଟେକି କହିଲେ, “ଶାନ୍ତ ହୁଅ । ଜଣ ଜଣ କରି ନ କହିଲେ କିଛି ବୁଝିହେବ ନାହିଁ ।”

 

ଜଗବନ୍ଧୁ କହିଲା, “ଆମେ କୁଆଡ଼େ ଯିବୁ ? ଆମର ଘରଦ୍ୱାର କିଛି ନାହିଁ । ପିଲାଛୁଆଙ୍କୁ ଧରି ରାସ୍ତାକଡ଼ରେ ପଡ଼ିଛୁ ।”

 

ବୀରବାବୁ ମୁହଁରେ ସେହିପରି ମୁରୁକି ହସ ଝୁଲେଇ କହିଲେ, “କାହିଁକି ରାଜୁବାବୁଙ୍କ ପାଖକୁ ଯାଉନ ? ତାଙ୍କ ଲଣ୍ଠନ ପାର୍ଟିକୁ ଭୋଟ୍‌ ତ ଅଜାଡ଼ି ଦେଇଛ, ଆମ ପାଖକୁ କାହିଁକି ଆସୁଛ-? ସେଠିକି ଯାଅ ।”

 

ଜଗବନ୍ଧୁର ମୁହଁ ଲଜ୍ଜାରେ କଳାକାଠ ପଡ଼ିଗଲା । କାହାରି ଛିଗୁଲେଇବା କଥା ସେ ସହିପାରେ ନାହିଁ, ମଜୁରି ଛାଡ଼ି ଘରକୁ ପଳେଇ ଆସେ । ଆଜି ବୀରବାବୁଙ୍କ ଏହି ପରିହାସ ତା ଛାତିରେ ନିଆଁଚେଙ୍କ ପରି ଗେଂଜି ହୋଇଗଲା ।

 

ଦଳବେହେରା କହିଲା, “ଆମକୁ ପର କରନ୍ତୁ ନାହିଁ, ଆଜ୍ଞା । ଆମ ପରି ଗରିବ ଲୋକଙ୍କର ଦଳ କଣ ? ଆପଣ ଆମକୁ ଯାହା କହିବେ, ଆମେ ସେଇଆ କରିବୁ ।”

 

ବୀରବାବୁ ବିନା କାରଣରେ ତାଙ୍କର ନିଶ ସାଉଁଳେଇ ଆଣିଲେ । ଉଠିପଡ଼ି କହିଲେ, “ତମମାନଙ୍କୁ ବିଶ୍ୱାସ ନାହିଁ । ଆମ ଦଳ ତମ ପାଇଁ କଣ ନ କରିଥିଲା ! ଆଦିବାସୀ ହରିଜନଙ୍କ ପାଇଁ ମାଗଣା ଘର ଡିହ, ଗରିବଙ୍କ ପାଇଁ ସୁଧଛାଡ଼ ଋଣ, ବିଧବାଙ୍କ ପାଇଁ ଭତ୍ତା, ବୁଢ଼ାବୁଢ଼ୀଙ୍କ ପାଇଁ ପେନ୍‌ସନ୍‌–କଣ ନ କରିଥିଲା ଆମ ଦଳ ? ତମେମାନେ କିନ୍ତୁ ଏମିତି ଅବିଶ୍ୱାସୀ ସାପ ଯେ, ଫେର୍‌ ସେଇ ଲଣ୍ଠନବାଲାଙ୍କ ପାଖେ ଯାଇ ପଶିଲ । ଏବେ କାହିଁକି ମୋ ପାଖକୁ ଆସିଛ ? ତମମାନଙ୍କୁ ନେଇ ସି.ଏମ୍‌.ଙ୍କ ପାଖକୁ ଗଲେ ସେ ମୋ ମୁହଁକୁ ଚାହିଁବେ ?”

 

ଦଳବେହେରା ନଛୋଡ଼ାବନ୍ଦା । ସେ ହାତଯୋଡ଼ି କହିଲା, “ନାଇଁ ବାବୁ, ଏମିତି କୁହନ୍ତୁ ନାହିଁ । ଆମେ ସମସ୍ତେ ଆପଣଙ୍କ ସାଙ୍ଗରେ ରହିବୁ । ଟିକେ ଦୟା କରନ୍ତୁ ଆଜ୍ଞା ।”

 

ଜଗବନ୍ଧୁର ହାଡ଼ ତରଳିବାକୁ ଲାଗିଥିଲା । ଏତେ ନିଉଛୁଣା, ଅସରଣି ଜୀବନ ସେମାନଙ୍କର ! ଗୋବର ପୋକ କି କାଚିଣ୍ଡିଠାରୁ ବି ହୀନ । ତାର ନିଜ ଉପରେ ଧିକ୍କାର ଆସୁଥିଲା-। କିନ୍ତୁ ଏଠି ତା ଅଭିମାନର କିଛି ମୂଲ୍ୟ ନାହିଁ । ସେ ଚୁପ୍‌ଚାପ୍‌ ମୁଣ୍ଡ ତଳକୁ କରି ଛିଡ଼ା ହୋଇଥିଲା-

 

ବୀରବାବୁ କହିଲେ, “ମୋର ଆଉ ଟାଇମ୍‌ ନାହିଁ । ମୁଁ ମିଟିଂକୁ ଯିବି । ତମେମାନେ ଯାଅ । ଅପ୍ରେଲରେ ପାର୍ଲାମେଣ୍ଟ୍‌ ଇଲେକ୍ସନ୍‌ । ସେଇ ଇଲେକ୍ସନରେ ତମେ ସବୁ ବସ୍ତିବାଲା ଯଦି ଆମକୁ ଭୋଟ୍‌ ଦେବ, ତାହାହେଲେ ମୁଁ ତମ କଥା ବୁଝିବି । ଏଇନେ ତମ ପାଇଁ କିଛି କରିପାରିବି ନାହିଁ ।”

 

କେତେ ରୋକ୍‌ଠୋକ୍‌ ଭାବରେ ବୀରବାବୁ କଥାଟା ଛିଣ୍ଡେଇଦେଲେ ! ଅଥଚ ଦଳବେହେରା କହୁଥିଲା ଯେ ସେ ତାଙ୍କ ସାଙ୍ଗେ ସବୁ କଥାବାର୍ତ୍ତା କରିସାରିଛି । କି କଥାବାର୍ତ୍ତା କରିଥିଲା ସେ ! ତାର ତ କିଛି ଲକ୍ଷଣ ଦିଶୁନାହିଁ !

 

ଦଳବେହେରା ବୀରବାବୁଙ୍କ ହାତ ଧରିପକେଇ କହିଲା, “କିନ୍ତୁ ସେତେଦିନ ଯାଏ ଆମେ କୁଆଡ଼େ ଯିବୁ ? କୋଉଠି ରହିବୁ... ?”

 

: ସେକଥା ରାଜୁବାବୁଙ୍କୁ ଯାଇ ପଚାରୁନ ? ମୋତେ କାହିଁକି ପଚାରୁଛ ? ଯାଅ, ସେଇ ଲଣ୍ଠନବାଲା ତମକଥା ବୁଝିବେ । ବୀରବାବୁ ଏତିକି କହିସାରି ବୁଲିପଡ଼ିଲେ ଓ ପଛ ଦରଜା ଦେଇ ଭିତର ଘରକୁ ଚାଲିଗଲେ । ତାଙ୍କର ମିଟିଂ ଟାଇମ୍‌ ଗଡ଼ିଯାଉଥିଲା ।

 

ବୀରବାବୁ ଚାଲିଗଲା ପରେ ସେଠି ଆଉ ବସି ରହିବାର କିଛି କାରଣ ନଥିଲା । ସେମାନେ ମୁଣ୍ଡ ତଳକୁ କରି ବାହାରି ଆସିଲେ ବାରଣ୍ଡାକୁ ।

 

ଦଳବେହେରା ବୁଝେଇଲା ଯେ ବୀରବାବୁଙ୍କ ରାଗିବା ଯଥାର୍ଥ । ଆମେ ତ ପନ୍ଦର ବର୍ଷ ହେଲା ଲଣ୍ଠନ ଦଳକୁ ଭୋଟ୍‌ ଦେଇ ଆସିଲେ । ତେଣୁ ସୂର୍ଯ୍ୟ ଦଳବାଲା ନିଶ୍ଚୟ ରାଗିବେ । ଆଗରୁ ଆମେ ଲଣ୍ଠନକୁ ଭୋଟ୍‌ ଦେଉଥିଲେ, ତାଙ୍କ ପାର୍ଟି ବି ସରକାର ଗଢ଼ୁଥିଲା । ମାତ୍ର ଏଥର ତ ସରକାର ଗଢ଼ିଛନ୍ତି ସୂର୍ଯ୍ୟପାର୍ଟି । କିନ୍ତୁ କ୍ୟାପିଟାଲରେ ସରକାରଙ୍କ ପାର୍ଟି ହାରିଯାଇଛି । ତେଣୁ ବୀରବାବୁ ରାଗିବା ଭୁଲ୍‌ ନୁହେଁ । ଆଜି ତାଙ୍କ ମିଜାଜ୍‌ ଠିକ୍‌ ନଥିଲା । ଆମେ ଆଉଥରେ ଆସିବା ।

 

ଜଗବନ୍ଧୁ କିନ୍ତୁ ଏ ପ୍ରସ୍ତାବରେ ରାଜି ନଥିଲା । ଯୋଉ ଲୋକଟି ସେମାନଙ୍କୁ ଠିଆ ଠିଆ ବିଦା କରିଦେଲା, ବସିବାକୁ ଟିକେ କହିଲା ନାହିଁ, ତା ପାଖକୁ ଆଉଥରେ ଆସି ଲାଭ କଣ ? ପୁଣି ବୀରବାବୁ ତ ଠିକେ ଠିକେ କଥା ଛିଣ୍ଡେଇ ଦେଇଛନ୍ତି । ଆଉ କେଉଁ ଖିଅ ଯୋଡ଼ି ରଖିଛନ୍ତି ଯେ ପୁଣି ଥରେ ସେମାନେ ଆସିବେ ? ଯଦି ପାର୍ଲାମେଣ୍ଟ୍‌ ଭୋଟରେ କ୍ୟାପିଟାଲ୍‌ରୁ ସୂର୍ଯ୍ୟ ଦଳ ଜିତିବ ତାହାହେଲେ ବୀରବାବୁ ସେମାନଙ୍କ କଥା ବୁଝିବେ । ତା ଆଗରୁ ନୁହେଁ ।

 

ସେଦିନ ରାତିରେ ଖେଳପଡ଼ିଆ ପାଚେରିକୁ ଲାଗି ସେଇ ବରଗଛ ମୂଳେ ପୁଣି ସେମାନେ ଏକାଠି ହେଲେ । ଦଳବେହେରା ହନୁମାନ ମୂର୍ତ୍ତି ମୁଣ୍ଡରୁ ଟିପେ ସିନ୍ଦୂର ଆଣି ସମସ୍ତଙ୍କୁ ଦେଲା । କହିଲା, “ଆମେମାନେ କାଲି ରାଜୁବାବୁଙ୍କ ପାଖକୁ ଯିବା । ସେ ମୁଖ୍ୟମନ୍ତ୍ରୀ ନ ରହିଲେ କଣ ହେଲା, ବିରୋଧୀ ଦଳର ନେତା । ସିଏ ଆମ ଦୁଃଖ ବୁଝିବେ । ଆମେ ତାଙ୍କ ପାଇଁ ସବୁ ତ କରିଛେ, ଧାରଣାରେ ବସିଛେ, ତାଙ୍କ ସାଙ୍ଗରେ ଲଣ୍ଠନ ପାର୍ଟି ରାଲିରେ କଟକ, ପୁରୀ, ପାରାଦୀପ, ଯୁଆଡ଼କୁ ଡାକିଛନ୍ତି ସିଆଡ଼କୁ ଯାଇଛେ ।”

 

କଥା ସ୍ଥିର ହେଲା ସେମାନେ ରାଜୁବାବୁଙ୍କୁ ଭେଟିବେ । ଜଗବନ୍ଧୁ ବରଗଛ ମୂଳକୁ ଫେରିଆସିଲା ।

 

ପୁଷମାସର ଶୀତ ତା ହାତଗୋଡ଼କୁ ଅଚଳ କରିଦେଉଥାଏ । ସେବତୀ ଗୋଟେ ପୁରୁଣା ସାଇକେଲ୍‌ ଟାୟାର ଯୋଗାଡ଼ କରିଆଣି ତହିଁରେ ନିଆଁ ଲଗେଇ ତାତି ପୋଉଁଥାଏ । କାହ୍ନୁ ବସିଥାଏ ତା କୋଳରେ । ଜଗବନ୍ଧୁ ତାର ଘରବାଲୀ ଓ ପୁଅ ଦିହିଙ୍କୁ ଏମିତି ଅବସ୍ଥାରେ ଦେଖି ଦୁହିଁ ହୋଇଗଲା । ତାର ମନେହେଲା ତାଠୁଁ ଅର୍କ୍ଷିତ ମଣିଷ ଏ ଦୁନିଆରେ ଆଉ କେହି ନାହିଁ ।

 

ସେ ଧୀରେ ଧୀରେ ସେମାନଙ୍କ ପାଖକୁ ଗଲା । ସେବତୀ କୋଳରୁ ପୁଅକୁ ଆଣିଲା । ତା ଗାମୁଛା ଖଣ୍ଡକ ଘୋଡ଼େଇଦେଲା କାହ୍ନୁ ମୁଣ୍ଡରେ । କାକର ପଡ଼ୁଛି । ସେବତୀ କହିଲା, “ଖାଇବ-?” ଜଗବନ୍ଧୁ ହସିଲା । କାନ୍ଦ ପରି କରୁଣ ସେ ହସ । କେଉଁ ଧାତୁରେ ଗଢ଼ା ଏଇ ସେବତୀ-! ସବୁରି କଥା ଠିକ୍‌ ଠିକ୍‌ ବୁଝୁଛି । କଳଘଣ୍ଟା ପରି କାମ କରି ଚାଲୁଛି ଦିନରାତି । ସେ ପଚାରିଲା, “ପୁଅ ଖାଇଛି ?”

 

ସେବତୀ ମୁଣ୍ଡ ହଲେଇ ନାହିଁ କଲା, “ସଂଜବେଳେ ଜରଜର ଲାଗୁଥିଲା । ଯେତେ କହିଲେ ବି କିଛି ବୋଲି କିଛି ଟିକେ ପାଟିରେ ଦେଲାନାହିଁ ।”

 

ଜଗବନ୍ଧୁ ଆହୁରି ଭାଙ୍ଗିପଡ଼ିଲା । ସେ କଣ କରିବ, କଣ ନ କରିବ କିଛି ଚିନ୍ତା କରିପାରୁ ନଥିଲା । ବସା ଭାଙ୍ଗିଯିବା ଦିନୁ ସେ ଦୁହେଁ କାମକୁ ଯାଉନାହାନ୍ତି । ବରଗଛ ମୂଳେ ହାଣ୍ଡି, କଡ଼େଇ ଓ ଘରର ସବୁ ଜିନିଷପତ୍ର ପକେଇ ସେ ଦିହେଁ ଯିବେ କୁଆଡ଼େ ? ଆସିଲାବେଳକୁ ଗୋଟିଏ ଜିନିଷ ଏଠି ନଥିବ । ଏକାକୀ ଜଗବନ୍ଧୁ ହୁଏତ ମାଟି ଖୋଳିବାକୁ ଯାଇପାରନ୍ତା । କିନ୍ତୁ ବୀରବାବୁ, ମୁଖ୍ୟମନ୍ତ୍ରୀ, ରାଜୁବାବୁ–ଏମିତି ସବୁ ବାବୁମାନଙ୍କୁ ଭେଟିବାରେ ତାର ଦିନ ବିତିଯାଉଛି । ସେମାନଙ୍କ ପାଖକୁ ନଗଲେ ତାକୁ ଆସି କେହି ଡାକିବେ ନାହିଁ । ସେ ସବୁରି ପଛରେ ରହିଯିବ । ତା ଦୁଃଖକଥା କେହି କୋଉଠି କହିବେ ନାହିଁ ।

 

ସେବତୀ ପଚାରିଲା, “କଣ କିଛି ହେଲା ?”

 

ଜଗବନ୍ଧୁ ମୁଣ୍ଡ ହଲେଇ ନାହିଁ କଲା ।

 

ସେବତୀ କହିଲା, “ନିଆଁ ପଡୁ ସେମାନଙ୍କ ମୁହଁରେ । ଥାଳରେ ଖୁଦ କି ଚାଉଳ ମୁଠେ ନଦେଲେ ନାହିଁ, ତା ବୋଲି ଥାଳ ଭାଙ୍ଗିଦେବେ ? କାନୁନ୍‌ଗୋ ବାବୁଙ୍କ ବାଡ଼ିପଟେ ଦିନାକେତେ ରହିଯିବି ବୋଲି ଖବର ଦେଇଥିଲି । ସେ ମନା କଲେ । ନଅ ନମ୍ବରରୁ ବି ସବୁ କେବିନ୍‌, ଗୁହାଳ ଆଉ ଝୁମ୍ପୁଡ଼ି ମ୍ୟୁନିସିପାଲିଟି ବାଲାଏ ହଟେଇ ଦେଇଛନ୍ତି ।”

 

ଜଗବନ୍ଧୁ କହିଲା, “ତୁ ବ୍ୟସ୍ତ ହଅନା । ଆମେ ସବୁ କାଲି ରାଜୁବାବୁଙ୍କ ପାଖକୁ ଯିବୁ । ଦଳବେହେରା କହୁଥିଲା ରାଜୁବାବୁ ଆମ ପାଇଁ ଲଢ଼ିବେ । ଆମେ ପୁଣି ଆମ ଜାଗା ଫେରି ପାଇବା । ଆମ ବସ୍ତିକୁ ଫେରିଯିବା ।”

 

ସେବତୀ ଆଖିରେ ଖୁସିର ଲୁହଟୋପା ଚିକ୍‌ ଚିକ୍‌ କରିଉଠିଲା । ସେ କାହ୍ନୁକୁ ତା କୋଳରେ ଚାପିଧରି କହିଲା, “ସତରେ !”

 

ରାଜୁବାବୁଙ୍କ ଘରକୁ ଆଗରୁ ଥରୁଟାଏ ଆସିଥିଲା ଜଗବନ୍ଧୁ । ସେତେବେଳେ ରାଜୁବାବୁ ଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କ ଦିହ ଅସୁଖ ଥିବାରୁ ସେଦିନ ଜନ୍ମଦିନ ପାଳିବାକୁ ଜଗବନ୍ଧୁର ବସ୍ତିକୁ ସେ ଯାଇପାରି ନଥିଲେ । ସେମାନଙ୍କୁ ଡକେଇଥିଲେ ନିଜ ଘରକୁ । ସମସ୍ତଙ୍କୁ ମିଠା ପୁଡ଼ିଆ ଓ ପଚାଶ ଟଙ୍କା ଲେଖାଏଁ ଦେଇଥିଲେ । ସେତେବେଳେ ତାଙ୍କ ଘର ସାମ୍ନାରେ ଦିଇଟା ତମ୍ବୁ ସଦାବେଳେ ଟଣା ହୋଇଥାଏ । ସେଇ ତମ୍ବୁରେ ପୁଲିସବାବୁ ରାଜୁବାବୁଙ୍କୁ ଜଗିରହିଥାନ୍ତି ।

 

ଦଳବେହେରା, ରାମନାଇଡୁ ଓ ଜଗବନ୍ଧୁ ତିନିହେଁ ଫାଟକ ପାଖରେ ଯାଇ ଛିଡ଼ାହେଲେ-। ଫାଙ୍କା ଫାଙ୍କା ଦିଶୁଥାଏ ଚାରିଆଡ଼ । ଦରୱାନ କହିଲା, “ବାବୁ ନାହାନ୍ତି । ମାନ୍ଦ୍ରାଜ ଯାଇଛନ୍ତି, ସେଠା ମୁଖ୍ୟମନ୍ତ୍ରୀଙ୍କ ଝିଅ ବାହାଘରରେ ଯୋଗ ଦେବାକୁ ।”

 

: କୋଉଦିନ ଆସିବେ ?

 

ଦରୱାନଟି ଏତେ ସବୁ କଥାର ଜବାବ ଦେବାକୁ ଚାହୁଁ ନଥିଲା । ଏଇମାନଙ୍କ ଉପସ୍ଥିତି ଯୋଗୁ ତାର ନିଦ ଭାଙ୍ଗିଯାଇଥିବାରୁ ସେ ଏମାନଙ୍କୁ ଶୀଘ୍ର ଶୀଘ୍ର ତଡ଼ିଦେବାକୁ ଚାହୁଁଥିଲା ।

 

ଜଗବନ୍ଧୁ ପଚାରିଲା, “ରାଜୁବାବୁ କୋଉଦିନ ଫେରିବେ ?”

 

: କହିଲି ପରା ସେ ମାନ୍ଦ୍ରାଜ ଯାଇଛନ୍ତି । ବାକି ଖବର ପାଇଁ ପାର୍ଟି ଅଫିସ୍‌କୁ ଯାଅ । ସେଇଠି ଖୁଣ୍ଟିଆବାବୁ କହିବେ । –ଦରୱାନ ଏତକ କହିସାରି ପୁଣି ଆଖି ବୁଜିଦେଲା ।

 

ଜଗବନ୍ଧୁହେରିକା ଫେରିଆସିଲେ ।

 

ଖୁଣ୍ଟିଆବାବୁ କିନ୍ତୁ ଦରୱାନ ପରି ଚିଡ଼ିଚିଡ଼ା ଲୋକ ନଥିଲେ । ତେବେ ତାଙ୍କର ଅଭ୍ୟାସ ହେଲା ସବୁକଥା ଦୁଇ ଦୁଇଥର କହିବେ । ଥରେ ଇଂରାଜୀରେ ଓ ଥରେ ଓଡ଼ିଆରେ ।

 

: ରାଜୁବାବୁ କୋଉଦିନ ଫେରିବେ ?

 

ଖୁଣ୍ଟିଆବାବୁ ପ୍ରଥମେ ଇଂରାଜୀରେ ରାଜୁବାବୁଙ୍କ ଗସ୍ତର ବିବରଣୀ ଦେଲେ, “ହି ଉଇଲ୍‌ ବି ବ୍ୟାକ୍‌ ଅନ୍‌ ମଣ୍ଡେ । ଦେନ୍‌ ଅନ୍‌ ମଣ୍ଡେ ହି ଉଇଲ୍‌ ଲିଭ୍‌ ଫର୍‌ ଦିଲ୍ଲୀ ଆଣ୍ଡ୍‌ ଫ୍ରମ୍‌ ଦିଲ୍ଲୀ ଫର୍‌ ଇଣ୍ଡୋନେସିଆ ।” ଏବଂ ତାପରେ ଓଡ଼ିଆରେ ବୁଝେଇଦେଲେ ‘ସେ ରବିବାର ଦିନ ଫେରିବେ । କିନ୍ତୁ ସୋମବାର ଦିନ ଏଠୁ ଦିଲ୍ଲୀ ଯାଇ ଦିଲ୍ଲୀରୁ ଇଣ୍ଡୋନେସିଆ ଚାଲିଯିବେ ।’

 

କାଳିଆ, ନୁଖୁରା ଉଦ୍‌ବାସ୍ତୁ ଲୋକ ତିନିଟି ହାତଯୋଡ଼ି ଖୁଣ୍ଟିଆବାବୁଙ୍କୁ ପଚାରିଲେ, “ଫେର୍‌... ?”

 

: ହି ମେ ଗୋ ଋଷିଆ । ସେ ଋଷିଆ ଯାଇପାରନ୍ତି ।

 

ଜଗବନ୍ଧୁ ମୁଣ୍ଡରେ କିଛି ପଶିଲା ନାହିଁ । କୋଉଠି ଦିଲ୍ଲୀ, କୋଉଠି ଇଣ୍ଡୋନେସିଆ, ଆଉ କୋଉଠି ଋଷିଆ–ସେ ଏସବୁ କିଛି ଜାଣେ ନାହିଁ । ତେବେ ଖୁଣ୍ଟିଆବାବୁଙ୍କ କଥାରୁ ସେ ଜାଣିଲା ଯେ ରାଜୁବାବୁ ରବିବାର ଦିନ ଫେରି ଆସିବେ । ସେହିଦିନ ସେମାନେ ଯେମିତି ହେଉ ତାଙ୍କୁ ଭେଟିବାକୁ ଚେଷ୍ଟା କରିବେ । ନ ହେଲେ ଆଉ ମାସେ ପର୍ଯ୍ୟନ୍ତ ତାଙ୍କ ଦେଖା ମିଳିବ ନାହିଁ ।

 

ଫେରିବା ବାଟରେ ଦଳବେହେରା କହିଲା, “ଦେଖିଲୁ ତ, ରାଜୁବାବୁ କେତେ ବଡ଼ ଲୋକ । ଆରେ କଥାରେ ନାହିଁ, ହାତୀ ଜିଇଁଥିଲେ ଲାଖେ ଟଙ୍କା, ମରିଥିଲେ ବି ଲାଖେ ଟଙ୍କା । ତାଙ୍କୁ ପରା ଋଷିଆ, ଆମେରିକା ସବୁ ଦେଶ ଏବେ ମେଡାଲ୍‌ ଦଉଛନ୍ତି । ସେ କଣ କମି ଲୋକ ? ଆମେ ଥରେ ତାଙ୍କ ଦେଖା ପାଇଗଲେ ଆମ ଦୁଃଖ ହଟିଲା ଜାଣ । ସେ ଫୋନ୍‌ ଉଠେଇଲେ ମୁଖ୍ୟମନ୍ତ୍ରୀ ବି ଚଉକୀରୁ ଉଠିପଡ଼ିବେ ।

 

ଜଗବନ୍ଧୁ ଦଳବେହେରା କଥାରେ ଉଁ କି ଚୁଁ କଲା ନାହିଁ । ସେ ଏସବୁ କଥାକୁ ବିଶ୍ୱାସ କରିପାରୁ ନଥିଲା କି ଅବିଶ୍ୱାସ କରିବାକୁ ଚାହୁଁ ନ ଥିଲା । ଅବିଶ୍ୱାସ କରିବା ଅପେକ୍ଷା ବିଶ୍ୱାସ କରିବା ବରଂ ଭଲ ।

 

ରବିବାର ଦିନ ମାନ୍ଦ୍ରାଜରୁ ଆସୁଥିବା ଉଡ଼ାଜାହାଜ ଉପର ଓଳି ରାଜଧାନୀରେ ପହଞ୍ଚୁଥିଲେ ବି ଦଳବେହେରା, ଜଗବନ୍ଧୁ, ନାଇଡୁ, ଲଛମନିଆ, ସେବତୀ, କାହ୍ନୁ, ରମେଶ ଓ ଇବ୍ରାହିମ ମାନେ ଦିନ ଏଗାରଟା ବେଳକୁ ଯାଇ ରାଜୁବାବୁଙ୍କ ଫାଟକ ପାଖେ ବସି ରହିଥିଲେ । ସେବତୀ ଓ ଅନ୍ୟ ସ୍ତ୍ରୀଲୋକମାନଙ୍କୁ ସାଙ୍ଗରେ ଆଣିବାକୁ ଜଗବନ୍ଧୁ ମନା କରୁଥିଲା । ମାତ୍ର ଦଳବେହେରା ସେମାନଙ୍କୁ ଡାକିଲା । ସ୍ତ୍ରୀଲୋକ ସାଙ୍ଗରେ ଥିଲେ ରାଜୁବାବୁ ଶୀଘ୍ର ଡକେଇ ପଠାନ୍ତି ଓ ସାଙ୍ଗରେ ସାନପିଲା ଥିଲେ ତାଙ୍କର ଚାକର ବାକର ଟିକେ ଦରଦ ଦେଖାନ୍ତି । ତେବେ ସେବତୀ ନିଜେ ନିଜ ଆଡ଼ୁ ଆସିବା ପାଇଁ ଜିଦ୍‌ ଧରିଥିଲା । ବରାବର ବରଗଛ ମୂଳେ ପଡ଼ି ଅନିଶ୍ଚିତତାକୁ ଅପେକ୍ଷା କରିବା ଅପେକ୍ଷା ନିଜେ ଯାଇ ନିଜ ଆଖିକାନରେ ସବୁ ଦେଖି ଶୁଣି ଆସିବା ଭଲ । ତାର ଧାରଣା ହେଉଥିଲା ଯେ ଜଗବନ୍ଧୁ ହୁଏତ ତାକୁ ମିଛ କହୁଥିଲା ।

 

କାହ୍ନୁ ତା ବୟସର ସାନ ସାନ ପିଲାଙ୍କ ସାଙ୍ଗରେ ଏଇ କିଛି ସମୟ ତଳେ ଖେଳୁଥିଲା । ବଡ଼ ବଡ଼ କୋଠା ଓ ରାସ୍ତାରେ ଯାଉଥିବା ଗାଡ଼ିମଟରକୁ ଦେଖି ନାଚୁଥିଲା । ଏବେ କିନ୍ତୁ ସେ ଥକିପଡ଼ିଲାଣି । ଝାଳ ସରସର ଦେହ ତାର ତେଲିଆ ଦିଶୁଥିଲା । ଜଗବନ୍ଧୁ ଯାଇ ପୁଅର ମୁହଁକୁ ତା ଗାମୁଛାରେ ପୋଛିଦେଲା ।

 

ଭୋକ, ଶୋଷ ଓ ଅବସନ୍ନତା ଧୀରେ ଧୀରେ ସମସ୍ତଙ୍କୁ ଘେରି ଆସୁଥିଲା । ଗଛ ଛାଇ ହଟିଯାଇଥିଲା ପଶ୍ଚିମରୁ ପୂର୍ବକୁ । ଅଥଚ ରାଜୁବାବୁ ଫେରୁ ନଥିଲେ ।

 

ଅନେକ ସମୟ ପରେ ଜଗବନ୍ଧୁ ସେବତୀକୁ ପଚାରିଲା, “ଘର ଜିମା କାହାକୁ ଛାଡ଼ି ଆସିଛୁ କିଲୋ !”

 

ସେବତୀ ତାର ଶୁଖିଲା ଓଠ ଉପରେ ଜିଭ ବୁଲେଇ ଆଣୁ ଆଣୁ କହିଲା, “କାଳିଆ ମାଆକୁ । ତାକୁ ଜର ହୋଇଛି । ସେ ଆସିପାରିଲା ନାହିଁ ।”

 

ଜଗବନ୍ଧୁ ଆଉ କଣ ପଚାରିବାକୁ ଯାଉଥିଲା ସେତିକିବେଳେ ଦଳବେହେରା କହିଲା, “ଏଇ ରାଜୁବାବୁଙ୍କ ଗାଡ଼ି ଆସିଲା । ମୁଁ କହୁ ନ ଥିଲି, ଟିକକ ଆଗରୁ ଯୋଉ ଉଡ଼ାଜାହାଜ ଘୁଁ କିନା ଏଇବାଟେ ଦେଇ ଉଡ଼ିଗଲା ସେଇଥିରେ ରାଜୁବାବୁ ଆସିଥିବେ ।”

 

ଉଡ଼ାଜାହାଜଟି କିଛି ସମୟ ଆଗରୁ ଉଡ଼ିଯାଇଥିବା ଖବର ସତ ହେଲେ ବି ତହିଁରେ ରାଜୁବାବୁ ଥିବା ଦଳବେହେରା କହି ନଥିଲା । ମାତ୍ର ଜଗବନ୍ଧୁ ସେ କଥାର ପ୍ରତିବାଦ କଲା ନାହିଁ । ସେତେବେଳକୁ ରାଜୁବାବୁଙ୍କ ଗାଡ଼ି ଆସି ଫାଟକ ପାଖେ ପହଞ୍ଚିଲା ଣି ।

 

ସେମାନେ ସମସ୍ତେ ଶୋଇପଡ଼ିଥିବା ଛେଳି ମେଣ୍ଢା ଉଠିଲା ପରି ଉଠିପଡ଼ିଲେ । ରାଜୁବାବୁ ଖୁବ୍‌ ଖୁସି ଖୁସି ଦିଶୁଥିଲେ । ଦଳବେହେରା ଠିକ୍‌ କହୁଥିଲା, ରାଜୁବାବୁ ଭାରି ପାୱାର ବାଲା ଲୋକ - ନ ହେଲେ ଦେଶ ବିଦେଶରୁ ତାଙ୍କୁ ଏତେ ମେଡାଲ୍‌ କାହିଁକି ମିଳନ୍ତା ?

 

ରାଜୁବାବୁ ପଚାରିଲେ, “କିରେ ତମେମାନେ କୁଆଡ଼େ ?” ତାଙ୍କ ସ୍ୱରରେ ଆବଶ୍ୟକଠାରୁ ଅଧିକ ଆତ୍ମୀୟତାର ସ୍ପର୍ଶ ଜଗବନ୍ଧୁ ଓ ତା ବସ୍ତି ଲୋକମାନଙ୍କ ମନ କିଣିନେଲା ।

 

“ତମେ ଖବର ପଠେଇଥିଲେ ମୁଁ ତମମାନଙ୍କ ଘରକୁ ଚାଲିଯାଇଥାଆନ୍ତି । ସେଇଠି ତମମାନଙ୍କ ପିଣ୍ଡାରେ ଶାଗପଖାଳ ଖାଇ ତମ କଥା ଶୁଣିଥାଆନ୍ତି । ତମେମାନେ ଏତେବାଟ ଅଯଥାରେ କାହିଁକି ଆସିଲ ?”

 

: ଘର ? ଆମର ଆଉ ଘର ନାହିଁ ବାବୁ । ଆଜ୍ଞା ଆପଣ ଯୋଉ ବସ୍ତିକୁ ଯାଇଥିଲେ ତାକୁ ନିଆଁଲଗା ସରକାରା ଭାଙ୍ଗିଦେଲା । ଆମେ ପିଲାଛୁଆ ଧରି ଏ ପୁଷମାସ ଶୀତରେ ରାସ୍ତାକଡ଼ରେ ପଡ଼ିଛୁ । ବାବୁ ! ଆପଣେ ଆମକୁ ବଞ୍ଚାନ୍ତୁ, ଆମେ ସବୁ ମରିଯିବୁ, ଆମ ପିଲାଛୁଆ ଭାସିଯିବେ ।

 

ଗୋଟେ ପ୍ରଲମ୍ବିତ କାରୁଣ୍ୟର ଲହରୀ ବହୁକାଳୁ ଅବରୁଦ୍ଧ ହୋଇଥିବା ନଈର ଜୁଆର ପରି ବନ୍ଧବାଡ଼ ଭାଙ୍ଗି ବୋହି ଆସୁଥିଲା । ରାଜୁବାବୁ ଗାଡ଼ିରୁ ଓହ୍ଲେଇପଡ଼ି, ଦୁଇହାତ ଟେକି ସମସ୍ତଙ୍କୁ ଚୁପ୍‌ ରହିବାକୁ କହିଲେ ।

 

ଦଳବେହେରା ସଂକ୍ଷେପରେ ସବୁକଥା କହିଲା ।

 

ରାଜୁବାବୁ କହିଲେ, “ମୁଁ ତମ କଥା ସବୁ ବୁଝୁଛି । କିନ୍ତୁ ତମେମାନେ ତ ଏଇପରି ସରକାରଙ୍କୁ ଭୋଟ୍‌ ଦେଲ... । ମୁଁ କଣ କରିବି ?”

 

ବସ୍ତିବାଲାଏ ପ୍ରତିବାଦ କଲେ, “ନାଇଁ ନାଇଁ, ଆମେ ଆପଣଙ୍କୁ ଭୋଟ୍‌ ଦେଇଛୁ, ସମସ୍ତେ ଲଣ୍ଠନରେ ଭୋଟ୍‌ ଦେଇଛୁ ।”

 

ରାଜୁବାବୁ ଗଳାଝାଡ଼ି କହିଲେ, “ତାହା ଠିକ୍‌ । କିନ୍ତୁ ସମସ୍ତେ ଯଦି ମୋତେ ଭୋଟ୍‌ ଦେଇଥାଆନ୍ତ ତାହାହେଲେ ମୋ ସରକାର ହଟି ନ ଥାନ୍ତା । ଏଠି ସିନା ମୁଁ ଜିତିଲି, କିନ୍ତୁ ମୋ ସରକାର ତ ଭାଙ୍ଗିଗଲା । ମୁଁ ଏବେ କଣ କରିପାରିବି, ତମେମାନେ କୁହ ।”

 

ଜଗବନ୍ଧୁ, ସେବତୀ ଏବଂ ଅନ୍ୟମାନେ ନିରାଶାରେ ଝାଉଁଳି ପଡ଼ିଲେ, ଏଇ ଯେମିତି ଶେଷ ସାନ୍ତ୍ୱନା ଟିକକ କିଏ ତାଙ୍କ ପାଖରୁ ଛଡ଼େଇ ନେଇଯାଉଛି । ସେବତୀ କହିଲା, “ସେମିତି କୁହନା ବାବୁ ଆପଣେ, ମୋ ଛୁଆ ଭାସିଯିବେ । ଟିକିଏ କିଛି ବ୍ୟବସ୍ଥା କର... ।”

 

ସେମାନଙ୍କ ଆପତ୍ତି ସବୁ କୁଆପଥର ପରି ରାଜୁବାବୁଙ୍କ ସାମ୍ନାରେ ଗଦେଇ ହୋଇ ପଡ଼ୁଥିଲା । ମାତ୍ର ରାଜୁବାବୁଙ୍କ ପାଖେ ତାର ଶୀତଳ କାରୁଣ୍ୟ ପହଞ୍ଚି ପାରୁ ନଥିଲା ।

 

ସେ କହିଲେ, “ଦେଖ, ତମେମାନେ ବୁଝିବାକୁ ଚେଷ୍ଟା କର । ମୁଁ ଏଇନେ ଖାଲି ଗୋଟେ ଏମ୍‌.ଏଲ୍‌.ଏ. । ଚିଫ୍‌ ମିନିଷ୍ଟରରୁ ଏମ୍‌.ଏଲ୍‌.ଏ. । ୟାର ଫରକ ତମେ ବୁଝିବ ନାହିଁ । କ୍ୟାପିଟାଲ୍‌ ଆସନ ସିନା ମୋ ହାତରେ, କିନ୍ତୁ ସରକାର ତ ମୋ ହାତରେ ନାହିଁ । ତମମାନଙ୍କ ପାଇଁ ମୁଁ କଣ କରି ନଥିଲି ? ଅଥଚ ମୋ ସରକାରକୁ ତମେ ହଟେଇଦେଲ ।”

 

ଜଗବନ୍ଧୁ ଆପତ୍ତି କଲା, “ଆମେ ହଟେଇନୁ... ଆମେ ହଟେଇନୁ... ।”

 

ଦଳବେହେରା କହିଲା, “ଆପଣ ଆମର ନେତା... ।”

 

ସେବତୀ ଓ ଅନ୍ୟମାନେ ପାଟି କରିଉଠିଲେ, “ଆମକୁ ରକ୍ଷାକର ବାବୁ ଆପଣେ, ଆମକୁ ରକ୍ଷାକର... ।”

 

ରାଜୁବାବୁ ଟିକେ ପ୍ରସନ୍ନ ଦିଶିଲେ । କହିଲେ, “ତମେମାନେ ଯାଅ । ମୁଁ ଏକଥା ବିଧାନସଭାରେ ଉଠେଇବି । ଦେଖିବ ଏ ସରକାର ଛଅମାସରେ ଭାଙ୍ଗିଯିବ । ତାପରେ ମୁଁ ଗଢ଼ିବି ସରକାର । ସେତିକି ଦିନ ଟିକେ ମାଡ଼ିମକଚି ସବୁର୍‌ କରିଯାଅ ।” ଏହାପରେ ସେ ତାଙ୍କ ଗାଡ଼ି ଭିତରେ ବସିଗଲେ । ଫାଟକ ଖୋଲା ସରିଥିଲା । ଧଳାଗାଡ଼ିଟି ଭୁଁ କିନା ହତା ଭିତରକୁ ପଶିଗଲା କ୍ଷଣି ଦରୱାନ ଫାଟକ ବନ୍ଦ କରିଦେଲା ।

 

ଜଗବନ୍ଧୁ ଆକାଶକୁ ଅନେଇଲା । ତାର ଝୋପଡ଼ି ଘରର ସୁରକ୍ଷା ପାଇଁ ତାହାହେଲେ ତାକୁ ରାଜୁବାବୁଙ୍କ ସରକାର ଗଢ଼ିବାକୁ ପଡ଼ିବ ! ତାର ଯଦି ସେତକ କ୍ଷମତା ଥାଆନ୍ତା ତାହେଲେ ସିଏ ଆଗେ ତା ଝୁମ୍ପୁଡ଼ି ରକ୍ଷା କରନ୍ତା । ଆଉ କାହା ପାଖକୁ ଗୁହାରିଆ ହେବାକୁ ଯାଆନ୍ତା କାହିଁକି-?

 

ସେଇଦିନ ଅଧରାତିରେ, ବରଗଛ ମୂଳେ ଚୁଲି ଆଡ଼କୁ ଗୋଡ଼ ମେଲାଇ ସେବତୀ ଓ କାହ୍ନୁ ଶୋଇଥିବା ବେଳେ ଜଗବନ୍ଧୁ ଉଠିପଡ଼ିଲା । ଏ ପୁଷମାସ ଶୀତରେ ବି ତା ଦେହହାତ ଝାଳେଇ ଯାଇଥାଏ । ସେବତୀର ପିନ୍ଧା ଶାଢ଼ିଟାକୁ ତା ଦେହରୁ ଭିଡ଼ି ଆଣିଲା । ତାର ହାତ ଝିଙ୍କି କହିଲା, “ଖୋଲ୍‌, ଖୋଲ୍‌ ଏ ଲଣ୍ଠନ ଛପା କସ୍ତା, ସେ କସ୍ତାକୁ ଚୁଲିକୁ ପକେଇଦେ ।”

 

ସେବତୀ କିଛି ବୁଝିପାରିଲା ନାହିଁ । ଅନ୍ଧାର ଭିତରେ ସେ ବାରିପାରିଲା, ଜଗବନ୍ଧୁ ତାର ସୂର୍ଯ୍ୟଛପା ଗେଂଜିଟାକୁ ବି ଖୋଲି ଚୁଲିକୁ ପକେଇ ଦେଇଛି । ସେ ଜଗବନ୍ଧୁ ପାଖକୁ ଧାଇଁଆସି କୁଣ୍ଢେଇ ପକେଇଲା ଓ ଭୋ କରି କାନ୍ଦି ପକେଇଲା ।

 

ବରଗଛ ପତ୍ରଟିଏରୁ ଓଜନିଆ କାକରବିନ୍ଦୁଟେ ଜଗବନ୍ଧୁର ଝାମ୍ପୁରା ମୁଣ୍ଡରେ ଖସିପଡ଼ିଲା । ସିଏ ସେବତୀକୁ ଜଡ଼େଇ ଧରି କହିଲା, “ଚାଲ୍‌, ଆମେ ଏ ସହରରୁ ପଳେଇ ଯିବା-।”

☆☆☆

 

ଲଢ଼େଇ

 

ସୁବଳ ହାତର ଛୁରୀଟା ଚକ୍‌ଚକ୍‌ କରି ଉଠୁଥିଲା ମେଘଢ଼ଙ୍କା ଆକାଶରେ ବିଜୁଳି ପରି । ଲଣ୍ଠନର କାଚଟା କଳା ପଡ଼ିସାରିଥିଲା କୋଉକାଳୁ । ଅସ୍ଥିର ଆଲୁଅ ଶିଖାରେ ଘରର ଆସବାବପତ୍ରଗୁଡ଼ିକର ଛାଇ ଥରିଉଠୁଥିଲା । ସେଇ ମଳିଚିଆ ଆଲୁଅରେ ସୁବଳ ଥରକୁ ଥର ତାର ବାଁହାତ ପାପୁଲିରେ କପାଳର ଝାଳ ପୋଛିଦେଉଥିଲା ଓ ଛୁରୀଟାକୁ ଶିଳ ଉପରେ ଘଷି ଧାର ପଜଉଥିଲା ।

 

ଗଞ୍ଜାଟା ଗୋଟିଏ କୋଣରେ ପଡ଼ି ସୁକୁସୁକୁ ହେଉଥିଲା । ତାର ରେଶମୀ କଳା ଓ ଢାଉରଙ୍ଗର ପରଗୁଡ଼ାକ ଠାଏ ଠାଏ ରକ୍ତରେ ଭିଜି ଓଦା ହୋଇଯାଇଥିଲା । ଦିଇଟାଯାକ ଗୋଡ଼ କଟି ରକ୍ତ ବୋହୁଥିଲା । ସେ ଥଣ୍ଟ ଓ ବେକକୁ ଚଟାଣରେ ଲମ୍ବେଇଦେଇ ମୂର୍ଚ୍ଛାଗଲା ପରି ପଡ଼ି ରହିଥିଲା । ତାର ଆଖିଯୋଡ଼ିକ ପଦାକୁ ଓହଳି ପଡ଼ିଥିଲା ।

 

ଅନ୍ୟଦିନ ହୋଇଥିଲେ ସୁବଳ ‘ବାହାଦୁର୍‌’ର ଏ ଦଶା ଦେଖି ବସିପାରିନଥାନ୍ତା । ଏଇ ହୃଷ୍ଟପୁଷ୍ଟ ଗଞ୍ଜାଟିକୁ ସେ ସ୍ନେହରେ ଡାକେ ବାହାଦୁର । ବାହାଦୁର୍‌ର ବଚ୍ଚା ବାହାଦୁର, ଏମିତି କହିବା ଭିତରେ ନିଜକୁ ବାହାଦୁର୍‌ର ବାପ ଆସନରେ ବସେଇ ସେ ଅପତ୍ୟ ସ୍ନେହ ଜାହିର କରେ । ଥରେ ଗୋଟାଏ ବିରାଡ଼ି ବାହାଦୁର୍‌ ଆଡ଼କୁ ଝପଟି ଆସିଥିଲା । ଆତ୍ମରକ୍ଷା ପାଇଁ ବାହାଦୁର କଣ୍ଟାବାଡ଼ ଦେଇ ଗଳି ଆସିଲାବେଳକୁ ତାର ବେକରେ କଣ୍ଟାଟେ ଫୋଡ଼ି ହୋଇଯାଇଥିଲା । ସୁବଳ ସାତଦିନ କାଳ ବାହାଦୁର୍‌ର ଚିକିତ୍ସା କରିଥିଲା । ତାର ଘା ପୋଛି ତହିଁରେ ମଲମ ଲଗେଇଥିଲା । ତାକୁ ଉଷୁମ ଜାଉ ଖାଇବାକୁ ଦେଇଥିଲା । ବାହାଦୁର୍‌ ଦିନ ସାତଟା ଭିତରେ ପୁଣି ସୁସ୍ଥ ହୋଇ ଛିଡ଼ାହୋଇଥିଲା । ଗୋଡ଼ ଟେକି, ବେକ ଫୁଲେଇ ଓ ଡେଣା ମେଲେଇ ସେ ରାବିଥିଲା କକ୍‌କ...କଅ । ସୁବଳର ରାତି ଅନିଦ୍ରା କ୍ଳାନ୍ତି କୁଆଡ଼େ ଉଡ଼ି ପଳେଇଥିଲା ।

 

ବାହାଦୁର୍‌ ପାଇଁ ରକ୍ତ ନୂଆ ନୁହେଁ । ରକ୍ତ ସାଙ୍ଗେ ତାର ପରିଚୟ ଖୁବ୍‌ ପୁରୁଣା । ଲଢ଼ୁଆ ଗଞ୍ଜା ରକ୍ତକୁ ଜାଣିବ ନାହିଁ ! ଏ ଇଲାକାରେ କାହାର ଏମିତି ଦମ୍ଭିଲା କୁକୁଡ଼ା ଅଛି ଯେ ବାହାଦୁର ସାଙ୍ଗେ ଲଢ଼ି ରକ୍ତ ନ ବୁହାଇ ଫେରିଯିବ ? ବାହାଦୁର ସାଙ୍ଗେ ଯିଏ ଲଢ଼ିବ, ସେ ଅଲବତ୍‌ ଲହୁଲୁହାଣ ହେବ ।

 

ଆଜିର କଥାଟା ସୁବଳର ମଗଜକୁ ପଶିଗଲା କ୍ଷଣି ତାର ରକ୍ତ ଗରମ ହୋଇଉଠୁଛି । ତା ହାତର ଛୁରୀଟା ସାଏଁ ସାଏଁ ହୋଇ ପଥର ଦେହରେ ଘଷି ହୋଇଯାଉଛି । ସେ ଏ ଅପମାନକୁ ବରଦାସ୍ତ କରିପାରିବ ନାହିଁ । ସେ ବଦ୍‌ଲା ନେବ । ପ୍ରତିଶୋଧ ନେବ । ଯାହା ପାଇଁ ତାର ଅପମାନ ହୋଇଛି, ଯାହାର ଅପାରଗପଣିଆ ପାଇଁ ତାର ନାକନିଶ ବିଚ୍‌ ବଜାରରେ କଟି ଖସି ପଡ଼ିଛି, ତାକୁ ସେ କଦାପି ଛାଡ଼ିବ ନାହିଁ । ସେ ବାହାଦୁରକୁ ହାଣି, ଟୁକୁଡ଼ା ଟୁକୁଡ଼ା କରି ତାକୁ ମାଟିତଳେ ପୋତିଦେବ ।

 

ସୁବଳ ବାସ୍ତବିକ ଖୁବ୍‌ ଅପମାନିତ ହୋଇଥିଲା । ବଜାର ସ୍କୁଲ ଟୋକା ପଞ୍ଝାଏ ତାକୁ ଯେମିତି ଛିଗୁଲେଇ ଛିଗୁଲେଇ ତା ପଛେ ପଛେ ଆସିଥିଲେ ତହିଁରେ ତା ମୁଣ୍ଡ ଗରମ ହୋଇଯାଇଥିଲା । ଇଚ୍ଛା ହେଉଥିଲା ତଣ୍ଟିଚିପି ସେଇଠି ତାକୁ ଇଲେକ୍ଟ୍ରି ଖୁଣ୍ଟରେ ପିଟି ଦେଇଥାଆନ୍ତା ଓ ବାହାଦୁର୍‌ ପରେ ସେହି ଟୋକାମାନଙ୍କୁ ଢେଲା ଫୋପାଡ଼ି ରକ୍ତାକ୍ତ କରିଦେଇଥାଆନ୍ତା । ମାତ୍ର ସେମିତି କିଛି ସେ କରିପାରିନଥିଲା । ରାଗ, ଅପମାନ ଓ ଲଜ୍ଜାକୁ ତାର ଫତେଇ ତଳେ ଲୁଚେଇ ସେ ବାହାଦୁର୍‌କୁ ନେଇ ଘରକୁ ଫେରି ଆସିଥିଲା ।

 

ସୁବଳ କୁକୁଡ଼ା ଲଢ଼େଇର ଓସ୍ତାଦ । କେତେ ବଜାର, କେତେ ହାଟ ଓ କେତେ ମେଳା ସେ ବାହାଦୁରକୁ ସାଙ୍ଗରେ ଧରି ନ ଯାଇଛି ! ସବୁଠି ସୁବଳ ବାହାବା ପାଇଛି, ପୁରସ୍କାର ପାଇଛି । ପ୍ରଶଂସାର ହ୍ୱିସିଲ, କୋଳାହଳ ତା ଉପରେ କୁଆପଥର ପରି ବର୍ଷିଯାଇଛି । ସେ ସେଗୁଡ଼ିକୁ ଗୋଟେଇ, ବାହାଦୁର୍‌ ବେକରେ ନୂଆ ରିବନ୍‌ ବାନ୍ଧି, ତାକୁ ବୁଟ ଓ ଗହମ ଖୁଆଇ ଫେରିଆସିଛି ଛାତିଫୁଲେଇ । ଅଥଚ ଆଜି ତାର ସବୁଯାକ ସ୍ୱପ୍ନ, ସବୁଯାକ ଆଶାକୁ ଛାତିଫୁଲେଇ ବାହାଦୁର୍‌ ମାଟିରେ ମିଶେଇଦେଇଛି ! ଛାର୍‌ କାଙ୍ଗାଳି ପିଅନର ଦୁବ୍‌ଲା କୁକୁଡ଼ାଠୁଁ ହାରି ଆସିଛି ବାହାଦୁର୍‌ ।

 

ନା, ପଛ କଥାଗୁଡ଼ା ଭାବି ଆଉ କିଛି ଲାଭ ନାହିଁ । ସେ ଆଗେ ବାହାଦୁର୍‌କୁ ମାରି ଖତମ୍‌ କରିବ । ତାକୁ ପୋତିବ, ତାର ସ୍ମୃତି, ତାର ସମ୍ପର୍କ ସବୁ ଉପରେ ମାଟି ଲଦିଦେବ । ତାପରେ ଯାଇ ସେ ନିଜର ମାନସିକ ଶାନ୍ତି ଫେରି ପାଇବ । ଖାଇବା, ପିଇବା, ଶୋଇବା–ସବୁ କଥା ତାପରେ ।

 

ସେ ଟୁଲ୍‌ ଉପରୁ ଉଠିପଡ଼ିଲା । ଟୁଲ୍‌ଟା ଏହି ଅପ୍ରତ୍ୟାଶିତ ଘଟଣା ପାଇଁ ପ୍ରସ୍ତୁତ ନଥିଲା-। ସେଇଟି ତଳେ ପଡ଼ିଗଲା । ସୁବଳର ରାଗ ଆହୁରି ଉପରକୁ ଚଢ଼ିଗଲା । ସେ ଟୁଲ୍‌ଟା ଉଠେଇ ଦୂରକୁ ଛାଟିଦେଲା । ସେଇ ଶବ୍ଦରେ ତାର ପୁଅ ପିଣ୍ଡାରୁ ଉଠିପଡ଼ି ଘର ଭିତରକୁ ପଳେଇ ଆସିଲା-

 

ସୁବଳର ଗୋଡ଼ ଠିକ୍‌ ଜାଗାରେ ପଡ଼ୁ ନଥିଲା । ତୋଟା ପାଖ ଭାଟିରୁ ସେ ଚାରି ବୋତଲ ତେଣ୍ଡିଦେଇଛି । ତାର ଆଖିଯୋଡ଼ିକ ମନ୍ଦାର ଫୁଲ ପରି ଲାଲ୍‌ ଦିଶୁଛି । କଳା ଚଉଡ଼ା ଛାତି ଫୁଲିଉଠୁଛି । ସୁବଳ ଦିଶୁଛି ଘାତକ ପରି । ଶେଷଥର ପାଇଁ ସେ ଛୁରୀରେ ଧାର ଦେଲା । ଧାର ଦେଇସାରି ସେ ତା ଆଙ୍ଗୁଳି ଟିପରେ ଛୁରୀର ଧାର ପରଖିଲା । ବାହାଦୁର ଖାଲି ନୁହେଁ, ଏଇ ଧାରରେ ମୁନ୍‌ସି ମିଆଁର ବୋଦା ବି ଏକାଚୋଟରେ ଦିଗଡ଼ ହୋଇଯିବ । କିନ୍ତୁ ସୁବଳ ନଇଁପଡ଼ି ଆଉଥରେ ଛୁରୀଟାକୁ ଶିଳରେ ଘଷି ବସିଲା । ଗୋଟାଏ ଚୋଟରେ ବାହାଦୁର୍‌ର ଗଣ୍ଡି ମୁଣ୍ଡ ଅଲଗା ହେବା ଦରକାର ।

 

ଦୁଆର ବନ୍ଧ ଉପରେ ଗୋଟେ ପାଦ ଓ ପିଣ୍ଡାରେ ଆର ପାଦ ରଖି ସୁବଳର ପୁଅ ନାଥୁ ଛିଡ଼ା ହୋଇଥିଲା । ନାଥୁକୁ ତା ସ୍କୁଲର ପିଲାମାନେ ନାଥିଆ ଓ ମାଷ୍ଟରମାନେ ନାଥୁରାମ ବୋଲି ଡାକନ୍ତି । ନାଥୁର ବୟସ ନଅବର୍ଷ । ସେ ଭଲ ପଢ଼େ, କ୍ଲାସରେ ଫାଷ୍ଟ୍‌ ହୁଏ । ସ୍କୁଲ ଯିବା ଆଗରୁ ବାହାଦୁର ସାଙ୍ଗରେ ଖେଳେ ଓ ସ୍କୁଲରୁ ଫେରିବା କ୍ଷଣି ଅଧାବାଟରୁ ବ୍ୟାଗ୍‌ ବସ୍ତାନି ଫୋପାଡ଼ି ଦେଇ ସେ ବାହାଦୁର ପଛେ ପଛେ ଦଉଡ଼େ । ବାହାଦୁର କକ୍‌କକ୍‌ କରି ଆଗେ ଆଗେ ବଙ୍କା ଦଉଡ଼ରେ ଦଉଡ଼େ, ପଛେ ପଛେ ନାଥୁ ତା ଜାମାଟିକୁ ପତାକା ପରି ଉଡ଼େଇ ଉଡ଼େଇ ଗୋଡ଼ଉଥାଏ । ଏମିତି ଦଉଡୁ ଦଉଡୁ ରାତି ହୋଇଯାଏ । ନାଥୁ କାନ୍ଥ ଆଡ଼କୁ ମୁହଁ ଓ ବାପ ଆଡ଼କୁ ପିଠି କରି ଶୋଇଯାଏ । ବାହାଦୁର ପିଣ୍ଡା ତା ପଲାରେ ଆରାମରେ ଶୁଏ ।

 

ସୁବଳର ସ୍ତ୍ରୀ କେତକୀ ନାଥୁକୁ ଦେଢ଼ବର୍ଷ ହେବାବେଳୁ ସୁବଳକୁ ଛାଡ଼ି ପଳେଇଛି । ସୁବଳକୁ ‘ମା କାହିଁ’ ବୋଲି ନାଥୁ ପଚାରିଲେ ସୁବଳ ତା ପ୍ରଶ୍ନକୁ ଏଡ଼େଇଯାଏ । କେଉଁଦିନ ବେଶି ଜିଦ୍‌ କଲେ କହେ ‘ମରିଯାଇଛି’ । ପିଲାଦିନୁ ନାଥୁ ଶୁଣିଛି, ତା ମା ନାହିଁ । ସେ ମରିଯାଇଛି । କିନ୍ତୁ ସୁବଳ ଜାଣେ, ସେ ତା ପୁଅକୁ ମିଛ କହି ଆସିଛି । ସୁବଳର ମା ମରିଯାଇନାହିଁ, ଆଖ୍‌ତାର ମିଆଁ ସଙ୍ଗେ ପଳେଇଯାଇଛି । ସୁବଳର ଦାରିଦ୍ର୍ୟ, ତାର ଚାଳଘର, ତାର ନିପାରିଲା ପଣିଆକୁ ପାଦରେ ଗୋଇଠା ମାରି, ଦେଢ଼ବର୍ଷର ଦୁଧଖିଆ ଛୁଆଟାକୁ ମୂରୁଛି କେତକୀ ସାତବର୍ଷ ହେଲାଣି ପଳେଇଯାଇଛି ।

 

କେତକୀର କଥା ମନେପଡ଼ିଲେ ରାଗରେ ସୁବଳ ତାତିଯାଏ । ରାସ୍ତାର ଇଟାପଥରକୁ ଗୋଇଠା ମାରେ । ଭାଟିକୁ ଯାଇ ମଦ ପିଏ । କିନ୍ତୁ ଘରକୁ ଫେରି ନାଥୁ ଉପରେ ନଜର ପଡ଼ିବା କ୍ଷଣି କେତକୀର ମୁହଁ ତା ଆଖିରେ ନାଚି ଉଠେ । ଟୋକାଟାର ମୁହଁ ଠିକ୍‌ ତା ମା ପରି, ସୁବଳ ମନକୁ ମନ କହେ । ପୁଣି ମନେପଡ଼େ ଆଖ୍‌ତାର ମିଆଁର ଅବିଶ୍ୱସ୍ତ ପଣିଆ, କେତକୀର ବିଶ୍ୱାସଦ୍ରୋହ । ତାର ଲୋମମୂଳ ଟାଙ୍କୁରି ଉଠେ । ବେଇମାନ ! ଦୋସ୍ତି ଦେଖେଇ ବେଇମାନି କରିଛି ସେଇଟା, କଦାପି ସୁଖରେ ରହିବ ନାହିଁ । ଧର୍ମ ସହିବ ନାହିଁ ସେ ଯୋଡ଼ାକ ଧର୍ମଛଡ଼ାଙ୍କୁ ।

 

ଆଖ୍‌ତାର ମିଆଁ ତାକୁ ଶିଖେଇଥିଲା କୁକୁଡ଼ା ଲଢ଼େଇର କୌଶଳ । କେମିତି କୁକୁଡ଼ାକୁ ତାଲିମ ଦେବାକୁ ହୁଏ, କଉଶଳରେ ତା ଗୋଡ଼ ଗଣ୍ଠିରେ ବାନ୍ଧି ଦିଆଯାଏ ଛୋଟିଆ ଛୁରୀ ଓ କେମିତି ଖେଳ ଆରମ୍ଭ ହେବା ଆଗରୁ ତାକୁ ରଗେଇ ଦିଆଯାଏ–ଏସବୁ ସେଇ ଶିଖେଇଥିଲା । ସୁବଳ କୁକୁଡ଼ା ଲଢ଼େଇର କୌଶଳ ଶିଖିଗଲା; କିନ୍ତୁ ସଂସାର କୌଶଳରେ ହାରିଗଲା । କୁକୁଡ଼ା ଲଢ଼େଇ ଶିଖିସାରିବା ବେଳକୁ ଆଖ୍‌ତାର୍‌ ତାକୁ ହରେଇ ଦେଇ ତା ସ୍ତ୍ରୀକୁ ନେଇ କୁଆଡ଼େ ପଳେଇ ଯାଇଥିଲା ।

 

ସୁବଳର ମାଂସପେଶୀ ଫୁଲି ଉଠିଲା । ଘରଟା ଏବେ ତାକୁ ଆଇଁଷିଣିଆ ଗନ୍ଧଉଥିଲା । ବିଶ୍ୱାସଘାତକତାର ଗନ୍ଧ ଲାଗିଛି ଏଇ ଘର କାନ୍ଥରେ । ଆଗେ ସେ ବାହାଦୁରକୁ ହାଣିଦେବ, ତାପରେ ଯୋଉ କଥା । ହେଲା ଏବେ, ସେ ଥିଲା ତାର ସାନପୁଅ, ନାଥୁ ତଳକୁ । ତ କଣ ହୋଇଗଲା ? ଏ ପୃଥିବୀ ଜିଣିଲାବାଲାର । ହାରିଲାବାଲାର ନୁହେଁ । ନାଥୁ ଅନଉଛି, ଅନଉ । ସେ ବି ଦେଖୁ । ସୁବଳ ପାଖରେ ହାରିବାବାଲାର ଥାନ ନାହିଁ ।

 

ତାର ପାଦ ଯୋଡ଼ିକ ବାହାଦୁର୍‌ ଆଡ଼କୁ ଆଗେଇଗଲା । ବାହାଦୁର୍‌ ତାର ବେକ ଶଣ୍ଢା ଟେକି ଜୁଳୁଜୁଳୁ କରି ଅନେଇଲା । ହୁଏତ ସେ ସୁବଳର ମନକଥା ଠିକ୍‌ ଠିକ୍‌ ପଢ଼ି ପାରୁଥିଲା । ଏଇ ଲୋକଟାର ଠାର ସେ ବୁଝେ । ତାର ସବୁ ଇସାରାର ମତଲବ ଜାଣିପାରେ । ସେଇଥିପାଇଁ ସେ ସବୁଠି ଜିଣେ । କିନ୍ତୁ ଆଜି ସେ ପାରିଲା ନାହିଁ । ସେ ଆଖିମୁଦି ତଳେ ପଡ଼ିଗଲା, ତୋତେ ଜିତେଇ ପାରିଲି ନାହିଁ, ମାଫ୍‌ କରିଦେ । ମାରିବା ଆଗରୁ ମାଫ୍‌ କରିଦେ ପହିଲେ, ତାର ଝାଉଁଳି ପଡ଼ିଥିବା ମୁକୁଟ, ଶେତା ପଡ଼ିଯାଇଥିବା ଆଖିଯୋଡ଼ିକ ଯେମିତି ଏଇଆ କହୁଥିଲା ।

 

ସୁବଳର ଛୁରୀଟା ବାହାଦୁର୍‌ ବେକ ଉପରେ ଚୋଟ ବସେଇ ଦେଇଥାଆନ୍ତା । କିନ୍ତୁ ନାଥୁ ଝପଟି ଆସି ବାପକୁ ପିଠି କରି ବାହାଦୁର୍‌କୁ କୋଳେଇ ଧରିଲା । ତାର ଦୁର୍ବଳିଆ ଦେହଟା ସଂପୂର୍ଣ୍ଣ ଘୋଡ଼େଇ ରଖିଥିଲା ବାହାଦୁର୍‌କୁ । ସୁବଳ ଚିତ୍କାର କରି ଉଠିଲା, “ଛାଡ୍‌, ନ ହେଲେ ତୋତେ ବି ହାଣିଦେବି ।”

 

ସେ ନାଥୁର ଡେଣା ଧରି ଭିଡ଼ି ଆଣିଲା । ନାଥୁ ବିକଳରେ ଚିତ୍କାର କରି ଉଠିଲା, “ମରିଗଲି ଲୋ ମା..., ମରିଗଲି... ।”

 

ତାର ସେ ଚିତ୍କାରରେ ସୁବଳର ଚାଳଛପର, ତା ଅସ୍ଥିପଞ୍ଜରା ଉପରର ଚମ ଛାଉଣି ସତେ କି ଦୋହଲିଗଲା । ସେ ଟିକିଏ ଦମ୍‌ ନେବା ପାଇଁ ଛିଡ଼ା ହୋଇଗଲା । ତାର ନିଶା ପାଣି ଫାଟିଯାଇଥିଲା । ଏତେ ବିକଳ ହୋଇ ନାଥୁ କେଉଁଦିନ ତା ସାମ୍ନାରେ କାନ୍ଦି ନଥିଲା ।

ସୁବଳ ଚିତ୍କାର କରି ଉଠିଲା, “କଣ କହୁଛୁ ବେକୁବ ? କହ !”

ବାପର ସେ ଚିତ୍କାରରେ ନାଥୁ ଶଙ୍କିଗଲା । ଯେମିତି ସେ ମଣିଷଛୁଆ ନୁହେଁ, ଗୋଟେ କୁକୁଡ଼ାଛୁଆ ।

: ତାକୁ ମାର୍‌ନା ବାପା । ସେ ଭଲ କୁକୁଡ଼ା ।

: ଅଲ୍‌ବତ୍‌ ମାରିବି । ଅଲବତ୍‌ । ସେ ମୋର ମାନ ଇଜ୍ଜତ ମାଟିରେ ମିଶେଇ ଦେଇଛି । ତାକୁ ମାରିବି ନାହିଁ ତ କଣ ଫୁଲ ଚନ୍ଦନ ଦେଇ ପୂଜିବି ?

: ବା...ପା !

: କହ । ସକଉଛୁ କାହିଁକି ?

: ବାହାଦୁରକୁ ଛାଡ଼ିଦେ ବାପା । ତା ଦିହ ଖରାପ ।

ସୁବଳ କିନ୍ତୁ କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନଥିଲା । ସେ ବାଁ ହାତରେ ନାଥୁକୁ ଆଉ ଥରେ ଠେଲିଦେଇ ଆଗେଇ ଯାଉଥିଲା । ନାଥୁର ନାକପୁଡ଼ା ଫୁଲି ଉଠିଲା । ସେ ପଛରୁ ଡାକିଲା, ଖୁବ୍‌ ବଡ଼ ପାଟିରେ, ‘ବାପା !’

: କଣ ?

: ବାହାଦୁରର ଦୋଷ କଣ ବାପା ?

: ସେ ହାରିଛି । ସେଇଟା ତାର ଦୋଷ ।

: ମୁଁ ହାରିଗଲେ କଣ ତୁ ମୋତେ ମାରିଦେବୁ–ନାଥୁ ପଚାରିଲା ।

: ହଁ, ହଁ, ହଁ ।

: ଆଉ ତୁ ନିଜେ ହାରିଗଲେ ?

: କେତେ ଛୋପରେଇ ହେଉଛି କିବେ, ଆଁ ! ସୁବଳର ବାପ ଗୋଟାଏ, କଥା ଗୋଟାଏ-। ମୁଁ ନିଜେ ହାରିଗଲେ ବି ଏଇ ଛୁରୀର ନିଜର ବେକ ଦିଗଡ଼ କରିଦେବି । ଜାଣିଛୁ, ଆଁ-!

: ତାହାହେଲେ ଆଗେ ମୋ ମାଆକୁ ଆଣି ମୋତେ ଦେ । ତୋତେ ହରେଇ ଯିଏ ମୋ ମାଆକୁ ନେଇଯାଇଛି ତା ମୁଣ୍ଡ ଆଣି ଦେ ମୋତେ... ।

ସୁବଳ ହାତରୁ ଧାରୁଆ ଛୁରୀଟା ଝଣ୍‌ କରି ତଳେ ଖସିପଡ଼ିଲା । ନାଥୁକୁ କିଏ କହିଛି ତାର ଦୁର୍ବଳତାର ଏ ଗୋପନ କଥା ? କିଏ ତାରି ଘର ଭିତରେ ତା ବିରୋଧରେ ଏମିତି ଗୋଟେ ଜଘନ୍ୟ ଷଡ୍‌ଯନ୍ତ୍ର କରିଛି ? ତାର ଶତ୍ରୁ ନା ପଡ଼ୋଶୀ ?

ସୁବଳ ନିରସ୍ତ ହୋଇପଡ଼ିଥିଲା । ତାର ରକ୍ତ, ମାଂସ, ଅସ୍ଥି ଓ ମଜ୍ଜାକୁ ଯେମିତି କୋଉ ଡାଆଣୀ ଏକା ଶୋଷରେ ଶୋଷି ନେଇଥିଲା । ସେ ମନେ ମନେ ଗୁଣୁଗୁଣେଇଲା, ‘ସମସ୍ତେ ବେଇମାନ୍‌ । ସମସ୍ତେ । ଗୋଟି ଗୋଟି କରି ସମସ୍ତଙ୍କୁ ହାଣିଦେବ । କାଲିକାର ଦୁଧଖିଆ ଛୁଆଟା ମୋ ମୁହଁରେ ଜବାବ ଦେଉଛି !’

ସୁବଳ ଘର ଭିତରୁ ବାରନ୍ଦାକୁ ଝଡ଼ ପରି ବାହାରି ଯାଉଥିଲା । ନାଥୁ ଡେଇଁପଡ଼ି ବାପର କାନ୍ଧରେ ଓହଳିପଡ଼ିଲା ମାଙ୍କଡ଼ ଛୁଆ ପରି । ନାଥୁର ମୁହଁଟା ସୁବଳର ପିଠିରେ ଚାପି ହୋଇ ରହିଥିଲା । ଭୟ ଓ ଆଶଙ୍କାରେ ପୁଅର ମୁହଁ ଥମଥମ ଦିଶୁଥିଲା ।

ସୁବଳ ଘରୁ ବାହାରି ଆସି ବାରନ୍ଦାରେ ଛିଡ଼ା ହୋଇଗଲା । ତା ପଛରେ ନାଥୁ ଓ ବାହାଦୁର୍‌ । ବେଳେବେଳେ ବାହାଦୁର୍‌ର ମୁହଁ ନାଥୁ ପରି ଓ ନାଥୁର ମୁହଁ ବାହାଦୁର୍‌ ପରି ତାକୁ ଦିଶୁଥିଲା । ସେ ଗୋଟେ ଭୀଷଣ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲା ।

ସେ କାହାକୁ ମାରିବ ?

ବାହାଦୁର୍‌କୁ ?

ନାଥୁକୁ ?

ନା ନିଜକୁ ?

☆☆☆

 

ଉପେକ୍ଷିତ ରାଜପୁତ୍ର

 

ସମୟ ବଦଳିବା ସଙ୍ଗେ ସଙ୍ଗେ ମଣିଷ ବଦଳିଯାଏ ବୋଲି ଶୁଣିଥିବା ଭରତ ଗଛପତ୍ରମାନଙ୍କର ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହେଉଥିଲା । ପରିଚିତ ଆମ୍ବ ଗଛଟି ଯେ ଭରତର ଅନୁମାନ ଓ ଗଛ ସମ୍ବନ୍ଧୀୟ ଜ୍ଞାନକୁ ପଛରେ ପକେଇ ଅନେକ ବଢ଼ିଯାଇଥିଲା ସେତିକି ନୁହେଁ, ଗଛଟାର ପାରିପାର୍ଶ୍ୱିକ ଦୃଶ୍ୟ ମଧ୍ୟ ସଂପୂର୍ଣ୍ଣ ବଦଳି ଯାଇଥିଲା । ଗଛଟା ସହ ତାର ସେତିକି ନିବିଡ଼ ପରିଚୟ ନଥିଲେ ସେ ହୁଏତ ଅଚିହ୍ନା ଜାଗାରେ ପହଞ୍ଚିଯାଇଛି ବୋଲି ଭାବିବସିଥାନ୍ତା ।

 

‘ହେ ମୋର ପ୍ରିୟ ଆମ୍ବଗଛ’ ବା ସେହିଭଳି ଅର୍ଥଦ୍ୟୋତକ କିଛି ଶବ୍ଦ ତା ପାଟିରୁ ବାହାରିଗଲା । ସେ ଗଛଟିର ଚାରିପଟେ ଦି ତିନିଥର ଘୂରି ଆସିଲା, ଗଛର ଗଣ୍ଡିକୁ ତାର ଦୁଇ ହାତରେ କୁଣ୍ଢେଇ ଧରିବାକୁ ଚେଷ୍ଟା କଲା, ମାତ୍ର ତାର କୁଣ୍ଢ ପାଇଲା ନାହିଁ । ଗୁଣ୍ଡୁଚିମୂଷାଟିଏ ଗଛ ଡାଳରେ ଜରୁରୀ କାମରେ ବ୍ୟସ୍ତ ଥିଲା ପରି ଏପଟ ସେପଟ ହେଉଥିଲା ।

 

ଭରତ ଆମ୍ବଗଛର ଚାରିଦିଗକୁ ଚାହିଁଲା । କେତେ ବଦଳିଯାଇଛି ଏ ଅଞ୍ଚଳ–ସେ ମନକୁ ମନ କହିଲା । ସତର ଅଠର ବର୍ଷ ଭିତରେ ଯଦି ପୃଥିବୀ ଏତେ ବଦଳିଯିବ ତାହାହେଲେ ମଣିଷ ବା ଆଉ କେତେ କଣ ମନେ ରଖିପାରିବ ? ଆମ୍ବଗଛଟାକୁ ମଝିରେ ରଖି ଯୋଡ଼ିକଯାକ ରାସ୍ତା ସେଇଠୁ ଚାରିଟା ରାସ୍ତା ପାଲଟି ଯାଇଛନ୍ତି । ଗୋଟାଏ ରାସ୍ତା ଶିଳ୍ପାଞ୍ଚଳ ଆଡ଼କୁ ଓ ଆର ରାସ୍ତାଟି ସହରମୁହାଁ ଦଉଡ଼ି ଯାଇଛି । ଶିଳ୍ପାଞ୍ଚଳ କୋଉ ଗୋଟେ କାରଖାନାର ଉଚ୍ଚା ଚିମିନୀରୁ ଅବିରତ ଧୂଆଁ ବାହାରୁଥିଲା । ସେହି ଧୂଆଁ ଆଡ଼େ ଭରତ କିଛି ସମୟ ଚାହିଁ ରହିଲା । ଧୂଆଁ କ୍ରମେ ବଉଦଖଣ୍ଡ ପରି ଦିଶି ତାପରେ ଧୀରେ ଧୀରେ ଆକାଶରେ ମିଳେଇ ଯାଉଥିଲା ।

 

ଭରତ ଭିତରେ ଭିତରେ ଦୁଃଖୀ ହୋଇପଡ଼ୁଥିଲା । ତାର ଧାରଣା ଥିଲା ଯେ ସେ ଏଠି ପହଞ୍ଚୁ ପହଞ୍ଚୁ ହଳ ହଳ କୌତୂହଳୀ ଆଖି ତାକୁ ଅନୁସରଣ କରିବେ । ତାର ଅସଲ ପରିଚୟ ଜାଣିବା ପାଇଁ ଚେଷ୍ଟା କରିବେ । ସେ ଏସବୁକୁ କିଛିକାଳ ଉପଭୋଗ କରିବ ଏବଂ ତାପରେ ନିଜର ପରିଚୟ ଦେବ । ମାତ୍ର ପ୍ରକୃତ ଘଟଣା ତାର ଧାରଣାଠୁ ଥିଲା ଯଥେଷ୍ଟ ଦୂରବର୍ତ୍ତୀ । କେହି ତା ବିଷୟରେ ଜାଣିବା ପାଇଁ ଚେଷ୍ଟା କରିବା ତ ଦୂରର କଥା ଟିକିଏ କୌତୂହଳ ମଧ୍ୟ ପ୍ରକାଶ କରୁ ନଥିଲେ । ଯିଏ ଯାହା ବାଟରେ ଯା-ଆସ କରୁଥିଲେ ଓ ସ୍ୱାଭାବିକ ଭାବରେ ଗାଡ଼ିମଟର ତାକୁ ଅତିକ୍ରମ କରି ଚାଲିଯାଉଥିଲା ।

 

ତାଙ୍କର ଏହି ଅଞ୍ଚଳଟି ଯେ ଅଚିରେ ବଦଳିଯିବାକୁ ଯାଉଛି ଏ ତଥ୍ୟ ଅବଶ୍ୟ ଭରତ ସେଇ ଅଠର ବର୍ଷ ତଳୁ ଜାଣିପାରିଥିଲା । ଆଗରୁ ଜାତୀୟ ରାଜପଥ ଦେଇ ଯାଉଥିବା କୌଣସି ଟ୍ରକ୍‌ କାଁ ଭାଁ ଏହି ଗଛ ପାଖରେ ଅଟକୁଥିଲେ ଓ ଭରତ ଠାରୁ ଆମ୍ବ, ପିଜୁଳି କିମ୍ବା ତାଳସଜ କିଣୁଥିଲେ । କୌଣସି ନବଜିଆ ଟ୍ରକ୍‌ ହେଲ୍‌ପର ଓହ୍ଲେଇ ଆସି ବେଳେବେଳେ ଭରତ ସାଙ୍ଗରେ ଦୁଃଖସୁଖ ହେଉଥିଲା ଓ ଆମ୍ବଗଛର ଛାଇ ପାଇଁ ଭରତକୁ ଟଙ୍କେ ଦି ଟଙ୍କା ବକ୍‌ସିସ ଦେଇ ଯାଉଥିଲା । କ୍ରମେ ଆମ୍ବଗଛ ପାଖେ ଅଟକୁଥିବା ଲରିମାନଙ୍କର ସଂଖ୍ୟା ବଢ଼ିବାକୁ ଲାଗିଲା ଓ ସେମାନଙ୍କର ବେଗ ମଧ୍ୟ ବଢ଼ିଚାଲିଲା । ଏବେ ଯେଉଁଠି ଶିଳ୍ପାଞ୍ଚଳ ଗଢ଼ିଉଠିଛି, ସେହିଆଡ଼କୁ ଇଟା, ସିମେଣ୍ଟ, ବାଲି, ଲୁହାଛଡ଼, ଚିପ୍‌ସ, ପାଇପ, ତାର ଓ ପିଚୁଡ୍ରମ୍‌ ବୋହି ଏ ଟ୍ରକ୍‌ଗୁଡ଼ିକ ସେତେବେଳେ ଧାଉଁଥିଲେ ।

 

ଏମିତି ଦିନେ ଦେଖା ହୋଇଥିଲା ମନିନ୍ଦରଜିତ୍‌ ସାଙ୍ଗରେ । ତ୍ରିଶୂଳ ଗଣନାଟ୍ୟର ସାଜସରଞ୍ଜାମ ବୁହେ ତାର ଟ୍ରକ୍‌ । ସେଥର ତ୍ରିଶୂଳ ଗଣନାଟ୍ୟ ପାଞ୍ଚ ପାଞ୍ଚ ରାତି ଅପେରା ପରିବେଷଣ କରିଥିଲା ଭରତର ଗାଁ ପାଖ ପଡ଼ିଆରେ । କାରଖାନା ଗଢ଼ିଉଠୁଥିଲା–କୁଲି, ରେଜା, ଠିକାଦାର, ୱାର୍କର୍ସଙ୍କଠୁଁ ନେଇ ଏ ଅଞ୍ଚଳର ସ୍ଥାନୀୟ ଜନସାଧାରଣଙ୍କ ଭିଡ଼ରେ ଲୋକାରଣ୍ୟ ହୋଇଉଠିଥିଲା ଅପେରା ପଡ଼ିଆ । ଭରତ ମଧ୍ୟ ପାଞ୍ଚ ପାଞ୍ଚ ରାତି ଅପେରା ଦେଖିଥିଲା । ସଂଜବୁଡ଼େ ଚଣା, ମଟର ଓ ବାଦାମ ନେଇ ସେ ଯାଏ । ରାତି ନଅଟା ପର୍ଯ୍ୟନ୍ତ ବିକାକିଣା କାମ ସାରି ଭଲ ଜାଗାଟେ ଦେଖି ଅପେରା ଦେଖିବାକୁ ବସିଯାଏ ।

 

ରାତି ଅନିଦ୍ରା ସହଜେ କଟେନାହିଁ । ଦିନେ ସକାଳେ, ଆମ୍ବଗଛ ମୂଳେ ପସରା ମେଲେଇ ବସୁ ବସୁ ସେଦିନ ତାକୁ ନିଦ ଲାଗିଯାଇଥିଲା । କିଏ ଜଣେ ଡାକିଥିଲା, “ଏ...ଇ ଭରତ, ଦୋକାନ ଖୋଲା ରଖି ଶୋଇପଡ଼ୁଛୁ କେମିତି ? କିଏ ଯଦି ତୋ ଜିନିଷ ସବୁ ନେଇଯାଏ !”

 

ନାଲି ପଡ଼ିଯାଇଥିବା ଆଖିଯୋଡ଼ିକ ଖୋଲିବାକୁ ଭରତର କଷ୍ଟ ହେଉଥାଏ । ଦେଖିଲା, ସୁଲ ଛିଡ଼ାହେଇଛି । ସେ ସ୍କୁଲରେ ପଢ଼େ । ଭରତ କହିଲା, “ଯିଏ ନେଉଛି ନେଉ, ମୁଁ ଆଉ ଚଣା ବାଦାମ ବେପାର କରିବି ନାହିଁ ।”

 

: ତାହାହେଲେ କଣ କରିବୁ ଶୁଣେ !

 

ଭରତର ପାଦ ମଜଭୁତ ହେଲା ଦିନୁ ଏଇ ବେପାରର ପସରା ତା ବେକରେ ଓହଳିଛି । ତା ବାପା ଏ ଅଞ୍ଚଳରେ ସବୁଠୁ ନବଜିଆ ଚଟ୍‌ପଟିବାଲା ଥିଲା । ତା ପସରାରୁ ଜିନିଷ ନ ସରିବାଯାଏ ଗରାଖ ଆଉ କୋଉଠିକି ଯାଉନଥିଲେ । ଭରତ ସୁଲର ପ୍ରଶ୍ନ ଶୁଣି ଦଣ୍ଡେ ନିରବ ରହିଲା । ତାପରେ କହିଲା, “ମୁଁ ଗାଁ ଛାଡ଼ି ପଳେଇଯିବି ।”

 

ଗାଁ ଛାଡ଼ିଯିବା କଥା କହିଲାବେଳେ କାହିଁକି କେଜାଣି ଭରତର ସ୍ୱର ଓଜନିଆ ଶୁଭୁଥିଲା-। ତାକୁ ଲାଗୁଥିଲା, ସତେକି ସେ ଏ ଗାଁରୁ ପଳାଇଲା ପରେ ଗାଁଟା ଫାଙ୍କା ଫାଙ୍କା ଲାଗିବ, ଏ ଗାଁ ଆଉ ଆଗର ଗାଁ ହୋଇ ରହିବ ନାହିଁ । ଭରତର କଥା ଶୁଣି ସୁଲକୁ ଟିକେ ଦୁଃଖ ଲାଗିଲା-। ସେ କହିଲା, “ତୁ ପଳେଇଲେ ତୋ ଜେଜିମା ଖବର କିଏ ବୁଝିବ ?”

 

ଭରତ ଉତ୍ତର ଦେଲା ନାହିଁ । ସେ ଚାହୁଁଥିଲା, କେବଳ ଜେଜିମା ନୁହେଁ ସୁଲ ବି ତାକୁ ଆଉ କୁଆଡ଼େ ଚାଲିଯିବାକୁ ମନା କରନ୍ତା କି ! ସେ ବାଦାମ ପୁଡ଼ିଆଟିଏ ସୁଲକୁ ବଢ଼େଇଦେଇ କହିଲା, “ନେ । ମୁଁ କାଲି ପଳେଇବି । ମୁଁ ଅପେରାରେ ମିଶିବି, ରାଜା ହେବି । ଚଣା, ଆମ୍ବ, ପିଜୁଳି ସବୁଦିନେ ବିକିବି ନାହିଁ ।”

 

ତାପରେ ସତକୁ ସତ ଭରତ ଗାଁ ଛାଡ଼ି ଚାଲିଯାଇଥିଲା । ମନିନ୍ଦରଜିତ୍‌ ଡ୍ରାଇଭର ତାକୁ ତା ଟ୍ରକରେ ବସେଇ ନେଇଯାଇଥିଲା । ପ୍ରଥମେ ଅପେରା ପାର୍ଟିର ମ୍ୟାନେଜର ମନା କରୁଥିଲା । ମନିନ୍ଦରଜିତ୍‌ ଓଡ଼ିଆମିଶା ହିନ୍ଦୀରେ କହିଲା, “ଭୟା, ଲଡ୍‌କାର ଦିଲ୍‌ ମତ୍‌ ତୋଡ଼ିଏ ।” ମ୍ୟାନେଜର ଆଉ କିଛି କହିଲା ନାହିଁ । କେବଳ ହୁସିଆର କରିଦେଲା, “ଆମେ କେତେବେଳେ କୁଆଡ଼େ ଯିବୁ । ଘରକୁ ଫେରିବା ପାଇଁ କନ୍ଦାକଟା କଲେ ସେତେବେଳେ ତୋ କଥା କେହି ଶୁଣିବେ ନାହିଁ ।” ଭରତ ରାଜି ହୋଇଥିଲା ଓ ସେହି ମୁହୂର୍ତ୍ତରୁ ତାକୁ ଅପେରା ପାର୍ଟି ରୋଷେଇ ଘରକୁ ପଠେଇ ଦିଆଯାଇଥିଲା । ସେଇଠୁ ତାର ତାଲିମ ଆରମ୍ଭ ।

 

ଆମ୍ବଗଛର ଗଣ୍ଡିକୁ ଆଉଜି ଭରତ ଛିଡ଼ାହୋଇଥିଲା । ଆଜି ତାର ଜେଜେମା କଥା ଖୁବ୍‌ ମନେ ପଡ଼ୁଥିଲା । କେତେ ସ୍ନେହ କରୁନଥିଲା ଜେଜେମା । ତା ପାଇଁ ଆମ୍ବ, ପିଜୁଳି, ଚଣା ଓ ବାଦାମ କିଣିଆସୁଥିଲା । ଭାଜିଭୁଜି ତା ପସରା ସଜେଇ ଦେଉଥିଲା । ଘରକୁ ଫେରିବା ଉଛୁର ହେଲେ କେତେଆଡ଼ ଧନ୍ଦି ହେଉଥିଲା । ତାକୁ କୋଳରେ ପୂରେଇ ରାଜାପୁଅ ରାଜାଝିଅ ଗପ କହୁଥିଲା । ସେହି ଗପ ଶୁଣୁଶୁଣୁ ଭରତ ଆଖିକୁ ନିଦ ଓହ୍ଲେଇ ଆସୁଥିଲା ।

 

ସେଇ ନିଦ ଭିତରେ ଭରତ ସ୍ୱପ୍ନ ଦେଖୁଥିଲା–‘ତ୍ରିଶୂଳ ଗଣନାଟ୍ୟ’ର ରାଜାପୁଅ ହେଇଯାଉଥିଲା ସେ ନିଜେ । କେତେ ସୁନ୍ଦର ଦିଶୁଥିଲା ତାର ଜରିମଡ଼ା ପୋଷାକ, ତାର ପରଲଗା ମକୁଟୁ, ଜୋତା, ଖଣ୍ଡା ଓ ବେକର ମୋତିମାଳ । ମନପବନ ଘୋଡ଼ାରେ ବସି ଭରତ ଅଗ୍ନାଅଗ୍ନି ବନସ୍ତ ଭିତରକୁ ଚାଲିଯାଉଥିଲା, ସିଧା ଅସୁରୁଣୀର ଗୁମ୍ଫା ପର୍ଯ୍ୟନ୍ତ । ସେଇଠି ରାଜାଝିଅ ସୁଲ ବନ୍ଦିନୀ । ବଡ଼ କୌଶଳରେ ଭରତ ବୁଝିନେଉଥିଲା ଅସୁରୁଣୀର ମୃତ୍ୟୁଭେଦ । ରାଜାଝିଅ ଅସୁରୁଣୀର ଗୋଡ଼ ଘଷି ଦେଉଦେଉ ସେତକ ବୁଝିନେଇଥାଏ ତାଠାରୁ । ଅସୁରୁଣୀ ଅମାବାସ୍ୟା ରାତିରେ ଶିକାର ଖୋଜି ବାହାରେ । କଣ ପଦେ ମନ୍ତ୍ର ଫୁଙ୍କିଦେଇ ଯାଇଥିବ ଯେ ରାଜାଝିଅ ଶୋଇରହିଥିବ ଚଉକାତ ମେଲି । ଭରତ ନଈ, ନାଳ, ପାହାଡ଼, ପର୍ବତ ଡେଇଁ ସେହି ସାତ ତାଳ ପାଣି, ସାତ ତାଳ ପଙ୍କ ଭର୍ତ୍ତି ପୋଖରୀ ପାଖରେ ପହଞ୍ଚିଯିବ ଓ ସେଇଠି ସୁନାଫରୁଆ ଭିତରୁ ଅଡ଼ୁଆବାଳ ତଳେ ଶୋଇଥିବା କଳାଭଆଁରକୁ କାଢ଼ି ଏକା ଚୋଟରେ ଦିଗଡ଼ କରିଦେବ । ଭରତର ନିଦ ଭାଙ୍ଗିଦିଏ ।

 

ସ୍ୱପ୍ନରେ ଏତେ ଏତେ କଥା ଭାବିଲେ ବି ସୁଲ ସାମ୍ନାରେ ସେ ଗୋଟେ ବୋଲି ଶବ୍ଦ କହିପାରେ ନାହିଁ । ସୁଲ ଆସେ, ପିଜୁଳି କି ଆମ୍ବ, ଚଣା କି ବାଦାମ, ଯାହା କିଛି ନେବାର କଥା କିଣିନେଇ ଚାଲିଯାଏ । ଭରତ ସୁଲ ମୁହଁକୁ ଅନେଇ ତାକୁ କଣ କହିବ କହିବ ଭାବି ଭିତରେ ଭିତରେ ସାହସ ସଂଗ୍ରହ କରୁଥାଏ । ସୁଲର ନାକଅଗ ଝାଳବିନ୍ଦୁକୁ ଦେଖୁ ଦେଖୁ ସବୁତକ ସମୟ ବିତିଯାଏ । ସେ କିଛି ବୋଲି କିଛି କହିପାରେ ନାହିଁ । ସୁଲର ଫେରିଯିବା ରାସ୍ତାକୁ ଚାହିଁ ରହେ ।

 

ଅପେରା ପାର୍ଟିରେ ମିଶିବା ପରେ ଦିନାକେତେ ସେ ରୋଷେଇବାସରେ ସାହାଯ୍ୟ କରୁଥିଲା । ତାପରେ ତାକୁ ମିଳିଲା ଷ୍ଟେଜ୍‌-ବୟ ଡିଉଟି । ଯୁଦ୍ଧବେଳେ ଷ୍ଟେଜ୍‌ ଉପରେ ପଡ଼ିଥିବା ଖଣ୍ଡା ଓ ମୁକୁଟ ଗୋଟେଇବା, ଟେବୁଲ, ଚେୟାର ପକେଇବା, ଠାକୁର ମୂର୍ତ୍ତି ଥୋଇବା ଏସବୁ ତାର କାମ ଥିଲା । ସେହି ଆଳରେ ଭରତ ଷ୍ଟେଜ୍‌ ଉପରକୁ ଯିବାର ସୁଯୋଗ ପାଉଥିଲା ।

 

ରାଜାମୁକୁଟ ହାତରେ ଧରି ଷ୍ଟେଜ୍‌ ଉପରେ ବୁଲି ଆସିବା ବେଳେ ଭରତର ଲୋମ ଟାଙ୍କୁରି ଉଠେ । ତାର ମାଂସପେଶୀ ଫୁଲିଯାଏ । ବିଗୁଲ୍‌ର ସେ ଶବ୍ଦ, ଯୋଡ଼ିନାଗରାର ବାଜା, ଉଜ୍ଜ୍ୱଳ ଆଲୁଅ ଓ ହଜାର ହଜାର ଉତ୍ସାହୀ ଆଖି ମେଳରେ ସେ ନିଜକୁ ଦେଖି କୃତ୍ୟ କୃତ୍ୟ ହୋଇଯାଏ ।

 

ଦିନେ ସାହସ କରି ସେ ମ୍ୟାନେଜରଙ୍କୁ କହିଥିଲା, “ମୋତେ ବି ଗୋଟାଏ ରୋଲ୍‌ ଦିଆଯାଉ । ମୁଁ ଭଲ କରିପାରିବି ।”

 

ମ୍ୟାନେଜର ଉତ୍ତର ଦେଇଥିଲେ, “ଏଇଟା ଚଣା ବିକିବା କାମ ନୁହେଁ ଭରତ । ବଡ଼ ବଡ଼ ଅଭିନେତାଙ୍କର ବି ଷ୍ଟେଜ୍‌ ଉପରେ ପାଟି ଆଫା ଆଫା ହୋଇଯାଏ । ସବୁର୍‌ କର । ଟାଇମ୍‌ ଆସିଲେ ତୋତେ ଚାନ୍‌ସ ମିଳିବ ।”

 

ଭରତ ଆମ୍ବଗଛ ତଳୁ ବାହାରି ଆସିଲା । ଭାଏଁ ଭାଏଁ କରି ଦୁଇଟା ଟ୍ରକ୍‌ ତା ସାମ୍ନା ଦେଇ ପରସ୍ପରକୁ ଅତିକ୍ରମ କରିଗଲେ । ମୁହଁସଂଜ ହୋଇ ଆସିଲାଣି । ରଂଗବୋଳା ଆରମ୍ଭ ହେବଣି । ସେ ତରତର ପାଦରେ ତାଙ୍କ ତମ୍ବୁ ଆଡ଼େ ଚାଲିବାକୁ ଲାଗିଲା ।

 

ଗାଁର ରାସ୍ତା, ରାସ୍ତା ପାଖ ପାଟ, ଗଛ ଓ ଗାଁ ଭିତରର ଘର ସଭିଏଁ ବଦଳି ଯାଇଛନ୍ତି । ଯେତେ ଯୁଆଡ଼େ ଚାହିଁଲେ ବି କୋଉଠି ଗୋଟେ ପରିଚିତ ମୁହଁ ସେ ଦେଖୁନଥିଲା । ତାକୁ ଲାଗୁଥିଲା ସେ ଯେମିତି ଏଠି ଗୋଟେ ଅଲୋଡ଼ା, ଅଦରକାରୀ ମଣିଷ । କେହି ତାକୁ ଚାହୁଁ ନାହାନ୍ତି କି ତା ବିଷୟରେ କିଛି ଜାଣିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ପୁଣିଥରେ ଭରତର ଜେଜେମା କଥା ମନେପଡ଼ିଲା । ବିଚାରୀ ଯଦି ଆଜି ବଞ୍ଚିଥାଆନ୍ତା, ତାକୁ ଦେଖି କେତେ ଖୁସି ହୋଇନଥାନ୍ତା ! ଜେଜେମା ତାକୁ ଅନେକ କାହାଣୀ ଶୁଣେଇଥିଲା । ସେସବୁକୁ ସେ ରାତିରାତି ଧରି ଶୁଣିଥିଲା । କିନ୍ତୁ ଆଜି ସେ ଜେଜେମାକୁ ତାର କାହାଣୀ ଶୁଣେଇଥାଆନ୍ତା । ସେ କାହାଣୀ ଆରମ୍ଭ ହୁଅନ୍ତା ମନିନ୍ଦରଜିତ୍‌ ଟ୍ରକ୍‌ ଡାଲାରୁ ଓ ସରନ୍ତା ଯାଇ ‘ତ୍ରିଶୂଳ ଗଣନାଟ୍ୟ’ର ରାଜା ରୋଲ୍‌ କରୁଥିବା ଭରତ ଚନ୍ଦ୍ର ପାଖରେ । ଗୋଟି ଗୋଟି କରି ଜେଜେମାକୁ ଦେଖେଇ ଦିଅନ୍ତା, “ଏଇ ଦେଖ୍‌, ୟାକୁଇ କହନ୍ତି ମୁକୁଟ, ୟାକୁ ତରବାରୀ, ୟାକୁ ମୋତିମାଳ !”

 

ଅଥବା ଦେଖାହୁଅନ୍ତା କି ସୁଲ ସାଙ୍ଗରେ !

 

ସୁଲ କଥା ମନେପଡ଼ିବା କ୍ଷଣି ଭରତର ଛାତି ଭିତରଟା ଆଉଟୁ ପାଉଟୁ ହୋଇଗଲା । ସେ ଆଜି ମନପ୍ରାଣ ଦେଇ, ବୁଦ୍ଧି କୌଶଳ ଦେଇ ଅଭିନୟ କରିବ । ତାର ଗାଁ ଲୋକମାନେ ଦେଖିବେ, ଭରତ କୋଉଠୁ ଯାଇ କୋଉଠି ପହଞ୍ଚିଯାଇଛି ! କରତାଳିରେ ପଡ଼ିଆ କମ୍ପିଯିବ । ସମସ୍ତେ ନିଜ ନିଜ ଭିତରେ ଆଖି ଠରାଠରି ହୋଇ ତା ଠିକଣା ଖୋଜୁଥିବେ । ଭରତର ଛାତି ଫୁଲି ଉଠିବ । ତାପରେ ଯାଇ ସେ ଭେଟିବ ସୁଲକୁ । ସେ ଯୋଉଠି ଥାଉ, ଭରତ ତାକୁ ଖୋଜି ବାହାର କରିବ । କହିବ, “ଦେଖ୍‌ ସୁଲ ! ମୁଁ ଆସିଛି । ଭରତ ।”

 

କନ୍‌ସର୍ଟ ବାଜୁଥିଲା । ଢୋଲ, ଯୋଡ଼ିନାଗରା, ହାର୍ମୋନିୟମ, ବିଗୁଲ, ସାହାନାଇ ଓ କେତେ କେତେ ବାଜା ବାଜୁଥିଲା । ଝଣଝଣ କରି ଶବ୍ଦ ଶୁଭୁଥିଲା କଂସାଳର । ଚାରିପଟେ ଲୋକ ହାଉଯାଉ । ‘ତ୍ରିଶୂଳ ଗଣନାଟ୍ୟ’ ନାମୀ ଅପେରା ପାର୍ଟି । ପିଲାଛୁଆଙ୍କଠାରୁ ଆରମ୍ଭ କରି ସମସ୍ତେ ଉତ୍କଣ୍ଠାର ସହ ଚାହିଁରହିଛନ୍ତି ।

 

ଭରତ ହୋଇଛି ଯୁବରାଜ । ରାଜାଙ୍କ ଅନ୍ତେ ସିଂହାସନରେ ବସିବେ ଯୁବରାଜ । ଭାତୃବିବାଦ ଯୋଗୁ ପରିସ୍ଥିତି ବଦଳିଯାଉଛି । ଯୁବରାଜଙ୍କୁ ଲଢ଼ିବାକୁ ହେଉଛି ଘମାଘୋଟ ଲଢ଼େଇ-। ଭରତର ଯୁଦ୍ଧକୌଶଳ ଦେଖି ଦର୍ଶକଗଣ ସ୍ତବ୍ଧ ହୋଇଯାଉଛନ୍ତି । କରତାଳିରେ ବାରମ୍ବାର କମ୍ପିଉଠୁଛି ଅପେରା-ପଡ଼ିଆ ।

 

କିନ୍ତୁ ଭରତ ଭିତରେ ଭିତରେ ଉଦାସ ହୋଇପଡ଼ୁଥିଲା । ସାତ ଆଠଥର ଷ୍ଟେଜ୍‌ ଉପରକୁ ଯାଇ ସେ ଫେରିଲା ପରେ ବି କେହି ଜଣେ ବି ତାକୁ ଚିହ୍ନୁ ନ ଥିଲେ, ତା ନାଁ ଧରି ଡାକୁନଥିଲେ । ତାର ଇଚ୍ଛା ହେଉଥିଲା ଜରିମଡ଼ା ଯାତ୍ରା ପୋଷାକ ତଳୁ ସେ ବାହାରି ଆସନ୍ତା । କେହି ଜଣେ ଖାଲି କହନ୍ତି, “ଇଏ ପରା ଆମ ଗାଁ ଭରତ ।” ଏଇ ପଦକ ଶୁଣିବା ପାଇଁ ତାର କାନ ଯୋଡ଼ିକ ଅଧୀର ହୋଇପଡ଼ୁଥିଲା ।

 

ନା, ତାର ଅସଲ ପରିଚୟ ଏବେ ହୋଇପଡ଼ିଛି ସଂପୂର୍ଣ୍ଣ ଗୌଣ । ତାର ପୋଷାକ, ତାର ସଂଳାପ ଓ ତାର ଅଭିନୟ ହିଁ ହେଉଛି ସତ୍ୟ, ବାସ୍ତବ । ସେ କେବଳ ଏବେ ଜଣେ ଅଭିନେତା ।

 

ଭରତ ଭିତରେ ତିନି ତିନିଟି ମଣିଷଙ୍କ କୋଳାହଳ । ଗୋଟାଏ ମଣିଷ ଯାତ୍ରା ଡାଇଲଗ୍‌ କହିଯାଉଛି, ଦ୍ୱିତୀୟଟି କେବଳ ଅତୀତକୁ ଝୁରିହେଉଛି ମନେ ମନେ ଏବଂ ଆର ମଣିଷଟି ଏ ଦିହିଁଙ୍କଠୁ ଅଲଗା ଠିଆହୋଇ କେବଳ ଆଗ କଥା ଭାବିଚାଲିଛି । କିଛି ଗୋଟାଏ ଅଲୌକିକ ଘଟଣା ଘଟିଯିବାକୁ ଅନିଶା କରୁଛି ।

 

ରାତି ପାହି ପାହି ଆସୁଥିଲା । ସରିସରି ଆସୁଥିଲା ନାଟକ । ଚାରିପାଖର ପୃଥିବୀ ଶୀତଳ ଲାଗୁଥିଲା । ଆଉ ଗୋଟାଏ ଦୃଶ୍ୟ ପରେ ନାଟକର ସମାପ୍ତି ଘଟିବ । ଭରତ ବିଦାୟ ନେଇଯିବ ମଞ୍ଚ ଉପରୁ ।

 

ଅଥଚ ଏଯାଏ ତାକୁ କେହି ଚିହ୍ନିଲେ ନାହିଁ । ଯୋଉଥିପାଇଁ ସେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲା ସେକଥା ଘଟିଲା ନାହିଁ । ହୁଏତ କେବେ ବି ଘଟିବ ନାହିଁ ।

 

ଉତ୍ତେଜିତ ଭରତ ହଠାତ୍‌ ସଂଳାପ ଭୁଲିଗଲା । ସେସବୁ ମନେପକେଇବାକୁ ସେ ଚେଷ୍ଟା କଲାନାହିଁ । ସେ ଚିତ୍କାର କରି ଉଠିଲା, “ହେ ମୋର ଗ୍ରାମବାସୀ, ଭାଇ ଓ ଭଉଣୀମାନେ । ଆପଣମାନେ ମୋର ଅଭିନୟରେ ମୁଗ୍ଧ ହୋଇଛନ୍ତି ଜାଣି ମୁଁ ଯେତିକି ଖୁସି, ଆପଣମାନେ ମୋର ଅସଲ ପରିଚୟ ବାବଦରେ ବୀତସ୍ପୃହ ଦେଖି ତାଠାରୁ ଅଧିକ ଦୁଃଖୀ ହୋଇଛି... ।”

 

ଭରତର କଥା ଆଉ ସେଣିକି ଶୁଭିଲା ନାହିଁ । ଦର୍ଶକଙ୍କ ଭିତରୁ ବିରକ୍ତି, ବିସ୍ମୟ ଓ ବିଦ୍ରୂପର ଶବ୍ଦସବୁ କୋଳାହଳ ହୋଇ ଛାଇଯାଇଥିଲେ । ମଞ୍ଚ ଉପରେ ଉପସ୍ଥିତ ନାୟିକା ଜଣକ ପରିସ୍ଥିତିର ଏହି ଅତିନାଟକୀୟ ମୋଡ଼ବୁଲାଣିରେ କାଠ ପାଲଟି ଯାଇଥିଲା । ଚାରିପଟେ ହୋ-ହଲ୍ଲା । ଯେମିତି ଭିଡ଼ ଭିତରକୁ ପାଗଳା ହାତୀଟେ ପଶିଆସିଛି ।

 

ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଷ୍ଟେଜ୍‌ ଉପରର ଆଲୋକ ଲିଭେଇ ଦିଆଗଲା ଓ ନାୟିକା ସେହି ଅନ୍ଧାର ଭିତରେ ତମ୍ବୁ ଭିତରକୁ ପଳେଇଗଲା ।

 

ହଠାତ୍‌ ଭରତ ଅନୁଭବ କଲା, ତାର ନାକ ଉପରେ କାହାର ଶକ୍ତ ଘୁଷି । ଦି ଜଣ ତାର ଦି ବାହା ଧରି ତାକୁ ଘୋଷାଡ଼ି କୁଆଡ଼କୁ ନେଇଯାଉଥିଲେ ।

 

ନାଟକ ଚାଲୁ ରଖିବା ପାଇଁ ପରିଚାଳକଙ୍କର ସବୁ ଚେଷ୍ଟା ବ୍ୟର୍ଥ ହେଲା । ଶେଷକୁ ସେ ହିନ୍ଦୀ ଗୀତର ରେକର୍ଡ ଲଗେଇ ଦେଇ ନିଜ ଉଦ୍ୟମରୁ ନିରସ୍ତ ରହିଲେ ।

 

ତମ୍ବୁଯାଏ ଆସିବା ଭିତରେ ଭରତର ନାକ, ଗାଲ ଓ ବେକ ମାଡ଼ ଖାଇ ଖାଇ କଇଁଥା ପାଲଟି ସାରିଥିଲା । ତାର ଦୁଇ କଳରୁ ରକ୍ତ ନିଗିଡ଼ି ଯାତ୍ରା ପୋଷାକକୁ ରକ୍ତାକ୍ତ କରିଦେଇଥିଲା । ମ୍ୟାନେଜର ଚିତ୍କାର କରୁଥିଲା, “ସୁଅର୍‌କା ବଚ୍ଚା, ନାଲାଏକ୍‌ । ପାଗଳ । ମୋର ଜାନ୍‌ ମାଟିରେ ମିଶେଇଦେଲୁ, ତୋତେ ଆଜି ଜିଅନ୍ତା ଛାଡ଼ିବି ନାହିଁ... । ତା ସାଙ୍ଗକୁ ଆହୁରି ଗୋଟାଏ ଘୁଷି, ଆଗଠାରୁ ଓଜନିଆ, ଆଗଠୁଁ ନିଷ୍ଠୁର ।

 

ଭରତ ଆଖିପିଛୁଳାକେ ପାଗଳ ପାଲଟିଗଲା । ଯାତ୍ରାଫେରନ୍ତା ସାଙ୍ଗମାନଙ୍କ କଥାବାର୍ତ୍ତାରେ ସେ ହୋଇଗଲା ପାଗଳା । ଭରତ ବୁଝିପାରୁନଥିଲା ଯେ ସେ କେତେବେଳେ ଓ କେମିତି ପାଗଳ ହେଲା ? ତାର କୌଣସିଟି କଥା ଶୁଣିବାକୁ କେହି ପ୍ରସ୍ତୁତ ନ ଥିଲେ ।

 

ସେମାନଙ୍କ ତମ୍ବୁ ସାମ୍ନାରେ ଭିଡ଼ । ଏପରି ଗୋଟାଏ ଦୃଶ୍ୟ ଦେଖିବାର ସୁଯୋଗ କେହି ଛାଡ଼ନ୍ତା ନାହିଁ । ‘ତ୍ରିଶୂଳ ଗଣନାଟ୍ୟ’ର ହିରୋ ପାଗଳା ହୋଇଯାଇଛି, ଅଧାରୁ ବନ୍ଦ ହୋଇଯାଇଛି ବହି–ଏହି କଥାଟା ଚାରିଆଡ଼େ ଖେଳିବୁଲୁଥିଲା । ମ୍ୟାନେଜର ଓ ତାଙ୍କ ସହଯୋଗୀମାନେ ଯେତେ ଚେଷ୍ଟା କଲେ ବି ଭିଡ଼ ସମ୍ଭଳା ପଡ଼ୁ ନଥିଲା ।

 

କେହିଜଣେ ଆସି ଭରତକୁ ଘୋଷାଡ଼ି ଘୋଷାଡ଼ି ତମ୍ବୁ ପଛପଟକୁ ନେଇଗଲା । ସେପଟେ ପୋଖରୀ ଓ ନଡ଼ିଆଗଛ । ସେଇଠି ଭରତକୁ ବସେଇ ଦେଇ ତା ପୋଷାକଗୁଡ଼ା ଦେହରୁ ଖୋଲି ବସିଲା ।

 

କେତେ ସମୟ ସେ ବସିରହିଥିଲା ଭରତ ଜାଣେ ନାହିଁ । ପୋଖରୀ ପାଣିରେ କାହାର ଛାଇ ଦେଖି ଭରତ ବଡ଼ କଷ୍ଟରେ ମୁଣ୍ଡ ଟେକିଲା । ତା ବେକପଛ ରଡ଼ରଡ଼ ହୋଇ ଭାଙ୍ଗିଗଲା ପରି ଲାଗୁଛି । କିନ୍ତୁ ଏ କଣ ଦେଖୁଛି ! ସେଇ ମୁହଁ, ସେଇ ଗଢ଼ଣ । ଖାଲି ଯାହା ବଡ଼ ହୋଇଯାଇଛି ସୁଲ । ସୁଲ କଣ ତାକୁ ଚିହ୍ନିପାରିଛି ! ଖୋଜି ଖୋଜି ଆସିଛି ତାକୁ ଶଙ୍ଖୋଳିବା ପାଇଁ !

 

ଭରତ ଭିତରେ ଗୋଟାଏ ମୃଦୁ ଭୂମିକମ୍ପ । କିଏ ଜଣେ କହୁଥିଲା ଝିଅ ଓ ସଁବାଳୁଆମାନେ ରାତାରାତି ବଦଳି ଯାଆନ୍ତି । କେଡ଼େ ଡେଙ୍ଗା ଓ ସୁନ୍ଦରୀ ହୋଇଯାଇଛି ସୁଲୋଚନା ?

 

ପଛେ ପଛେ ଆଉ ଦୁଇଜଣ । ଜଣେ ବୁଢ଼ୀ ଓ ଆରଟି ସାନ ପିଲା । ଭରତ ଚିହ୍ନିନେଲା, ସୁଲର ସାବତ ମା । ଠିକ୍‌ ଅସୁରୁଣୀ ପରି ଚେହେରା, ଆହୁରି ଭୟଙ୍କର ଦିଶୁଛି ପାଚିଲା ବାଳ ଓ କଳାଦାନ୍ତ ମଝିର ସେ ଆଖିଯୋଡ଼ିକ ।

 

ସୁଲ ଆସିଲା । ଦୂରଛଡ଼ା ହୋଇ ଛିଡ଼ାହେଲା । ଭୂଇଁ ଉପରେ ପାଦ ନଖରେ ଗାର କାଟୁ କାଟୁ କହିଲା, “ତୁ କଣ ସତରେ ପାଗଳା ହୋଇଗଲୁ ?”

 

: ପା-ଗ-ଳା ! ସେ କେତେବେଳେ ପାଗଳ ହେଲା ? କିଏ ତାକୁ ପାଗଳା କରିଦେଲା-? ଭରତ ଆଉ କିଛି କହିବାକୁ ଯାଉଥିଲା; ମାତ୍ର ତାର ପୋଷାକ ଖୋଲି ଦେଉଥିବା ଅପେରାର ଲୋକଟି ସେମାନଙ୍କୁ କହିଲା, “ପାଗଳଟା, କେତେବେଳେ କଣ କହିଦେବ, ଆପଣ ଚାଲିଯାଆନ୍ତୁ ମାଡାମ୍‌ ।”

 

ଭରତ କିଛି କହିପାରିଲା ନାହିଁ ।

 

ସୁଲର ସାବତ ମା ଆଗକୁ ଆସି ସୁଲକୁ ଝିଙ୍କିନେଇ ଚାଲିବାକୁ ଆରମ୍ଭ କରିଦେଇଥିଲା-। ତା ତୁଣ୍ଡରୁ ସୁଲ ପାଇଁ ଅଭିଶାପମାନ ମାଘମାସରେ ଚାକୁଣ୍ଡା ପତ୍ର ପରି ଖଡ୍‌ଖାଡ୍‌ ଖସିପଡ଼ୁଥିଲା-। “ପୋଡ଼ାମୁହୀଁ, ଏଇ ଗୁଣରୁ ତ ଅଧା ବଅସରୁ ଗିରସ୍ତକୁ ଖାଇଲୁ । ଫେର୍‌ ରାସ୍ତାଘାଟରେ ନାଁ ପକେଇବୁ ନା କ’ଣ... ?”

 

ଭରତ ଭିତରେ ଭିତରେ ହାତଗୋଡ଼ ଛାଟିହେଲା, ଚିତ୍କାର କଲା । ଡେଇଁ ପଡ଼ିବାକୁ ଚାହିଁଲା । ତାର ଇଚ୍ଛା ହେଉଥିଲା ସେ ସୁଲ ପଛେ ପଛେ ଧାଇଁ ଯାଆନ୍ତା, ତାକୁ ବୁଝେଇ ଦିଅନ୍ତା । ସେ ପାଗଳ ନୁହେଁ କି ସେ କିଛି ଭୁଲ୍‌ କରିନାହିଁ । କିନ୍ତୁ ତାକୁ ଧରିବସିଥିବା ଲୋକଟିର ଜାବରୁ ସେ ମୁକୁଳି ପାରୁ ନଥିଲା ।

 

ଓଢ଼ଣାର କାନିକୁ ପାଟିରେ ଗୁଞ୍ଜି, ଛାତିର କୋହକୁ ଚାପି ରଖିବାକୁ ଚେଷ୍ଟା କରୁ କରୁ ସୁଲ ବଡ଼ ବଡ଼ ପାହୁଣ୍ଡ ପକେଇ ଚାଲିଯାଉଥିଲା ।

 

ଗାଁ ଆଡ଼କୁ ଯାଇଥିବା ରାସ୍ତାରେ ଲୋକମାନଙ୍କର ସ୍ୱାଭାବିକ ଯାତାୟାତ ଆରମ୍ଭ ହୋଇ ଯାଇଥିଲା । ଭରତ ସବୁଯାକ ବଳ ଖର୍ଚ୍ଚ କରି ଉଠି ଠିଆହେଲା ଓ ତା ଦେହରୁ ଅବଶିଷ୍ଟ ଯାତ୍ରାପୋଷାକତକ କାଢ଼ି ଫିଙ୍ଗିଦେଲା । ସୁଲ ଯାଇଥିବା ଗାଁ ରାସ୍ତାର ବିପରୀତ ଦିଗରେ ସେ ଏଥର ଦଉଡ଼ିବାକୁ ଲାଗିଲା । ଘୃଣା, ଅନାଦର, ଉପେକ୍ଷା ଓ ଅସହାୟତା ମିଶି ତାକୁ ଗୋଟେ ଅଦୃଶ୍ୟ କୁକୁର ପରି ଗୋଡ଼ଉଥିଲେ । ସେ ଧାନବିଲ, କଣ୍ଟାଗଛ, ବାଉଁଶ ବୁଦା କିଛି ନ ମାନି କେବଳ ଦଉଡ଼ୁଥିଲା । ପଛରେ ରହିଯାଉଥିଲା ଅପେରା ପାର୍ଟିର ତମ୍ବୁ, ଗାଁ, ସୁଲୋଚନା, ସୁଲର ସାବତ ମା, ଜେଜିମାର ସ୍ମୃତି, ସୁଲର ବିଧବା କପାଳ ଓ ତା ନିଜର ରାଜା ହେବାର ସ୍ୱପ୍ନ ।

☆☆☆

 

ମନ୍ତ୍ରୀ ଆସିବେ ବୋଲି

 

ଆଦୌ ପାଠଶାଠରେ ମନ ଦେଉ ନ ଥିବା ଝୁନା ଏବେ କିଛିଦିନ ହେଲା ବାପା କି ବୋଉ କିଛି କହିବା ଆଗରୁ ସ୍କୁଲ୍‌କୁ ବାହାରି ଯାଉଥିଲା । ଖୁବ୍‌ ଜରୁରୀ କାମରେ ବାହାରିଥିବା ଲୋକଠାରେ ଯେମିତି ବ୍ୟସ୍ତତା ଦେଖାଦିଏ ସେମିତି ବ୍ୟସ୍ତତା ଦେଖା ଦେଉଥିଲା ଝୁନା ମୁହଁରେ ।

 

ମନ୍ତ୍ରୀଙ୍କ ସଭାରେ ଯେଉଁ କୋରସ୍‌ ବୋଲାଯିବ ସେଇ କୋରସ୍‌ ଦଳରେ ମିଶିଥିଲା ଝୁନା । ଆଉ ନଅଜଣ ବି ଝୁନା ସାଙ୍ଗରେ ସେଇ ଗୀତ ଗାଇବେ ।

 

ଝୁନା ତାଙ୍କ ଘରୁ ବାହାରି ସିଧା ସ୍କୁଲକୁ ଯାଉ ନ ଥିଲା । ସାଙ୍ଗ ଝିଅମାନଙ୍କୁ ତାଙ୍କ ଘରୁ ଡାକିନେବା ଦାୟିତ୍ୱ ବି ସେ ନିଜ ମୁଣ୍ଡ ଉପରକୁ ନେଇଥିଲା । ସମସ୍ତେ ଏକା ସାଙ୍ଗରେ ନ ଗଲେ ସାର୍‌ ଗୀତ ଅଭ୍ୟାସ କରାଇବେ ନାହିଁ । ସେମାନଙ୍କର ନିଷ୍ଠା ନାହିଁ ବୋଲି କହି ଗାଳିମନ୍ଦ କରିବେ ଓ ହେଡ୍‌ ମାଷ୍ଟରଙ୍କୁ ରିପୋର୍ଟ କରିଦେବେ । ଝୁନା ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ କାମଟିକୁ ହାତଛଡ଼ା କରିବାକୁ ଚାହୁଁ ନ ଥିଲା ।

 

ମନ୍ତ୍ରୀଙ୍କ ଆଗମନକୁ ନେଇ କେବଳ ଝୁନା କି ଗୀତସାର୍‌ ନୁହନ୍ତି, ହେଡ୍‌ମାଷ୍ଟ୍ରେ, ସ୍କୁଲ ସେକ୍ରେଟାରୀ ଓ ହରିପୁର ଗାଁର ମୁଖିଆ ମୁଖିଆ ଲୋକମାନେ ସମସ୍ତେ ତତ୍ପର ଥିଲେ । ବିରୋଧୀ ଦଳର ମାଗୁଣି ରାଉତ ଓ ତାଙ୍କ ମୁଷ୍ଟିମେୟ ଅନୁଗତ ମଧ୍ୟ ବେଶ୍‌ ସନ୍ତର୍ପଣରେ ଏଥିପାଇଁ ବ୍ୟସ୍ତ ଥିଲେ । ଏହିପରି ଗୋଟିଏ ଐତିହାସିକ ଘଟଣା ଅବସରରେ ସେମାନେ ଯଦି କଳା ପତାକା ନ ହେଲା ନାହିଁ ଖଣ୍ଡେ ଖଣ୍ଡେ କଳା ଗାମୁଛା ଅନ୍ତତଃ ଟେକି ଦେଖେଇ ପାରିବେ ତାହେଲେ ରାଜନୀତି ମଇଦାନରେ ବିରୋଧୀ ଦଳର କର୍ମୀ ଭାବେ ସେମାନଙ୍କର ଗୁରୁତ୍ୱ ବଢ଼ିଯିବ ବୋଲି ସେମାନେ ଜାଣିଥିଲେ ।

 

ଏହା ପୂର୍ବରୁ ହରିପୁରର ଇତିହାସରେ କେବେ କୌଣସି ଦିନ କୌଣସି ମନ୍ତ୍ରୀ ଏଠାକୁ ଆସି ନ ଥିଲେ । ଏ ଗାଁର ମାଟି ସତେ କି ଜଣେ ମନ୍ତ୍ରୀଙ୍କର ପାଦଧୂଳି ପାଇବା ନିମନ୍ତେ ବର୍ଷ ବର୍ଷ ଧରି ତପସ୍ୟା କରୁଥିଲା । ସ୍କୁଲର ସଂସ୍କୃତ ପଣ୍ଡିତ ଏ କଥାଟି କହିବା ବେଳେ ରାମାୟଣରୁ ପାଷାଣୀ ଅହଲ୍ୟା ଓ ଶ୍ରୀରାମଚନ୍ଦ୍ରଙ୍କ ଉଦାହରଣ ଦେଇ କଥାଟିକୁ ଆଉ ଟିକେ ଗୁରୁତ୍ୱପୂର୍ଣ୍ଣ କରିବାର ଚେଷ୍ଟା କରୁଥିଲେ । ପଆଁଷଠି କି ଛଅଷଠି ମସିହାରେ ଜଣେ ମନ୍ତ୍ରୀ ପାଖ ଘଣ୍ଟେଶ୍ୱର ବଜାରକୁ ଆସିଥିଲେ । ସେତେବେଳେ ଘଣ୍ଟେଶ୍ୱରକୁ କେହି ଆସିବା ସହଜ ନଥିଲା । ଦୁଇ ଦୁଇଟି ନଈ ପାର ହୋଇ ଓ ଶେଷକୁ ଦଶ କିଲୋମିଟର ରାସ୍ତା ପଙ୍କ କାଦୁଅ ନ ହେଲେ ଗୋଇଠି ଉଚ୍ଚ ବାଲିରେ ପଶି ଏଠିକି ଆସିବା ସହଜସାଧ୍ୟ କଥା ନୁହେଁ । ଏ ଅବସ୍ଥାରେ ହରିପୁର ଗାଁକୁ କୌଣସି ବଡ଼ବଡ଼ିଆ ଆସିବାର ପ୍ରଶ୍ନ ଉଠିବ ବା କୁଆଡୁ ! ଏ ଗାଁକୁ ସ୍ଥଳପଥ କି ଜଳପଥ କୌଣସି ପଥରେ ସିଧା ଆସିବାର ବ୍ୟବସ୍ଥା ନାହିଁ । ନଈ ନାଳ ଘେରା ଧୋଇଆ ଅଞ୍ଚଳରେ ଗୋଟାଏ ଟାପୁ ପରି ଏଇ ଗାଁ, ଦୂରରୁ ଗୋଟାଏ ଅସ୍ୱସ୍ତିକର ପ୍ରଶ୍ନବାଚୀ ପରି ଦିଶେ । ପାଖ ନଈ ଉପରେ ପୋଲଟିଏ ହୋଇଗଲେ ଅବଶ୍ୟ ଗାଁର ଗମନାଗମନ ସମସ୍ୟାର ସମାଧାନ ହୋଇଯାଆନ୍ତା । ମାତ୍ର ପୋଲ ହେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦରକାର କହି ଏ ପ୍ରସ୍ତାବଟିକୁ ଆଜିଯାଏ ସବୁ ସରକାର ଏଡ଼େଇ ଦେଇ ଆସିଛନ୍ତି ।

 

ହରିପୁର ଗାଁର ସେଇ ଯୁଗ ଯୁଗର ଦାବି ନୂଆନଈ ପୋଲର ଶିଳାନ୍ୟାସ ପାଇଁ ପୂର୍ତ୍ତବିଭାଗ ରାଷ୍ଟ୍ରମନ୍ତ୍ରୀ ଆସୁଛନ୍ତି । ଶିଳାନ୍ୟାସ ପରେ ସେ ନଈ ସେପଟରୁ ଫେରି ନ ଯାଇ ହରିପୁର ଗାଁକୁ ଆସିବେ ଓ ହରିପୁର ଗାଁ ଉଚ୍ଚପ୍ରାଥମିକ ବିଦ୍ୟାଳୟ ହତାରେ ଯେଉଁ ସାଧାରଣ ସଭାର ଆୟୋଜନ କରାଯାଉଛି ସେଥିରେ ସେ ଉଦବୋଧନ ଦେବେ । ମନ୍ତ୍ରୀଙ୍କୁ ହରିପୁର ଗାଁକୁ ଆସିବା ନିମନ୍ତେ ରାଜି କରେଇ ପାରିଥିବାରୁ ବିଧାୟକ ସତ୍ୟାନନ୍ଦ ମଲ୍ଲିକ ଗର୍ବ ଅନୁଭବ କରିବା ଥିଲା ସ୍ୱାଭାବିକ ।

 

ଝୁନା ଓ ତାର ସାଙ୍ଗମାନେ ସ୍କୁଲରୁ ଘରକୁ ଫେରିଲା ବେଳେ ଓ ଘରୁ ସଭାପଡ଼ିଆ ଦେଇ ସ୍କୁଲକୁ ଯିବାବେଳେ ତାଙ୍କ ଗାଁ ରାସ୍ତାରେ କିଛି କିଛି ପରିବର୍ତ୍ତନ ଲକ୍ଷ୍ୟ କରୁଥିଲେ । ଫଗୁଣ ଚଇତ ମାସରେ ଗଛରେ ନୂଆପତ୍ର କଆଁଳିବା ପରି ନଈ ପାଖରୁ ତାଙ୍କ ଗାଁ ଯାଏ ଆସିଥିବା ରାସ୍ତା କ୍ରମେ ମାଟିଆରୁ ଗେରୁଆ ରଙ୍ଗ ପିନ୍ଧୁଥିଲା । ସ୍କୁଲ ପଡ଼ିଆରେ ଚୂନଧଉଳା କାଠଖୁଣ୍ଟିମାନ ପୋତା ହେଉଥିଲା ଓ ପଡ଼ିଆକୁ ସମତଳ କରାଯାଉଥିଲା । ଗାଁର ଦଧିବାମନ ଯୁବକ ସଂଘ ତାଙ୍କର ଦରି, ପାଲ, ସତରଞ୍ଜି ଓ ବେଳ ଅବେଳର ଡ୍ରାମା ପାଇଁ ଗଚ୍ଛିତ ସ୍କ୍ରିନ୍‌ ଯୋଡ଼ିକ ଏହି ଉଦ୍ଦେଶ୍ୟରେ ସ୍କୁଲ ହେଡ୍‌ମାଷ୍ଟରଙ୍କୁ ଅର୍ପଣ କରି ଦେଇଥିଲେ । ମନ୍ତ୍ରୀଙ୍କ ଆଗମନଠାରୁ ପ୍ରସ୍ଥାନ ପର୍ୟ୍ୟନ୍ତ କେତେବେଳେ କିଏ କେଉଁ କାର୍ଯ୍ୟ କରିବ ସେ ସବୁ ଟିକିନିଖି କରି କାଗଜ କଲମରେ ଲେଖା ଯାଉଥିଲା । ମନ୍ତ୍ରୀଙ୍କ ଗାଡ଼ି ହରିପୁର ଉପରଘାଟରେ ଆସି ପହଞ୍ଚିବା ମାତ୍ରେ ଦଶଟି ଗୋଟମା ବାଣ ଫୁଟିବ । ତାହା ମନ୍ତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନାର ଖବର ସହ ଗାଁ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଦଶମ ବାର୍ଷିକ ଉତ୍ସବ ପାଳନର ଖବର ମଧ୍ୟ ଆଖପାଖ ଅଞ୍ଚଳରେ ପ୍ରଚାର କରିବ । ଏହାପରେ ମନ୍ତ୍ରୀ ଏକ ସୁସଜ୍ଜିତ ଗାଡ଼ିରେ ସଭା ମଞ୍ଚକୁ ଆସିବେ । ସେଠାରୁ ଓହ୍ଲେଇ ଗାଁର ବ୍ରାହ୍ମଣ ସାହି ଭିତରେ ପଶି ସ୍କୁଲ ପଡ଼ିଆକୁ ଆସିଲାବେଳେ ରାସ୍ତାର ଦି କଡ଼ରେ ଗାଁର ଝିଅ ବୋହୂମାନେ ଧାଡ଼ି ବାନ୍ଧି ଠିଆହୋଇ ଶଙ୍ଖ ଫୁଙ୍କିବେ, ହୁଳହୁଳି ଦେବେ ଓ ମନ୍ତ୍ରୀଙ୍କ ଉପରକୁ ଅକ୍ଷତ, ଦୁର୍ବା ଓ ଫୁଲ ପାଖୁଡ଼ା ପକେଇ ସ୍ୱାଗତ ଜଣାଇବେ । ଘଣ୍ଟେଶ୍ୱରରୁ ସ୍ୱତନ୍ତ୍ର ଭାବେ ଆସିଥିବା ବାଜାବାଲାଏ ନଈ ପାଖରୁ ବାଜା ବଜେଇ ମନ୍ତ୍ରୀଙ୍କୁ ପାଛୋଟି ଆଣିବେ ଓ ସ୍କୁଲ ପିଲାମାନେ ସ୍ଲୋଗାନ ଦେବେ । ଗ୍ରାମର ଯୁବକସଂଘର କେତେକ ସଭ୍ୟ ଶୋଭାଯାତ୍ରା ଆଗେ ଆଗେ ବାଡ଼ି ଖେଳ ପ୍ରଦର୍ଶନ କରିବେ । ମନ୍ତ୍ରୀଙ୍କ ନିରୋଗ ସ୍ୱାସ୍ଥ୍ୟ ପାଇଁ ମହାଦେବ ମନ୍ଦିରରେ ସେଦିନ ସକାଳୁ ଜଳାଭିଷେକ କରାଯାଉଥିବ ଓ ମନ୍ତ୍ରୀ ମନ୍ଦିରରେ ପହଞ୍ଚିବା ମାତ୍ରେ ପୂଜକ ଧ୍ରୁବଚରଣ ମିଶ୍ର ପୂଜାପାଠର ବ୍ୟବସ୍ଥା କରିବେ । ଏହାପରେ ମନ୍ତ୍ରୀ ଚାଲି ଚାଲି କାର୍ପେଟର ଅଭାବରେ ବିଛା ଯାଇଥିବା ନାଲି ରଙ୍ଗର କପଡ଼ା ଉପର ଦେଇ ସଭାମଞ୍ଚ ଉପରକୁ ଯିବେ । ସଭା ମଞ୍ଚରେ ବସିବା କ୍ଷଣି ତାଙ୍କୁ ସେ ଅଞ୍ଚଳର ପନ୍ଦରଟି ସଂସ୍ଥା ପକ୍ଷରୁ ଫୁଲହାର, ଫୁଲତୋଡ଼ା ଓ ଅଙ୍ଗବସ୍ତ୍ର ଉପହାର ଦିଆଯିବ । ଏ ସବୁକାମ ସରିବା କ୍ଷଣି ଝୁନା ଓ ତାର ସାଙ୍ଗମାନେ ଗାଇବେ ଆବାହନୀ ସଂଗୀତ–

 

ପାଷାଣୀ ଅହଲ୍ୟା ହରିପୁର ଗାଁ,

ଭୂଗୋଳ ବହିରେ ନାହିଁ ଯାର ନାଁ,

ଜୀବନ ପାଇଲା ଆଜି ।

ଅତିଥି ହେ, ତୁମ ପାଦ ପରଶରେ

ଅଭିଶାପ ଶିଳା ଭାଜି ।

 

ଝୁନା ଗୀତ ବୋଲିବା କଥା ଭାବିଦେଲା ବେଳକୁ ଭୟରେ ଥରି ଉଠେ । ଇଏ କେବଳ ଗୋଟାଏ ଗୀତ ଗାଇବା କଥା ନୁହେଁ, ଗୋଟାଏ ଅତି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ଆଗକୁ ବଢ଼େଇ ନେବା । ଏଇ ଗୀତଟିକୁ ନିଜେ ସଂସ୍କୃତ ପଣ୍ଡିତ ଚାରିମାସ କାଳ ଲାଗି ଲେଖିଛନ୍ତି । ଗୀତଟିରେ ହରିପୁର ଗାଁର ସୁଖ ଦୁଃଖ ସାଙ୍ଗରେ ମନ୍ତ୍ରୀ ମହୋଦୟଙ୍କର ଦିବ୍ୟ ଗୁଣାବଳୀର ବର୍ଣ୍ଣନା କରାଯାଇଛି-

 

ହରିପୁର ଗାଁର ଅନ୍ୟ ପିଲାମାନଙ୍କ ପାଇଁ କିନ୍ତୁ ଝୁନା ଓ ତାର ସାଙ୍ଗମାନଙ୍କର ଏଇ ଗୀତବୋଲା କାମଟି ସବୁଠୁ ଆକର୍ଷଣୀୟ ନ ଥିଲା । ନୂଆନଈ ଘାଟ ପାର ହୋଇ ଜିପ୍‌ ପରି ଗୋଟେ ଅଦ୍ଭୁତ ଗାଡ଼ି କିପରି ତାଙ୍କ ଗାଁକୁ ଆସିବ ଓ ସେମାନେ ସେଇ ଗାଡ଼ି ଦର୍ଶନର ସୁଯୋଗ ପାଇବେ ତାହା ହିଁ ତାଙ୍କୁ ରାତିଦିନ ଅଥୟ କରୁଥିଲା । ଏତେ ଲୋକଙ୍କ ଉପସ୍ଥିତି ଭିତରେ ଏପରି ଅପୂର୍ବ ଗାଡ଼ିଟିର ସ୍ପର୍ଶ ସୁଖ ସେମାନଙ୍କୁ ମିଳିବ କି ମିଳିବ ନାହିଁ ଚିନ୍ତା କରି କେତେକ ତ ଭୋକଶୋଷ ମଧ୍ୟ ଭୁଲି ଯାଉଥିଲେ ।

 

ମନ୍ତ୍ରୀଙ୍କ ଆଗମନ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସାରିଥିଲା । କେତେବେଳେ ମନ୍ତ୍ରୀଙ୍କୁ ପଇଡ଼ ପାଣି, କେତେବେଳେ ସାଦା ପାଣି, କେତେବେଳେ ଘଣ୍ଟେଶ୍ୱରରୁ ମଗା ହୋଇ ଆସିଥିବା କୋଲ୍‌ଡ ଡ୍ରିଙ୍କ୍‌ ତ ଆଉ କେତେବେଳେ ବିସ୍କୁଟ୍‌, କଦଳୀ, ଛେନା-ମୁଡ୍‌କି ଓ ସିଙ୍ଗଡ଼ା ସାଙ୍ଗରେ ଚା କିମ୍ବା କଫି ଦିଆଯିବ, ଏ ସମସ୍ତ ବ୍ୟବସ୍ଥା ହେଡ୍‌ମାଷ୍ଟ୍ରେ ଓ ସରପଞ୍ଚ ମିଳିମିଶି ବୁଝୁଥିଲେ । ମଞ୍ଚ ଉପରେ ସାତଟି ପେଟ୍ରୋମାକ୍‌ସ ଲାଇଟ୍‌ ଜଳିବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଆଉ ଅଧିକ ତିନିଟି ପେଟ୍ରୋମାକ୍‌ସ ଓ ଦଶଟି ଲଣ୍ଠଣ ରଖା ଯାଇଥିଲା । ମାଇକ୍‌ ବାଲା ଦ୍ୱିପ୍ରହର ବେଳକୁ ଆସି ମାଇକ୍‌ ଟେଷ୍ଟିଂ ୱାନ୍‌, ଟୁ, ଥ୍ରୀ, ଥ୍ରୀ, ଟୁ, ୱାନ୍‌ କହି କହି ଗାଁର ସବୁ ପିଲାଙ୍କୁ ତା ଚାରିପଟେ ଠୁଳ କରି ରଖିବାରେ ସମର୍ଥ ହୋଇଥିଲା ।

 

ମନ୍ତ୍ରୀଙ୍କ ସଭା ଚାରିଟାବେଳେ ଆରମ୍ଭ ହେବାର ଥିଲେ ମଧ୍ୟ ସେଦିନ ସକାଳ ପହରୁ ହରିପୁର ଗାଁରେ ଉତ୍ସବର ଆସର ଆରମ୍ଭ ହୋଇଯାଇଥିଲା । ମହାଦେବ ମନ୍ଦିର ପାଖରୁ ଦୁଇ ଧାରରେ ରଙ୍ଗବେରଙ୍ଗ କାଗଜ ଫୁଲ ମଝିରେ ନଡ଼ିଆ, ଆମ୍ବ ଓ ଦେବଦାରୁ ପତ୍ର ସବୁ ନେନ୍ଥା ନେନ୍ଥା ହୋଇ ଟଙ୍ଗାଯାଇଥିଲା । ସ୍କୁଲ ବାରନ୍ଦାରେ ପୂର୍ଣ୍ଣକୁମ୍ଭ ବସିଥିଲା ଓ ଗେଟ୍‌ ପାଖରେ ତୋରଣ ସଜାଯାଇ ରଙ୍ଗ କାଗଜରେ “ସ୍ୱାଗତଂ ମାନ୍ୟବର ପୂର୍ତ୍ତ ରାଷ୍ଟ୍ରମନ୍ତ୍ରୀ ପତିତପାବନ ଦାସ ମହୋଦୟ” ଲେଖାଯାଇଥିଲା । ମନ୍ତ୍ରୀଙ୍କ ପାଇଁ ସ୍କୁଲର ଗୋଟିଏ ବଖରାକୁ ଅସ୍ଥାୟୀ ଶୋଇବା ଘରରେ ପରିଣତ କରାଯାଇଥିଲା ଓ ସ୍କୁଲ ପଛପଟେ ନଡ଼ିଆ ଚାଞ୍ଚରା ଘେରାଯାଇ ଏକ ଶୌଚାଳୟ ନିର୍ମାଣ କରାଯାଇଥିଲା । ପୂର୍ବରୁ ସ୍କୁଲର ଶିକ୍ଷକ ଓ ଛାତ୍ରମାନେ ଯେଉଁ କର୍ମଟିକୁ ନିଃସଙ୍କୋଚରେ ସ୍କୁଲ ପଛପଟ ପଡ଼ିଆରେ ସଂପନ୍ନ କରିପାରୁଥିଲେ ସେଥିପାଇଁ ଏଭଳି ଏକ ବ୍ୟବସ୍ଥାର କି ଆବଶ୍ୟକ ପଡ଼ିଲା ଚିନ୍ତା କରି କେତେକ ସ୍କୁଲ ଛାତ୍ର ବିବ୍ରତ ହେଇ ପଡ଼ୁଥିଲେ ।

 

ଆଉ ଥରେ ହେଡ୍‌ମାଷ୍ଟ୍ରେ, ସେକ୍ରେଟାରୀ, ସରପଞ୍ଚ ଓ ଶିକ୍ଷକମାନେ ବସି କାର୍ୟ୍ୟକ୍ରମର ଚୂଡ଼ାନ୍ତ ତାଲିକା ତନଖୁଥିଲେ । ମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଚଉକୀ, କାର୍ୟ୍ୟକ୍ରମର ଚିଠା, ଦାବି ପତ୍ର ଓ ଧନ୍ୟବାଦ ପ୍ରସ୍ତାବର ଲେଖା, ଫୁଲହାର ଦେବା ପାଇଁ ଠିକ୍‌ ହୋଇଥିବା ଛାତ୍ରଛାତ୍ରୀଙ୍କ ନାଁ, ଦୀପ ଲଗାଇବା ବେଳେ ଦିଆଶିଲି ଓ ମହମବତି ଧରି ସେଠାରେ ଉପସ୍ଥିତ ହେବାକୁ ଥିବା ଶିକ୍ଷୟିତ୍ରୀଙ୍କ ନାଁ ସବୁ ସେଇ ତାଲିକାରେ ଲେଖାଯାଇଥିଲା । ଯଦି ମନ୍ତ୍ରୀ ସଭା ପରେ କିଛି ସମୟ ବିଶ୍ରାମ ନେବାକୁ ଚାହାନ୍ତି ତାହେଲେ ସେଥିପାଇଁ କି କି ବ୍ୟବସ୍ଥା ଗ୍ରହଣ କରାଯିବ ସେଥି ନିମନ୍ତେ ମଧ୍ୟ ଆଗୁଆ ବ୍ୟବସ୍ଥା କରାଯାଇଥିଲା ।

 

ମନ୍ତ୍ରୀଙ୍କ ସଭା ଚାରିଟାରେ ଆରମ୍ଭ ହେବା କଥା; କିନ୍ତୁ ଦିନ ଦୁଇଟା ବେଳୁ, ପ୍ରଚଣ୍ଡ ଖରା ସତ୍ତ୍ୱେ, ପୁରୁଷ, ସ୍ତ୍ରୀ, ପିଲା, ଛୁଆ ଓ ବୁଢ଼ା ବୁଢ଼ୀ ସମସ୍ତେ ଆସି ପଡ଼ିଆରେ ଘେରି ଯାଇଥିଲେ । କେହି କେହି ପାଖ ଗଛ ଛାଇରେ ତ ଆଉ କେହି ସ୍କୁଲ ବାରଣ୍ଡାରେ ଛିଡ଼ା ହେଇଥିଲେ–ସଭା ଆରମ୍ଭ ହେଲାକ୍ଷଣି ସେମାନେ ତଳକୁ ଓହ୍ଲେଇ ପଡ଼ିଆ ଉପରେ ବସିଯିବେ ।

 

ଝୁନାର ବୋଉ ଝିଅକୁ ଆଉ ଖଣ୍ଡେ ମିଶ୍ରି ଦେଲେ । କହିଲେ, ‘ଆଲୋ ନେ, ଏଇଟା କଳରେ ଜାକିଥା । ସ୍ୱର ଭଲ ଫିଟିବ ।’

 

ଝୁନା ତା ବୋଉର କଥା ମାନିଲା । ଗୀତଟା ତାର ପାଣି ପରି ମୁଖସ୍ଥ ହେଇ ଯାଇଥିଲା-। ଖୁବ୍‌ କମରେ ଶହେଥର ସେ ସେଇଟିକୁ ବୋଲି ସାରିଲାଣି । ରୁନୁ, ନରହରି, ମୀନା ଓ ଗୌତମୀ ମଧ୍ୟ ମୁଖସ୍ଥ କରି ଦେଇଛନ୍ତି । ସଂସ୍କୃତ ସାର୍‌ ହାତଟେକି ଇସାରା ଦେବା କ୍ଷଣି ସେମାନେ ଗୀତ ବୋଲା ଆରମ୍ଭ କରିବେ ।

 

ଝୁନାର ବାପା ଓ ବୋଉ ଅନେକ ଆଗରୁ ଯାଇ ଗଛ ଛାଇରେ ଛିଡ଼ା ହୋଇଛନ୍ତି । ଝିଅ ତାଙ୍କର ଏତେ ଲୋକଙ୍କ ଆଗରେ ଗୀତ ଗାଇବ, ଇଏ କଣ କମ୍‌ କଥା । ‘ଆମ ଝୁନା ପରା ମନ୍ତ୍ରୀଙ୍କୁ ଗୀତ ଗାଇ ଶୁଣେଇବ ।’ ଝୁନାର ବୋଉ ମଝିରେ ମଝିରେ ପାଖ ଲୋକଙ୍କୁ ଏକଥା ଶୁଣଉଥାଆନ୍ତି ।

 

ନୂଆନଈ ସେପଟେ ମନ୍ତ୍ରୀଙ୍କ ଗାଡ଼ି ରହିବ ଓ ଏପଟକୁ ସକାଳୁ ଆସିଥିବା ଜିପ୍‌ଟି ମନ୍ତ୍ରୀଙ୍କୁ ଧରି ହରିପୁର ଗାଁକୁ ଆସିବ । ସକାଳେ ଦୁଇଟି ଡଙ୍ଗା ଯୋଡ଼ାଯାଇ ଜିପ୍‌ଟି ଏପଟକୁ ଅଣାଯାଉଥିଲା ବେଳେ ନଈଘାଟରେ ସେ ଯେ କି ଭିଡ଼ ! ମାଛଧରା ବେଳେ ମଧ୍ୟ ନଈ ପାଖରେ ଏତେ ଲୋକ ଏକାଠି ହୁଅନ୍ତି ନାହିଁ ।

 

ସବୁ ପ୍ରକାର ଚେଷ୍ଟା କରି ଝୁନା ଗାଡ଼ି ଦେଖା ଲୋଭଠୁ ନିଜକୁ ଦୂରେଇ ରଖିଥିଲା । ବେଶୀ ଧାଁ ଦଉଡ଼ କଲେ ସେ ଥକି ପଡ଼ିବ ଓ ଠିକ୍‌ ଭାବେ ଗୀତ ଗାଇ ପାରିବ ନାହିଁ ବୋଲି ତା ବୋଉ ଆକଟ କରି ଦେଇଥିଲେ । ଗାଡ଼ି ଦେଖି ନ ପାରିବାର ଦୁଃଖକୁ ଭୁଲିବା ପାଇଁ ବାପା ବୁଝେଇଥିଲେ, ନୂଆନଈରେ ପୋଲ ହେଇଗଲେ ସବୁଦିନ ଆମ ଗାଁକୁ ଗାଡ଼ି ଆସିବ । ସେତେବେଳେ ତୁ ଦେଖିବୁ ନାହିଁ !

 

ଦିନ ବାରଟା ବେଳୁ ଘରୁ ଆସିଛି ଝୁନା । ଉତ୍ତେଜନା ଓ ଭୟରେ ସେ ପେଟ ପୂରେଇ ଖାଇପାରି ନାହିଁ । ଗୋଟାଏ ଜାଗାରେ ସେ ଓ ତାର ସାଙ୍ଗମାନେ ମୂର୍ତ୍ତି ପରି ବସିଛନ୍ତି । ସଂସ୍କୃତ ପଣ୍ଡିତ ବାରମ୍ବାର ଚେତେଇ ଦେଇଛନ୍ତି, କେହି କୁଆଡ଼େ ଯିବ ନାହିଁ । ସମସ୍ତେ ଏଇଠି ବସିଥିବ ।

 

ଗଡ଼ମ୍‌... ଗଡ଼ମ୍‌ ହୋଇ ବାଣ ଫୁଟିଲା । ସଭା ପଡ଼ିଆର ସବୁ ଲୋକ ଏକାଥରକେ ଉଠି ପଡ଼ିଲେ । ଆଖପାଖ ଗଛ ଶାଖାରେ ବସା ବାନ୍ଧିଥିବା ଚଢ଼େଇମାନେ ଅପ୍ରତ୍ୟାଶିତ ଶବ୍ଦ ଶୁଣି ଚିର୍‌ଚିରେଇ ଉଠିଲେ । ପଡ଼ିଆରେ ରୁଣ୍ଡ ହୋଇଥିବା ଲୋକମାନେ ମହାଦେବ ମନ୍ଦିର ଯାଏ ଧାଇଁଗଲେ ।

 

ସେଇଠୁ ମନ୍ତ୍ରୀ ଶୋଭାଯାତ୍ରାରେ ଆସିବେ ।

 

ଝୁନା ଓ ତାର ସାଙ୍ଗମାନେ ଯାଇପାରିଲେ ନାହିଁ । ସେମାନଙ୍କୁ ବାରଣ ଥିଲା ।

 

ମନ୍ତ୍ରୀଙ୍କ ଶୋଭାଯାତ୍ରା ଧୀରେ ଧୀରେ ପଡ଼ିଆ ପର୍ୟ୍ୟନ୍ତ ଆସୁଥିଲା । ଝୁନା ନିଜକୁ ସମ୍ଭାଳି ପାରୁ ନଥିଲା । ଉଠିପଡ଼ି ଘର ଭିତରୁ ଝରକା ବାଟେ ଚାହିଁଲା । ଧଳା ଚିକ୍‌ ଚିକ୍‌ ପୋଷାକ ପିନ୍ଧିଥିବା ମନ୍ତ୍ରୀ ମଝିରେ ଚାଲୁଥିଲେ ଓ ତାଙ୍କ ଚାରିପଟେ ଅନ୍ୟ ସମସ୍ତେ । ବାଜା, ସ୍ଲୋଗାନ, ଶଙ୍ଖ ଓ ହୁଳହୁଳି, ସମବେତ ଲୋକଙ୍କ କୋଳାହଳ ଭିତରେ ସ୍କୁଲ ପଡ଼ିଆ ଉଠୁଥିଲା ଓ ପଡ଼ୁଥିଲା । ଏତେ ଚଞ୍ଚଳତା, ଏତେ କୋଳାହଳ, ଏତେ ଲୋକବାକ ଝୁନା ଆଗରୁ କେବେ ଦେଖି ନଥିଲା । ମନ୍ତ୍ରୀ ପଛେ ପଛେ ଚାରିଜଣ ପୁଲିସ ବି ଆସୁଥିଲେ ।

 

ମନ୍ତ୍ରୀ ଦେଢ଼ ଘଣ୍ଟା ବିଳମ୍ବରେ ଆସି ପହଞ୍ଚିଥିଲେ ଏବଂ ସେଥିପାଇଁ ସେ ଖୁବ୍‌ ବ୍ୟସ୍ତ ଦିଶୁଥିଲେ । ପଇଡ଼ ପାଣି ପିଇବା ଉତ୍ତାରୁ ସେ ତାଙ୍କ ବ୍ୟକ୍ତିଗତ ସହକାରୀଙ୍କୁ ଡାକି କଣ ସବୁ ନିର୍ଦ୍ଦେଶ ଦେଲେ ।

 

ଏଜେଣ୍ଡା, ଏଜେଣ୍ଡା !

 

ବ୍ୟକ୍ତିଗତ ସହକାରୀ ପ୍ରାୟ ଚିତ୍କାର କଲାଭଳି ତାଙ୍କ ପାଖରେ ଠିଆ ହୋଇଥିବା ବିଧାୟକଙ୍କୁ, ବିଧାୟକ ସରପଞ୍ଚଙ୍କୁ, ସରପଞ୍ଚ ସେକ୍ରେଟାରୀ ଏବଂ ସେକ୍ରେଟାରୀ ହେଡ୍‌ମାଷ୍ଟ୍ରଙ୍କୁ କହିଲେ । ହେଡ୍‌ମାଷ୍ଟ୍ରେ ତରବରରେ ତାଙ୍କ ପକେଟରେ ଚଉଭାଙ୍ଗି ହୋଇ ରହିଥିବା ଗୋଟେ କାଗଜ ସେକ୍ରେଟାରୀଙ୍କ ହାତକୁ ବଢ଼ାଇଦେଲେ ।

 

ମନ୍ତ୍ରୀ ସେ କାଗଜ ଖଣ୍ଡିକ ଦେଖିଲେ ଓ ବ୍ୟକ୍ତିଗତ ସହକାରୀଙ୍କୁ ଡାକି ତାଙ୍କ କାନ ପାଖେ ପୁଣି କଣ ସବୁ ନିର୍ଦ୍ଦେଶ ଦେଲେ ।

 

ବ୍ୟକ୍ତିଗତ ସହକାରୀ ସାଙ୍ଗେ ସାଙ୍ଗେ ଖବରଟି ପୂର୍ବ ବ୍ୟବସ୍ଥା କ୍ରମରେ ଉଦ୍ୟୋକ୍ତାମାନଙ୍କୁ ଜଣେଇ ଦେଲେ ।

 

ମଞ୍ଚ ଉପରୁ ଆସି ନିମିଷକରେ ସାମ୍ନା ଲୋକଙ୍କ ଭିତରେ ସେଇ ଗୁରୁତ୍ୱପୂର୍ଣ୍ଣ ଖବରଟି ଖେଳିଗଲା । ‘ମନ୍ତ୍ରୀ ଖୁବ୍‌ ବ୍ୟସ୍ତ । ତାଙ୍କୁ ଯଥାଶୀଘ୍ର ସଭା ସାରିବାକୁ ପଡ଼ିବ । ତା ନହେଲେ ଭଦ୍ରକ ଡାକବଙ୍ଗଳାରେ ସେ ଡାକିଥିବା ଜିଲ୍ଲା କଂଗ୍ରେସ କମିଟି ସଭାରେ ପହଞ୍ଚିପାରିବେ ନାହିଁ । ସେଇଟି ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଦଳ ନଥିଲେ ବଳ ନାହିଁ । ବଳ ନଥିଲେ ମନ୍ତ୍ରୀ ପଦ ନାହିଁ ।’ ଏଇଟା ଅବଶ୍ୟ ସାଧାରଣ ଲୋକଙ୍କ ମନ୍ତବ୍ୟ ।

 

: କାଟନ୍ତୁ, କାଟନ୍ତୁ । ଏ କୋରସ୍‌, ପ୍ରଧାନ ଶିକ୍ଷକଙ୍କ ବିବରଣୀ, ଏଗୁଡ଼ା ସବୁ କାଟନ୍ତୁ । ସିଧା ଆରମ୍ଭ କରନ୍ତୁ ବିଧାୟକଙ୍କ ସ୍ୱାଗତ ଭାଷଣରୁ । ତାପରେ ମନ୍ତ୍ରୀଙ୍କ ସ୍ପିଚ୍‌ ଓ କ୍ଷୁଦ୍ର ଧନ୍ୟବାଦ...-। ଘାସ କି କଞ୍ଚା ଧାନ ଗଛ କାଟିଲା ପରି ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ପ୍ରସ୍ତୁତ ସଭାର କାର୍ୟ୍ୟକ୍ରମ ଚିଠା ଉପରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହକାରୀ ଛକି ମାରି ଚାଲିଥିଲେ । ତାଙ୍କ କଲମ ଗାର ଆଗରେ ପ୍ରଧାନ ଶିକ୍ଷକଙ୍କ ମାସ ମାସର ପ୍ରସ୍ତୁତିର କିଛି ମୂଲ୍ୟ ନଥିଲା । ସେ ସାଙ୍ଗେ ସାଙ୍ଗେ ସେଇ ସଂଶୋଧିତ କାର୍ଯ୍ୟସୂଚୀକୁ ନେଇ ମନ୍ତ୍ରୀଙ୍କ ସାମ୍ନାରେ ଥୋଇଦେଲେ ।

 

: ସାର୍‌ ! ପିଲାମାନେ ଅନେକ ଦିନ ଧରି ଅଭ୍ୟାସ କରିଛନ୍ତି । ମାତ୍ର ଦଶ ମିନିଟ୍‌ ସାର୍‌ । ମନ ଭାଙ୍ଗିଯିବ... ।

 

ପ୍ରଧାନ ଶିକ୍ଷକଙ୍କ ସ୍ୱର ବିକଳ ଶୁଭୁଥିଲା ।

 

: ନୋ–ବ୍ୟକ୍ତିଗତ ସହକାରୀଙ୍କ ଦୃଢ଼ ଉତ୍ତର ।

 

: ଅନ୍ତତଃ ଏଇ ଦାବି ପତ୍ର...

 

: ଏଇଟି ମତେ ଦିଅନ୍ତୁ । ମିନିଷ୍ଟରଙ୍କ ପାଖରେ କାଲି ମୁଁ ପୁଟ୍‌ଅପ୍‌ କରିଦେବି । ଆପଣଙ୍କ କାମ ହେଲେ ହେଲା ।

 

ସଂସ୍କୃତ ପଣ୍ଡିତ ଏ କାର୍ୟ୍ୟସୂଚୀର ସଂଶୋଧନ କଥା ଶୁଣି ବିଶ୍ୱାସ କରିପାରିଲେ ନାହିଁ । ଯେତେବେଳେ ବିଶ୍ୱାସ କଲେ ସେ ତାଙ୍କର ସବୁତକ ସାହସ ସଞ୍ଚୟ କରି ମନ୍ତ୍ରୀଙ୍କ ପାଖେ କାନମୁଣ୍ଡା ଆଉଁଶି ଛିଡ଼ାହେଲେ, “ସାର୍‌, କୋରସ୍‌ଟି... ।”

 

ମନ୍ତ୍ରୀ ହସିଲେ । ଖୁବ୍‌ ଶୀତଳ ଓ ଉଦାର ହସ । ହାତ ଯୋଡ଼ି କହିଲେ, “ଆଉ ଥରେ ଆସିବି । ଆପଣମାନଙ୍କର ସମସ୍ତ କାର୍ୟ୍ୟକ୍ରମ ଦେଖିବି ଓ ଶୁଣିବି । କିନ୍ତୁ ଆଜି ସମୟ ନାହିଁ । ମୋତେ କ୍ଷମା କରନ୍ତୁ ।”

 

ବିଧାୟକଙ୍କ ସ୍ୱାଗତ ଭାଷଣ ପରେ ମନ୍ତ୍ରୀ ଭାଷଣ ଦେଲେ । “ଏ ନୂଆନଈ ପୋଲ କାମ ବର୍ଷକ ଭିତରେ ନିଶ୍ଚୟ ସମ୍ପୂର୍ଣ୍ଣ ହେବ । ଆପଣମାନେ ସରକାରର ହାତମୁଠାକୁ ଟାଣ କରନ୍ତୁ-।” ଘନ ଘନ କରତାଳି ହେଲା । ମନ୍ତ୍ରୀ ପୁଣି କହିଲେ, “ମୁଁ ଦୁଃଖିତ, ଆଜି ପିଲାମାନଙ୍କର କାର୍ୟ୍ୟକ୍ରମ ଉପଭୋଗ କରିପାରିଲି ନାହିଁ । ଗୋଟାଏ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକ୍ରମରେ ମୋତେ ତୁରନ୍ତ ଯିବାକୁ ପଡ଼ୁଛି । ମାତ୍ର ମୁଁ ଏଠାରେ ଘୋଷଣା କରି ଯାଉଛି, ମୁଁ ପୁଣି ଥରେ ହରିପୁରକୁ ନିଶ୍ଚୟ ଆସିବି । ସେଦିନ ଡଙ୍ଗାର ପ୍ରୟୋଜନ ନଥିବ, ସିଧା ଗାଡ଼ି ଆସି ପହଞ୍ଚିବ ସ୍କୁଲର ହତା ପାଖରେ-। ସେଦିନ ମୁଁ ସେମାନଙ୍କର ସଂଗୀତ ନିଶ୍ଚୟ ଶୁଣିବି । ଜୟ ହିନ୍ଦ୍‌ ।”

 

ସଭାର ଲୋକମାନେ କରତାଳିରେ ପଡ଼ିଆଟିକୁ କମ୍ପେଇଦେଲେ । ସେଇ ହର୍ଷଧ୍ୱନି ଓ କରତାଳି ଭିତରେ ଝୁନାର ସୁଁ ସୁଁ କାନ୍ଦ କୁଆଡ଼େ ଚପିଗଲା ।

 

ଖରାଦିନିଆ ଝଡ଼ ପରି ମନ୍ତ୍ରୀ ଯେମିତି ଆସିଥିଲେ ସେମିତି ଚାଲିଗଲେ । ତାଙ୍କ ପାଇଁ ବ୍ୟବସ୍ଥା ହୋଇଥିବା କୌଣସି ଆୟୋଜନ ଲୋଡ଼ା ପଡ଼ିଲା ନାହିଁ । ସେଇ ମଞ୍ଚ ଉପରୁ ହିଁ ସେ ବିଦାୟ ନେଇ ଗଲେ । ଚାହୁଁ ଚାହୁଁ ସ୍କୁଲ ପଡ଼ିଆ ଗୋଟାଏ ପରିତ୍ୟକ୍ତ ବାହା ବେଦୀ ପରି ଦିଶିବାକୁ ଆରମ୍ଭ କରୁଥିଲା ।

 

ସ୍କୁଲ ପଡ଼ିଆର ଗୋଟିଏ କୋଣକୁ ଝୁନା ଛିଡ଼ାହୋଇ ଅତି ବିକଳ ଭାବେ କାନ୍ଦୁଥିଲା । ଲୁହ ଓ ଝାଳରେ ତା କପାଳର କୁଙ୍କୁମ ଓ ଚନ୍ଦନଟୋପା ଧୋଇଯାଇଥିଲା । ଭୋକ ଶୋଷଠୁ ବଳି ଗୋଟାଏ ଭୟଙ୍କର ଅଭିମାନ ତାକୁ ଏତେ ଟିକେ କରି ଦେଉଥିଲା । ତାକୁ ତା ବୋଉ କୋଳକୁ ଆଉଜେଇ ନେଇ ‘କାନ୍ଦନା ମା, ମନ୍ତ୍ରୀ ପରା କହିଗଲେ ଆଉ ଦିନେ ଆସିବେ, ସେଦିନ ତୁ ପୁଣି ଗାଇବୁନି କି !’ ବୋଲି ଯେତେ ବୁଝେଇଲେ ବି ସେ ବୁଝୁ ନଥିଲା ।

 

ତା ହାତରୁ ଖଣ୍ଡେ କାଗଜ କେତେବେଳେ ଖସି ମାଟିରେ ଲୋଟୁଥିଲା, ଯେଉଁଥିରେ ଲେଖାଥିଲା ସେ ଗୀତ–ପାଷାଣୀ ଅହଲ୍ୟା ହରିପୁର ଗାଁ ।

☆☆☆

 

Unknown

କ୍ଳୀବ

 

ସମୟେ ସମୟେ ସତ୍ୟାନନ୍ଦର ମନେହୁଏ, ତାର କୌଣସି ନିର୍ଦ୍ଦିଷ୍ଟ ପରିଚୟ ନାହିଁ । ଏଇ ବ୍ୟକ୍ତିତ୍ୱ ସଙ୍କଟର ସମସ୍ୟା ତାକୁ କିଛି କାଳ ବିଷଣ୍ଣ କରିରଖେ । ମାତ୍ର ବେଶିକାଳ ତାର ସେ ବିଷଣ୍ଣ ଭାବ ରହେନାହିଁ । କିଛି ସମୟ ବିତିଗଲା ପରେ ସତ୍ୟାନନ୍ଦର ପୁଣି ସ୍ୱାଭାବିକ ମାନସିକତା ଫେରିଆସେ ।

 

ସ୍ଥାନ, କାଳ ଓ ପାତ୍ର ଅନୁସାରେ ସତ୍ୟାନନ୍ଦର ପରିଚୟ ଭିନ୍ନ ଭିନ୍ନ ହୋଇଥାଏ । କୋଉଠି ମନ୍ତ୍ରୀଙ୍କ ଖାସ୍‌ ଲୋକ, କୋଉଠି କମିଶନ ଏଜେଣ୍ଟ୍‌, ଆଉ କୋଉଠି ସେ ଲିଆସନ୍‌ ଅଫିସର । ରାଜଧାନୀର କ୍ଷମତା ଗଳି ରାସ୍ତାରେ ପ୍ରତିବନ୍ଧକ ଗୁଡ଼ିକୁ ଡେଇଁ ଡେଇଁ ଆଗକୁ ମାଡ଼ି ଚାଲିବା ତାର ଧର୍ମ ।

 

ସେମାନଙ୍କ ଗାଡ଼ି ଭଦ୍ରକରେ ଆସି ପହଞ୍ଚି ସାରିଥିଲା । ରାସ୍ତା ଆଲୁଅ ଗୁଡ଼ିକର କୃପଣ ଆଲୋକରେ ସାଳନ୍ଦୀ ନଦୀର ଛାତି କିଞ୍ଚିତ ଫୁଲି ଉଠିବା ପରି ଦିଶୁଥିଲା । ଚରମ୍ପା ବଜାର ବସ୍‌ଷ୍ଟାଣ୍ଡ୍‌ ଓ ବାଇପାସ୍‌ ଛାଡ଼ିଦେଲେ ରାସ୍ତାର ଅନ୍ୟ କୋଉଠି ଲୋକବାକ ଦେଖାଯାଉ ନଥିଲେ । ଛୋଟ ସହର । ରାତି ଦଶଟା ବାଜିଲେ ଭଦ୍ରକ ଶୋଇପଡ଼େ । ଏବେ ପାଖାପାଖି ରାତି ବାରଟା ହେବ । କିଛି ସମୟ ଆଗରୁ ଦୁଇ ଅସରା ବର୍ଷା ହୋଇ ଛାଡ଼ିଯାଇଛି । ରାସ୍ତାର ଅସମତଳ ପିଠିରେ ଠାଏ ଠାଏ ପାଣି ଜମି ରହିଛି । ଶ୍ରାବଣର ଭିଜା ପବନ ଡାହାଣକଡ଼ ଝରକାବାଟେ ଆସି, ଗାଡ଼ିର ଆରୋହୀମାନଙ୍କୁ ଟିକେ ଗେଲ କରିଦେଇ ବାଁ କଡ଼ ଝରକା ଦେଇ ପଳେଇ ଯାଉଛି । ସତ୍ୟାନନ୍ଦ ଡ୍ରାଇଭରକୁ କହିଲା, “କାଚ ଖୋଲିଦେଇ ବଢ଼ିଆ କାମ କରିଛ ।”

 

ଡ୍ରାଇଭର ମୁଣ୍ଡ ହଲେଇଲା ।

 

ଅଗ୍ରୱାଲା କମ୍ପାନିର ଏହି ଗାଡ଼ିଟା ଏୟାରକଣ୍ଡିସନ୍‌ଡ । ସେଥିପାଇଁ ବରାବର କାଚ ବନ୍ଦ ରହିଥାଏ । ବାହାରେ ଯେତେ ଗରମ ଓ ଗୁଳୁଗୁଳି ଲାଗିଲେ ବି ଗାଡ଼ି ଭିତରଟା ଲାଗେ ଥଣ୍ଡା ଓ ଆରାମଦାୟକ । କିନ୍ତୁ ସତ୍ୟାନନ୍ଦକୁ ସେଭଳି ବସିବାକୁ ଭଲ ଲାଗେ ନାହିଁ । ଝରକାପଟେ ମୁଣ୍ଡ ଗଳାଇ ଗଛ, ପାହାଡ଼, ନଈ ଓ ଦୂର ଗାଁମାନଙ୍କୁ ଦେଖିବା ପାଇଁ ତାକୁ ଭଲ ଲାଗେ ।

 

ସତ୍ୟାନନ୍ଦ ଅଫିସରମାନଙ୍କୁ ବୁଲେଇସାରି ଫେରୁଥିଲା । ଅଗ୍ରୱାଲା କମ୍ପାନି ତରଫରୁ ଫରେଷ୍ଟ୍‌ ଅଫିସରମାନଙ୍କୁ ‘ଟ୍ରିଟ୍‌’ ଦେବା କଥା ପଡ଼ିଲାରୁ ସତ୍ୟାନନ୍ଦ ନିଜ ମୁଣ୍ଡ ଉପରକୁ କାମଟା ନେଇଥିଲା ଓ ସେମାନଙ୍କୁ ସେ ବୁଲେଇ ନେଇଥିଲା ଚାନ୍ଦିପୁର ସମୁଦ୍ରକୂଳ ।

 

ଚାନ୍ଦିପୁରରୁ ଫେରିବା ବାଟରେ ସେ ବିଷଣ୍ଣ ହୋଇପଡ଼ିଥିଲା । ଏହି ଅଫିସରମାନଙ୍କ ଗହଣରେ ଖିଆପିଆ କଲେ ତାର ଲାଭ କଣ ହୁଏ ସେକଥା ସେ ଜାଣିଥିଲା, ମାତ୍ର କ୍ଷତି ଦିଗଟା ବାବଦରେ ଚାନ୍ଦିପୁର ହିଁ ତାକୁ ମନେ ପକାଇ ଦେଇଥିଲା । ତାର ଇଚ୍ଛା ହେଉଥିଲା ଚାନ୍ଦିପୁର ବେଳାଭୂଇଁରେ ଆଉ କିଛି କାଳ ବିତେଇ ଥାଆନ୍ତା । ଛାଡ଼ ବେଳେ ସମୁଦ୍ର ଭିତରକୁ ଯାଇ ଜୁଆର ବେଳକୁ କୂଳକୁ ଫେରିଆସି ଥାଆନ୍ତା । ମାତ୍ର ଅଫିସରମାନଙ୍କର ସମୁଦ୍ର କିମ୍ବା ଲହଡ଼ି ଦେଖିବାକୁ ଆଦୌ ବେଳ ନଥିଲା । ସେମାନେ ଦିନଟାଯାକ କେବଳ ତନ୍ଦୁର ଚିକେନ୍‌, ହୁଇସ୍କି ଓ ବିଅର୍‌ ନେଇ ବ୍ୟସ୍ତ ରହିଥିଲେ ।

 

ସବୁବେଳେ ଅବଶ୍ୟ ସତ୍ୟାନନ୍ଦ ଏଭଳି ବିଷଣ୍ଣ ହୁଏ ନାହିଁ । ଜୀବନ ସହ ସେ ଅଭ୍ୟସ୍ତ ହୋଇଗଲାଣି । ଅଫିସରମାନଙ୍କୁ ବୁଲେଇନେବା, ସେମାନଙ୍କ ରୁଚି ଓ ଇଚ୍ଛା ବାବଦରେ ଖବର ନେବା, କାହାର କେଉଁଥିରେ ଆଗ୍ରହ ସେସବୁ ଜାଣିବା ତାର ବ୍ୟବସାୟିକ ଦାୟିତ୍ୱ । ଲୋକ ଦେଖି ସତ୍ୟାନନ୍ଦ ତା ନିଜର ଖାଦ୍ୟ-ପାନୀୟ ବଦଳେଇ ଦିଏ । କୋଉଠି ଆମିଷ ଦେଖୁ ଦେଖୁ, ମୋର ‘ସେସବୁ ଚଳେ ନାହିଁ’ ତ ଆଉ କୋଉଠି ‘ହାଡ଼ ଓ କଣ୍ଟାକୁ ଛାଡ଼ି ଜୀବନ ନାହିଁ’ ବୋଲି ନିର୍ବିକାର ଭାବେ ସେ କହେ । ମଦ ଓ ସିଗ୍ରେଟ୍‌ ବାବଦରେ ସୁଦ୍ଧା ତାର ମତ ଏହିଭଳି ପରିବର୍ତ୍ତନଶୀଳ । ଅତିଥିଙ୍କ ପସନ୍ଦ ତାର ପସନ୍ଦ, ଅତିଥିଙ୍କ ଖୁସି ତାର ଖୁସି ।

 

ପଛରେ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ବନ ସଂରକ୍ଷକ ଶ୍ରୀଯୁକ୍ତ ମହାପାତ୍ର, ରେଞ୍ଜର କମଳେଶ ଓ ଅଗ୍ରୱାଲର ସାନପୁଅ ଶ୍ୟାମସୁନ୍ଦର । ଅଗ୍ରୱାଲ ରାଜଧାନୀର ଜଣାଶୁଣା ବ୍ୟବସାୟୀ-। ଆଗରୁ କାଠ, ସିମେଣ୍ଟ ଓ ଟେକ୍ସଟାଇଲ ବ୍ୟବସାୟ ଥିଲା, ଏବେ ପୁଣି ରିଏଲ ଇଷ୍ଟେଟ୍‌ ବ୍ୟବସାୟରେ ସେ ହାତ ଦେଇଛନ୍ତି ।

 

ଦୀର୍ଘ ସମୟ ନିରବ ରହିଲା ପରେ ମହାପାତ୍ର କହିଲେ, ‘ଯାହା ସମସ୍ୟା ହେଲାଣି, ରଥଯାତ୍ରା ପାଇଁ ପ୍ରତିବର୍ଷ ଆଉ ନୂଆକାଠ ଯୋଗାଡ଼ କରାଯାଇ ପାରିବ ନାହିଁ ।’

 

ଶ୍ରୀଯୁକ୍ତ ମହାପାତ୍ର ତାଙ୍କ ବିଭାଗର ବଡ଼ ଅଫିସର । ସୁତରାଂ ତାଙ୍କ କଥା ହିଁ ଆଇନ । ମହାପାତ୍ରଙ୍କ କଥା ଶୁଣୁ ନଶୁଣୁଣୁ କମଳେଶ କହିଲେ, ‘ହଁ ସାର୍‌, ଆପଣ ବିଲକୁଲ ଠିକ୍‌ କହୁଛନ୍ତି ।’

 

ସତ୍ୟାନନ୍ଦ ମନେ ପକେଇଲା–ମହାପାତ୍ରବାବୁ ଭଦ୍ରକ ପହଞ୍ଚିବା ପୂର୍ବରୁ ଦେଶୀମଦ କାରବାର ସମ୍ପର୍କରେ ଟିପ୍‌ପଣୀ ଦେଉଥିଲେ । ସେତେବେଳେ କମଳେଶ ‘ଆନ୍ଧ୍ରରେ ମଦବିକ୍ରି ବନ୍ଦ ହୋଇଯାଇଥିଲେ କଣ ହେଲା, ତାଆରି ଯୋଗୁ ବ୍ରହ୍ମପୁରରେ ମଦ ବିକ୍ରି ଚାରିଗୁଣ ବଢ଼ୁଛି’ କହି ପରିସଂଖ୍ୟାନ ଦେଉଥିଲେ । ମାତ୍ର ଏହା ଭିତରେ ସେମାନେ ମଦ ପ୍ରସଙ୍ଗରୁ ଯାଇ କାଠ ପ୍ରସଙ୍ଗରେ ପହଞ୍ଚି ଗଲେଣି । ପହଞ୍ଚନ୍ତୁ । ସତ୍ୟାନନ୍ଦ ବାହାରକୁ ଚାହିଁ ରାତିର ପୃଥିବୀକୁ ମନଭରି ଦେଖିନେବାକୁ ଚାହୁଁଥିଲା ।

 

ଗାଡ଼ି କଚେରୀବଜାର ରାସ୍ତା ଓ ଜାତୀୟ ରାଜପଥ ମିଶିଥିବା ଛକରେ ପହଞ୍ଚି ସାରିଥିଲା-। ସତ୍ୟାନନ୍ଦ ଦେଖିଲା ବନ୍ଧୁ କଳାକାର ପରି ଜଣେ କିଏ ଛକ ଉପରେ ଛିଡ଼ା ହୋଇଛି । ସମ୍ଭବତଃ କୌଣସି ଗାଡ଼ିକୁ ଅପେକ୍ଷା କରୁଛି । କଳାକାର ନୁହେଁ ତ !

 

ସେ ଡ୍ରାଇଭରକୁ କହିଲା, ‘ଟିକେ ଗାଡ଼ି ରଖ ।’

 

ଗାଡ଼ିଟା ଦ୍ରୁତଗତିରେ ଚାଲୁଥିଲା, ବ୍ରେକ୍‌ କଷୁ କଷୁ କିଛି ବାଟ ଆଗକୁ ଗଡ଼ିଗଲା ।

 

ମହାପାତ୍ର ପଚାରିଲେ, ‘କଣ ହେଲା ?’

 

ସତ୍ୟାନନ୍ଦ କହିଲା, ‘ନାଇଁ ଆଜ୍ଞା, ଜଣେ ଚିହ୍ନା ଲୋକଙ୍କୁ ଦେଖିଲି । ଟିକେ ଭେଟିଦେଇ ଆସୁଛି ସଙ୍ଗେ ସଙ୍ଗେ ।’

 

: ସିଓର, ସିଓର । ମହାପାତ୍ର କହିଲେ ଓ ପୂର୍ବବତ୍‌ ଗାଡ଼ିର ନରମ ଗଦି ଉପରେ ଆଉଜି ଆଖି ବୁଜିଦେଲେ । ଅଗ୍ରୱାଲ କହିଲା, ‘ଆମର ସତ୍ୟାନନ୍ଦବାବୁ ପରଫେକ୍ଟ ପି.ଆର୍‌.ଓ. । କାହାକୁ ନ ଚିହ୍ନନ୍ତି ସିଏ !

 

ଚାନ୍ଦିପୁରର ଗୁରୁ ନୈଶଭୋଜି ଓ ଆନୁଷଙ୍ଗିକ ପାନୀୟର ପ୍ରଭାବ ଯୋଗୁ ମହାପାତ୍ରଙ୍କର ଲୋଡ଼ା ପଡ଼ୁଥିଲା ସୁନିଦ୍ରା । ସେ ମୁଣ୍ଡ ହଲେଇ ଅଗ୍ରୱାଲର କଥାକୁ ଦି ଥର ସମର୍ଥନ କଲେ ଓ ପୁଣି ଶୋଇପଡ଼ିଲେ ।

 

ସତ୍ୟାନନ୍ଦ କଳାକାର ର ପାଖାପାଖି ହେଲାରୁ ଡାକିଲା, ‘ଏଇ, କଳାକାର ନା ! ଏଠି କାହାକୁ ଅପେକ୍ଷା କରିଛ, ଏତେ ରାତିରେ ?’

 

କଳାକାର ମୁହଁ ଉପରେ ପଡ଼ିଥିଲା ବତିଖୁଣ୍ଟର ଆଲୁଅ । ସେ କିଛି ଦେଖିପାରୁ ନଥିଲା-। ଟିକିଏ ଘୁଞ୍ଚି ଆସି ଉତ୍ତର ଦେଲା, ‘କିଏ ?’

 

: ମୁଁ, ମୁଁ ସତ୍ୟାନନ୍ଦ । ବାଲେଶ୍ୱରରୁ ଫେରୁଛି । ଭୁବନେଶ୍ୱର ଯିବି ।

 

କଳାକାର ର ବିଷଣ୍ଣ ମୁହଁ ଉପରେ ହସ ଫୁଟି ଉଠିଲା । ତାର ଝାମ୍ପୁରା ବାଳ, ଅଯତ୍ନ ବର୍ଦ୍ଧିତ ଦାଢ଼ି ମେଳରେ ଦାନ୍ତଗୁଡ଼ିକ ପରିଷ୍କାର ଦିଶୁଥିଲା । ସତ୍ୟାନନ୍ଦ ପଚାରିଲା, ‘କୁଆଡ଼େ ଯିବ ନା କାହାକୁ ଅପେକ୍ଷା କରିଛ ?’

 

: ନାଇଁ, କଟକ ଯିବି । ଲାଇନ୍‌ ବସ୍‌କୁ ଅପେକ୍ଷା କରୁଛି ।

 

: ଆସ, ଆମ ସାଙ୍ଗରେ ଚାଲିଯିବ । –ସତ୍ୟାନନ୍ଦ କହିଲା ।

 

କଳାକାର କୁ ଆମନ୍ତ୍ରଣ ଜଣାଇ ସାରିବା ପରେ ତାହାକୁ ଶ୍ରୀ ମହାପାତ୍ର, ଅଗ୍ରୱାଲ ଓ କମଳେଶ ଅନୁମୋଦନ କରିବେ କି ନାହିଁ ସେ ସମ୍ପର୍କରେ ସତ୍ୟାନନ୍ଦ ସଚେତନ ହୋଇପଡ଼ିଲା । ସେ ତରତର ହୋଇ ଆଗେ ଗାଡ଼ି ପାଖକୁ ଗଲା ଓ ଆଗ ଝରକା ବାଟେ ମୁହଁ ଗଳେଇ ପଛରେ ବସିଥିବା ମହାପାତ୍ରଙ୍କୁ କହିଲା, ‘ସାର୍‌, ମୋର ଜଣେ ବନ୍ଧୁ ଅସୁବିଧାରେ ପଡ଼ିଛନ୍ତି । ଏଇ କଟକ ଯାଏ... ।’

 

ମହାପାତ୍ରେ ନିଦରୁ ଉଠିବା ପାଇଁ ଚାହୁଁ ନଥିଲେ । କମଳେଶ ନିଜ ଉପରକୁ ଦାୟିତ୍ୱଟା ନେଇ କହିଲା, ‘ଆସନ୍ତୁ, ନୋ ପ୍ରବଲେମ୍‌ ।’

 

ଆଗ ସିଟରେ ଏବେ ଡ୍ରାଇଭର, ମଝିରେ କଳାକାର ଓ ବାଁ ପଟକୁ ସତ୍ୟାନନ୍ଦ । ପଛରେ ଅନ୍ୟ ତିନିହେଁ । କଳାକାର ବସିଯିବା ପରେ ସତ୍ୟାନନ୍ଦ ନିଜ ପାଟିରୁ ବାହାରୁଥିବା ବିଅର୍‌ ଗନ୍ଧ ନେଇ ଚିନ୍ତିତ ହୋଇପଡ଼ିଲା । କଳାକାର ଏ ସମ୍ପର୍କରେ ଖୁବ୍‌ ରକ୍ଷଣଶୀଳ ।

 

ଆକାଶରେ ଶ୍ରାବଣ ଶୁକ୍ଳପକ୍ଷର ଜହ୍ନ । ଭଦ୍ରକ ସହରର ବତିଖୁଣ୍ଟମାନେ ଦୂରେଇ ଗଲେଣି । ରାସ୍ତା ଦୁଇକଡ଼ରେ ଠାଏ ଠାଏ ପାଣି । ତଳକୁ ଗୋହିରି ଦଣ୍ଡା ଓ ଧାନବିଲ । ଜହ୍ନରାତିର ରୂପ ଖେଳେଇ ହୋଇ ପଡ଼ିଛି ନିରାଭରଣା ଯୁବତୀର ଉଜ୍ଜ୍ୱଳ ଚେହେରା ପରି । ଗଛମଥାନ, ଦୂର ଗାଁ, ନଈପଠା ସବୁ ଦିଶୁଛି ଲାବଣ୍ୟମୟ ।

 

ମହାପାତ୍ରେ ଶୋଇ ରହିବାକୁ ଚାହୁଁଥିଲେ । କିନ୍ତୁ ଅଗ୍ରୱାଲ ବ୍ୟବସାୟୀ ପିତାର ବ୍ୟବସାୟୀ ପୁତ୍ର ଭାବେ ଅଫିସରମାନଙ୍କର ଏହି ବରଳ ସାନ୍ନିଧ୍ୟକୁ ଏମିତିରେ ବିତେଇଦେବାକୁ ଚାହୁଁ ନଥିଲେ । ଅଗ୍ରୱାଲ କମ୍ପାନି ଅଫିସରମାନଙ୍କର ପିଛା ପାଣି ପରି ଟଙ୍କା ଖର୍ଚ୍ଚ କରେ । କାହାର ପୁଅ ଜନ୍ମଦିନ, କାହାର ଝିଅ ବାହାଘର, ବିବାହବାର୍ଷିକୀ ଇତ୍ୟାଦି କାମ ପାଇଁ ଅର୍ଥ ବରାଦ ଆସେ । ଅଗ୍ରୱାଲା କମ୍ପାନି ଏସବୁଥିରେ ପଛଘୁଞ୍ଚା ଦିଏ ନାହିଁ । ସେମାନେ ଜାଣନ୍ତି, ସରକାରୀ ତହବିଲରେ ଶହେଟଙ୍କା ଖର୍ଚ୍ଚ କରି ଯୋଉ ସୁବିଧା ମିଳିବ ନାହିଁ, ଅଫିସରମାନଙ୍କ ପିଛେ ଦଶଟଙ୍କା ଖର୍ଚ୍ଚ କରି ସେହି ସୁବିଧା ମିଳିବ । ଅଫିସରମାନେ ସବୁବେଳେ ଥିବେ । ଏଠୁ ବଦଳି ହୋଇଗଲେ ଆଉ କୋଉଠି ଯାଇ ରହିବେ । ସେମାନଙ୍କର ଭୋକଶୋଷ ବି ସବୁବେଳେ ରହିବ । ଯେତେ ବଡ଼ ପଦବିରେ ରହିଲେ ବି ଅୟସ ଆରାମ ପାଇଁ ସେମାନେ ପର ହାତକୁ ଚାହିଁବେ ।

 

ଅଗ୍ରୱାଲ ପାଟି କରି ଉଠିଲା, ‘କଣ ସତ୍ୟାନ୍‌ ବାବୁ (ସେ ସଂପୂର୍ଣ୍ଣ ସତ୍ୟାନନ୍ଦ ଉଚ୍ଚାରଣ କରୁନଥିଲେ) କିଛି ଗାନା ଟାନା ହେଉ ।’

 

ସତ୍ୟାନନ୍ଦ କଳାକାର ସାଙ୍ଗେ ଦି ଚାରିପଦ କଥା ହେବାକୁ ଚାହୁଁଥିଲା । ସେ ଦାୟିତ୍ୱଟାକୁ ଡ୍ରାଇଭରକୁ ହସ୍ତାନ୍ତର କରିଦେବାକୁ ଚାହିଁ କହିଲା, ‘ଆରେ ଗୋଟେ ଭଲ କ୍ୟାସେଟ୍‌ ଲଗା ।’

 

‘କ୍ୟାସେଟ୍‌’ ଶବ୍ଦଟା ଶୁଣୁ ଶୁଣୁ ମହାପାତ୍ର ଆପତ୍ତି କରି ଉଠିଲେ । ତାଙ୍କର ନିଦ ଭାଙ୍ଗିଯାଇଥିଲା । ‘ନାଇଁ, ନାଇଁ, ସେ କ୍ୟାସେଟ୍‌ ଗୁଡ଼ା ଶୁଣି ଶୁଣି ବିରକ୍ତ ଲାଗିଲାଣି; ବରଂ ସତ୍ୟାନନ୍ଦ, କିଛି ଜୋକ୍‌ ଫୋକ୍‌ ହେଉ ।’

 

ମହାପାତ୍ରଙ୍କ ମନ୍ତବ୍ୟ ସଂପୂର୍ଣ୍ଣ ଭୁଲ୍‌ ନୁହେଁ । ଡ୍ରାଇଭର ପାଖେ ଯୋଉ ଦଶ ବାରଟି କ୍ୟାସେଟ୍‌ ଥିଲା ସେସବୁ ଏବର ସିନେମା ଗୀତ କ୍ୟାସେଟ୍‌ । ସେ ଗୀତଗୁଡ଼ିକ ହାଟରେ, ବାଟରେ, ପାନଦୋକାନଠୁଁ ନେଇ ହୋଟେଲ ପର୍ୟ୍ୟନ୍ତ ସବୁଠି ବାଜୁଥିଲା ।

 

ସତ୍ୟାନନ୍ଦ ଜୋକ୍‌ସ ଶୁଣେଇବା ମୁଡରେ ନଥିଲା । ସେ କଳାକାର ସାଙ୍ଗେ କିଛି ସମୟ ଗପିବାକୁ ଚାହୁଁଥିଲା । ପ୍ରାୟ ଗୋଟିଏ ଠିକଣାରୁ ସେମାନେ ଆରମ୍ଭ କରିଥିଲେ ଆପଣା ଆପଣାର ଯାତ୍ରା । ସତ୍ୟାନନ୍ଦ ଗୋଟାଏ ଦିଗରେ ଓ କଳାକାର ଠିକ୍‌ ତାର ବିପରୀତ ଦିଗରେ ଚାଲିଛନ୍ତି । ସେ ଜାଣିବାକୁ ଚାହୁଁଥିଲା କଳାକାର ଏବେ କରୁଛି କ’ଣ, ରହୁଛି କୋଉଠି ।

 

ଅନେକ ବର୍ଷ ତଳେ ଦୁହେଁ ଭଦ୍ରକ ହାଇସ୍କୁଲରେ ଏକାଠି ପଢ଼ୁଥିଲେ । କଳାକାର ସେଦିନ ଗୋଟେ ସ୍ୱପ୍ନଭୁକ୍‌ର ପରିଚୟ ଭିତରେ ଆତଯାତ ହେଉଥିଲା । ଗୀତ ନାଚ, ଚିତ୍ର ଆଙ୍କିବା, ନ ହେଲେ ଅଭିନୟ ହିଁ ଥିଲା ମୁଖ୍ୟ କାମ । ପାଠପଢ଼ା ଗୌଣ । ନିଜ ଉପରକୁ ଆସିଥିବା ଦାୟିତ୍ୱ ଏଡ଼େଇ ଯିବା ପାଇଁ ସତ୍ୟାନନ୍ଦ କହିଲା, ‘ଏଇ କଳାକାର , ଇଏ ଖୁବ୍‌ ସୁନ୍ଦର ଗୀତ ଗାଏ... ।’ ତାପରେ ସେ କଳାକାର କୁ ଟିକେ ହଲେଇ ଦେଇ କହିଲା, “କଣ, ଗୋଟେ ଅଧେ ଗୀତ ହେଉ ।”

 

ସତ୍ୟାନନ୍ଦର ପ୍ରସ୍ତାବ ଶୁଣି, ଚାନ୍ଦିପୁର ହୋଟେଲର ଡାଇନିଂ ଟେବୁଲ୍‌ ଉପରେ ତନ୍ଦୁର ଚିକେନ୍‌ ପ୍ଲେଟ୍‌ ଦେଖି ମହାପାତ୍ର ଓ କମଳେଶ ଏକାସାଙ୍ଗରେ ଝୁଙ୍କିପଡ଼ିବା ପରି କଳାକାର ଉପରକୁ ଝୁଙ୍କିପଡ଼ିଲେ–“ବାଃ, ବାଃ, ତମେ ତ ବିଲ୍‌କୁଲ କଳାକାର, ଆମେ ଭାବିଥିଲୁ ଖାଲି ନାଁଟା କଳାକାର ।

 

କଳାକାର ପ୍ରଥମେ କୁଣ୍ଠା ପ୍ରକାଶ କଲା । କିନ୍ତୁ ତାହା ବେଶି ସମୟ ରହିଲା ନାହିଁ । ଏଇ ହୋମଡ଼ା ଚୋମଡ଼ା ବାବୁମାନଙ୍କ ଗହଣରେ ତାର ଚେହେରା ଅନେକଟା ବେଖାପ ଦିଶୁଥିଲା-। କଳାକାର ର ରୁଢ଼ଭର୍ତ୍ତି ଗାଲ, ଲମ୍ବା କହରା ବାଳ, ଖଦଡ଼ ଲୋଚାକୋଚା ପଞ୍ଜାବି, ଶାନ୍ତିନିକେତନୀ ଝୁଲା ଓ ସମଗ୍ର ବ୍ୟକ୍ତିତ୍ୱକୁ ଘୋଡ଼େଇ ରଖିଥିବା ଦାରିଦ୍ର୍ୟର ଗୋଟେ ଘନ ଆସ୍ତରଣ ଅଗ୍ରୱାଲା କମ୍ପାନିର ଦାମୀ ଗାଡ଼ି ଓ ନାମୀ ଆରୋହୀଙ୍କ ମେଳରେ ଖାପ ଖାଉ ନ ଥିଲା-। ଅଗ୍ରୱାଲ କହିଲା, “ବୋଲିଏ ସାବ୍‌, ଏକ ଦୋ ଗାନା ହୋ ଯାଏ ।”

 

କଳାକାର କଣ୍ଠ ଖୋଲିଲା । ପୁରୁଣା ଓଡ଼ିଶୀ ଗୀତଟେ ଗାଇଲା । ଗୀତଟା ଏତେ ପୁରୁଣା ଯେ ସତ୍ୟାନନ୍ଦ ଓ ତାର ସହଯାତ୍ରୀମାନେ ସେଇଟିକୁ ନୂଆ ଗୀତ ବୋଲି ଭୁଲରେ ଭାବି ବସିଥିଲେ । କୋଉ ଯୁଗ ତଳେ ସତ୍ୟାନନ୍ଦ ସେ ଗୀତ ଶୁଣିଥିଲା... ‘ବାସି ମୋ ହୋଇଲା ଫୁଲଶେଯ, ସଜନୀ ଆଜ । ବାସି ମୋ ହୋଇଲା ଫୁଲଶେଯ ।’ କଳାକାର ଗୀତ ଗାଇଲା ବେଳେ ଆଖି ଦିଓଟି ବୁଜି ଦେଉଥାଏ । ତାର ସେ ଗୀତର ସୁର ଗାଡ଼ିର ଦୁଇ ଝରକାଦେଇ ବାହାରେ ଖେଳେଇ ହୋଇଯାଉଥାଏ । ଉପରେ ଉଦାର ଆକାଶ, ଆକାଶ କୋଳରେ ଉଚ୍ଛନ୍ନ ଜହ୍ନ ଓ ଚାରିପଟେ ଅସ୍ଥିର ନକ୍ଷତ୍ର । ଶ୍ରାବଣର ଭିଜା ପବନ ସେମାନଙ୍କର ଆଖି, ମୁହଁ ଓ ଚିବୁକ ଉପରେ ଶ୍ରଦ୍ଧା ଓ ସଦିଚ୍ଛାର ହାତ ବୁଲେଇ ନେଉଥାଏ । କଳାକାର କଣ୍ଠର ଗୀତଟା ଏମିତି ପରିବେଶରେ ଶୁଭୁଥାଏ ଆହୁରି ଚମତ୍କାର । ସେ କେତେବେଳେ ତାର ଗୋଟିଏ ହାତ ଉପରକୁ ଉଠେଇ ଗାଉଥାଏ ତ ଆଉ ଗୋଟିଏ ହାତ ପଛଆଡ଼କୁ ଲମ୍ବେଇ ଦେଉଥାଏ । ଗୀତର ତାଳ ସାଙ୍ଗରେ ତାର ମୁଣ୍ଡ, ଗୋଡ଼, ହାତ, ଆଖି ସବୁ କିଛି ନାଚି ଉଠୁଥାଏ ।

 

ଅନେକ ଦିନ ହେଲା ସତ୍ୟାନନ୍ଦ ଏମିତି ଏକ ପରିବେଶରେ କାହାଠୁ ଗୀତଟେ ଶୁଣି ନଥିଲା । ଯେତେବେଳେ ବି କୋଉଠି କିଛି ଗୋଟାଏ ଗୀତ ସେ ଶୁଣିଛି, ସେଇଟି ଷ୍ଟିରିଓରୁ, ରେଡିଓରୁ, ଟେଲିଭିଜନ୍‌ରୁ ନ ହେଲେ ଲାଉଡ୍‌ସ୍ପିକରରୁ ।

 

କଳାକାର ର ଗୀତ ତାକୁ ତା ଅଭାବ ସମ୍ପର୍କରେ ସଚେତନ କରିଦେଉଥିଲା । ସେ ଧୀରେ ଧୀରେ ଦୁଇ ଆଖିପତା ବୁଜି ନେଇ ଗୀତ ଶୁଣିବାକୁ ଲାଗିଲା ।

 

ଗୀତଟା ସରିଗଲା । ମହାପାତ୍ର, କମଳେଶ ଓ ଅଗ୍ରୱାଲ ତିନିହେଁ ବାଃ ବାଃ କହି, କଳାକାରକୁ ପ୍ରଶଂସା କରୁଥିଲେ । ସତ୍ୟାନନ୍ଦ ବି କଳାକାର ର ଗୀତ ଶୁଣି ଖୁବ୍‌ ଖୁସି ହୋଇଥିଲା-

 

ଉତ୍ସାହିତ ଓ ବିହ୍ୱଳ କଳାକାର ଆଉ ଗୋଟିଏ ଗୀତ ବୋଲିବାକୁ ପ୍ରସ୍ତୁତ ହେଲା । ତାର ପ୍ରାଥମିକ ଅସ୍ୱସ୍ତି ଭାବ ଏହା ଭିତରେ କଟିଯାଇଥିଲା ।

 

କଳାକାର ଗାଇଲା–ଜୀବନ ପାତ୍ର ମୋ ଭରିଛ କେତେମତେ, ନଦେଲ ବୋଲି କିଛି କହିବି କି ହେ ଆଉ, ଜୀବନ ପ୍ରିୟତମ ହାରିଛ ମୋ ଭରମ, ତରଣୀ ମୋର ତବ ସାଗରେ ବହିଯାଉ ।

 

ସତ୍ୟାନନ୍ଦ ଶୁଣୁଥିଲା । ତାର ଲୋମଗୁଡ଼ିକ ଶିହରି ଉଠୁଥିଲେ । ମନତଳଟା ଓଦା ଓଦା ହୋଇ ଯାଉଥିଲା, ଦୁଇ ଆଖିର ଦୁଇକୋଣରେ ଢଳ ଢଳ ହେଉଥିଲା ଆବେଗ । ସେ ସ୍ତବ୍‌ଧ ହୋଇ ବସି ରହିଥିଲା । ତାର ଅସତର୍କ ପାଦ କି ହାତ କାଳେ ଦୋହଲିଯିବ ଓ ସେମିତି ହେଲେ ତାର ତଲ୍ଲୀନତା ଚହଲିଯିବ ସେଥିପାଇଁ ସେ ଅଧିକ ସତର୍କ ହୋଇ ପଡ଼ୁଥିଲା ।

 

ବିପରୀତ ଦିଗରୁ ଟ୍ରକଟେ ଆସି ସେମାନଙ୍କ ଗାଡ଼ିକୁ ଅତିକ୍ରମ କରିଗଲା । ସେଇ ଗାଡ଼ିର ଆଲୁଅ କିଛି ସମୟ ପାଇଁ ସେମାନଙ୍କ ଉପରେ ବିଞ୍ଚି ହୋଇଗଲା । ସତ୍ୟାନନ୍ଦ ଦେଖିଲା, କଳାକାରର ଦୁଇଆଖିରୁ ଲୁହଧାର ବୋହିଯାଉଛି । ଡାହାଣ ହାତ ଦୁଇଟି ଅଳ୍ପ ଟିକିଏ ଉପରକୁ ଟେକିହୋଇ ରହିଛି, କୋଉ ଅଦୃଶ୍ୟ ଦେବତାକୁ ପ୍ରାର୍ଥନା କରିବା ମୁଦ୍ରାରେ ।

 

ସତ୍ୟାନନ୍ଦ କଳାକାରର ଏଇ ମୋହାବିଷ୍ଟ ଚେହେରା ଆଗରୁ କୌଣସି ଦିନ ଦେଖି ନଥିଲା । କଳାକାର ତାକୁ ଲାଗୁଥିଲା ଅପରିଚିତ ।

 

ସତ୍ୟାନନ୍ଦ ଭିତରେ କୋଉଠି କଣ ସବୁ ନିଜ ନିଜର ଜାଗା ବଦଳଉଥିଲେ । ସେଇ ମୁହୂର୍ତ୍ତରେ ତାର କମିସନ୍‌, ଠିକାଦାରି, ଲିଆସନିଂ ପରି ଶବ୍ଦ କିଛି ମନେ ପଡ଼ୁନଥିଲା । ସେ ଖାଲି ନିଜକୁ ଅନୁଭବ କରୁଥିଲା, ଯିଏ ଏଇ ଶ୍ରାବଣ ଜହ୍ନରାତିର ଶ୍ୟାମଳ ବିଲମାଳକୁ ଡେଇଁ ଡେଇଁ ଯାଉଥିବା ଗୋଟେ ଗୀତର ସ୍ୱରରେ ମନ୍ତ୍ରମୁଗ୍‌ଧ ହୋଇସାରିଥିଲା ।

 

କଳାକାର ପୁଣି ଗୋଟେ ନୂଆ ଗୀତ ଆରମ୍ଭ କରିଥିଲା । ପୂର୍ବ ଗୀତଟି ପରି ଏଇ ଗୀତଟାର ରାଗିଣୀ ବି ଖୁବ୍‌ କରୁଣ । ସେ ଆଖିବୁଜି ଗୀତ ଗାଉଥିଲା ଓ ତାଳ ଲୟ ଅନୁସାରେ ହାତ ପାଦ ହଲାଉଥିଲା । ବିନା ଯନ୍ତ୍ରପାତି, ବିନା ଢୋଲକି ଓ ହାରମୋନିୟମରେ ଏତେ ସୁନ୍ଦର ଗୀତ ଗାଇବା କିପରି ସମ୍ଭବ ହୁଏ ତାହା ସତ୍ୟାନନ୍ଦ ଚିନ୍ତା କରିପାରୁ ନଥିଲା ।

 

ଶ୍ରୀଯୁକ୍ତ ମହାପାତ୍ରଙ୍କ ଛାଇନିଦ କୋଉକାଳୁ ନିଖୋଜ ହୋଇସାରିଥିଲା । କମଳେଶ ବି ଆଗ ସିଟ୍‌ ଆଡ଼କୁ ଝୁଙ୍କି ଆସି ଗୀତ ଶୁଣୁଥିଲା ।

 

ସିମେଣ୍ଟ, ଲୁହାଛଡ଼, କାଠ ଓ କପଡ଼ା ବ୍ୟବସାୟ ଭିତରେ ଜନ୍ମ ହୋଇଥିବା ଅଗ୍ରୱାଲ ଗୀତ ସାଙ୍ଗରେ ତାଳ ଦେଇ ମୁଣ୍ଡ ହଲାଉଥିଲା । କଳାକାର ଗାଉଥିବା ଗୀତର ଅର୍ଥ ସେ ବୁଝି ନପାରିଲେ ସୁଦ୍ଧା କଳାକାରର କଣ୍ଠଟି ଯେ ପ୍ରଶଂସାଯୋଗ୍ୟ ସେତକ ଅଗ୍ରୱାଲର ଭାବଭଙ୍ଗୀରୁ ଜାଣି ହେଉଥିଲା ।

 

ଆକାଶରେ ଜହ୍ନ ଓ ବଉଦ ସେହିପରି ଗୋଡ଼ିଆଗୋଡ଼ି ଖେଳ ଖେଳୁଥିଲେ । ମଝିରେ ମଝିରେ ସେମାନଙ୍କ ଗାଡ଼ିକୁ ଦୂରଗାମୀ ବସ୍‌, ଟ୍ରକ୍‌, ନ ହେଲେ କାର୍‌ ଅତିକ୍ରମ କରିଯାଉଥିଲା । କଳାକାର କିନ୍ତୁ ସେଆଡ଼କୁ ଦୃଷ୍ଟି ଦେଉନଥିଲା । ସେଇ ଯେ ତାକୁ ଗୀତଟେ ଗାଇବାକୁ ବରାଦ ଦିଆଯାଇଥିଲା, ତାପରେ ତାକୁ ଆଉ କିଛି କହିବା ପ୍ରୟୋଜନ ପଡ଼ିନାହିଁ । ସେ ଗୋଟିଏ ପରେ ଗୋଟିଏ ଗୀତ ଗାଇଚାଲିଥିଲା ।

 

କଟକ ପାଖେଇ ଆସିଲା ।

 

ସତ୍ୟାନନ୍ଦ କଳାକାରକୁ ଏ କଥାଟି ମନେ ପକେଇ ଦେବାକୁ ଚାହୁଁଥିଲା । ମାତ୍ର କଳାକାର ଯୋଉଭଳି ତନ୍ମୟ ହୋଇ ଗୀତ ଗାଉଥିଲା ସେଥିରେ ତାକୁ ହଲେଇଦେବା ତ ଦୂରର କଥା, ତାକୁ ଛୁଇଁବାକୁ ସୁଦ୍ଧା ସାହସ ହେଉ ନଥିଲା ତାର । ସେ ଖାଲି ଧୀର ସ୍ୱରରେ କହିଲା–କଟକ ।

 

ହାତ ଛିଞ୍ଚାଡ଼ି ଦେଇ କଳାକାର ଜବାବ ଦେଲା, ‘ଚାଲ’ ଓ ପୁଣି ସେ ତା ଗୀତ ଭିତରେ ବୁଡ଼ିଗଲା ।

 

ସତ୍ୟାନନ୍ଦ ଆଶ୍ଚର୍ୟ୍ୟ ହେଲା । ଲୋକଟି ଗୋଟେ ପାଗଳ ନା କଣ ! ଗୀତ ଗାଇବ ବୋଲି କଣ ନିଜ କାମଦାମ ବି ଭୁଲିଯିବ !

 

କଳାକାରର ସେ ଗୀତଟା ସରିବା ବେଳକୁ କଟକ ପଛରେ ରହିଯାଇଥିଲା । ଥରେ ଏପଟ ଓ ଥରେ ସେପଟ ରାସ୍ତାକୁ ଚାହିଁ କଳାକାର କହିଲା, “ଇଏତ ଫୁଲନଖରା ପାଖାପାଖି ହେଲାଣି । ମୋତେ ଟିକେ କହିଲ ନାହିଁ !”

 

ପଛରୁ କମଳେଶ କହିଲା, ‘କହିଥିଲେ, ସତ୍ୟାନନ୍ଦ ବାବୁ କହିଥିଲେ । ଆପଣ କିନ୍ତୁ ଶୁଣିବା ଅବସ୍ଥାରେ ନଥିଲେ ।’

 

କଳାକାର ଟିକିଏ ଚିନ୍ତିତ ହେଲାପରି ନିରବ ରହିଲା ଓ କହିଲା, ‘ଠିକ୍‌ ଅଛି । ମୋତେ ଏଇ ଫୁଲନଖରାରେ ଓହ୍ଲାଇ ଦିଅନ୍ତୁ । ମୁଁ ଚାଲିଯିବି ।’

 

ସତ୍ୟାନନ୍ଦ କହିଲା, ‘ଯଦି ନିହାତି ଅସୁବିଧା ନ ଥାଏ, ତାହେଲେ ଭୁବନେଶ୍ୱର ଚାଲ, ସକାଳୁ ଫେରିଆସିବ ।’

 

କଳାକାର ପ୍ରତିବାଦ କଲା, ‘ନାଇଁ, ନାଇଁ, ମୋର ଏଠି କାମ ଅଛି । ଏଇଠି ରହିଲେ ଭଲହେବ ।’

 

ସତ୍ୟାନନ୍ଦ କିଛି କହିଲା ନାହିଁ । କିନ୍ତୁ କଳାକାରର ଏପରି ରୋକଠୋକ୍‌ ମନା କରିବାର କାରଣ ମଧ୍ୟ ସେ ସହସା ବୁଝିପାରିଲା ନାହିଁ ।

 

ଫୁଲନଖରା ଟ୍ରାଫିକ୍‌ଷ୍ଟାଣ୍ଡ୍‌ ପାଖରେ ଗାଡ଼ି ରହିଲା । ରାତି ତିନିଟା ପାଖାପାଖି ହେବ । ଆଉ କେତେଘଣ୍ଟା ପରେ ସକାଳ । ସତ୍ୟାନନ୍ଦ ଆଗେ ଓହ୍ଲେଇ ଯାଇ କଳାକାର ପାଇଁ ବାଟ ଛାଡ଼ିଦେଲା । କହିଲା, ‘ଯା’ ହେଉ, ଏତେଦିନ ପରେ ତମ ସାଙ୍ଗରେ ଦେଖା ହୋଇଗଲା । ପୁଣି କେବେ ଦେଖା ହେବ କିଏ ଜାଣେ ।’

 

କଳାକାର କଣ କହିବାକୁ ଯାଉଥିଲା, କିନ୍ତୁ ଗାଡ଼ି ଭିତରୁ ଶୁଭୁଥିବା ସମ୍ମିଳିତ ହସରେ ସେ ନିରବ ହୋଇଗଲା ।

 

“ୟାଙ୍କୁଇ କହିବ ଶାଲା ବେକୁବ୍‌ । ଟିକେ ଖୁସାମତ ଆଉ ପିଠି ଥାପୁଡ଼ାରେ ଇଏ ବେକୁବ୍‌ ଭଦ୍ରକରୁ କଟକ ଯାଏ କେମିତି ଗୀତ ଶୁଣେଇ ଆସିଲା ଦେଖିଲେ ତ ! ଆଉ ଯଦି ଚା’-ପାଣି କି ଜଳଖିଆ ଗଣ୍ଡେ ଦେଇଥାନ୍ତେ ରାତିସାରା ଗାନାଟାନା ଚଳେଇଥାନ୍ତା । ବେକୁବ୍‌ ନାଚଗୀତ ବାଲାଙ୍କର ଏଇ ଆଦତ୍‌ !”

 

ମହାପାତ୍ରଙ୍କ ସ୍ୱର ବାରିବାରେ ସତ୍ୟାନନ୍ଦର କୌଣସି ଅସୁବିଧା ହେଉ ନଥିଲା । ତାଙ୍କର ଏଇ ଅଶ୍ଳୀଳ ମନ୍ତବ୍ୟ ସାଙ୍ଗେ ତାଳଦେଇ କମଳେଶ ଓ ଅଗ୍ରୱାଲ ବି ହସି ଉଠୁଥିଲେ । କିନ୍ତୁ ସେମାନେ ମହାପାତ୍ରଙ୍କୁ ଖୁସି କରିବା ପାଇଁ ତାଙ୍କ ହସରେ ହସ ମିଳଉଥିଲେ ନା ସେମାନେ ବି ମହାପାତ୍ରଙ୍କ ସହ ଏକମତ ଥିଲେ ସେକଥା ସତ୍ୟାନନ୍ଦ ଜାଣିପାରୁ ନଥିଲା ।

 

ଅପ୍ରସ୍ତୁତ ହୋଇପଡ଼ିଲା ସତ୍ୟାନନ୍ଦ, କାରଣ କଳାକାର କାନରେ ବି ଏସବୁ ପଡ଼ିସାରିଥିଲା । ସତ୍ୟାନନ୍ଦ କଳାକାରକୁ କଣ କହିବ ନ କହିବ ସ୍ଥିର କରିପାରୁ ନଥିଲା । ସେ ଗୋଟେ ଅପରାଧୀ ପରି ଧୀରେ ମୁଣ୍ଡଟି ଉଠେଇ କଳାକାରକୁ ଚାହିଁଲା । କଳାକାରର ମୁହଁ କରୁଣ ଦିଶୁଥିଲା ।

 

ସତ୍ୟାନନ୍ଦ ଝଡ଼ ପରି ଗାଡ଼ି ପାଖକୁ ଫେରିଆସିଲା ଓ ଗାଡ଼ି ଭିତରେ ବସିପଡ଼ି ରୁଦ୍ଧ ଗଳାରେ ଡ୍ରାଇଭରକୁ କହିଲା, ‘ଚାଲ’ । ତାର ଇଚ୍ଛା ହେଉଥିଲା, ସେ ଗାଡ଼ିରେ ବସିଥିବା ତିନିଜଣଙ୍କ ଉପରେ ସବୁ କ୍ରୋଧତକ ଢାଳିଦେବ, ଚିତ୍କାର କରିବ; ମାତ୍ର ଆଶ୍ଚର୍ୟ୍ୟର କଥା, ତା ପାଟିରୁ ଗୋଟେ ହେଲେ ଶବ୍ଦ ବାହାରୁ ନଥିଲା ।

☆☆☆

 

ମୋହମୁକ୍ତି

 

ଅବସର ନେବାର ଦିନ ପାଖେଇ ପାଖେଇ ଆସୁଥିଲାବେଳେ ଏହି କ୍ଷମତା, ବଙ୍ଗଳା, ଦାମୀ କାର୍‌ ଏବଂ ଦିନରାତି ଆଜ୍ଞାବହ କର୍ମଚାରୀମାନଙ୍କର ସେବା ହରେଇବାର ଦୁଃଖ ମନ୍ମଥ କୁମାରଙ୍କର ବଢ଼ି ବଢ଼ି ଚାଲିଥିଲା । ତେବେ ନିଜର ଛୋଟ ସହରକୁ ଫେରିଯିବା ପରେ ତାଙ୍କୁ ନେଇ ସେଠାରେ ଯୋଉ ଗୋଟେ ମୃଦୁ କୋଳାହଳ ସୃଷ୍ଟି ହେବ ଏବଂ ସପ୍ତାହବ୍ୟାପି ସମ୍ବର୍ଦ୍ଧନା ସଭା ଆୟୋଜିତ ହେବ–ତାହା ଚିନ୍ତାକରି ସେ ଦୁଃଖ କେତେକାଂଶରେ କମି ଯାଉଥିଲା । ସେ ବରାବର ଭାବି ଆସିଛନ୍ତି ଯେ ତାଙ୍କର ପ୍ରତିଷ୍ଠା ଏବଂ ଖ୍ୟାତିକୁ ନେଇ ସମୁଦ୍ରକୂଳିଆ ସେଇ ଛୋଟ ସହର ଏବଂ ତାର ଘଟଣାହୀନ ଇତିହାସ ଗର୍ବ ଅନୁଭବ କରିବା ଉଚିତ । ସେଭଳି ଗୋଟେ କ୍ଷୁଦ୍ର ସହରରୁ ଆସି ଶାସନସଚିବ ପାହ୍ୟା ପର୍ଯ୍ୟନ୍ତ ଉଠିବା କଣ କମ୍‌ କଥା ! ଏପର୍ଯ୍ୟନ୍ତ ଆଉ କେହି ତାଙ୍କ ସହରରୁ ଆସି ଏତେ ଉପରକୁ ଉଠି ନାହାନ୍ତି । ମନ୍ମଥ କୁମାର ନିଜର ସଫଳତା ଚିନ୍ତା କରି ଉଲ୍ଲସି ଉଠନ୍ତି । ଜୀବନରେ ସେ କେତେ ବଡ଼ ବଡ଼ ଦାୟିତ୍ୱ ମୁଣ୍ଡେଇଛନ୍ତି । ରାଜ୍ୟ ରାଜଧାନୀରୁ ନେଇ ଦେଶ ରାଜଧାନୀ, ସେଇଠୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଦେଶର ରାଜଧାନୀକୁ ଯାଇଛନ୍ତି ପ୍ରତିନିଧିମଣ୍ଡଳୀ ନେଇ । କେତେ ଚୁକ୍ତି, ବୁଝାମଣା ଓ ରାଜିନାମା ପତ୍ରରେ ସେ ଦସ୍ତଖତ କରିଛନ୍ତି । ସେଭଳି ସମୟରେ ତାଙ୍କର ଘନ ଘନ ଫଟୋ ଉଠେ, ସାମ୍ବାଦିକମାନେ ଘେରିଯାଇ ପ୍ରଶ୍ନମାନ ପଚାରନ୍ତି, ଦୂରଦର୍ଶନର ପରଦା ଓ ଖବରକାଗଜର ପୃଷ୍ଠାରେ ଛବିମାନ ପ୍ରକାଶିତ ହୁଏ । ସେହି ଖବର ମଧ୍ୟରୁ ଅଳ୍ପ କିଛି ତାଙ୍କ ସହରବାସୀ ଶୁଣିଥିଲେ ଗର୍ବରେ ସେମାନଙ୍କ ଛାତି ନିଶ୍ଚୟ କୁଣ୍ଢେମୋଟ ହୋଇଯାଇଥିବ ।

 

କାୟାର ଦୈର୍ଘ୍ୟ ଯେତିକି ବଢ଼ି ବଢ଼ି ଯାଏ ତାର ଛାୟା ମଧ୍ୟ ସେତିକି ଦୀର୍ଘ ହୋଇଚାଲେ–ମନ୍ମଥ କୁମାର ଭାବନ୍ତି । ତାଙ୍କୁ ନେଇ ଗୋଟିଏ ଟ୍ରଷ୍ଟ କିମ୍ବା ଅନୁଷ୍ଠାନ ଗଠିତ ନ ହେଲେ ତାଙ୍କର ସମୁଦାୟ ବ୍ୟକ୍ତିତ୍ୱର ଆକଳନ କଦାପି ସମ୍ଭବ ହେବ ନାହିଁ, ଏହା ଥିଲା ତାଙ୍କର ଦୃଢ଼ ଧାରଣା । ନିଜ ସହରରେ ପହଞ୍ଚିଲା ପରେ ସେ ଯୁବକମାନଙ୍କୁ ଏ ପ୍ରସ୍ତାବଟି ପରୋକ୍ଷ ଭାବରେ ଦେବେ ଏବଂ ସେମାନେ ଯେ ପ୍ରସ୍ତାବଟି ଶୁଣୁ ଶୁଣୁ ଆନନ୍ଦରେ ଗ୍ରହଣ କରିବେ ଏ ନେଇ ତାଙ୍କର କୌଣସି ସନ୍ଦେହ ନଥିଲା ।

 

ଅବସର ନେବାର ଦିନ ଆସିଗଲା ଓ ମନ୍ମଥ କୁମାରଙ୍କୁ ପରିବର୍ତ୍ତନ ସାଙ୍ଗେ ପରିଚିତ ହେବାର ସୁଯୋଗ ନ ଦେଇ ଚାଲିଗଲା । ଏତେବେଳେ ପରଲୋକଗତା ପତ୍ନୀଙ୍କ କଥା ଓ ପ୍ରବାସରେ ଥିବା ପୁଅ ଝିଅଙ୍କ କଥା ତାଙ୍କର ବେଶି ବେଶି ମନେ ପଡ଼ୁଥିଲା । ଏହା ଆଗରୁ ଆଉ କେବେ ସେ ନିଜର ପରିବାରକୁ ନେଇ ଏତେ ଚିନ୍ତା କରି ନଥିଲେ । ସେତେବେଳେ ଏସବୁ କଥା ଭାବିବାକୁ ଫୁରୁସତ ମଧ୍ୟ କୋଉଠି ଥିଲା ? ଦପ୍ତରର ଟେବୁଲ ଉପରେ ଗୁରୁତ୍ୱପୂର୍ଣ୍ଣ ଫାଇଲର ଗଦା ବଢ଼ି ବଢ଼ି ଚାଲିଥିବାବେଳେ ସେ ପତ୍ନୀ-ପୁତ୍ର-କନ୍ୟାଙ୍କ ସାଙ୍ଗେ ଦୁଃଖସୁଖ ହେବା ଲାଗି କଦାପି ରହି ପାରି ନଥାନ୍ତେ ।

 

ଅବଶେଷରେ ମନ୍ମଥ କୁମାର ତାଙ୍କର ଛୋଟ ସହରକୁ ଫେରି ଆସିଲେ । ଯୋଉଠୁ ଦିନେ ସେ କିଛି ବାଟ ଚାଲି ଓ କିଛି ବାଟ ରିକ୍ସାରେ ଯାଇ ଟ୍ରେନ୍‌ ଚଢ଼ିଥିଲେ ଅବଶେଷରେ ସେ ସେଇଠିକୁ ଫେରିଆସିଲେ । ତେବେ ଷ୍ଟେସନରେ ପହଞ୍ଚୁ ପହଞ୍ଚୁ ଦିଇଟି ବିସ୍ମୟ ତାଙ୍କର ବାଟ ଓଗାଳିଥିଲା । ପ୍ରଥମଟି ହେଲା, ତାଙ୍କ ସହରର ରେଳଷ୍ଟେସନ୍‌ଟି ପୂର୍ବପରି ପରିତ୍ୟକ୍ତ ଚେହେରା ନେଇ ପଡ଼ିରହିଥିଲା ଓ ଦ୍ୱିତୀୟ, ତାଙ୍କର ଆଶାମତେ ଷ୍ଟେସନ୍‌କୁ ତାଙ୍କୁ ପାଛୋଟି ଆଣିବା ପାଇଁ ଗୋଟେ ଛୋଟକାଟର ଶୋଭାଯାତ୍ରା ଯାଇନଥିଲା !

 

ଲୋକମାନେ କେତେ ଦାୟିତ୍ୱହୀନ ! ଏମିତି ଏକ ମନ୍ତବ୍ୟ ନିଜକୁ ନିଜେ ଶୁଣାଇ ମନ୍ମଥ କୁମାର ତାଙ୍କ କ୍ରୋଧ ଏବଂ ବିସ୍ମୟକୁ ନିଜ ଭିତରେ ଚାପି ଧରିଥିଲେ । ଲେଖାଯୋଖା ଜଣେ ଭାଇ ଓ ବାପାଙ୍କ ଅମଳରୁ ତାଙ୍କ ଘରେ କାମ କରୁଥିବା ବନମାଳୀ ସାଙ୍ଗରେ ସେ ପୁରୁଣା ଘରକୁ ଫେରି ଆସିଲାବେଳେ ପଚାରିଲେ, “ଷ୍ଟେସନ୍‌ର ଆଧୁନିକୀକରଣ କାମ କଣ ଅଧାରୁ ରହିଗଲା ?”

 

ଦୁଇଦିନ ପରେ ତାଙ୍କର ଆସବାବପତ୍ର, ବହି, ଦାମୀ ଫର୍ଣ୍ଣିଚର ଗୁଡ଼ିଏ ଏବଂ ସର୍ବୋପରି ଆଲସିସିଆନ୍‌ କୁକୁର ଆସି ପହଞ୍ଚିଗଲେ । ମନ୍ମଥ କୁମାର ଗୋଟେ ସମୟରେ ଭାବିଥିଲେ, ଦିଲ୍ଲୀରେ ହିଁ ସେ ରହିଯିବେ । କିନ୍ତୁ ନିଜ ଅଞ୍ଚଳର ଲୋକମାନଙ୍କୁ ତାଙ୍କର ସାନ୍ନିଧ୍ୟ ଲାଭ କରି ଗର୍ବ ଅନୁଭବ କରିବାର ସୁଯୋଗରୁ ସେ ବେଶିକାଳ ବଞ୍ଚିତ କରିବାକୁ ଚାହୁଁ ନଥିଲେ । ତା’ଛଡ଼ା ଦିଲ୍ଲୀ ସହରଟା କ୍ଷମତାର ସହର ବୋଲି ତାଙ୍କର ଧାରଣା । ଥରେ କୁର୍ସୀରୁ ଚାଲିଗଲା ପରେ ଆଗର ଥାଟବାଟ ରହିବ ନ ରହିବ କିଏ ଜାଣେ !

 

ମନ୍ମଥ କୁମାରଙ୍କୁ ବନମାଳୀ ସମେତ ତାଙ୍କ ଘରପାଖ ଲୋକମାନେ ମହାପାତ୍ର ସାହେବ ବୋଲି କହୁଥିଲେ । ଆଉ କେତେଜଣ କେବଳ ‘ହାକିମ’ ସମ୍ବୋଧନ କରି ସେ ଦାୟିତ୍ୱ ନିର୍ବାହ କରୁଥିଲେ । ମନ୍ମଥବାବୁ ସକାଳେ ଓ ସନ୍ଧ୍ୟାବେଳେ ଟାଇଗରକୁ ଧରି ପ୍ରାତଃ ଅଥବା ସାନ୍ଧ୍ୟ ଭ୍ରମଣରେ ବାହାରିଲା ବେଳେ ପଥଚାରୀମାନେ ବାଟ ଭାଙ୍ଗି ଚାଲି ଯାଉଥିଲେ ଓ ତହିଁରୁ ମନ୍ମଥ କୁମାର ବେଶ୍‌ ଆନନ୍ଦ ପାଉଥିଲେ । ବେଳେବେଳେ ସାହିର ବୁଲାକୁକୁରମାନେ ଟାଇଗରକୁ ଦେଖୁ ନ ଦେଖୁଣୁ ଲାଙ୍ଗୁଡ଼ ଜାକି ଗଳି ଭିତରକୁ ପଶିଯାଉଥିଲେ । ସେ ଜାଣୁଥିଲେ ଯେ ତାଙ୍କ ପରି ତାଙ୍କର କୁକୁର ମଧ୍ୟ ଏ ଛୋଟ ସହର ପାଇଁ ଏକ ଅନନ୍ୟ ଏବଂ ଅସାଧାରଣ ଜୀବ !

 

ମାତ୍ର ଦୁଇ ଚାରିଦିନ ଅପେକ୍ଷା କଲାପରେ ତଥାପି ଯେତେବେଳେ ତାଙ୍କ ଲାଗି ନାଗରିକ ସମ୍ବର୍ଦ୍ଧନା କିମ୍ବା ସ୍ୱାଗତ ସଭା ପରି କିଛି ଗୋଟାଏ ଆୟୋଜନ ହେବାର ଖବର ସେ ପାଇଲେ ନାହିଁ, ସେତେବେଳେ ମନ୍ମଥ କୁମାର ପ୍ରକାଶ୍ୟରେ ଉତ୍‌କ୍ଷିପ୍ତ ହୋଇପଡ଼ିଲେ । ଏ ପୃଥିବୀ କୁଆଡ଼େ ବୋଲି କୁଆଡ଼େ ଆଗେଇ ଚାଲିଥିଲାବେଳେ ଏଇ ସହରର ଲୋକମାନେ ତଥାପି ପଛରେ ପଡ଼ିଯାଇଥିବା ହୃଦୟଙ୍ଗମ କରି ସେ ପ୍ରାୟ ଚିତ୍କାର କଲାପରି ବନମାଳୀକୁ ଡାକି କହିଲେ, “ଏ କଣ ଚାଲିଛି ?” ଆସନ୍ନ ମ୍ୟୁନିସିପାଲିଟିର ନିର୍ବାଚନ ପ୍ରଚାର ପାଇଁ ଘର ସାମ୍ନା ରାସ୍ତାରେ ଯାଉଥିବା ଗୋଟିଏ ଅଟୋରିକ୍ସା ଉପରେ ନଜର ବୁଲେଇ ଆଣି ବନମାଳୀ ଉତ୍ତର ଦେଲା, “ସଭା ହେବ । ଭୋଟ୍‌ ପ୍ରଚାର ସଭା ।”

 

ମନ୍ମଥ କୁମାର ନିଷ୍ଫଳ ଆକ୍ରୋଶରେ ଓଠ କାମୁଡ଼ି ପକେଇଲେ । ଝରକା ସେପଟରୁ ସମୁଦ୍ର ପବନ ସାଙ୍ଗରେ ମେଞ୍ଚା ମେଞ୍ଚା ଦୁର୍ଗନ୍ଧ ଘର ଭିତରକୁ ପଶି ଆସୁଥିଲା । ମନ୍ମଥ କୁମାର ଝରକା ପାଖକୁ ଉଠିଯାଇ ଦେଖିଲେ, ସେପଟେ କୁଢ଼ କୁଢ଼ ମଇଳା ଜମା ହୋଇଛି । ରାସ୍ତାଟା ଅଧାରୁ ବନ୍ଦ ହୋଇଗଲା ପରି ଦିଶିଲାଣି । ସେ ଟେବୁଲ ଉପରୁ ଚଷମାଟି ଉଠେଇ ନେଇ ପିନ୍ଧିଲେ ଓ ମନକୁ ମନ କହିଲେ, ଆଜି ହିଁ ସେ ମ୍ୟୁନିସିପାଲିଟି ଏକ୍‌ଜିକ୍ୟୁଟିଭ୍‌ ଅଫିସରକୁ ଗାଳିଗୁଲଜ କରି ଏ ସମସ୍ୟାର ସମାଧାନ କରିବେ । ସମ୍ଭବତଃ ସେଇ ଅଫିସର୍‌ଟି ତାଙ୍କ ଫେରି ଆସିବାର ଖବର ଏ ପର୍ଯ୍ୟନ୍ତ ଜାଣି ନଥିବ । ନହେଲେ ତାଙ୍କ ପରି ଜଣେ ସମ୍ମାନାସ୍ପଦ ବ୍ୟକ୍ତିଙ୍କ ଘର ପଛପଟ ଏତେ ଅପରିଷ୍କାର ରହି ନଥାନ୍ତା !

 

ମ୍ୟୁନିସିପାଲିଟିର ଏକ୍‌ଜିକ୍ୟୁଟିଭ୍‌ ଅଫିସର ଓ ହେଲ୍‌ଥ ଅଫିସର ଉଭୟେ ଏତେ ଧୈର୍ଯ୍ୟର ସହ ତାଙ୍କର ସମାଲୋଚନାକୁ ବରଦାସ୍ତ କରିଥିଲେ ଯେ ତାହା ଅନୁଭବ କରି ସେ ନିଜେ ନରମି ଯାଇଥିଲେ । ସେମାନେ ମଧ୍ୟ ତାଙ୍କ ପରି ଦାନ୍ତ ଚିପି ଚିପି ହସୁଥିଲେ ଓ ଆଦୌ ରାଗୁ ନଥିଲେ । ମନ୍ମଥ କୁମାର ଫେରି ଆସିଲେ । ତାଙ୍କୁ ନିଶ୍ଚିତ ପ୍ରତିଶ୍ରୁତି ମିଳିଥିଲା, ରାସ୍ତା ଉପରୁ ମଇଳା ଗଦା ହଟେଇ ନିଆଯିବ ।

 

ମାତ୍ର ସପ୍ତାହକ ପରେ ସୁଦ୍ଧା ତାହା ହଟିଲା ନାହିଁ । ଦଶଦିନ ପରେ ମଧ୍ୟ କେହି ଆସି ତାଙ୍କୁ ଗୋଟାଏ ନାଗରିକ ସମ୍ବର୍ଦ୍ଧନା ଦେବାର ପ୍ରୟୋଜନ ପ୍ରସଙ୍ଗ ଆଲୋଚନା କଲା ନାହିଁ । ତାଙ୍କ ପରି ଜଣେ ଏତେ ବଡ଼ ଲୋକ ଏ ସହରକୁ ଫେରି ଆସିଛି, ଏ ନେଇ କେହି ସାମାନ୍ୟ କୃତଜ୍ଞତା ଟିକେ ପ୍ରକାଶ କରିବାକୁ ମଧ୍ୟ ଆସିଲେ ନାହିଁ । ମନ୍ମଥ କୁମାର ଏ ସହରର ଲୋକମାନଙ୍କର ଅଜ୍ଞତା ଏବଂ ମ୍ୟୁନିସିପାଲିଟିର ଅସାମର୍ଥ୍ୟକୁ ଦୟା କରୁଥିଲେ । ସେ ମନେ ମନେ ସ୍ଥିର କରୁଥିଲେ, ଏଭଳି ଗୋଟିଏ ଘଟଣା କିଛି ଘଟିବା ଦରକାର, ଯାହାଦ୍ୱାରା ସମସ୍ତେ ଏକ ସମୟରେ ତାଙ୍କ ଆଡ଼କୁ ବୁଲି ଚାହିଁବେ । ସେତେବେଳେ ସେମାନେ ତାଙ୍କର ଗୁରୁତ୍ୱ ଅନୁଭବ କରିବେ ଓ ନିଜ ନିଜର ଅଜ୍ଞତା ପାଇଁ ଦୁଃଖ ପ୍ରକାଶ କରିବେ ।

 

ସମୟ ଗଡ଼ି ଚାଲିଥିଲା । ତାଙ୍କର ଦିନ ଏବଂ ରାତିଗୁଡ଼ିକ କ୍ରମେ ଗୋଟାଏ ଅଦୃଶ୍ୟ ରୁଟିନ୍‌କୁ ଜଗି ଚଳିଲା ପରି ତାଙ୍କର ହୃଦବୋଧ ହେଉଥିଲା । ଦିନସାରା ସେ ଗୋଟାଏ ଆରାମ ଚଉକୀ ଉପରେ ବସି ରହୁଥିଲେ ଓ ଖବରକାଗଜ ପଢ଼ୁଥିଲେ । ମାତ୍ର ସେଥିରେ ମଧ୍ୟ କ୍ରମେ ସମସ୍ୟା ଦେଖାଦେବାକୁ ଆରମ୍ଭ କଲା । କିଛି ଗୋଟେ ଖବର ପଢ଼ିବା କ୍ଷଣି ସେ ଟିପ୍ପଣୀ ଦେବାକୁ ପାଟି ଖୋଲୁଥିଲେ ଓ ବରାବର ବନମାଳୀ କିମ୍ବା ଟାଇଗରକୁ ଶ୍ରୋତା ଭୂମିକାରେ ଦେଖି ସେଥିରୁ ନିବୃତ୍ତ ହେଉଥିଲେ । ନିରସ୍ତ୍ରୀକରଣ, ପରମାଣୁ ପରୀକ୍ଷା କିମ୍ବା ରାଷ୍ଟ୍ରପତି ନିର୍ବାଚନ ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଉପରୋକ୍ତ ଶ୍ରୋତା ଦୁହିଁଙ୍କର ଯେ କୌଣସି ଆଗ୍ରହ ନଥିଲା ସେ ନେଇ ମନ୍ମଥ କୁମାର ନିଶ୍ଚିତ ଥିଲେ ।

 

ଶେଷକୁ ସ୍ଥିର କରିନେଲେ ଯେ ସମସ୍ତଙ୍କୁ ଚମକେଇ ଦେଇ ସେ ମ୍ୟୁନିସିପାଲିଟି ନିର୍ବାଚନରେ ପ୍ରାର୍ଥୀ ହୋଇଯିବେ । ଶାସକ ଦଳ କିମ୍ବା ମୁଖ୍ୟ ବିରୋଧୀ ଦଳ କେହି ତାଙ୍କୁ ପ୍ରାର୍ଥୀ ଭାବେ ବରଣ କରିବାକୁ ଆଗେଇ ଆସୁ ନଥିବାରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହେବାକୁ ସ୍ଥିର କରୁଥିଲେ । ମନ୍ମଥ ବାବୁ ଏକଥା ମଧ୍ୟ ଚିନ୍ତା କରୁଥିଲେ ଯେ, ସରକାର ତାଙ୍କୁ କିଛି ଗୋଟାଏ ଗୁରୁତ୍ୱପୂର୍ଣ୍ଣ ପଦପଦବି ଯାଚିବା ନିହାତି ସାଧାରଣ କଥା ହୋଇଥାନ୍ତା । ତାଙ୍କର ଅର୍ଥରେ ପ୍ରୟୋଜନ ନଥିଲା, କାରଣ ବ୍ୟାଙ୍କରେ ପ୍ରଚୁର ଟଙ୍କା ଥିଲା ଏବଂ ପିଲାମାନେ ମଧ୍ୟ ସ୍ୱଚ୍ଛଳ ଅବସ୍ଥାରେ ଥିଲେ । ମାତ୍ର, ତାଙ୍କର ବ୍ୟକ୍ତିତ୍ୱ ଯୋଉ ପରିମାଣରେ ଯଶ ଲାଭ କରିବା କଥା ତାହା ପାଇନଥିବା ସେ ବରାବର ଉପଲବ୍ଧି କରୁଥିଲେ । ସେ ସ୍ଥିରନିଶ୍ଚିତ ଥିଲେ ଯେ ତାଙ୍କ ପରି ଯୋଗ୍ୟ ପ୍ରାର୍ଥୀ ଯଦି ନିର୍ବାଚନରେ ଛିଡ଼ା ହୁଏ, ତାହାହେଲେ ସହସ୍ରାଧିକ ଭୋଟ୍‌ ବ୍ୟବଧାନରେ ନିଶ୍ଚିତ ଜିଣିବେ । ସେତେବେଳେ ସରକାରୀ ଏବଂ ବିରୋଧୀ ଉଭୟ ଦଳ ସେମାନଙ୍କର ଭୁଲ୍‌ ବୁଝି ପାରିବେ ।

 

ଦିନେ ମନ୍ମଥବାବୁ ବନମାଳୀର ଧୋତି, ଫତେଇ ଓ ଗାମୁଛା ପିନ୍ଧି ପ୍ରାତଃଭ୍ରମଣରେ ବାହାରିପଡ଼ିଲେ । ଟାଇଗରକୁ ସାଙ୍ଗରେ ନେଲେ ନାହିଁ । ତାଙ୍କ ସଂପର୍କରେ ଲୋକମାନଙ୍କ ଧାରଣା କଣ ସେ ନେଇ ଯଦିଓ ତାଙ୍କର ସନ୍ଦେହ ନ ଥିଲା ତଥାପି ଆଉଥରେ ନିଶ୍ଚିତ ହେବା ପାଇଁ ସେ ବ୍ୟସ୍ତ ହୋଇପଡ଼ୁଥିଲେ । ଅନେକ ଦିନ ହେଲା ବାଳରେ ରଙ୍ଗ ଲାଗି ନଥିବାରୁ ମୁଣ୍ଡବାଳ କହରା ଦିଶୁଥିଲା । ନକଲି ଦାନ୍ତ ଭାଡ଼ିକ ବି ସେ ଜାଣି ଜାଣି ଗିଲାସ ଭିତରେ ରଖି ଦେଇଥିଲେ । ଏବେ ସେ ସଂପୂର୍ଣ୍ଣ ଅଲଗା ଦିଶୁଥିଲେ । ଆଇନା ସାମ୍ନାରେ ଛିଡ଼ାହୋଇ ମନ୍ମଥବାବୁ ଚମକିପଡ଼ିଲେ । ଆଶ୍ଚର୍ଯ୍ୟ, ନିଜେ ମଧ୍ୟ ନିଜକୁ ଚିହ୍ନି ପାରୁନାହାନ୍ତି ! ସେ ଘରୁ ବାହାରି ପଡ଼ିଲେ ।

 

ଘରଠାରୁ କିଛିବାଟ ଗଲା ପରେ ପଡ଼େ ଗୋଟେ ପାନ ଦୋକାନ । ସେଇଠୁ ବାଁ କଡ଼କୁ ରାସ୍ତାଟା ସମୁଦ୍ର ଆଡ଼େ ମୁହାଁଇଛି । ମନ୍ମଥ କୁମାର ସେଇବାଟ ଦେଇ ଯାଉ ଯାଉ ହଠାତ୍‌ ଶୁଣିଲେ, ପାନ ଦୋକାନୀଟି ତାଙ୍କରି ବିଷୟରେ କିଛି ମନ୍ତବ୍ୟ ଦେଉଛି । ସେ ଚାଲିର ଗତି ଧୀର କରିଦେଲେ-। ‘ଲୋକଟା ଭାରି ସ୍ୱାର୍ଥପର । ନିଜ କଥା ଛଡ଼ା ଆଉ କିଛି ବୁଝେ ନାହିଁ । ସେଇଥିପାଇଁ ପରା ନିଜ ପୁଅ ଝିଅ ଛାଡ଼ି ପଳେଇଲେ ।’

 

ମନ୍ମଥ କୁମାର ଆଉ ଶୁଣିପାରିଲେ ନାହିଁ । କିଏ ଯେପରି ଚାପୁଡ଼ାଏ କଷିଦେଲା ତାଙ୍କ ଗାଲ ଉପରେ । ବହୁଦିନ ହେଲା ସଯତ୍ନରେ ସାଇତା ଫୁଲକୁଣ୍ଡଗୁଡ଼ାକ ଛାତ ଉପରୁ ଖସିପଡ଼ି ଯେମିତି ଟୁକୁଡ଼ା ଟୁକୁଡ଼ା ହୋଇଗଲା । ନିଜ କାନରେ ନ ଶୁଣିଥିଲେ ସେ ଏହି କଥାଗୁଡ଼ାକ ବିଶ୍ୱାସ କରି ନଥାନ୍ତେ । କିନ୍ତୁ ଏଭଳି କଥା ଲୋକଟା କହୁଛି କାହିଁକି ? ସେ ତ ତାକୁ ଭଲ ରୂପେ ଚିହ୍ନନ୍ତି ନାହିଁ !

 

ତାଙ୍କର ଇଚ୍ଛା ହେଉଥିଲା, ସେ ଯାଇ ଦୋକାନୀକୁ ସେଇ କଥାଟି ପଚାରନ୍ତେ । ମାତ୍ର ତାଙ୍କର ସାହସ କୁଳଉ ନଥିଲା । ସେ ଛାତିକୁ ଟାଣ କରି ଆଗକୁ ମାଡ଼ି ଚାଲିଲେ ।

 

ବୁଢ଼ା ଲୋକଟିଏ ନାକରେ ଧୋତିକୁଞ୍ଚ ମାଡ଼ିଧରି ସେଆଡ଼ୁ ଆସୁଥିଲା । ମଇଳା ଗନ୍ଧକୁ ଦୂରେଇ ରଖିବା ପାଇ ଏଇ ଥିଲା ତାର ପ୍ରୟାସ । ମନ୍ମଥ କୁମାର ପାଖାପାଖି ହେବାରୁ ଲୋକଟି କହିଲା, “ଦେଖୁଛ ବାବୁ, କି ଗନ୍ଧ ! ଏ ରାସ୍ତାରେ ମଣିଷ ଯା-ଆସ କରିବେ କେମିତି ?”

 

: କଣ କହିବା ! ମ୍ୟୁନିସିପାଲିଟିବାଲାଙ୍କୁ କହୁନାହାନ୍ତି କାହିଁକି ?–ମନ୍ମଥ କୁମାର ପରାମର୍ଶ ଦେବା ପରି କହିଲେ ।

 

ଲୋକଟି ଗୋଟାଏ କୋଠାଘର ଆଡ଼କୁ ହାତ ଦେଖେଇ ଦେଇ କହିଲା, “ଏଇ ଘରଟା ମହାପାତ୍ର ହାକିମଙ୍କର । କେତେ ବଡ଼ ଚାକିରି କରିଥିଲେ ! ସିଏ ଟିକେ ଲାଗିଥିଲେ ଏ ଅବସ୍ଥା ହୋଇନଥାନ୍ତା ! ଛାଡ଼ ବାବୁ... । ଆପଣା ସୁନା ତ ଭେଣ୍ଡି !”

 

ଲୋକଟି ତାଙ୍କରି ଘରକୁ ତାଙ୍କୁ ଦେଖେଇ ଦେଇ ଦ୍ରୁତ ଗତିରେ ତା ରାସ୍ତାରେ ଚାଲିଗଲା । ମନ୍ମଥ କୁମାରଙ୍କ ସ୍ପର୍ଶକାତର ମନ ଏଇ ଦ୍ୱିତୀୟ ଆଘାତରେ ଭାଙ୍ଗିପଡ଼ିଲା । ସେ ସମୁଦ୍ର ଆଡ଼େ ଚାହିଁଲେ । ଗୋଟିଏ ପରେ ଗୋଟିଏ ଜୁଆର ମାଡ଼ି ଆସୁଛି । ସତେ ଯେମିତି ତାଙ୍କୁ ହିଁ ଆଘାତ ଦେବା ପାଇଁ ସେମାନେ ଆଜି ଷଡ୍‌ଯନ୍ତ୍ର କରିଛନ୍ତି ।

 

ମନ୍ମଥ କୁମାରଙ୍କର ତାଙ୍କ ବାପାଙ୍କ କଥା ମନେ ପଡ଼ିଲା । ବାପା ଲକ୍ଷ୍ମୀପୁରରେ ଜନ୍ମ ହୋଇଥିଲେ । ଚାକିରି ପାଇଁ ଏଇ ସହରକୁ ଆସି ଘର ତୋଳିଥିଲେ ବି ମନଟି ତାଙ୍କର ସବୁବେଳେ ଲକ୍ଷ୍ମୀପୁର ପାଖରେ ହିଁ ରହିଯାଇଥିଲା । ସବୁବେଳେ ସେ ମନ୍ମଥଙ୍କୁ ଚିଠି ଲେଖୁଥିଲେ, “ଲକ୍ଷ୍ମୀପୁର ରାସ୍ତା କଥା କାହାକୁ କହିବୁ ଟିକେ ବାବୁ, ସ୍କୁଲ କଥା ଟିକିଏ କହିବୁ । ତୁ କହିଲେ ସେମାନେ ତୋ କଥା ଭାଙ୍ଗିପାରିବେ ନାହିଁ ।”

 

ମନ୍ମଥ କୁମାର ସେସବୁ ଶୁଣନ୍ତି, ତାପରେ ଭୁଲିଯାଆନ୍ତି । ବେଳେ ବେଳେ ବିରକ୍ତ ହୋଇ କହନ୍ତି, “ଆପଣ ତ ଲକ୍ଷ୍ମୀପୁରରେ ରହୁନାହାନ୍ତି । ସେ ଗାଁ କଥା ଚିନ୍ତା କରୁଛନ୍ତି କାହିଁକି ? ଯୋଉମାନେ ଗାଁରେ ରହୁଛନ୍ତି ସେମାନେ ସେକଥା ଚିନ୍ତା କରିବେ ନାହିଁ !”

 

ବାପା ନିରବ ରହନ୍ତି ନାହିଁ । ପୁଅକୁ ବୁଝେଇଲା ପରି କହନ୍ତି, “ଗାଁ ଯେତେହେଲେ ଗାଁ । ଗାଁ ଚିନ୍ତା ସମସ୍ତେ କରିବା ଦରକାର ।”

 

ମାତ୍ର ମନ୍ମଥ କୁମାର ରାଜି ହୁଅନ୍ତି ନାହିଁ । କହନ୍ତି, “ମୁଁ ଦେଶ ଚିନ୍ତା କରୁଛି । ବଡ଼ ବଡ଼ କଳକାରଖାନା ବସିବ, ଯୋଜନା କାର୍ଯ୍ୟକାରୀ ହେବ, ରାଜିନାମା ସ୍ୱାକ୍ଷରିତ ହେବ, ସେକଥା ବୁଝୁଛି-। ଏସବୁ ଛୋଟ ଛୋଟ କଥା ଚିନ୍ତା କରିବା ପାଇଁ ମୋର ବେଳ ନାହିଁ ।”

 

ବାପା ମନ ଊଣା କରି ବସନ୍ତି । ଗୁଣୁଗୁଣେଇଲା ପରି କହନ୍ତି, “ସେଇ ଦେଶ ଚିନ୍ତା ଭିତରେ କଣ ଲକ୍ଷ୍ମୀପୁର ଗାଁର ଚିନ୍ତା ନାହିଁ ବାବୁ ? ଲକ୍ଷ୍ମୀପୁର କଣ ଦେଶରୁ ବାହାର ? ଯୋଉ କଥାଟାକୁ ଗୋରା ସାଇବମାନେ ସାତ ସମୁଦ୍ର ସେପାରିରୁ ଆସି ବୁଝିପାରିଥିଲେ ସେଇ କଥାଟିକୁ ଏବକାର ପିଲାଏ ବୁଝୁନ କାହିଁକି ?”

 

ସମୁଦ୍ରକୂଳର ଶୀତଳ ପବନ ଅନଧିକାର ଚର୍ଚ୍ଚା କଲା ପରି ତାଙ୍କ ଧୋତି, ଫତେଇ ଭେଦି ଦେହସାରା ଚରିଯାଉଥିଲା । ମନ୍ମଥ କୁମାର ପଛକୁ ଫେରି ଚାହିଁଲେ । ଢେର୍‌ ବାଟ ଆସିଗଲେଣି ସେ । ଥକ୍‌କା ଲାଗୁଛି । ସମୁଦ୍ର ପାଖକୁ ଯାଇ ଦି’ ଚାରି ଆଞ୍ଜୁଳା ପାଣି ହାତରେ ଧରି ପୁଣି ଦୂରକୁ ଛାଟିଦେଲେ । ଶୋଷ ଲାଗୁଛି ସତ, କିନ୍ତୁ ସମୁଦ୍ରର ଲୁଣି ପାଣିରେ ଶୋଷ ମେଣ୍ଟିବ ନାହିଁ । ସେ ଦୂରକୁ ଚାହିଁଲେ, ସମୁଦ୍ର ପାଖରୁ ସରୁ ବାଟଚଲା ରାସ୍ତାଟିଏ ପାଖ ଗାଁକୁ ଯାଇଛି । ପଛକୁ ପଛ ଆହୁରି ଅନେକ ଗାଁ । ସେ ସେଇ ଦିଗରେ ଚାଲିଲେ ।

 

ଅନେକ ସମୟ ହେଲା ମନ୍ମଥ କୁମାର ଗୋଟେ ଚଉତରା ଉପରେ ଶୋଇଥିଲେ । ଆଖି ଖୋଲିଲାବେଳକୁ ଦେଖିଲେ, ଚାରିଟି ସାନ ସାନ ପିଲା ତାଙ୍କ ଚାରିପଟେ ଛିଡ଼ାହୋଇ କୌତୂହଳର ସହ ଚାହିଁଛନ୍ତି । ସେ ପଚାରିଲେ, ‘ଏଇଟା କୋଉ ଗାଁ ?’

 

ତାଙ୍କ ଭିତରୁ ଜଣେ ପିଲା କହିଲା, ‘ଆମ ଗାଁ’ ଓ ଦଉଡ଼ି ପଳେଇଲା । ପଛେ ପଛେ ଅନ୍ୟମାନେ ।

 

ମନ୍ମଥ କୁମାର ଉପରକୁ ଚାହିଁଲେ, ସୂର୍ଯ୍ୟ ମୁଣ୍ଡ ଉପରୁ ଘୁଞ୍ଚିଗଲାଣି । ସେ ଏପଟ ସେପଟ ଚାହିଁଲେ । ନିଜ ସହର ପାଖର ଗାଁ, ଅଥଚ ସେ ନାଁ ମନେପକେଇ ପାରୁ ନାହାନ୍ତି । ତିରିଶ ବର୍ଷ ହେଲା ସେ ଏ ଆଡ଼େ ଥରୁଟେ ବି ଆସିନାହାନ୍ତି । ଅନୁମାନ କଲେ, କରଣପଲ୍ଲୀ ହୋଇଥିବ ବୋଧହୁଏ । ନ ହେଲେ ପଞ୍ଚପଲ୍ଲୀ ।

 

ଗାଁରୁ ବାହାରି ବୟସ୍କ ଲୋକଜଣେ ହାଟ କି ରାସ୍ତା ଆଡ଼କୁ ଯାଉଥିଲା । ମନ୍ମଥ କୁମାରଙ୍କୁ ଦୂର ଗାଁର ଲୋକ ଭାବି ପଚାରିଲା, “ହାଟକୁ ସାର ଆସିଲାଣି ?”

 

: ସାର ? କୋଉ ସାର ? ବିଡ଼ିବିଡ଼ି ହୋଇ ମନ୍ମଥ କୁମାର ନିରବ ରହିଲେ । ସେ ଅନୁଭବ କରୁଥିଲେ ଯେ ସାର, ଅମଳ, ମଜୁରୀ ଏଭଳି ଶବ୍ଦଗୁଡ଼ିକ ସାଙ୍ଗରେ ତାଙ୍କର ଦାପ୍ତରିକ ସଂପର୍କ ଭିନ୍ନ କୌଣସି ପ୍ରତ୍ୟକ୍ଷ ସଂପର୍କ ନାହିଁ । କୃଷି ବିଭାଗରେ ଥିବାବେଳେ କେତେଥର ସେ ମରୁଡ଼ି ଅଞ୍ଚଳ ଓ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଛନ୍ତି । ମାତ୍ର ସେଠି ଏସବୁ କଥା ବୁଝି ବୁଝେଇବା ପାଇଁ ବିଶେଷଜ୍ଞମାନେ ଥାଆନ୍ତି । ସେହିମାନଙ୍କ ରିପୋର୍ଟ ପଢ଼ି ସେ ନିଷ୍ପତ୍ତି ନିଅନ୍ତି ।

 

ସେ ଡବଡବ ଆଖିରେ ଆକାଶକୁ ଚାହିଁଲେ । ଉପର ଆକାଶର ତଳ ମାଟି ସାଙ୍ଗେ କିଛି ସମ୍ପର୍କ ନଥିଲା ପରି ତାଙ୍କର ଚାଷ-ବାସ ସାଙ୍ଗେ ସଂପର୍କ ନଥିଲା । ଲୋକଟି ଚାଲି ଯାଉ ଯାଉ କହିଲା, “ହଁ, ତମର ସେପଟେ କେନାଲ ପାଣି ମାଡ଼ୁଥିବ । ଆମର ସିନା ଡାଳୁଅ ନ ଚଷିଲେ କୁଟୁମ୍ବ ଉପାସରେ ରହିବେ ।”

 

ମନ୍ମଥ କୁମାରଙ୍କ କାନରେ ପାନଦୋକାନୀ ଓ ବୁଢ଼ାଲୋକ ଦିହିଙ୍କ କଥା ରହି ରହି ଶୁଭିଯାଉଥିଲା ।

 

ପଛପଟେ ସାତଆଠ ଜଣ ପିଲା । କିଏ ମଉସା, କିଏ ଅଜା ତ କିଏ ଜେଜେ ବୋଲି ଡାକି ତାଙ୍କର ପରିଚୟ ଲୋଡ଼ୁଥିଲେ । କି ପରିଚୟ ସେ ଦେବେ ନିଜର ? ହାକିମର ପରିଚୟ ! ନା, ସେ ପରିଚୟ ପାଇ ଯଦି କେହି ପାନଦୋକାନୀ ପରି ମନ୍ତବ୍ୟ ଦିଏ ତାହାହେଲେ ତାଙ୍କୁ ଭୀଷଣ କଷ୍ଟ ହେବ । ଯୋଉ ପରିଚୟକୁ ସେ ପାଳିପୋଷି ଏତେ ଉପରକୁ ଉଠେଇଥିଲେ ତାହାର ଅପମାନ ସେ ସହିପାରିବେ ନାହିଁ । ସେ ଓଲଟି ପଚାରିଲେ, ‘ଏଠି ସ୍କୁଲ କୋଉଠି ? ମୁଁ ସେଇଠିକି ଆସିଛି ।’

 

ପିଲାମାନେ ସ୍କୁଲ ଆଡ଼କୁ ହାତଠାରି ଦେଲେ ।

 

ଅନେକ ବାଟ ଚାଲିଥିଲେ ମନ୍ମଥ କୁମାର । ଆଜି ରାତିରେ ଛାଏଁ ଛାଏଁ ନିଦ ଆସିଯିବ । ସେ ସ୍କୁଲ ବାରଣ୍ଡାକୁ ଉଠୁ ଉଠୁ ଗାଁ ଚାରିପଟେ ଆଖି ବିଛେଇ ଦେଖୁଥିଲେ । ହତଶ୍ରୀ ପରି ଦିଶୁଛି ସ୍କୁଲ ହତା, ଘର ଓ ପାଖ ଦେଉଳ । କିନ୍ତୁ ଚଳଚଞ୍ଚଳତା ଅଛି । ସମସ୍ତେ ବ୍ୟସ୍ତ । କୋଳାହଳ, ଚିତ୍କାର ଓ ହୋ-ହଲ୍ଲା ।

 

ମିଛ କଥାଟି ଜାଣି ଜାଣି କହିଲେ ମନ୍ମଥ କୁମାର । ଆଖପାଖ ଅଞ୍ଚଳରେ ଫାର୍ମ ହାଉସ୍‌ଟିଏ କରିବା ପାଇଁ ତାଙ୍କର ମାଲିକ ଆଗ୍ରହୀ । କିଛି ଜମି ଦେଖିବା ପାଇଁ ସେ ଏଇ ଗାଁକୁ ଆସିଛନ୍ତି । ଦି-ତିନିଦିନ ରହି ଫେରିଯିବେ ।

 

ଆଗରୁ ମନ୍ମଥ କୁମାର ବହୁ ବିଳାସୀ ହୋଟେଲ, ସର୍କିଟ୍‌ ହାଉସ୍‌, ଡାକବଙ୍ଗଳା ଓ ଗେଷ୍ଟ୍‌ହାଉସରେ ରାତି କାଟିଛନ୍ତି । ସେସବୁ ଜାଗାରେ ସବୁ ପ୍ରକାରର ସୁଖ ଓ ସ୍ୱାଚ୍ଛନ୍ଦ୍ୟ ଖଞ୍ଜାହୋଇ ରହିଥାଏ । କଲିଂବେଲ୍‌ ଟିପିବାକ୍ଷଣି ଅଡର୍ଲି ଆସି ଛିଡ଼ା ହୁଅନ୍ତି, ସୁଇଚ୍‌ ଟିପିବା କ୍ଷଣି ବେହେରା ଆସି ହାଜର ହୁଅନ୍ତି । ଅଠାବନ ବର୍ଷର ଜୀବନରେ ପ୍ରଥମ ଥର ପାଇଁ ସେ ଗୋଟେ ଅନ୍ଧାରବୋଳା ଚାଳଘରେ ରାତି ବିତଉଥିଲେ । ମଶା, ଡାଆଁସ, ଧୂଳି, ଧୂଆଁ, ଶୀତ ଓ ପବନ ଗହଣରେ ସେ ଶୋଉଥିଲେ ।

 

ସକାଳ ହେଲାକ୍ଷଣି ସେ ପୁଣି ଥରେ ସେଇ ଚଉତରା ପାଖକୁ ଗଲେ । ସକାଳର ମୁକ୍ତ ଓ ଶୀତଳ ପବନ, ନଡ଼ିଆଗଛ ଫାଙ୍କରୁ ଝରି ଆସୁଥିବା କୋମଳ ସୂର୍ଯ୍ୟକିରଣ, ଗୋଠ ଫେରନ୍ତା ଗାଈଗୋରୁ, ଲୋକମାନଙ୍କର ବ୍ୟସ୍ତତା ତାଙ୍କୁ ଅଦ୍ଭୁତ ଲାଗୁଥିଲା । ଆକାଶ ଓ ପୃଥିବୀର ପ୍ରାଚୁର୍ଯ୍ୟ ସାଙ୍ଗରେ ଗାଁ ଲୋକମାନଙ୍କର ଦାରିଦ୍ର୍ୟକୁ ମିଶେଇଦେଲା କ୍ଷଣି ସେ ଗୋଟେ ଗ୍ଳାନିରେ ଜୁଡ଼ୁବୁଡ଼ୁ ହୋଇଯାଉଥିଲେ ।

 

ବାପା ଥରେ ଲେଖିଥିଲେ, “ଲକ୍ଷ୍ମୀପୁର ଗାଁର ଏବେ ବି ଲୋକ ଅଛନ୍ତି ଯୋଉମାନେ ଡାକ ଟିକଟ ଓ ରେଭେନ୍ୟୁ ଟିକଟ ଭିତରର ଫରକ ବୁଝନ୍ତି ନାହିଁ । ଏତେ ଦୂରରୁ ରହି ତମେମାନେ ତାଙ୍କ କଥା ଶୁଣିପାରିବ ନାହିଁ । ସେମାନେ ଟିକେ ଆଗକୁ ଯିବେ, ତମେମାନେ ଟିକେ ପଛକୁ ଆସିବ, ତାହାହେଲେ ପରସ୍ପରର କଥା ଶୁଣିପାରିବ ।”

 

ମନ୍ମଥ କୁମାର ଦିନସାରା ଗାଁ ଚାରିପଟେ ଘୂରିଲେ ଓ ସଂଜବେଳକୁ ପ୍ରଧାନ ଶିକ୍ଷକଙ୍କ ବସାକୁ ଫେରିଆସିଲେ । ସନ୍ଦେହୀ ଶିକ୍ଷକ ଭାବୁଥିଲେ, ଲୋକଟି ପାଖରେ ପ୍ରଚୁର ଧନ ସଂପତ୍ତି ଅଛି । ତାଙ୍କ ସାଙ୍ଗେ ପରିଚୟ ହେବା ଭଲ । ତେବେ ଖୁବ୍‌ ଜଗିରଖି କଥାବାର୍ତ୍ତା କରୁଥିଲେ ସେ ।

 

ଆହୁରି କିଛିଦିନ ଜମିଦେଖା ବାହାନାରେ ମନ୍ମଥ କୁମାର ସେଇ ଗାଁରେ ରହିଯାଇଥାନ୍ତେ । ମାତ୍ର ଉପରବେଳାକୁ ଖବରକାଗଜ ବାଣ୍ଟିବାକୁ ଆସୁଥିବା ଲୋକଟି ତାହା କରେଇ ଦେଲା ନାହିଁ । ଗଲା ପାଞ୍ଚଦିନ ପରି ଆଜି ବି ମନ୍ମଥ କୁମାର ସ୍କୁଲ ବାରନ୍ଦାରେ ବସି ବଗିଚା ଆଡ଼େ ଚାହିଁଥିଲାବେଳେ ଖବରକାଗଜ ବିକାଳି କାଗଜଖଣ୍ଡକୁ ଛାଟିଦେଇ ଚାଲିଗଲା ।

 

ଦି ଜଣ ଆଜ୍ଞାଧୀନ ଛାତ୍ର କାଗଜଖଣ୍ଡିକ ଗୋଟେଇ ତାଙ୍କ ସାର୍‌ଙ୍କୁ ଦେବା ପାଇଁ ଯାଉଥିଲେ । ମନ୍ମଥ କୁମାର ଡାକିଲେ, “ଆଣିଲ, ଆଣିଲ, କଣ ବାହାରିଛି ଦେଖିବା ।”

 

ପଛପଟେ ସ୍କୁଲର ଶିକ୍ଷକ ଛିଡ଼ାହୋଇ କହୁଥିଲେ, “ବୁଝିଲେ ଆଜ୍ଞା, ଏ ଦେଶ ରସାତଳକୁ ଚାଲିଯିବ । ସମସ୍ତେ ଚୋର, ଡକାଇତ । ନେତାମାନେ ଯେମିତି, ହାକିମାନେ ବି ସେମିତି । ସେମାନେ ସବୁବେଳେ ନିଜ ନିଜ କଥା ଭାବିବାରେ ବ୍ୟସ୍ତ । ପଚାଶଟା ବର୍ଷ ଭିତରେ ଏ ଦେଶର କି ଅବସ୍ଥା ହୋଇଗଲା ଦେଖୁଛନ୍ତି ! ଆଉ ଖବରକାଗଜ ପଢ଼ି ଲାଭ କଣ ?”

 

ଖବରକାଗଜର କ୍ରୋଡ଼ପତ୍ର ଉପରେ ନଜର ପଡ଼ିବାକ୍ଷଣି ମନ୍ମଥ କୁମାର ଚମକିପଡ଼ିଲେ-। ସେଠୁ ଉଠିଯାଇ ଟିକିଏ ଦୂରରେ ଛିଡ଼ାହୋଇ କାଗଜଟାକୁ ଆଉଥରେ ଖୋଲି ପଢ଼ିଲେ । “ହାକିମ ହଜିଛି” ଶିରୋନାମା ତଳେ ବନମାଳୀ ଛପେଇଥିବା ନୋଟିସ୍‌ଟିଏ ବାହାରିଛି । ସେଇ ନୋଟିସ୍‌ ଉପରେ ତାଙ୍କର କୋଟ୍‌, ଟାଇ ଭିଡ଼ା ଛୋଟିଆ ଫଟୋଟିଏ । ସେ ତରବରରେ କାଗଜଟିକୁ ଭାଙ୍ଗିରୁଜି କାଖରେ ଜାକିଦେଇ କହିଲେ, “ମୁଁ ଏଇ ଛକ ପାଖରୁ ଟିକେ ଆସୁଛି ।”

 

ମନ୍ମଥ କୁମାର ବୁଝିପାରୁଥିଲେ ଯେ ବନମାଳୀ ତାଙ୍କୁ ଖୋଜି ଖୋଜି ବ୍ୟସ୍ତ ହେଲା ପରେ ଏଇ ନୋଟିସ୍‌ ଛପେଇଥିବ । ମାତ୍ର ସେ ବୁଝିପାରୁ ନଥିଲେ ଯେ ଏବେ ସେ କଣ କରିବେ ! ସେ କଣ ତାଙ୍କର ସେ ଛୋଟ ସହରକୁ ଫେରିଯାଇପାରିବେ ? ଯୋଉଠି ଅନ୍ୟମାନଙ୍କ କଥା ଦୂରେ ଥାଉ, ତାଙ୍କରି ଘର ପାଖ ଲୋକମାନେ ତାଙ୍କୁ ଘୃଣା କରୁଛନ୍ତି ସେଠି ସେ ରହିବେ କେମିତି ? କୁଆଡ଼େ ଯିବେ ସେ ? ପୁଅ ପାଖକୁ, ଝିଅ ପାଖକୁ, ଦିଲ୍ଲୀ ନା ଲକ୍ଷ୍ମୀପୁର ?

 

ଏକଦା ଦେଶ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ମନ୍ମଥ କୁମାର ଆଜି ନିଜ ସମ୍ପର୍କରେ ଏଇ ଛୋଟିଆ ନିଷ୍ପତ୍ତିଟି ନେଇପାରୁ ନଥିଲେ ।

☆☆☆

 

ସୂର୍ଯ୍ୟୋଦୟର ଅପେକ୍ଷା

 

ଝରକା ସେପଟ ଆକାଶରେ କିଏ ନେସି ଦେଇଛି ମେଞ୍ଚାଏ ଅବିର । ଆକାଶ ଦିଶୁଛି ଲାଲ୍‌, ତା ସାଙ୍ଗରେ ଗଛପତ୍ର ଓ ମାଟି ବି । ସୁନନ୍ଦା ଉଠି ବସିଲା । ଅନେକ ସମୟ ହେଲା ସେ ଶୋଇପଡ଼ିଥିଲା । ସେ ଜାଣିପାରୁ ନଥିଲା, ଆକାଶର ଏ ଅରୁଣିମା ସୂର୍ଯ୍ୟାସ୍ତର ନା ସୂର୍ଯ୍ୟୋଦୟର !

 

ଚଢ଼େଇମାନେ କିଚିରିମିଚିରି କରି ଉଡ଼ିଯାଉଥିଲେ । ସେମାନେ ସବୁଦିନ ସକାଳୁ ଯାଆନ୍ତି, ସଂଜରେ ନିଜ ନିଜ ନୀଡ଼କୁ ପୁଣି ଫେରି ଆସନ୍ତି । ତେଣୁ ଏ ଉଡ଼ାଣ ଗମନର ନା ପ୍ରତ୍ୟାବର୍ତ୍ତନର ତାହା ସୁନନ୍ଦା ଜାଣିପାରୁ ନଥିଲା ।

 

ସୁନନ୍ଦା ପ୍ରତ୍ୟୁଷ ଓ ପ୍ରଦୋଷ, ମାଟି ଓ ଆକାଶ, ଦିନ ଆଉ ରାତି ମଝିର କୌଣସି ଗୋଟେ ବିନ୍ଦୁରେ ଛିଡ଼ା ହୋଇଥିଲା, ଯେଉଁଠୁ ପୂର୍ବ ଓ ପଶ୍ଚିମ ଦିଗ ଉଭୟ ସମାନ ଦୂରତ୍ୱରେ ରହିଥିଲା ।

 

ତାର ପ୍ରଥମ ଥର ପାଇଁ ଅନୁଭବ ହେଉଥିଲା, ଆଶ୍ୱସ୍ତିର ମୁହୂର୍ତ୍ତ ବି ସେତିକି ଦାବି ରଖେ, ଯେତିକି ଦାବି ରଖେ ଅସ୍ୱସ୍ତିର ମୁହୂର୍ତ୍ତ । ମଣିଷର ମନ କେତେବେଳେ ମୁକ୍ତ ନୁହେଁ, ସ୍ୱାଧୀନ ନୁହେଁ ।

 

ତାର ସବୁକଥା ଗୋଟି ଗୋଟି ମନେ ପଡ଼ୁଥିଲା । ସେଇ ଅପରାହ୍‌ଣ ମନେ ପଡ଼ୁଥିଲା, ଯୋଉ ଅପରାହ୍‌ଣରେ ଦୂର ବାଟୋଇର ହାଟ ସଉଦା ଗଣ୍ଠିଲିରୁ ଚାଉଳତକ ଖସି ରାତି ଅନ୍ଧାରରେ ବିଞ୍ଚି ହୋଇଗଲା ପରି ତା ଜୀବନରୁ ସବୁ ସ୍ୱପ୍ନ, ସବୁ କଳ୍ପନା ଖସିପଡ଼ି କୁଆଡ଼େ ଉଭାନ୍‌ ହୋଇ ଯାଇଥିଲା ।

 

ସୁନନ୍ଦାର ସବୁ ମନେ ପଡ଼ୁଥିଲା । ତାର ଲୁହ, ଦୀର୍ଘଶ୍ୱାସ, ଯନ୍ତ୍ରଣା, ଅଦୃଶ୍ୟ ରକ୍ତକ୍ଷରଣ, ଭିତରେ ଭିତରେ ସବୁ ଭାଙ୍ଗିରୁଜି ଯିବାର ଅବସାଦ, ସବୁ ମନେ ଥିଲା । ବାପାଙ୍କ ପେଜୁଆ ଆଖିର ଅସହାୟତା, ମାଆର ପ୍ରଲମ୍ବିତ ଶୋକ, ଭାଇଭଉଣୀଙ୍କର ମାନସିକ ନିର୍ଯାତନା ଓ ନିଷ୍ଫଳ ଆକ୍ରୋଶ-ସବୁ ମନେ ପଡ଼ୁଥିଲା । ମାତ୍ରାଧିକ ଉତ୍ସାହ ପ୍ରକାଶ କରି ଖବରକାଗଜ ବାଲାଏ ଆସି ତା ବାପାଙ୍କଠାରୁ ସରକାରଙ୍କ ଉଦ୍ଦେଶ୍ୟରେ ଲେଖେଇ ନେଇଥିବା ‘ଧର୍ଷିତା କନ୍ୟା ପିତାର ବ୍ୟାକୁଳ ଚିଠି’ର ସବୁ ବାକ୍ୟ, ଶବ୍ଦ ଓ କମା-ପୂର୍ଣ୍ଣଚ୍ଛେଦ ମଧ୍ୟ ମନେ ଥିଲା ।

 

ସେଦିନର କଥା ମନେପଡ଼େ । ସୁନନ୍ଦା ଦାନ୍ତ ଚିପି, ଓଠ ଚିପି ସେ ଗ୍ଳାନି ଓ ଆଘାତକୁ ସହିଯିବାର ଚେଷ୍ଟା କରେ । ତିନି ତିନିଟି ବଳିଷ୍ଠ ଯୁବକଙ୍କ ପଞ୍ଝା ଭିତରେ ସେ କେମିତି ସାଇକେଲ୍‌ ଷ୍ଟାଣ୍ଡ୍‌ ପାଖରୁ ବଗିଚା ଭିତରକୁ ଘୋଷଡ଼ା ହୋଇ ଯାଇଥିଲା ମନେପଡ଼େ । ମନେପଡ଼େ ଭିକି ମଙ୍ଗରାଜର ବଳାତ୍କାର । ତାର ମୁହଁ ଉପରେ ଭିକି ମଙ୍ଗରାଜର ହାତ ପାପୁଲି ଗୋଟେ ପଥର ପରି ଲଦି ହୋଇ ପଡ଼ିଛି । ସେ ଚିତ୍କାର କରିବାକୁ ଚାହୁଁଛି, ପାରୁନାହିଁ । ସେ ହାତଗୋଡ଼ ଛାଟିବାକୁ ଚାହୁଁଛି, ମାତ୍ର ତାହା ସୁଦ୍ଧା ପାରୁନାହିଁ । ହାତଗୋଡ଼ ବନ୍ଧା ହୋଇଥିବା ପଶୁଟେ ପରି ସେ ନିସ୍ତେଜ ହୋଇ କେବଳ ପଡ଼ି ରହିଛି ।

 

ଭିକି ମଙ୍ଗରାଜକୁ ସୁନନ୍ଦା ଚିହ୍ନିଥିଲା । ଭିକି ଧନୀ ଠିକାଦାରର ପୁଅ । ଶାସକ ଦଳର ଆଗୁଆ ବାହିନୀର ଛାତ୍ରନେତା । ବିରୋଧୀ ଦଳର ସଭାମଞ୍ଚକୁ ତାଳଫୋଟକାରେ ନିଆଁ ଲଗେଇ ଫିଙ୍ଗେ । ମାରଣା ଷଣ୍ଢ ପୂରେଇଦିଏ ସଭାପଡ଼ିଆରେ । ଟିକିଏ ଟିକିଏ କଥାରେ କଲେଜ ବନ୍ଦର ଡାକରା ଦିଏ, ପ୍ରିନ୍ସିପାଲଙ୍କ କଲର ଧରିପକାଏ, ବସ୍‌ ପୋଡ଼େ ଓ ଟାୟାର ଜାଳି ରାସ୍ତା ଅବରୋଧ କରେ । ସେଇ ଭିକି ମଙ୍ଗରାଜ ଯୋଉଦିନ କଲେଜ ଛାତ୍ର ସଂସଦ ନିର୍ବାଚନରେ ହାରିଯାଇଥିଲା, ତାର ପରାଜୟରେ ଶହ ଶହ ପିଲାଙ୍କ ପରି ସୁନନ୍ଦା ବି ଖୁସି ହୋଇଥିଲା ।

 

କିନ୍ତୁ ସେଇ ଖୁସି ଟିକକ ପାଇଁ ତାକୁ ଏତେ ମୂଲ୍ୟ ଦେବାକୁ ପଡ଼ିବ, ସେକଥା ସେ କଦାପି ଭାବି ନଥିଲା ।

 

କଲେଜର ଛାତ୍ର-ଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା, ନିଜେ ଅଧ୍ୟକ୍ଷ ବି ସୁନନ୍ଦାର ଦୁର୍ଭାଗ୍ୟରେ ସହାନୁଭୂତି ଜଣେଇଥିଲେ । କିନ୍ତୁ ଭିକି ମଙ୍ଗରାଜର ମୁହଁ ଉପରେ କେହି କିଛି କହିବାକୁ ସାହସ କରିନଥିଲେ ! ସୁନନ୍ଦାର ସେଦିନ ନିଜ ଉପରେ, ଏ ବ୍ୟବସ୍ଥା ଉପରେ ଓ କଲେଜ ଉପରେ ଦୟା ଆସିଥିଲା ।

 

ପାଠପଢ଼ି ଚାକିରି କରିବା ଓ ପକ୍ଷାଘାତ ରୋଗରେ ପଡ଼ିଥିବା ବାପାକୁ ସାହାଯ୍ୟ କରିବାର ଆଶାକୁ ସେଇଦିନ ଉଜେଇଁ ଦେଇଥିଲା ସୁନନ୍ଦା । ଲାଇବ୍ରେରୀ ଓ କଲେଜ କ୍ଲାସ୍‌ ଅପେକ୍ଷା ଥାନା, କଚେରୀ ଓ ଓକିଲମାନେ ତା ପାଇଁ ଅଧିକ ଜରୁରୀ ହୋଇପଡ଼ିଥିଲେ । ତାର ସ୍ୱାଭାବିକ ଜୀବନ ତା ଦୁଆରମୁହଁରୁ ଫେରିଯାଇଥିଲା । ତେଣିକି ଯାହା ରହିଲା ସେ ସୁନନ୍ଦାର ଜୀବନ ନୁହେଁ, ଗୋଟେ ନିର୍ଯାତିତାର ଜୀବନ ।

 

ଏତେ ଦୁଃଖ ଭିତରେ ସୁନନ୍ଦା ଖୁବ୍‌ ଭରସା କରିଥିଲା ଆଶୁତୋଷ ଉପରେ–ଯିଏ ଯାହା ଭାବିଲେ ଭାବୁ, ଯାହା କହିଲେ କହୁ ପଛକେ ଆଶୁତୋଷ ତାକୁ କଦାପି ଭୁଲ୍‌ ବୁଝିବ ନାହିଁ । ଆଶୁତୋଷର ମୁହଁଟି ମନେପଡ଼ିଲେ ସୁନନ୍ଦା ସବୁ ଦୁଃଖ ଭୁଲିଯାଏ । କୃଷ୍ଣଚୂଡ଼ା ଗଛ ଛାଇରେ ଦୁହେଁ ବସି ଅପସୃୟମାଣ ମଧ୍ୟାହ୍ନର ଉଜ୍ଜ୍ୱଳ ଆଲୋକରେ ସାତଜନ୍ମର ଘରକରଣା ଗଢ଼ିବାର ଯୋଜନା କରିଥିବା କଥା ମନେପଡ଼େ । ସେମାନଙ୍କ ଘରର ରଙ୍ଗ କଣ ହେବ, ଘର ଆଗରେ କଣ ରହିବ, ପଛରେ ଫୁଲ ବଗିଚା ହେବ ନା ଫଳ ବଗିଚା, ବଗିଚାରେ କି କି ଗଛ ଲାଗିବ, ସବୁ ଟିକିନିଖି କରି କହେ ସୁନନ୍ଦା । ଆଶୁତୋଷ ସୁନନ୍ଦା କୋଳରେ ମଥାରଖି ସେଇ କଳ୍ପନାର ନକ୍‌ସାରୁ ତା ମନ ମାନୁନଥିବା ବସ୍ତୁମାନଙ୍କୁ କାଢ଼ି ବାହାର କରିଦିଏ, ମନ ଲୋଡ଼ୁଥିବା ନୂଆ ନୂଆ ଜିନିଷ ଆଣି ଥୋଇଦିଏ । ଘରକରଣା ଜିନିଷଗୁଡ଼ିକର ସମାବେଶରେ ଘରଟାର ସବୁ ବଖରା ଖୁନ୍ଦି ହୋଇଗଲା ପରେ ଆଶୁତୋଷ ପଚାରେ, ‘ମୁଁ ରହିବି କୋଉଠି ?’ ସୁନନ୍ଦା ଲାଜରେ ମୁହଁ ଲୁଚଉ ଲୁଚଉ କହେ, ‘ଏଇଠି, ମୋ ଛାତି ଭିତରେ ।’

 

ସେଇ ଆଶୁତୋଷ କିନ୍ତୁ ପଚାରିଲା ପୁଲିସ ଜେରା କଲା ପରି, “ତୁମେ ସାଇକେଲ୍‌ ଷ୍ଟାଣ୍ଡ୍‌କୁ ଏକାକୀ ଯାଉଥିଲ କାହିଁକି ?”

 

: ତୁମକୁ ସେ କଣ କହି ଡାକିଲା ?

 

: ତୁମେ ପାଟି କଲ ନାହିଁ !

 

: ସେ କଣ କେବଳ ଭିଡ଼ି ନେଲା ନା...

 

: ତୁମେ ତାହାହେଲେ କଣ...ନାଇଁ ନାଇଁ, ମୁଁ ତୁମକୁ ଆହତ କରିବାକୁ ଚାହୁଁନି, କିନ୍ତୁ କଥାଟି ଜାଣିବା ତ ଉଚିତ... !

 

ସୁନନ୍ଦାର ମୁଣ୍ଡ ପିଟିଦେବାକୁ ଇଚ୍ଛା ହୁଏ । ମନେ ମନେ ଚିତ୍କାର କରିଉଠେ, କୋଉ ପ୍ରଶ୍ନର ଉତ୍ତର ତମେ ଲୋଡ଼ୁଛ ଆଶୁତୋଷ ? କଣ ଜାଣିବାକୁ ଚାହୁଁଛ ? ଭିକି ମୋତେ ଘୋଷାଡ଼ି ନେଲା, ପାଚିରି ପାଖ ପଡ଼ିଆରେ ଛେଳି କି ମେଣ୍ଢାକୁ ପଲଟେଇ ଦେବାପରି ପକେଇଦେଲା ଓ ମୋ ଉପରେ ବଳାତ୍କାର କଲା–ଏତିକି କଣ ତୁମର ବୁଝିବା ପାଇଁ ଯଥେଷ୍ଟ ନୁହେଁ ! କୁହ, ଏଥିରେ ମୋର ଦୋଷ କୋଉଠି ? ଦିନ ତିନିଟାବେଳେ ଗୋଟେ କୋଡ଼ିଏ ବର୍ଷର ଯୁବତୀ ନିଜର ସାଇକେଲ୍‌ ଆଣିବା ପାଇଁ ସାଇକେଲ୍‌ ଷ୍ଟାଣ୍ଡ୍‌କୁ ଯିବା କଣ ଅପରାଧ ? ତୁମେ ଆଶୁତୋଷ, ମୋର ବନ୍ଧୁ । ଆମେ ଦୁହେଁ ସଂସାର ଗଢ଼ିବାର ଶପଥ ନେଇଥିଲେ । କୌଣସି ବନ୍ଧୁ ଆଘାତର ବିବରଣୀ ପଚାରି ବସେ ନାହିଁ । ତମେ କଣ ଏସବୁ ବୁଝନି ଆଶୁତୋଷ !

 

କିନ୍ତୁ ଆଶୁତୋଷ ବୁଝି ନଥିଲା । ବୁଝିଥିଲେ ସେ ସୁନନ୍ଦାର ଘରକୁ ଆସିବା ବନ୍ଦ କରି ଦେଇ ନଥାନ୍ତା । ଏକା ସହରରେ ଥାଇ ମଧ୍ୟ କାମ ଚାପାରେ ଆସିପାରୁନାହିଁ ବୋଲି ଖବର ପଠେଇ ନ ଥାନ୍ତା !

 

ସବୁଠୁ ଦୃଢ଼ ଅବଲମ୍ବନଟିଏ ଯେତେବେଳେ ମଣିଷ ହାତରୁ ଖସିଯାଏ, ସେତେବେଳେ କେମିତିକା ଅନୁଭବ ହୁଏ ! ବଞ୍ଚିବାର ସାହସ ଆଉ କିଛି ବୋଲି କିଛି ରହେନାହିଁ । ସୁନନ୍ଦା ବି ସେଇଆ ଭାବିଥିଲା, ତା ଜୀବନ ସରିଯାଇଛି । ଏହା ପରର ଜୀବନ ଗୋଟେ କର୍କଟ ରୋଗୀର ଜୀବନ, ଘୋଷଡ଼ା ଜୀବନ । ଦିନରାତି ଭିତରେ ଭିତରେ ସେଇ ରୋଗର ଜୀବାଣୁ କୋରି ଖାଉଥିବା ପରି ତାକୁ ବି କୋରି ଖାଇବ ତାର ଦୁର୍ନାମ, ଓକିଲର ବାରମ୍ବାର ଜେରା ଓ ସହାନୁଭୂତି ନାଆଁରେ ବୁଲି ବୁଲି ଚାହୁଁଥିବା ସାହିପଡ଼ିଶାଙ୍କର ବ୍ୟାଧିତ କୌତୂହଳ । ସେ ଏସବୁର ସାମ୍ନା କରିପାରିବ ନାହିଁ ।

 

ଭିକି ମଙ୍ଗରାଜ ଗୋଟିଏ ପରେ ଗୋଟିଏ ଧମକପୂର୍ଣ୍ଣ ବେନାମୀ ଚିଠି ପଠେଇ ଚାଲିଥିଲା–ମଝିରାସ୍ତାରେ ଗାଡ଼ି ଚଢ଼େଇ ଦେବ, ସାନ ଭାଇକୁ ଉଠେଇ ନେବ, ଘର ଜାଳିଦେବ, ଆଉ ଥରେ ଲଙ୍ଗଳା କରିଦେବ ଓ ଆଖି ତାଡ଼ିଦେବ... । ଏ ଚିଠିଗୁଡ଼ାକ ପଢ଼ିଲା କ୍ଷଣି ସୁନନ୍ଦା ଭୟରେ ଥରି ଉଠେ । ତାର ହାତ ପାଦ ଝାଳେଇ ଯାଏ । ଘର ଭିତରେ କବାଟ କିଳି ବସିରହେ, ବାହାରକୁ ଯିବାପାଇଁ ସାହସ ହୁଏ ନାହିଁ । ମାତ୍ର ଭିକିର କୌଣସିଟି ଚିଠିକୁ ପୁଲିସ ଗ୍ରହଣ କରେ ନାହିଁ । ବେନାମୀ ଚିଠିର ହସ୍ତାକ୍ଷର ଭିକିର ହସ୍ତାକ୍ଷର ସାଙ୍ଗେ ମିଶେ ନାହିଁ ।

 

ଅତ୍ୟାଚାରିତା ସୁନନ୍ଦା ଘର କୋଣରେ ଲୁଚି ବସେ, ଅତ୍ୟାଚାରୀ ଭିକି ମୋଟର କାରରେ ସହର ପରିକ୍ରମା କରୁଥାଏ ବିଜୟୀ ସମ୍ରାଟ ପରି । ଗୋଟିଏ ପରେ ଗୋଟିଏ କୁତ୍ସା ପ୍ରଚାର କରି ଚାଲିଥାଏ କଲେଜରେ । ସେସବୁ ଆସି ସୁନନ୍ଦାର କାନରେ ପଡ଼େ । ବିସ୍ମୟ ଓ ନୈରାଶ୍ୟ ମିଶି ସୁନନ୍ଦାକୁ ଜଡ଼ କରିଦିଏ ।

 

ସୁନନ୍ଦା ପଛରେ ଗୋଟେ ଦୁର୍ବଳ ପରିବାରର ଦୋଦୁଲ୍ୟମାନ ସ୍ଥିତି । ତାକୁ ଚାହିଁବା କ୍ଷଣି ବିକଳରେ ସେ ଆର୍ତ୍ତନାଦ କରି ଉଠେ । ଏଇ ପରିବାରର ତେଲ ଲୁଣ ଖର୍ଚ୍ଚରୁ କାଟି ସେ ଭରଣା କରିବ କୋର୍ଟ କଚେରିର ଲମ୍ବା ଚାହିଦା । ଅବଶେଷରେ ଆଇନ କି ରାୟ ଦେବ ? ଭିକିକୁ ଫାଶୀ ହେବ ?

 

କେତେ ଭଲ ହୋଇଥାଆନ୍ତା, ଆଶୁତୋଷ ଯଦି ତା ଜୀବନର ଏଇ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ତାକୁ ଟିକେ ସାନ୍ତ୍ୱନା ଦେଇ ଥାଆନ୍ତା । ପାଚିରି ପରି କେବଳ ସେ ସୁନନ୍ଦାର ପଛପଟେ ଛିଡ଼ା ହୋଇଥାନ୍ତା–ମୁଁ ଅଛି ସୁନନ୍ଦା, ତମେ ଆଗେଇ ଯାଅ । ଯୋଉଠି ଥକି ପଡ଼ିବ, ମୁହଁ ଫେରେଇ ଦେଖିବ ମୁଁ ତମକୁ ଅପେକ୍ଷା କରିଛି । ତମେ ଯେତେବେଳେ, ଯୋଉଠି ଓ ଯେଉଁ ଭାବରେ ଥାଅ ମୁଁ ତୁମକୁ ଗ୍ରହଣ କରିବି । ମାତ୍ର ସେତେ ବଡ଼ ଭାଗ୍ୟ ସୁନନ୍ଦାର ହୋଇନାହିଁ । ବନ୍ୟା ଆସିବା ଆଗରୁ ବନ୍ଧ ଭୁଶୁଡ଼ି ଯାଇଛି । ସଂପର୍କ ବାଢ଼ିଛି ସର୍ତ୍ତ । କେତେ ଭଙ୍ଗୁର ମଣିଷ ସାଙ୍ଗେ ମଣିଷର ସଂପର୍କ ।

 

କିନ୍ତୁ ଯେତେବେଳେ ସବୁଠୁ ଦମ୍ଭିଲା, ସବୁଠୁ ନିର୍ଭରଯୋଗ୍ୟ ଆଶ୍ରୟ ବରଡାଳ ପରି ଭାଙ୍ଗିପଡ଼ିଛି ସେତିକିବେଳେ ସୁନନ୍ଦା କେବେ ବି ଭରସା ରଖି ନଥିବା ଶୁଖିଲା ଶାଖାଟିଏ ତାକୁ ବରାଭୟ ମୁଦ୍ରାରେ ଆଶୀର୍ବାଦ କରିଛି । ପେଜୁଆ ଲୁହଭର୍ତ୍ତି ବାପାଙ୍କ ଆଖିରେ ସେ ଦେଖିଛି ଯୁଯୁତ୍ସାର ନିଆଁଝୁଲ, ‘ବ୍ୟାଧର ନୃଶଂସ ପଣିଆ ପାଇଁ ମୃଗୁଣୀର ଦୋଷ ଖୋଜିବା ନ୍ୟାୟ ନୁହେଁ ମା, ଘୋର ପାପ । ତୁ ମରିଯିବୁ ପଛକେ, ଏଇ ଅବିଚାର ପାଖରେ କେବେ ବି ମୁଣ୍ଡ ନୁଆଇଁବୁ ନାହିଁ ।’

 

ଆଜି ସେସବୁ କିଛି ସୁନନ୍ଦାର ମନେପଡ଼ୁନି । ଭିକି ମଙ୍ଗରାଜର ବେନାମୀ ଧମକ ବ୍ୟର୍ଥ ହୋଇଯାଇଛି । ସୁନନ୍ଦା ତା ଜିଦରେ ଅଟଳ ରହିଛି । ସେ ଶେଷ ପର୍ଯ୍ୟନ୍ତ ନ୍ୟାୟାଳୟର ଦୁଆର ବାଡ଼େଇ ଚାଲିଥିବ । ହୁଏତ ଭିକି ହାରିବ କିମ୍ବା ସୁନନ୍ଦା ହାରିଯିବ । ତା ପୂର୍ବରୁ କୌଣସି ବୁଝାମଣା ସମ୍ଭବ ନୁହେଁ ।

 

ସୁନନ୍ଦା ଅନୁଭବ କରେ, ତା ଭିତରୁ କୋମଳତା ସବୁ ଧୀରେ ଧୀରେ ଅପସରି ଯାଇଛି-। କ୍ରମେ ସେ ଜାଗା ମାଡ଼ି ବସୁଛନ୍ତି ପ୍ରତିହିଂସା, ଛଳନା, ବୁଦ୍ଧି ଓ ବିଦ୍ରୋହ । ସେ ଆଉ କୁମାରୀ ହୋଇ ରହିନାହିଁ, ତାର କୁମାରୀତ୍ୱ ଆସି କେତେବେଳେ ତା ଅଜାଣତରେ ଚାଲିଯାଇଛି । ସେ ଖାଲି ଆଘାତର ପ୍ରତିଘାତ ଦେବା ପାଇଁ ବଞ୍ଚି ରହିଛି । ତାରିଖ ପରେ ତାରିଖ ଘୁଞ୍ଚି ଚାଲିଥିଲେ ବି ସେ ଚିନ୍ତା କରେ ନାହିଁ । ସତେ କି ଏଇ ମୋକଦ୍ଦମା ଚାଲିବାଟା ହିଁ ତା ପାଇଁ ଅଧିକ ପ୍ରୟୋଜନ-। ମୋକଦ୍ଦମା ସରିଗଲେ ତାର ବଞ୍ଚିବାର ଅର୍ଥ ବି ସରିଯିବ ।

 

ଥାନା ବାରନ୍ଦାରେ, କଚେରି ହତାରେ ସୁନନ୍ଦା ବାଟ ଚାଲୁଥିବା ବେଳେ ହଳ ହଳ ଆଖି ତାକୁ ତା ପଛରେ ଗୋଡ଼େଇ ଥାଆନ୍ତି–‘ଏଇ ସେ ଝିଅଟି, ଜନାକାରୀ ମାମଲାର ବାଦୀ ପକ୍ଷ । ଏଇ ଦେଖ, ଦେଖ, କେମିତି ମୁହଁଟେକି ଚାଲିଛି ଦେଖ... ।’ ସୁନନ୍ଦା ପାଦର ଗତି ବଢ଼େଇ ଚାଲିଆସେ । ମୁହଁ ଲୁଚେଇବାର ଚେଷ୍ଟା କରେ । ଚିତ୍କାର କରିବାକୁ ଇଚ୍ଛା ହୁଏ । ପଚାରିବାକୁ ଚାହେଁ–କଣ ଆପଣମାନେ ଚାହାନ୍ତି ? ଯିଏ ଯାହାକୁ ଯୋଉଠି ଘୋଷାଡ଼ି ନେଇ ବଳାତ୍କାର କରିବ ଓ ଝିଅଟି ଚୁପ୍‌ଚାପ୍‌ ବୁଲି ବୁଲି ଚାହିଁବାର ଅର୍ଥ କଣ ? ଯଦି କାଲି ଆପଣଙ୍କ ଝିଅ କି ଭଉଣୀର ଏମିତି ଦୁର୍ଦ୍ଦଶା ହୁଏ ତାହାହେଲେ କଣ ମୋତେ ଚାହିଁଲା ପରି ତାକୁ ବି ଚାହିଁବେ ଆପଣ !

 

କିନ୍ତୁ କିଛି ବୋଲି କିଛି କହିପାରେନା ସୁନନ୍ଦା । ଅପମାନ, ଅସହାୟତା ଓ ଅବସାଦ ତାକୁ ଚାରିଆଡ଼ୁ ଭିଡ଼ିଧରେ । ସେ ରିକ୍ସାର ହୁଡ୍‌ ଆଢ଼ୁଆଳରେ ମୁହଁ ଲୁଚେଇ ଘରକୁ ପଳେଇ ଆସେ-। କାଗଜପତ୍ର ଫୋପାଡ଼ିଦେଇ ବାପାଙ୍କ କୋଳରେ ମୁହଁ ଲୁଚେଇ ଦିଏ ।

 

ବାପା ପିଠି ଥାପୁଡ଼େଇ ଦିଅନ୍ତି । ସାହସ ଦିଅନ୍ତି । ଏସବୁ କିଛି ନୁହେଁ ମା । ସୀତାଙ୍କୁ ବି ଅଗ୍ନିପରୀକ୍ଷା ଦେବାକୁ ପଡ଼ିଥିଲା । ଇଏ ତ ଅଗ୍ନିପରୀକ୍ଷାଠୁ କଷ୍ଟ କାମ ନୁହେଁ । ସବୁ ଠିକ୍‌ ହୋଇଯିବ ।

 

କ’ଣ ଥାଏ ସେଇ କଥାରେ କେଜାଣି ସୁନନ୍ଦା ସାହସ ଫେରି ପାଏ । ବହିପତ୍ର ଭିଡ଼ିଆଣି ପଢ଼େ–କିଛି ନ କରି ବସିରହିଲେ ଦୁଶ୍ଚିନ୍ତା ଘୋଟି ଆସିବ ।

 

ଖୁବ୍‌ ପଢ଼େ ସୁନନ୍ଦା । ଲୁହମାନଙ୍କୁ ଗୋଟେଇ ଗାଟେଇ ଅଳିଆଗଦାକୁ ଫିଙ୍ଗିଦିଏ । ବେଶୀ ବେଶୀ ପଦାକୁ ବାହାରେ । କିଏ ଗାଡ଼ି ମଡ଼େଇଦେବ ଆସୁ, କିଏ ଆଖି ତାଡ଼ିଦେବ ଆସୁ, କିଏ ମଝିରାସ୍ତାରେ ଲଙ୍ଗଳା କରିଦେବ ଆସୁ । ସିଏ ବି ସବୁର ସାମ୍ନା କରିବ ।

 

କାହାଠୁ ଶୁଣିଥିବା ଗୋଟେ କଥା ମନେପଡ଼େ । ନିଶ୍ଚିତ ଆଶ୍ରୟ ଓ ଅଭୟର ପ୍ରତିଶ୍ରୁତି ଥିବା ସାନପିଲା ତଳେ ପଡ଼ିଗଲେ ରାହାଧରି କାନ୍ଦେ । ତାକୁ କେହି ଆସି ତଳୁ ଉଠେଇ ଦେବା ଯାଏଁ ସେ ଭୂଇଁରେ ପଡ଼ି ରହିଥାଏ । କିନ୍ତୁ ଅପନ୍ତରାରେ ବାଟ ଚାଲୁଥିବା ଛୁଆଟେ ପଡ଼ିଗଲେ କାନ୍ଦେ ସତ, କିନ୍ତୁ ସେଇ ଛୁଆଟା ଆପଣାଛାଏଁ କାନ୍ଦ ବନ୍ଦ କରି ଉଠିପଡ଼େ, ଧୂଳି ଝାଡ଼ିଝୁଡ଼ି ହୋଇ ପୁଣି ରାସ୍ତା ଚାଲେ ।

 

ସୁନନ୍ଦା ଅପନ୍ତରା ଭୂଇଁର ସେଇ ଏକଲା ଶିଶୁ, ରାହା ଧରି କାନ୍ଦିବାର ପ୍ରୟୋଜନ ନାହିଁ-। ରାହା ଗୋଟେଇ ବାଟ ଚାଲେ ।

 

ଈଶ୍ୱରଙ୍କ ଆଶୀର୍ବାଦ ପରି, ନିଦାଘ ଗ୍ରୀଷ୍ମର ଅନହୁତି ବର୍ଷା ଅସରାଏ ପରି, ବ୍ୟାଙ୍କ ଚାକିରି ପାଇବାର ସୁସମ୍ବାଦ ସୁନନ୍ଦାର ଅସ୍ୱସ୍ତିକର ଜୀବନରେ ଆଉ ଥରେ ସ୍ୱପ୍ନ ଓ ଆଶାମାନଙ୍କୁ ଡାକିଆଣେ ।

 

ବାପା କହନ୍ତି, “ବହୁତ ହେଲା । ଭିକିର ବାପ ମା ରାଜି ଅଛନ୍ତି । ତୁ ହଁ କହିଦେ । କେତେ ବର୍ଷ ଆଉ ଏକଲା ଲଢ଼େଇ କରିବୁ ? ଘରସଂସାର କର । ପଛକଥା ଭୁଲିଯା ।” ସୁନନ୍ଦା ଲକ୍ଷ୍ୟ କରେ, ଏକଥା କହିବା ବେଳେ ବାପାଙ୍କ ମୁହଁ କେମିତି ଉଜ୍ଜ୍ୱଳି ଉଠେ ଗୋଟେ ସମ୍ଭାବନାର ଆଶାରେ ।

 

ସୁଦୀର୍ଘ ଆତ୍ମନିର୍ବାସନରୁ ଫେରିବା ପରି ଆଶୁତୋଷ ଫେରି କୁଶଳ ଜିଜ୍ଞାସା କରେ । ‘ମୋର ଭୀରୁତାକୁ କ୍ଷମା କରିଦିଅ ସୁନନ୍ଦା । ମୁଁ ବିଚଳିତ ହୋଇପଡ଼ି କଣ କ’ଣ ସବୁ କହିଦେଇଥିଲି-। ତୁମେ ଶୁଦ୍ଧ ସୁବର୍ଣ୍ଣ । ଆମେ ପୁଣି ଆମର ପୁରୁଣା ସଂପର୍କକୁ ଫେରିଯିବା ।’

 

ନା, ଏ ପ୍ରତ୍ୟୁଷ, ନୁହେଁ ପ୍ରଦୋଷ । ସୁନନ୍ଦା ଆଶ୍ୱସ୍ତ ହେଲା । ଅନ୍ତତଃ ନିଷ୍ପତ୍ତି ନେବା ପାଇଁ ରାତିଟାଏ ମଝିରେ ଅଛି । କାଲି ସକାଳ ପୂର୍ବରୁ ବାପାଙ୍କୁ ତା ମତାମତ ଜଣେଇବାକୁ ପଡ଼ିବ-। ସେ ଉଠିପଡ଼ି ବହିଥାକ ପାଖକୁ ଗଲା । ଚାରିପଟେ ମାଲିମୋକଦ୍ଦମାର କାଗଜପତ୍ର । ତା ଭିତରୁ ସେ ତା ଆପଏଣ୍ଟମେଣ୍ଟ୍‌ ଲେଟରଟିକୁ ବାହାର କଲା । ଅକ୍ଟୋବର ତିନି ତାରିଖରେ ତାକୁ ଯାଇ କଲିକତାରେ ଜଏନ୍‌ କରିବାକୁ ପଡ଼ିବ । ସେ ଚିଠିଟି ପଢ଼ିସାରି ଆଉଥରେ ଚଉଭାଙ୍ଗ କରି ରଖିଦେଲା । ପୁଣିଥରେ ବିଛଣା ପାଖକୁ ଆସି ବସିଲା । ଅଡ଼ୁଆ ମୁଣ୍ଡବାଳ ସଜାଡ଼ିଲା-। ସୁଇଚ୍‌ ବୋର୍ଡ ନିକଟକୁ ଗଲା ଓ ଲାଇଟ୍‌ର ସ୍ୱିଚ୍‌ ଟିପିଦେଲା । ଘରସାରା ଖେଳେଇ ହୋଇଗଲା ଉଜ୍ଜ୍ୱଳ ଆଲୋକ ।

 

ସେ ଆଉଥରେ ଭିକି ଓ ଆଶୁତୋଷ ଉଭୟଙ୍କ କଥା ଚିନ୍ତା କଲା । ଭିକିକୁ କଣ ସେ ସତରେ କୌଣସି ଦିନ ସ୍ୱାମୀ ଭାବରେ ଗ୍ରହଣ କରିପାରିବ ? ଯାହାକୁ ଦେଖିବା କ୍ଷଣି ଘୃଣାରେ ତା ଦେହସାରା ବିଷ ଚରିଯାଉଛି, ସେଭଳି ଗୋଟେ ମଣିଷକୁ ସେ କୌଣସି ଦିନ କଣ ଗ୍ରହଣ କରିପାରିବ ? ଭିକି ପାଇଁ, ଭିକିର ପରିବାର ପାଇଁ ସୁନନ୍ଦା ସାଙ୍ଗେ ସଂପର୍କ ଗଢ଼ିବାର ପ୍ରସ୍ତାବ ପରାଜୟର ସ୍ୱୀକାର ନା ଧୂର୍ତ୍ତ ବ୍ୟବସାୟିକ ବୁଝାମଣା ! ଭିକି କଣ ସତରେ ଅନୁତପ୍ତ ? ସେ କଣ ନିଜେ ଭଲପାଇ ପାରିବ ସୁନନ୍ଦାକୁ ? ହୁଏତ ହଁ, ହୁଏତ ନା । ମାତ୍ର ସୁନନ୍ଦା କୌଣସି ଦିନ ଭିକିକୁ ଭଲପାଇପାରିବ ନାହିଁ । ଭିକିର ଚେହେରା ସବୁଦିନେ ତା ଆଖି ସାମ୍ନାରେ ଗୋଟେ ଜହ୍ଲାଦର ରକ୍ତମୁଖା ଚେହେରା ହୋଇ ରହିଥିବ ।

 

ତାହାହେଲେ କଣ ସୁନନ୍ଦା ଫେରିଯିବ ଆଶୁତୋଷ ପାଖକୁ ? ଝାଡ଼ିଝୁଡ଼ି ଦେବ ଆଶୁତୋଷ ମନର ଅଳିନ୍ଦରୁ ସବୁ ସନ୍ଦେହ ଓ ଅସନ୍ତୋଷର ଅଳନ୍ଧୁ ଏବଂ ଆଶୁତୋଷ ତାକୁ ଗ୍ରହଣ କରିନେବ ? ବିଶ୍ୱାସ ହେଉ ନଥିଲା ସୁନନ୍ଦାର । ହୁଏତ ଜୀବନର ପ୍ରତି ମୋଡ଼ ବୁଲାଣିରେ, ପ୍ରତିଟି ଅସ୍ୱସ୍ତିକର ମୁହୂର୍ତ୍ତରେ ଆଶୁତୋଷ ଏଇ ପ୍ରଶ୍ନ ଉଠେଇବ, ନିଜର ଦୟା ଟିକକ ପାଇଁ ମୂଲ୍ୟ ଲୋଡ଼ିବ । ସୁନନ୍ଦା କଣ ଦେଇପାରିବ ସେ ମୂଲ୍ୟ ?

 

ନା, ସୁନନ୍ଦା ଭିକିକୁ ଦୟା ବାଣ୍ଟିପାରିବ ନାହିଁ କି ଆଶୁତୋଷଠୁ ଦୟା ଭିକ୍ଷା କରିପାରିବ ନାହିଁ । ସେ ଦୟାକୁ ଘୃଣା କରେ, ଦୟନୀୟତାଠୁଁ ବଳି ଅପମାନ ଆଉ କିଛି ନାହିଁ ।

 

ଗୋଟେ ଦୀର୍ଘଶ୍ୱାସ ନେଇ ସୁନନ୍ଦା ଉଠିଲା । ଆଶ୍ୱସ୍ତିର ଏଇ ମୁହୂର୍ତ୍ତ ବି ତାକୁ ଅସ୍ୱସ୍ତିଠୁ ଊଣା କଷ୍ଟଦାୟକ ମନେ ହେଉ ନଥିଲା । ଇଏତ ଯୁଦ୍ଧ ଶେଷର ଆଶ୍ୱସ୍ତି ନୁହେଁ । ଏଇ ଦ୍ୱନ୍ଦ୍ୱ, ମାନସିକ ସଂଘାତ ଓ ଝଡ଼ ପାଇଁ ସେ ତାହାହେଲେ କଣ ଏତେ କାଳ ଅପେକ୍ଷା କରି ରହିଥିଲା ?

 

ଘର ସାମ୍ନାର ଗଳି ରାସ୍ତା କିଛି ବାଟ ଆଗେଇ ଯାଇ ଛକ ପାଖରୁ ଦି ଭାଗ ହୋଇଯାଇଥିଲା । ଲାଇଟ୍‌ ଖୁଣ୍ଟରୁ ଉଜ୍ଜ୍ୱଳ ଆଲୋକ ଝରି ପୂର୍ବ ଓ ପଶ୍ଚିମ ଉଭୟ ଦିଗର ରାସ୍ତାକୁ କିଛି କିଛି ଆଲୋକିତ କରୁଥିଲା । ସୁନନ୍ଦାର ମନେ ହେଉଥିଲା ତା ଜୀବନ ଆସି ଏମିତି ଗୋଟେ ଦୋଛକିରେ ପହଞ୍ଚିଯାଇଛି; ଅଥଚ ସେ କୋଉ ରାସ୍ତାକୁ ବାଛିନେବ ତାହା ହଠାତ୍‌ ସ୍ଥିର କରିପାରୁ ନାହିଁ ।

☆☆☆

 

ଶେଷ ବାଜି

 

ମୁଖ୍ୟମନ୍ତ୍ରୀ ହସ ହସ ମୁହଁରେ ମାଇକ୍ରୋଫୋନ୍‌ ପାଖକୁ ଆଗେଇ ଯାଉଥିଲେ । ତାଙ୍କ ପ୍ରତି ସମ୍ମାନ ଦେଖାଇବାକୁ ଯାଇ ବିଧାୟକ ରାମବାବୁ ନିଜ ଚୌକିରୁ ଉଠି ଛିଡ଼ାହୋଇ ପଡ଼ିଥିଲେ ଓ ମୁଖ୍ୟମନ୍ତ୍ରୀଙ୍କ ନିରାପତ୍ତା ଦାୟିତ୍ୱରେ ଥିବା ସଫାରୀ ପିନ୍ଧା ସବ୍‌ଇନିସ୍‌ପେକ୍ଟରଟି ଆଗକୁ ମାଡ଼ିଆସି ପୋଡିୟମ୍‌ ପାଖରେ ପୋଜିସନ୍‌ ନେଉଥିଲା ।

 

ଠିକ୍‌ ସେତିକିବେଳେ ନିସ୍ତରଙ୍ଗ ପୋଖରୀ ଭିତରକୁ ଢେଲାଟିଏ ଫିଙ୍ଗିବା ପରି, ରାତିର ଅନ୍ଧାରକୁ ଶାଣଦିଆ ବର୍ଚ୍ଛାଟେ ବିଦ୍ଧ କରିଗଲା ପରି, ବିଶାଳ ଜନସମୁଦ୍ର ଭିତରୁ ଚିତ୍କାରଟିଏ ଶୁଭିଲା, “ମୋର ପଦେ କହିବାର ଅଛି ସାର୍‌ ! ଦୟାକରି ଅନୁମତି ଦେବେ କି ?”

 

: କିଏ ? କିଏ କହିଲା ଏ କଥା ? କାହାର ଏ ଶବ୍ଦ ? କଣ କହିବାର ଅଛି ସେଇ ଲୋକଟାର ଏହି ସଭା ମଝିରେ ?

 

ହଳ ହଳ ବିସ୍ମିତ ଆଖି ଚାରିଦିଗକୁ ଚାହୁଁଥିଲେ । ନିଜେ ମୁଖ୍ୟମନ୍ତ୍ରୀ କେଇ ମିନିଟ୍‌ ପାଇଁ ନିରବ ହୋଇଯାଇଥିଲେ । ତାଙ୍କର ନିରାପତ୍ତା ଦାୟିତ୍ୱରେ ଥିବା ଏସ୍‌.ପି. ଓ ଜିଲ୍ଲାପାଳ ସତର୍କ ହୋଇ ଉଠିଥିଲେ ।

 

ଏଥର ଆଉ ଥରେ ସେହି ସ୍ୱର ଶୁଭିଲା, ପୂର୍ବପରି ତୀକ୍ଷ୍‌ଣ ଓ ସ୍ପଷ୍ଟ ସେ ସ୍ୱର । ମୁଁ ଚିହ୍ନିଲି, ଏ ସ୍ୱର ସଚ୍ଚିର । ମୋର ସାଙ୍ଗ ସଚ୍ଚିର ।

 

ସଚ୍ଚି ଠିକ୍‌ ମୋ ସାମ୍ନାରେ ଛିଡ଼ା ହୋଇଥିଲା । ଆମେ ସାଙ୍ଗ ହୋଇ ଆସିଥିଲୁ ରାବଣପୋଡ଼ି ଦେଖିବା ପାଇଁ । ଆସିବାବେଳେ ଯଦିଓ ସଚ୍ଚି ଅନ୍ୟମନସ୍କ ଦିଶୁଥିଲା, ତା ମନରେ ଏଭଳି ଗୋଟେ ଯୋଜନା ଖେଳୁଥିବା କଥା ଆମେ କେହି କିନ୍ତୁ ଭାବି ନଥିଲୁ ।

 

ସଚ୍ଚି ବଡ଼ ବଡ଼ ପାହୁଣ୍ଡ ପକେଇ ମଞ୍ଚ ଆଡ଼କୁ ଆଗେଇ ଯାଉଥିଲା । ତାକୁ ଚାରି ଚାରିଜଣ କନେଷ୍ଟବଳ ବ୍ୟାରିକେଡ୍‌ ପାଖରେ ଅଟକେଇବାକୁ ମାଡ଼ି ଆସୁଥିଲେ । ମାତ୍ର ସେତିକିବେଳେ ମଞ୍ଚ ଉପରୁ ମୁଖ୍ୟମନ୍ତ୍ରୀ ହାତ ଠାରିଲେ, “ଛାଡ଼, ସେ ବାବୁଙ୍କୁ । ତାଙ୍କର କଣ କହିବାର ଅଛି, ସେ ଏଇଠିକି ଆସି କହନ୍ତୁ ।” କନେଷ୍ଟବଳମାନେ ହଟିଗଲେ ।

 

ଆମେ ସଚ୍ଚିର ପାଗଳାମି ନେଇ ଭୀଷଣ ବ୍ୟସ୍ତ ହୋଇପଡ଼ିଲୁ । ସଭାମଞ୍ଚର ଠିକ୍‌ ତଳେ ମର୍ଦ୍ଦରାଜ ଇନିସ୍‌ପେକ୍ଟର ପହରା ଦେଉଥିଲା । ସଚ୍ଚି ଥରେ ତା ଆଡ଼କୁ ଓ ଆଉ ଥରେ ତା ପଛର ବିଶାଳ ଜନସମୁଦ୍ରକୁ ଚାହିଁ ମଞ୍ଚ ଉପରକୁ ଚଢ଼ିଗଲା । ମୁଁ ଅଜଣା ଆଶଙ୍କାରେ ଆଖି ବୁଜିଦେଲି ।

 

ରାବଣପୋଡ଼ି ଉତ୍ସବ ଦେଖିବାକୁ ଆସିଥିବା ଉତ୍ସୁକ ଜନତାଙ୍କ ଭିତରେ ଚାପା ଗୁଞ୍ଜରଣ–ଏ ଟୋକାଟା କିଏ ? କଣ ୟାର ମତଲବ ? ଇଏ କଣ ସହରର ରାସ୍ତାରେ ବୁଲୁଥିବା ସେଇ ହତଭାଗ୍ୟ ପାଗଳ ? ବିରୋଧୀ ଦଳର ହାତବାରିସି କୌଣସି ଦାଦା ? ସତ୍ତା ଭଣ୍ଡୁର କରିବା ପାଇଁ ଆସିଥିବା ଭଡ଼ାଟିଆ କର୍ମୀ ?

 

ସେମାନେ ପରସ୍ପରର ମୁହଁକୁ ଖାଲି ଅନଉଥିଲେ ।

 

ମୁଖ୍ୟମନ୍ତ୍ରୀଙ୍କ ପଛପଟେ ଛିଡ଼ା ହୋଇଥିବା ତାଙ୍କର ବ୍ୟକ୍ତିଗତ ସଚିବ ଦି ପାହୁଣ୍ଡ ଆଗେଇ ଆସି ତାଙ୍କ କାନରେ କଣ କହୁଥିଲା । ସମ୍ଭବତଃ ରାବଣପୋଡ଼ି ସମୟ ଗଡ଼ିଯାଉଥିବା ନେଇ ବିଧାୟକଙ୍କ କଥାଟିକୁ ସେ ତାଙ୍କର ମନେ ପକେଇ ଦେବାକୁ ଚାହୁଁଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ହାତର ଇସାରାରେ ତାକୁ ଚୁପ୍‌ କରିଦେଲେ । ସେ ପଛକୁ ଫେରିଗଲା ।

 

ସଚ୍ଚି ଏବେ ମାଇକ୍ରୋଫୋନ୍‌ ସାମ୍ନାରେ ଛିଡ଼ା ହୋଇଥିଲା ।

 

।। ଦୁଇ ।।

 

ସବୁ ବର୍ଷ ପରି ସଚ୍ଚି ଏଥର ମଧ୍ୟ ଠିକ୍‌ ସପ୍ତମୀ ଦିନ ସକାଳୁ ଆସି ଆମ ସହରରେ ପହଞ୍ଚିଥିଲା । ଗଲା ସାତବର୍ଷ ଧରି ଆମେ ଚାରିଜଣ ପୂଜା ଚାରିଦିନ ଏକାଠି କଟେଇ ଆସୁଛୁ । ଏଥର ମଧ୍ୟ ତାର ବ୍ୟତିକ୍ରମ ହୋଇ ନଥାନ୍ତା ।

 

ମୁଁ, ପ୍ରସନ୍ନ, ଆଦିତ୍ୟ ଓ ସଚ୍ଚି । ଆମେ ଏକାଠି ଏଇ ସହରର ଟାଉନ୍‌ କଲେଜରେ ପଢ଼ୁଥିଲୁ । ମୁଁ ଗୋଟେ ଖବରକାଗଜରେ କାମ କରେ । ପ୍ରସନ୍ନ ଓ ଆଦିତ୍ୟ ଉଭୟଙ୍କର ବ୍ୟବସାୟ-। ସଚ୍ଚି ଏ ପର୍ଯ୍ୟନ୍ତ ବେକାର । ଗାଁରେ ରହି ଚାକିରିକୁ ଅପେକ୍ଷା କରୁଛି ।

 

ପୂଜା ଆସିଗଲେ ଆମେ ଏକାଠି ହେଉ । ସ୍କୁଟର କି ମଟର ସାଇକେଲରେ ବୁଲି ବାହାରୁ ସହର । କଲେଜ ଛକ, ପୁରୁଣାଗଡ଼, କାଳୀ ମନ୍ଦିର ଓ ଶିବ ପାନଦୋକାନ ହୋଇ ଚାରିଆଡ଼େ ଘେରାଏ ଘୂରିଆସୁ । ଯିଏ ଯୋଉଠି ସାଙ୍ଗସାଥୀ ରହୁଛନ୍ତି ଖୋଜି ଖୋଜି ଦେଖାକରୁ । ଗଲା ଅଷ୍ଟମୀ ଦିନ ରାତିରେ ଆମେ ବନମାଳୀର ଢାବାକୁ ଯାଇଥିଲୁ । ସାତବର୍ଷ ଆଗେ ବନମାଳୀର ଢାବା ଗୋଟେ ଝୁମ୍ପୁଡ଼ି ଘରେ ଥିଲା, ଏବେ ସେ ବଢ଼େଇ ଦେଇଛି । ଢାବା ସାମ୍ନାରେ ଖଟିଆ ପକେଇଛି, ରସିକ ଗ୍ରାହକଙ୍କ ପାଇଁ ଭିତରେ ବି ତିଆରି କରିଛି ଗୋଟେ ନିଭୃତ କ୍ୟାବିନ୍‌ ।

 

ଆଦିତ୍ୟ ପ୍ରସ୍ତାବ ଦେଇଥିଲା, ‘କେବଳ ରୁଟି ତଡ଼କାରେ ଚଳିବ ନାହିଁ । ବିଅର୍‌ ଦରକାର-।’

 

ସଚ୍ଚି ଓ ମୁଁ ଚମକି ପଡ଼ିଲୁ । ଏକାବେଳକେ ବିଅର୍‌ !

 

ପ୍ରସନ୍ନ ମୁଣ୍ଡ ଟୁଙ୍ଗାରିଥିଲା, “ଠିକ୍‌, ଠିକ୍‌ । ରମ୍‌ ହେଲେ ଜମନ୍ତା । ଛାଡ଼ ସେଇ ବିଅର୍‌ରେ ଚଳେଇଦେବା ।”

 

ମୁଁ କି ସଚ୍ଚି କିଛି କହିବା ଆଗରୁ ଆଦିତ୍ୟ ଡାକିଲା, “ସିରାଜ୍‌ !”

 

ବନମାଳୀ ଢାବାର ଏକମାତ୍ର କର୍ମଚାରୀ ସିରାଜକୁ ଆଦିତ୍ୟ ଚିହ୍ନେ । ବେଳ ଅବେଳରେ ସେ ଆସି ଏଇଠି ଖାଏ । ଯିବାବେଳକୁ ସିରାଜକୁ ପାଞ୍ଚ ଦଶ ଟଙ୍କା ବକ୍‌ସିସ୍‌ ଦେଇଥାଏ ।

 

ସିରାଜ୍‌ ତାଠୁଁ ଦି ଶହ ଟଙ୍କା ନେଇ ଚାଲିଗଲା । ଆମେମାନେ ଖଟିଆ ଉପରେ ଚିତ୍‌ ହୋଇ ପଡ଼ିଥିଲୁ । ଦିନସାରା ଢେର୍‌ ବୁଲା ହୋଇଛି ।

 

ଏମିତି ଅବସରରେ ପ୍ରସନ୍ନ ଖୁବ୍‌ ରୋମାଣ୍ଟିକ୍‌ ହୋଇଯାଏ । ପୁରୁଣା ଫିଲ୍ମର ଗୀତ ସବୁ ମନେପକେଇ ଗାଏ । ସ୍ୱର ମିଳୁ କି ନମିଳୁ ଗୀତ ଗାଇବା ବନ୍ଦ କରେ ନାହିଁ ।

 

ଆଦିତ୍ୟ ପାଲଟିଯାଏ ଗୋଟେ ବିପ୍ଳବୀ । ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କଠୁଁ ନେଇ ସବୁ ନେତାଙ୍କୁ ସେ ଗାଳିଦିଏ । ସରକାରୀ ଅଫିସର୍‌ମାନଙ୍କ ପାଇଁ ବଛା ବଛା ଗାଳି ବ୍ୟବହାର କରେ । ଦେଶଟା ଯେ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ତଳିତଳାନ୍ତ ହୋଇଗଲାଣି, ସେଇକଥା ସେ ସାବ୍ୟସ୍ତ କରେ ।

 

ସଚ୍ଚି କିଛି କହେ ନାହିଁ । ତାର ବେକାରୀ ଜୀବନ ବୋଧହୁଏ ତାକୁ ଏମିତି ଚୁପ୍‌ଚାପ୍‌ କରି ଦେଇଛି । ଆଗେ କିନ୍ତୁ ସେ ଏମିତି ନ ଥିଲା ।

 

ମୁଁ ସେମାନଙ୍କ କଥା ଶୁଣେ । ମୋତେ କେହି କିଛି ପଚାରିଲେ ପଦେ ଦି ପଦ କହେ । ମାତ୍ର ପ୍ରସନ୍ନ ମୋତେ ମୋ କଥା ସାରିବାକୁ ଦିଏ ନାହିଁ । ସବୁ କଥାରେ ସେ ନାକ ଗଳାଏ । କଥା ମଝିରୁ ରୋକିଦିଏ ।

 

ବନମାଳୀ ଆମକୁ ସାଲାଡ୍‌ ଆଣି ଦେଇ ଯାଇଥିଲା । ତା ପାଖରେ ଥିବା ଚାରିଟା ବିଅର୍‌ ବି । ସଚ୍ଚିକୁ ଛାଡ଼ି ଆମେ ତିନିହେଁ ବିଅର୍‌ ପିଇ ଚାଲିଥିଲୁ । ସଚ୍ଚି ବିଅର୍‌ ତ ଦୂରର କଥା, ଚା କି କଫି ସୁଦ୍ଧା ପିଏ ନାହିଁ ।

 

ମାତ୍ର ପ୍ରସନ୍ନର ଲୋଡ଼ା ଥିଲା ଆହୁରି ଦିଇଟା ବିଅର୍‌ । ସେ ଖାଲି ଗିଲାସଟିକୁ ଖଟିଆ ବାଡ଼ା ଉପରେ କଚାଡ଼ି ଦେଇ ପଚାରିଲା, “କୁଆଡ଼େ ଗଲା ବେ ସିରାଜ !”

 

ମୋ ପାଖେ ତାର ଉତ୍ତର ନଥିଲା ।

 

ସଚ୍ଚି କହିଲା, “ସାଇକେଲରେ ଯାଇଛି । ହୁଏତ ବାଟରେ ପଙ୍କ୍‌ଚର୍‌ ହୋଇଯାଇଥିବ । ଅନ୍ଧାର ରାସ୍ତାରେ ସାଇକେଲ୍‌ ସଜାଡ଼ି ଆସିବାକୁ ତ ନିଶ୍ଚୟ ଡେରି ହେବ ।”

 

: ଅନ୍ଧାର ! ଅନ୍ଧାର କୋଉଠି କିରେ ? ଏଡ଼େ ବଡ଼ ଜହ୍ନଟା ଆକାଶରେ ପଡ଼ିଛି । ତାଆରି ପାଇଁ ଅନ୍ଧାର ହୋଇଗଲା ?

 

ମୁଁ କହିଲି, ‘ହୁଏତ ତାର କେହି ସାଙ୍ଗ ବାଟରେ ଦେଖା ହୋଇଯାଇଥିବ । ଏଇନେ ଆସିଯିବନି କି !’

 

: କହୁଥିଲା ତା ଚାଚାର ଦେହ ଖରାପ । ତା ଚାଚା ରହୁଛି ଏଇ ଚେକଗେଟ୍‌ ପାଖରେ । ସେଇଠୁ ଆସୁଥିବ ।

 

ଆଦିତ୍ୟ ସବୁବେଳେ ନେତିବାଦୀ । ସେ କହିଲା, ‘ପୂଜାଟାରେ ତ ପୁଲିସ ସବୁ ମଦ ଦୋକାନ ସିଲ୍‌ କରିଦେଇଛି । ସିରାଜ କୋଉଠୁ ତମଲାଗି ବିଅର୍‌ ଆଣିବ ? ଖୋଜୁଥିବ ।’

 

ଆମେ ସମସ୍ତେ ସିରାଜ ପକ୍ଷରୁ କିଛି ନା କିଛି କୈଫିୟତ ଦେଉଥିଲୁ । ମାତ୍ର ପ୍ରସନ୍ନ ଆମ କଥା ଶୁଣିବା ନିମନ୍ତେ ପ୍ରସ୍ତୁତ ନଥିଲା ।

 

ବନମାଳୀ ଚିକେନ୍‌ ଆଣି ଥୋଇ ଦେଇଗଲା ।

 

ସଚ୍ଚି କହିଲା, “କେତେ ଶୀଘ୍ର ସମୟ ବିତିଯାଉଛି ଆଦୌ ଜଣା ପଡ଼ୁନାହିଁ । ଆଉ ଦିଇଟା ଦିନ ପରେ ପୂଜା ସରିଯିବ ।”

 

ମୁଁ ପରିହାସରେ କହିଲି, “ତୋ ପରି ଯିଏ ସବୁଦିନ ନୂଆ ନୂଆ ଚଢ଼େଇ ପଛରେ ଧାଇଁବ, ତାକୁ ସମୟ ଜଣାପଡ଼ିବ କିପରି ? ସଚ୍ଚି ଚାଲିଗଲେ ତୁ ବି ମୁକ୍ତ ହୋଇଯିବୁ ।”

 

ଆମ ସମସ୍ତଙ୍କୁ ଟିକେ ଟିକେ ନିଶା ଲାଗି ଆସୁଥିଲା । ସେଇ ନିଶା ଭିତରେ ସିରାଜ କେତେବେଳେ ଆସି ଆମ ଗିଲାସରେ ବିଅର୍‌ ଢାଳି, ଖାଇବା ପରଶି ଯାଇଥିଲା ସେକଥା କେବଳ ସଚ୍ଚି ଛଡ଼ା ଆମେ କେହି ଜାଣିପାରି ନଥିଲୁ ।

 

ଆକାଶରେ ଜହ୍ନ ଓ ବଉଦ ନିଜ ନିଜ ଭିତରେ ଲୁଚକାଳି ଖେଳୁଥିଲେ । ପୁରୁଣା କୋଠି ଆଡୁ ମେଞ୍ଚା ମେଞ୍ଚା ପବନ ଆସି ଆମର ପୋଷାକ ଭିତରେ ପଶିଯାଉଥିଲା । ଅଦୂରର ଜାତୀୟ ରାଜପଥ ଉପରେ ମାଲବାହୀ ଟ୍ରକ୍‌ଗୁଡ଼ିକ ଗୋଟିଏ ପରେ ଗୋଟିଏ ଆମକୁ ଅତିକ୍ରମ କରିଯାଉଥିଲେ । ସେଗୁଡ଼ିକର ହେଡ୍‌ଲାଇଟ୍‌ କିଛି ସମୟ ପାଇଁ ବନମାଳୀର ଢାବାକୁ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରି ପୁଣି ଅପସରି ଯାଉଥିଲା ।

 

ପ୍ରସନ୍ନ ତାର ଘାଗଡ଼ା ଗଳାରେ ଆଉ ଗୋଟାଏ ଗୀତ ବୋଲିବାକୁ ଆରମ୍ଭ କରିଥିଲା । ମୋର ଆଖିପତା ଯୋଡ଼ିକ ଆପେ ଆପେ ବୁଜି ହୋଇ ଆସୁଥିଲା । ଆଦିତ୍ୟ ଖାଲି ଗିଲାସଟାକୁ ଥରକୁ ଥର ଓଠ ପାଖକୁ ନେଉଥିଲା ଓ ପୁଣି ଥୋଇ ଦେଉଥିଲା । ଏହା ପରର ଘଟଣା କେବଳ ସଚ୍ଚି ହିଁ ଠିକ୍‌ ଠିକ୍‌ କହିପାରିବ ।

 

ଆମେମାନେ ବନମାଳୀର ଢାବା ଭିତରକୁ ଧାଇଁଯିବା ବେଳକୁ ସଚ୍ଚି ସେଇଠି ନଇଁପଡ଼ି ବନମାଳୀକୁ ଆଉଁଶି ଦେଉଥିଲା । ବନମାଳୀ ଯୋଉଠି ପଡ଼ିଯାଇଥିଲା, ସେଇଠି ମେଞ୍ଚାଏ ରକ୍ତ ଚଟାଣରେ ନେସି ହୋଇ ଯାଇଥିଲା । ଚାରିପଟେ ଡେକ୍‌ଚି, କଡ଼େଇ, ଥାଳି, ଗିନା, ଜଗ୍‌ ଓ ଗିଲାସ ସବୁ ଇତସ୍ତତଃ ହୋଇ ଖେଳେଇ ପଡ଼ିଥିଲେ ।

 

ଆମେ ଆଶ୍ଚର୍ଯ୍ୟରେ ସଚ୍ଚିକୁ ଚାହିଁଲୁ ।

 

ସଚ୍ଚି କହିଲା, “ଗୋଟେ ପୁଲିସ ଆସି ଧରି ନେଇଗଲା ସିରାଜକୁ । ବନମାଳୀ ତାକୁ ବାଧା ଦେଉଥିଲା, ପୁଲିସ ମାଡ଼ରେ ବିଚରା ପଡ଼ିଗଲା ।” ସେ ବନମାଳୀକୁ ଉଠେଇ ଗୋଟେ ବେଞ୍ଚ ଉପରେ ବସେଇ ଦେଲା ।

 

ଏତେ କମ୍‌ ସମୟ ଭିତରେ ଏମିତି ଗୋଟେ ଘଟଣା ଘଟିଗଲା, ଆମେ କିନ୍ତୁ ଜାଣିପାରିଲୁ ନାହିଁ । ଆମ ଆଗରୁ ଗୋଟିଏ ଟ୍ରକ୍‌ ଆସି ବନମାଳୀ ଢାବା ସାମ୍ନାରେ ବ୍ରେକ୍‌ କଷିଥିଲା ।

 

କିନ୍ତୁ ପୁଲିସ ଆସି ସିରାଜକୁ ନେଇଗଲା କାହିଁକି ?

 

ବନମାଳୀ କହିଲା, ‘ମର୍ଦ୍ଦରାଜ ଇନିସ୍‌ପେକ୍ଟର ଓ ତା ସାଙ୍ଗରେ ଦି ଜଣ କନେଷ୍ଟବଳ ଆସିଥିଲେ । ସିରାଜ ତମମାନଙ୍କ ପାଇଁ ଖାଇବା ବାଢ଼ୁଥିଲା । ମର୍ଦ୍ଦରାଜକୁ ଦେଖି ମୋତେ କହୁଥିଲା, ‘ହେଇ ! ଖାକୀ ଡ୍ରେସ୍‌ବାଲାଏ ଆସିଲେଣି । ସବୁ ଲାଭତକ ଆଜି ଯିବ ।’

 

ମର୍ଦ୍ଦରାଜ ଶୁଣିପାରିଲା କି କଣ ତା କଥା ! ଧାଇଁଆସି ତାକୁ ଢୋ କିନା ଚଟକଣିଟାଏ କଷିଦେଲା । ତାପରେ ତ ତାକୁ ଜିପରେ ବସେଇ ନେଇଯାଇଛନ୍ତି... ।

 

: କିନ୍ତୁ ସିରାଜ ଏମିତି କହୁଥିଲା କାହିଁକି ? ମୁଁ ପଚାରିଲି ।

 

: ସତ କଥା ବାବୁ, ଏ ପୁଲିସବାଲାଙ୍କ ଚକ୍କରରେ ଆଉ ଏ ବେପାର କରିହେବ ନାହିଁ । ସବୁଦିନେ କେତେ କିଏ ମାଗଣାରେ କୁକୁଡ଼ା, ଖାସୀ ଯୋଗାଡ଼ କରିଆଣିବ ? ଧିକ୍‌ ଏ ବେଉସା ! ଗୁଣ୍ଡା ପୋଷ, ନ ହେଲେ ପୁଲିସ ପୋଷ । ନିଜ ପାଇଁ କେତେବେଳେ ଦି’ ପଇସା ରଖିବା ଏଠି ବିଲ୍‌କୁଲ ଅସମ୍ଭବ–ବନମାଳୀ କହିଲା ।

 

ପ୍ରସନ୍ନର ନିଶା ଏହା ଭିତରେ ଛାଡ଼ି ଯାଇଥିଲା । ଆଦିତ୍ୟର ବି । ଆମେ ସ୍ଥିର କଲୁ, ସିରାଜକୁ ଯାଇ ଥାନାରୁ ଛଡ଼େଇ ଆଣିବା ଠିକ୍‌ ହେବ । ପିଲାଲୋକ, ତାର ବା ଦୋଷ କଣ !

 

ବନମାଳୀର ବାଁ ହାତଟି ଜଖମ ହୋଇଯାଇଥିଲା । ଦୁର୍ବଳିଆ ଲୋକ । ହଠାତ୍‌ ହାତଟା କଚି ହୋଇଯିବାରୁ ଜଖମ ହୋଇଯାଇଛି । ଆଦିତ୍ୟ କହିଲା, “ମୁଁ ଫେରିଲାବେଳକୁ ତୁମ ପାଇଁ ମଲମ ନେଇ ଆସିବି ।”

 

ଅନ୍ଧାର ଭିତରେ ପୁରୁଣା ରାଜଉଆସଟି ଗୋଟେ ହାତୀ ପରି ଦିଶୁଥିଲା । ଆମେ ସେ ଉଆସ ଡେଇଁ ବଜାର ଆଡ଼କୁ ମୁହାଁଇଲୁ । ବଜାରକୁ ପଶିବା ବାଟରେ ହିଁ ଥାନା ।

 

ଥାନାରେ ମର୍ଦ୍ଦରାଜ ଇନିସ୍‌ପେକ୍ଟର ଗୋଟେ ହାତଭଙ୍ଗା ଚଉକୀରେ ବସି ଗୋଡ଼ଯୋଡ଼ିକ ଟେବୁଲ ଉପରେ ଥୋଇଥିଲା ଓ ଆଖି ବୁଜିଦେଇଥିଲା । ଆଦିତ୍ୟ କହିଲା, “ସିରାଜ କାହିଁ ? ମୁଁ ତାକୁ ନେବାକୁ ଆସିଛି ।”

 

ଲୋକଟା ଚିଡ଼ି ଉଠିଲା । ହୁଏତ ସେ ଏଭଳି ଏକ ସମୟରେ ବିରକ୍ତ ହେବାକୁ ଚାହୁଁ ନଥିଲା । ଛିଗୁଲେଇବା ଭଙ୍ଗୀରେ କହିଲା “ନେଇଯାଉନ, କିଏ ମନା କରୁଛି କି ?”

 

ଆଦିତ୍ୟ କହିଲା, “ସେ କାହିଁ ?”

 

: ମୁଁ କେମିତି ଜାଣିବି ସେ କାହିଁ ? କିହୋ ଯିଏ ଆରେଷ୍ଟ୍‌ କରି ଆଣିଛନ୍ତି ସିଏ ଜାଣିବେ ନା ମୁଁ କେମିତି ସେକଥା ଜାଣିବି ! ସବୁ ଦାଗୀ, ବଦମାସ ଆଉ ଚୋରଙ୍କ ଖବର ରଖିଲେ ମୁଁ ତ ପାଗଳ ହୋଇଯିବି ।

 

ପ୍ରସନ୍ନ ଟିକିଏ ଆଗେଇ ଯାଇ କହିଲା, “ନାଇଁ, ଏଇ କିଛି ସମୟ ତଳେ ବନମାଳୀ ଢାବାରୁ ଯୋଉ ପିଲାଟିକୁ ପୁଲିସ ଧରି ଆଣିଛି, ଆମେ ତାଆରି କଥା ପଚାରୁଛୁ । ସେ କାହିଁ ?”

 

ସବ୍‌ଇନିସ୍‌ପେକ୍ଟରଟି ଟେବୁଲ ଉପରେ ଥୋଇଥିବା ତାର ପାଦଯୋଡ଼ିକୁ ଘୁଞ୍ଚେଇ ନେଇ ସଳଖ ହୋଇ ବସିଲା । ଆମକୁ ସିଧା ଅନେଇ କହିଲା, “ପୁଲିସ ଏବେ ତାକୁ ଜେରା କରୁଛି-। ଏଇନେ ଦେଖା ହୋଇପାରିବ ନାହିଁ । ସକାଳୁ ଆସିବ ଯାଅ ।”

 

: କି ଜେରା ?

 

: ସେ ଗୋଟେ ଚୋରା ନିଶା କାରବାର ରାକେଟ୍‌ ସାଙ୍ଗେ ମିଶିଛି । ତା ପକେଟ୍‌ରୁ ବ୍ରାଉନ୍‌ ସୁଗାର୍‌ ପୁଡ଼ିଆ ମିଳିଛି ।

 

ମୋ ମୁଣ୍ଡ ବୁଲେଇଦେଲା ଏ କଥା ପଦକ ଶୁଣି । ଭାରସାମ୍ୟ ରଖିବା ପାଇଁ ପାଖ ଚଉକିଟାକୁ ଧରି ପକେଇଲି ।

 

ପ୍ରସନ୍ନ ସବ୍‌ଇନିସ୍‌ପେକ୍ଟର ଆଡ଼କୁ ମାଡ଼ିଯାଇ କହିଲା, “କିନ୍ତୁ ଇଏ ଏକଦମ୍‌ ମିଛ । ସେ ପିଲା ବ୍ରାଉନ୍‌ ସୁଗାର କଣ ଜାଣେ ନାହିଁ । ପୁଲିସ ଅଯଥାରେ ତା ଉପରେ ଜୁଲୁମ କରୁଛି କାହିଁକି-?”

 

ସବ୍‌ଇନିସ୍‌ପେକ୍ଟର ଛାତିରେ ଲେଖାଥିଲା–ବି. ମଣ୍ଡଳ । ସେ ଏଥର ଚଢ଼ାଗଳାରେ ଜବାବ ଫେରେଇଲା, “ତୁମେମାନେ କିଏ ବାବୁ ?” ତାପରେ ସେ ନାକ ପାଖରେ ତା ହାତ ପାପୁଲିକୁ ବିଞ୍ଚଣା ପରି ହଲେଇଲା ଓ କହିଲା “କ’ଣ ମଦରେ ଗାଧୋଇପଡ଼ି ଆସିଲେ କିଓ ?”

 

ମୁଁ ଟିକିଏ ସଙ୍କୋଚ ଅନୁଭବ କଲି । ଦିନେ ନାହିଁ, କାଳେ ନାହିଁ, ଆଜି ହଠାତ୍‌ ବିଅର୍‌ଗୁଡ଼ା ପିଇବା ପ୍ରୟୋଜନ ନଥିଲା ।

 

ପ୍ରସନ୍ନ ପଚାରିଲା, “ତୁମେ ସିରାଜ୍‌କୁ ଛାଡ଼ିବ ନା ଛାଡ଼ିବ ନାହିଁ, ସିଧା କୁହ ।”

 

: ଛାଡ଼ିବୁ ନାହିଁ । ଯାଅ, କୋଉ ଓକିଲ ପାଖକୁ ଯିବ ଯାଅ । ମଣ୍ଡଳ ବଡ଼ ପାଟିରେ କହିଲା ଓ ପୁଣି ପୂର୍ବପରି ଗୋଡ଼ଯୋଡ଼ିକ ଟେକି ଟେବୁଲ ଉପରେ ଥୋଇଲା ।

 

ଆମେ ଅପମାନିତ ବୋଧ କରିଥିଲୁ । ଆଦିତ୍ୟ କହିଲା, “ରାମବାବୁଙ୍କ ପାଖକୁ ଚାଲ । ସେ ଫୋନ୍‌ କରିଦେଲେ ଇଏ ଛାଡ଼ିଦେବେ ।”

 

ରାମବାବୁ ଏ ସହର-ନିର୍ବାଚନମଣ୍ଡଳୀର ବିଧାୟକ । ବହୁତ ବଡ଼ ଲୋକ । ଗଲା ଦଶବର୍ଷ ହେଲା ସେ ଏଠୁ ଜିତି ଆସୁଛନ୍ତି ।

କିନ୍ତୁ ରାମବାବୁ ସହରରେ ନଥିଲେ ।

ଆମେ ବାଧ୍ୟହୋଇ ଫେରିଗଲୁ । ମୁଁ କହିଲି, “ସଚ୍ଚିର, ମୋର ମୋ ବସାକୁ ପଳଉଛୁ । ଯାହା କରିବାର କଥା ସକାଳେ କରିବା । ଏତେ ରାତିରେ ଆଉ କଣ ହୋଇପାରିବ ?”

କିନ୍ତୁ ସକାଳକୁ ଅନେକ ବିଳମ୍ବ ହୋଇଯାଇଥିଲା । ଆମେ ଯାଇ ପହଞ୍ଚିବା ବେଳକୁ ଥାନାରେ ମର୍ଦ୍ଦରାଜ କିମ୍ବା ମଣ୍ଡଳ ଦୁହେଁ ନଥିଲେ । ଜଣେ ଏ.ଏସ୍‌.ଆଇ. ବସି ଷ୍ଟେସନ୍‌ ଡାଏରୀ ଫର୍ଦ୍ଦ ଓଲଟଉଥିଲେ । ତାଙ୍କଠାରୁ ଶୁଣିଲୁ, ସିରାଜ କୁଆଡ଼େ ସେଲ୍‌ ଭିତରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲା । ତାର ଅବସ୍ଥା ସାଂଘାତିକ ହୋଇପଡ଼ିବାରୁ ପୁଲିସ ତାକୁ କଟକ ହସ୍‌ପିଟାଲ୍‌କୁ ପଠେଇ ଦେଇଛି ।

ସଚ୍ଚି ଥ’କରି ବେଞ୍ଚ ଉପରେ ବସିପଡ଼ିଲା । ଏହା ଆଗରୁ ସଚ୍ଚିକୁ ଏଭଳି ଭାଙ୍ଗିପଡ଼ିବାର ମୁଁ ଦେଖିନଥିଲି । ତାର ଆଖିଯୋଡ଼ିକ ଶେତା ଓ ମୁହଁଟି ସମ୍ପୂର୍ଣ୍ଣ ଫିକା ପଡ଼ିଯାଇଥିଲା । ମୁଁ ତା କାନ୍ଧରେ ହାତ ଚାପି ତାକୁ ଧୈର୍ଯ୍ୟ ଧରିବାକୁ ସାହସ ଦେଲି ।

ସଚ୍ଚି କହିଲା, “ଏମିତି ଏ କଣ ସବୁ ହୋଇଗଲା ? ସେ କଣ ସତରେ ସୁଇସାଇଡ୍‌ କରୁଥିଲା ?”

ଏ.ଏସ୍‌.ଆଇ. ଜଣକ କହିଲେ, “ନିଜେ ଇନିସ୍‌ପେକ୍ଟର ଜେରା କରୁଥିଲେ । ଟୋକାଟି କୁଆଡ଼େ ଭାରି ଜିଦିଆ । ଆଦୌ ମାନୁ ନଥିଲା । ତାପରେ ତ ରାତିରେ ଏଇ କାଣ୍ଡ । ସକାଳୁ ଇନିସ୍‌ପେକ୍ଟର ଖବର ଜଣାଇବାରୁ ଆମେ ତାକୁ ହସ୍‌ପିଟାଲ୍‌ ପଠେଇଛୁ ।”

 

ମୁଁ ଆଶଙ୍କା କରୁଥିଲି, ଏ.ଏସ୍‌.ଆଇ. ସତ କହୁନାହିଁ । ହୁଏତ ଘଟଣାଟି ଏଭଳି ଆଦୌ ନୁହେଁ । ଇଏ ଏଇ ମର୍ଦ୍ଦରାଜର ଚକ୍ରାନ୍ତ । ସିରାଜକୁ ସେ ପ୍ରଚୁର ପିଟିଛି ଓ ସେଇ ଯନ୍ତ୍ରଣା ସହି ନପାରି ସିରାଜ ବେହୋସ ହୋଇପଡ଼ିଛି । ତାର ଆତ୍ମହତ୍ୟା କରିବା ଖବର ସମ୍ପୂର୍ଣ୍ଣ ମିଛ, ପୁଲିସର ମନଗଢ଼ା ଗୋଟେ ବାହାନା ।

 

ପ୍ରସନ୍ନ ଓ ଆଦିତ୍ୟ ମଧ୍ୟ ଏମିତି କିଛି ଆଶଙ୍କା କରୁଥିଲେ । ପୁଲିସ ହାଜତରେ ଆସାମୀମାନଙ୍କର ମୃତ୍ୟୁ ଖବର ଆମେ ଅନେକ ଥର ଖବରକାଗଜ ପୃଷ୍ଠାରୁ ପଢ଼ିଥିଲୁ । ସେଥିପାଇଁ ଆମର ଭୟ ହେଉଥିଲା, ସିରାଜକୁ ବାଡ଼େଇ ବାଡ଼େଇ ମାରି ଦେଇନାହାନ୍ତି ତ !

 

ମୁଁ କହିଲି, “ଏ ବ୍ରାଉନ୍‌ ସୁଗାର୍‌ ଘଟଣାଟି କଣ ?”

 

ଏ.ଏସ୍‌.ଆଇ. ଜଣକ ମୋ ପ୍ରଶ୍ନ ଶୁଣି ତଳୁ ମୁହଁଟେକି ଅନେଇଲେ । ଗୋଟେ ଗୋପନ ତଥ୍ୟ ଦେବାପରି କହିଲେ, “ସେଇଟା ସତ । ଟୋକାଟାର ପକେଟ୍‌ରୁ ବ୍ରାଉନ୍‌ ସୁଗାର ବରାମଦ ହୋଇଛି । ତାର ଦାମ୍‌ ଲକ୍ଷାଧିକ ଟଙ୍କା ହେବ ।”

 

ଆମେ ଆମର ସଂଯମ ଉପରୁ ନିୟନ୍ତ୍ରଣ ହରେଇ ବସୁଥିଲୁ । ଗୋଟେ ଭୟଙ୍କର ମିଥ୍ୟାକୁ କିଭଳି ସତ୍ୟର ରୂପ ଦେବା ନିମନ୍ତେ ଷଡ୍‌ଯନ୍ତ୍ର ଚାଲିଛି ସେକଥା ମଧ୍ୟ କିଛି କିଛି ବୁଝିପାରୁଥିଲୁ । କିନ୍ତୁ ଏ ପରିସ୍ଥିତିରେ କଣ କରିବୁ, ତାହା ସ୍ଥିର କରିପାରୁ ନଥିଲୁ । ଆମ ଯୋଜନାରେ ଏଭଳି ଗୋଟେ ଦୁର୍ଘଟଣା ଆଦୌ ନଥିଲା । ଆମର ଆଜି କଲେଜଛକ ମେଲୋଡି ଦେଖିଯିବା ଓ ତାପରେ ଆଦିତ୍ୟ ଘରେ ସାଙ୍ଗ ହୋଇ ଖାଇବାର ଯୋଜନା ଥିଲା ।

 

ମୁଁ ସାହସ ଦେଲି, “ଆମ କାଗଜ ଖୋଲିବା କ୍ଷଣି ମୁଁ ଏସବୁ ଖବର ଲେଖି ଗୋଟେ ବଡ଼ ରିପୋର୍ଟ ଛାପିବି । ତାହା ନ ହେଲେ ପୋଲିସ୍‌ ମିଛ କଥାଟିକୁ ସତ ବୋଲି ସାବ୍ୟସ୍ତ କରିଦେବ । ଆମର ଆଉ କିଛି ଚାରା ରହିବ ନାହିଁ ।”

 

: କିନ୍ତୁ ସେ ତ ତିନିଦିନ ପରର କଥା । ଏବେ ଆମେ କଣ ହାତପାଦ ଛନ୍ଦି ବସିରହିବା ! ସତରେ ଯଦି ସିରାଜର କିଛି ହୋଇଯାଏ ତାହାହେଲେ ଆମେ ଆମ ନିଜକୁ କେବେ କ୍ଷମା କରିପାରିବା ନାହିଁ–ସଚ୍ଚି କହିଲା ।

 

: ସେ ଠିକ୍‌ କହୁଥିଲା । ଆମେମାନେ ସିରାଜକୁ ବଜାରକୁ ପଠେଇ ନଥିଲେ ସେ ମର୍ଦ୍ଦରାଜ କଥା ଶୁଣିବାରେ ବିଳମ୍ବ କରି ନଥାନ୍ତା କି ଘଟଣା ଏଭଳି ଘଟି ନଥାନ୍ତା । ହୁଏତ ମର୍ଦ୍ଦରାଜ ସେଇଠି ତାକୁ ଦି ଚାରିପଦ କହି ଛାଡ଼ି ଦେଇଥାଆନ୍ତା । ଥାନାକୁ ଧରି ଆଣି ନଥାନ୍ତା ।

 

ଆମେମାନେ ପୁଣି ଥରେ ରାମବାବୁଙ୍କ ବଙ୍ଗଳାକୁ ଗଲୁ । ରାମବାବୁ ତାଙ୍କ ମେଲାଘରେ ବସିଥିଲେ ଓ ତାଙ୍କ ଚାରିପଟେ ଲୋକମାନେ ହାଉଯାଉ ହେଉଥିଲେ । ସେଇ ଭିଡ଼ ଭିତରେ ରାମବାବୁ ଜଣ ଜଣକର କଥା ଶୁଣୁଥିଲେ ଓ ମଝିରେ ଫୋନ୍‌ କରି ଭିନ୍ନ ଭିନ୍ନ ଅଧିକାରୀଙ୍କ ସାଙ୍ଗେ କଥା ହେଉଥିଲେ ।

 

ପ୍ରସନ୍ନର ରାମବାବୁଙ୍କ ସାଙ୍ଗେ ପରିଚୟ ଥିଲା । ନିର୍ବାଚନ ସମୟରେ ସେ କେତେଥର ତାଙ୍କ ପାଇଁ ଚାନ୍ଦା ଦେଇଛି । ପ୍ରଚାର କାମରେ ବି ଯାଇଛି । ସେ ରାମବାବୁଙ୍କୁ ନମସ୍କାର କରି କହିଲା, “ଟିକେ ପର୍ସନାଲ୍‌ କାମ ଥିଲା ।”

 

ରାମବାବୁ ପ୍ରସନ୍ନକୁ ଦେଖୁ ଦେଖୁ କହିଲେ, “ଏଇତ ! ମୁଁ ତୁମକୁ ସକାଳ ପହରୁ ଖୋଜୁଛି ।”

 

: ମୋତେ ? କାହିଁକି ! –ପ୍ରସନ୍ନ କହିଲା ।

 

: କଣ ଏସବୁ ଶୁଣୁଛି ମୁଁ ? ମୋତେ କଣ ତମେମାନେ ରଖେଇ ଦେବ ନାହିଁ ! ଏମ୍‌.ଏଲ୍‌.ଏ.ଙ୍କ ସମର୍ଥକ ବୋଲି ବ୍ରାଉନ୍‌ ସୁଗାର ବେପାର କରିବ । ରାତି ଅଧଟାରେ ରାସ୍ତା ଉପରେ ବସି ମାଲ୍‌ ପିଇବ !

 

ମୁଁ ରାମବାବୁଙ୍କୁ କଥା ସାରିବାକୁ ନ ଦେଇ କହିଲି, “ଏସବୁ ମିଛ କଥା । ଆପଣଙ୍କୁ ସେ ମର୍ଦ୍ଦରାଜ ମିଛ ସତ ଯୋଡ଼ି କହିଛି । ଆମେ ସେଇକଥା କହିବା ପାଇଁ ଆସିଛୁ ।”

 

ମାତ୍ର ରାମବାବୁ ଆମ କଥା ଶୁଣିବା ପାଇଁ ଆଦୌ ପ୍ରସ୍ତୁତ ନଥିଲେ ।

 

ପ୍ରସନ୍ନ ଆମକୁ ବଡ଼ ଆଶା ଦେଇଥିଲା । ତାର ସବୁ ସମ୍ପର୍କ ଓ ପ୍ରଭାବ ହଠାତ୍‌ ଏମିତି ଅର୍ଥହୀନ ହୋଇପଡ଼ିବା ତାକୁ କଷ୍ଟ ଦେଇଥିଲା ।

 

ସେ ଆଗ ଅପେକ୍ଷା ଆହୁରି ନମର ଗଳାରେ କହିଲା, “ସିରାଜକୁ ପୁଲିସ ବହୁତ ବାଡ଼େଇଛି । ଆମର ଆଶଙ୍କା ହେଉଛି ତାକୁ ବୋଧହୁଏ ସେମାନେ ମାରି ଦେଇଛନ୍ତି ଓ ତାର ଡେଡ୍‌ ବଡିଟାକୁ କୋଉଠି ଲୁଚେଇ ଦେଇଛନ୍ତି । ଆମେ ଥରେ ସିରାଜକୁ ଭେଟିବା ପାଇଁ ଚାହୁଁଛୁ ।”

 

ରାମବାବୁ କହିଲେ, “ଦେଖୁଛି ତୁମ ମୁଣ୍ଡରେ କିଛି ନାହିଁ । ଏଇଟା ପୁଲିସ କେସ୍‌ । ଡେଡ୍‌ ବଡିଟାକୁ ସେମାନେ ଲୁଚେଇଦେବେ ବୋଲି କଣ କହୁଛ ? ଯେମିତି ହେଲେ ପୋଷ୍ଟମର୍ଟମ୍‌ ହେବ । ତାପରେ ପୁଲିସ ସେ ଲୋକର ସମ୍ପର୍କୀୟଙ୍କୁ ଡେଡ୍‌ ବଡି ହସ୍ତାନ୍ତର କରିବ ।”

 

ମୁଁ କହିଲି, “ହୁଏତ ପିଲାଟା ବଞ୍ଚିଥିବ । ଆମେ ତାର ଡେଡ୍‌ ବଡି ବିଷୟରେ କଥା ହେବା ମୋ ମତରେ ଠିକ୍‌ ନୁହେଁ । ଆପଣ ଟିକିଏ ଫୋନ୍‌ କରିଦେଲେ ଆମେ ଥାନାକୁ ଯାଇ ଇନିସ୍‌ପେକ୍ଟରକୁ ଦେଖା କରନ୍ତୁ ।”

 

ରାମବାବୁ ଟିକେ ଅପ୍ରସ୍ତୁତ ଦିଶିଲେ । ତାଙ୍କ ଚାରିପଟେ ବସିଥିବା ଲୋକମାନେ ମଧ୍ୟ ଏ ବିଷୟରେ କୌତୂହଳୀ ହୋଇ ପଡ଼ିଥିଲେ । କିନ୍ତୁ ସେମାନେ ଆମ ପ୍ରତି ଯେତିକି ସହାନୁଭୂତି ଦେଖେଇ ନଥିଲେ, ଆମେମାନେ ପହଞ୍ଚି ତାଙ୍କ କାମରେ ବିଳମ୍ବ କରୁଥିବାରୁ ତାହାଠାରୁ ଅଧିକ ବିରକ୍ତି ପ୍ରକାଶ କରିଥିଲେ । ଜଣେ ଦି’ଜଣ କେବଳ ଉପରଠାଉରିଆ ମନ୍ତବ୍ୟ ଦେଇଥିଲେ–ଏବେ ଆଉ ଆଇନ ବ୍ୟବସ୍ଥା ବୋଲି କିଛି ନାହିଁ । ଭୁବନେଶ୍ୱରର ଚା ପାନ ଦୋକାନରେ ବି କୁଆଡ଼େ ଚରସ ଓ ବ୍ରାଉନ୍‌ ସୁଗାର୍‌ ବିକ୍ରି ହେଉଛି । ପୁଲିସ ଏବେ କେତେ କାହାକୁ ଧରିବ !

 

ଆମ ଭିତରୁ କେହି ତାର ପ୍ରତିବାଦ କଲୁନାହିଁ । ପ୍ରତିବାଦ କରିବାର ସମୟ କିମ୍ବା ପରିବେଶ କୌଣସିଟି ସେତେବେଳେ ନଥିଲା । ହୁଏତ ସେମାନେ ଯାହା କହୁଛନ୍ତି ତାହା ବିଲ୍‌କୁଲ୍‌ ଠିକ୍‌ । ଚୋରା ନିଶା କାରବାର ଏବେ ପ୍ରଶାସନ ପାଇଁ ସବୁଠୁ ବେଶି ମୁଣ୍ଡବ୍ୟଥାର କାରଣ ହୋଇପଡ଼ିଛି । ମାତ୍ର ଏଇ ନିର୍ଦ୍ଦିଷ୍ଟ ଘଟଣାରେ ସତ୍ୟଟି କଣ, ସେକଥା କେହି ଜାଣିବାକୁ ଚେଷ୍ଟା କରୁନାହାନ୍ତି । ସାଧାରଣ ପ୍ରତିକ୍ରିୟାର ସ୍ୱର ଏଭଳି ଗୋଟେ ସ୍ପର୍ଶାତୁରତା ଶୂନ୍ୟ ଅବସ୍ଥାକୁ ଆସିଯାଇଛି । ତାହା ମୁଁ ନିଜେ ପ୍ରତ୍ୟକ୍ଷ କରି ନଥିଲେ ବିଶ୍ୱାସ କରି ନଥାନ୍ତି ।

 

ଖୁବ୍‌ ଅନିଚ୍ଛା ସହ ରାମବାବୁ ଥାନାକୁ ଫୋନ୍‌ କଲେ । ସେଇ ରାଜନୀତିଆ ଶବ୍ଦ କିଛି, “ସେମାନେ ଆମ ଲୋକ । ଇନିସ୍‌ପେକ୍ଟରଙ୍କୁ ଯାଇ ଦେଖା କରିବେ । ଦେଖିବେ, ଯଦି କିଛି ସାହାଯ୍ୟ କରାଯାଇ ପାରେ... ।” କହି ଫୋନ୍‌ଟିକୁ ରଖିଦେଲେ ।

 

ଆମର ଆଉ ଅଧିକ କିଛି କହିବାର ନଥିଲା । ଆମେ ତାଙ୍କୁ ନମସ୍କାର କରି ଫେରିଆସିଲୁ । ଇନିସ୍‌ପେକ୍ଟରଙ୍କୁ ଭେଟି ଆଉ ଥରେ ଅପମାନିତ ହେବା ପାଇଁ ଆମର ଧୈର୍ଯ୍ୟ ନଥିଲା ।

 

ଏହାପରେ ଆମେ ଥାନାକୁ ଯାଇଥିଲୁ, ଇନିସ୍‌ପେକ୍ଟରଙ୍କୁ ମଧ୍ୟ ଭେଟିଥିଲୁ । ଥାନାରେ ପହଞ୍ଚି ଜାଣିଲୁ, ସିରାଜ ମରିଯାଇଛି ଓ ତାର ଡେଡ୍‌ ବଡି ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଏକଥା ଶୁଣିବା ପରେ ଆମମାନଙ୍କର ମାନସିକ ଅବସ୍ଥା କଣ ହୋଇଥିବ ତାହା ଆମ ଜାଗାରେ ଥିବା ଯେକେହି ଲୋକ ଅନୁଭବ କରିପାରନ୍ତା । ଆମେ ଉତ୍ତ୍ୟକ୍ତ ହୋଇ ଇନିସ୍‌ପେକ୍ଟର ମର୍ଦ୍ଦରାଜ ଏସବୁ ନାଟର ଗୋବର୍ଦ୍ଧନ ବୋଲି ଆକ୍ଷେପ କରି ଗୋଟେ ଅଭିଯୋଗ ଲେଖିଲୁ ଓ ଏସ୍‌.ପି.ଙ୍କୁ ଭେଟି ସେଇଟା ଦେବାକୁ ଚାହିଁଲୁ । ମାତ୍ର ପାଞ୍ଚଥର ଏସ୍‌.ପି.ଙ୍କ ବଙ୍ଗଳାକୁ ଯାଇ ତାଙ୍କର ଦେଖା ପାଇଲୁ ନାହିଁ କିମ୍ବା ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ଦେଖିପାରିଲୁ ନାହିଁ ।

 

ପୁଲିସ ହାତରେ ଥିଲା ପୋଷ୍ଟମର୍ଟମ ରିପୋର୍ଟ, ସିରାଜ ଆତ୍ମହତ୍ୟା କରିଥିବାର ଅକାଟ୍ୟ ପ୍ରମାଣ ।

 

ମୁଁ ମୋର ବାର୍ତ୍ତା ସଂପାଦକଙ୍କୁ ଯାଇ ଭେଟିଲି, ଆଦିତ୍ୟ ତାର ଅଧ୍ୟାପକ ବଡ଼ଭାଇଙ୍କୁ । ମାତ୍ର କେହି ଜଣେ ବି ଆମ କଥାକୁ ବିଶ୍ୱାସ କଲେ ନାହିଁ । ବାର୍ତ୍ତା ସଂପାଦକ ଚାହିଁଲେ ତଥ୍ୟ, ପ୍ରମାଣ । ଆମେ କହିଲୁ, ଅନୁସନ୍ଧାନ କଲେ ସିନା ପ୍ରମାଣ ମିଳିବ । ସେ ଆମ ସହ ରାଜି ହେଲେ ନାହିଁ–ପ୍ରଥମେ ପ୍ରମାଣ ଆଣ । ତାପରେ ଆମେ ଅନୁସନ୍ଧାନ କରିବୁ । ଅଧ୍ୟାପକ ଭାଇ କହିଲେ, ରାତି ବାରଟାରେ ମାଲ୍‌ ପିଇ ଗଡ଼ୁଥିବା ଲୋକଙ୍କ କଥା ଶୁଣିବା ପାଇଁ ତାଙ୍କର ସମୟ ନାହିଁ । ଆଉ ଯୋଉମାନେ ନିଜ ନିଜର କୌତୂହଳ ଚରିତାର୍ଥ କରିବା ପାଇଁ ଆମଠୁଁ ବୁଲେଇ ବଙ୍କେଇ ସବୁକଥା ବିଶଦ ଭାବେ ଶୁଣୁଥିଲେ, ସେମାନେ ଶୁଣିସାରି ଉପଦେଶ ଦେଲେ, “କାହିଁକି ଗୋଟେ ଢାବା ଟୋକାଟା ପାଇଁ ଲାଗିଛନ୍ତି ? ନର ମାୟା ନାରାୟଣଙ୍କୁ ଆଗୋଚର । ଆଜିକାଲି କାହାକୁ ବା ବିଶ୍ୱାସ କରିବ ? ପୁଲିସ ସାଙ୍ଗରେ ଲାଗିଲେ ତମକୁ ସେ କେସରେ ପକେଇଦେବେ । ଯାଅ, ନିଜ କାମରେ ଲାଗ । ପୂଜା ଦେଖ, ମଉଜ କର । ବେକାର କଥାରେ ମାତିଛ କାହିଁକି ?”

 

ଆମେ ଭାଙ୍ଗିପଡ଼ିଥିଲୁ ।

 

କେବଳ ଦି ଜଣ ବୁଢ଼ା ଆମର ବ୍ୟସ୍ତତାକୁ ବୁଝୁଥିଲେ । ଜଣେ ବନମାଳୀ ଓ ସିରାଜର ରୋଗିଣା ଚାଚା ମନସୁର ମିଆଁ । ସେ ଦି ଜଣ ସବୁକଥା ବୁଝୁଥିଲେ । ଆମ ପରି ନିମ୍ନ ମଧ୍ୟବିତ୍ତ ପରିବାରର ଚାରିଜଣ ଯୁବକଙ୍କ ଅସହାୟତା କଳି ପାରୁଥିଲେ । ମାତ୍ର ଆମେ ଆମର ଅସହାୟତାକୁ ଗ୍ରହଣ କରିପାରୁ ନଥିଲୁ । ସିରାଜର ମୁହଁଟି ମନେପଡ଼ିଲା କ୍ଷଣି ଆମେ ଭିତରେ ଭିତରେ ଉତ୍ତ୍ୟକ୍ତ ହୋଇ ଉଠୁଥିଲୁ ।

 

ମନସୁର ମିଆଁର ବଖୁରିକିଆ ଘରଟାକୁ ପୁଲିସ ଓଲଟପାଲଟ କରି ଦେଇଥିଲା । ଚୋରା ଜିନିଷ ଖାନତଲାସ ନାଆଁରେ ଘରର ଯାବତୀୟ ଜିନିଷ କାଢ଼ି ଫିଙ୍ଗି ଦେଇଥିଲା । ସିରାଜ ବିରୋଧରେ ଯୋଉ ମାମଲା ଦରଜ ହୋଇଥିଲା ତହିଁରେ ବନମାଳୀ ଓ ମନସୁରଙ୍କ ସାଙ୍ଗରେ ସିରାଜର ସାନଭାଇଟିର ନାଁ ବି ଥିଲା । ପୁଲିସର ବୟାନ ଅନୁସାରେ ସେମାନେ ସମସ୍ତେ ଚୋରା ବେପାରୀ !

 

ଏବଂ ଏ ଖବରଟା ଆମ ସହରରେ ଚାହୁଁ ଚାହୁଁ ବ୍ୟାପି ଯାଇଥିଲା । ଚୋରା କାରବାରର ଆଡ୍‌ଡ଼ା ଭାବେ ବନମାଳୀର ଢାବାଟି ରାତାରାତି ଗୋଟେ ଦର୍ଶନୀୟ ବସ୍ତୁ ହୋଇ ପଡ଼ିଥିଲା ।

 

କାଲି ରାତି ଥିଲା ମହାନବମୀ ରାତି । ଆମେମାନେ ଦୁଇଦିନ କାଳ ପ୍ରାୟ ଖିଆପିଆ କରି ନଥିଲୁ । ମର୍ଦ୍ଦରାଜ ଇନିସ୍‌ପେକ୍ଟରର ନୃଶଂସପଣିଆ, ସିରାଜକୁ ଯୋଉଭଳି ନିର୍ମମ ଭାବରେ ବାଡ଼େଇ ପିଟି ସେ ମାରିଥିବ ତାର କଳ୍ପନା ଏବଂ ସାଧାରଣ ଲୋକଙ୍କ ଅଦ୍ଭୁତ ମାନସିକତା ଆମକୁ ବ୍ୟସ୍ତ ଓ ଅସହାୟ କରିଦେଇଥିଲା । ଅଥଚ ଆମେ କିଛି କରିପାରୁ ନଥିଲୁ । ଆମ ଆଖି ସାମ୍ନାରେ ଆଉ ଗୋଟେ ହତ୍ୟା ଆତ୍ମହତ୍ୟାର ରୂପ ନେଉଥିଲା ଓ ଗୋଟେ ସାଦାସିଧା ନିରପରାଧ ବାଳକ ପାଲଟି ଯାଇଥିଲା ଜଘନ୍ୟ ଚୋରା ବେପାରୀ ।

 

ସେତିକିବେଳେ ସଚ୍ଚି ପାଟି ଖୋଲିଥିଲା, “ଚାଲ, ବନମାଳୀ ଢାବା ଆଡୁ ଘେରାଏ ବୁଲିଆସିବା ।”

 

ଆମେମାନେ ଯାଇଥିଲୁ । ବନମାଳୀ ତାର ବ୍ୟାଣ୍ଡେଜ୍‌ ବନ୍ଧା ହାତରେ ପରିବା କାଟୁଥିଲା-। ତା ପାଖରେ ସିରାଜର ଚାଚା ଗୋଟେ ଖଟିଆ ଉପରେ ବସି ଆଖିରୁ ଲୁହ ପୋଛୁଥିଲା-

 

ସଚ୍ଚି କହିଲା, “ଦେଖୁଛ !”

 

ମୁଁ ସେ ଦୃଶ୍ୟ ଦେଖି ପାରୁନଥିଲି । ପ୍ରସନ୍ନ ନିଜକୁ ନିଜେ ଧିକ୍କାର କରି କହୁଥିଲା, “ଆମର ବଞ୍ଚିବାର କିଛି ଅର୍ଥ ନାହିଁ ।”

 

ହୁଏତ ସେଇଠି ସଚ୍ଚି ମୁଣ୍ଡକୁ ଏଭଳି ଗୋଟେ ଝୁଙ୍କ୍‌ ଆସିଥିବ । କାରଣ ସେ ସେତିକିବେଳେ ମୋତେ ପଚାରିଥିଲା, “କାଲି ରାବଣପୋଡ଼ି ନା ?”

 

।। ତିନି ।।

 

ସଚ୍ଚି ଖୁବ୍‌ ବଡ଼ ପାଟିରେ ସବୁ କହିଯାଇଥିଲା । ଗତ ତିନି ଦିନ ଧରି ଯାହା ଯାହା ସବୁ ଘଟିଯାଇଛି ସେ ସବୁ କଥା କହୁଥିଲା । ତା ପରି ଗୋଟେ ଚୁପ୍‌ଚାପ୍‌ ଓ ଲାଜୁଆ ପିଲା ଭିତରେ କୋଉଠି ଏତେ ଦମ୍ଭ ଓ ସାହସ ଛପି ରହିଥିଲା ତାହାହିଁ ମୁଁ ଚିନ୍ତା କରୁଥିଲି ।

 

ସଚ୍ଚି ପଚାରୁଥିଲା, “ମୁଖ୍ୟମନ୍ତ୍ରୀ ଏଇ ଅନ୍ୟାୟ ଅତ୍ୟାଚାରର ବିଚାର କରିବେ ନା ମୁଁ ଏଇ ମୁହୂର୍ତ୍ତରେ ଏଇଠି ଆତ୍ମାହୁତି ଦେବି ? ରାବଣପୋଡ଼ି ଦେଖିବାକୁ ଆସିଥିବା ଲୋକମାନେ ଗୋଟିଏ ମଣିଷପୋଡ଼ି ଅନ୍ତତଃ ଦେଖିକି ଯାଇପାରିବେ ।”

 

ମୁଁ ଲକ୍ଷ୍ୟ କଲି, ସଚ୍ଚି ତା ପକେଟ୍‌ରୁ ସତକୁ ସତ ଗୋଟେ ଦିଆସିଲି ବାହାର କରି ଆଣୁଥିଲା । ମୁଁ ଚମକିପଡ଼ିଲି । ସଚ୍ଚି କଣ ପାଗଳ ହୋଇଗଲା ନା କଣ ? ଏମିତି ଗୋଟେ ଅତି ନାଟକୀୟ ପରିସ୍ଥିତି ପାଇଁ ମୁଁ ଆଦୌ ପ୍ରସ୍ତୁତ ନଥିଲି ।

 

ମୁଖ୍ୟମନ୍ତ୍ରୀ ମଧ୍ୟ ପରିସ୍ଥିତିର ନାଟକୀୟତାରେ ବିବ୍ରତବୋଧ କରୁଥିଲେ । ତେବେ ସଚ୍ଚିର ବକ୍ତବ୍ୟ ତାଙ୍କ ଉପରେ କିଛି ପ୍ରଭାବ ପକେଇଥିଲା । ତାଙ୍କ କପାଳର କୁଞ୍ଚିତ ରେଖାଗୁଡ଼ିକରୁ ସେଇଭଳି ଆଭାସ ମିଳୁଥିଲା ।

 

ମୁଖ୍ୟମନ୍ତ୍ରୀ ମାଇକ୍ରୋଫୋନ୍‌ ପାଖକୁ ଆସିଲେ । ଧୀରେ ଆଗେଇ ଯାଇ ସଚ୍ଚିର କାନ୍ଧ ଉପରେ ହାତ ରଖିଲେ ଓ ତା ହାତରୁ ଦିଆସିଲି ନେଇଯାଇ ତାକୁ ଘୁଞ୍ଚେଇ ଆଣିଲେ । ଏଥର ସେ ନିଜେ ମାଇକ୍ରୋଫୋନ୍‌କୁ ହାତରେ ଧରି କହିଲେ, “ମୁଁ ଏଇ ମୁହୂର୍ତ୍ତରେ ସଂପୃକ୍ତ ପୋଲିସ୍‌ ଇନିସ୍‌ପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଉଛି ଓ ସମୁଦାୟ ଘଟଣାର ଆର୍‌.ଡି.ସି. ସ୍ତରୀୟ ତଦନ୍ତ ଘୋଷଣା କରୁଛି ।”

 

ଜନତାର ସମୁଦ୍ରରୁ କରତାଳିର ଲହଡ଼ି ଅଜାଡ଼ି ହୋଇ ପଡ଼ିଲା ।

 

ସହରର ଯୋଉ ଜନତା ଦି ଦିନ ଧରି ଏହାକୁ ଏକ ବେକାର ଘଟଣା ଓ ସିରାଜର ମୃତ୍ୟୁକୁ ଆତ୍ମହତ୍ୟା ବୋଲି ଆନନ୍ଦରେ ଗ୍ରହଣ କରିନେଇଥିଲେ ସେଇ ଜନତା ଏବେ ମର୍ଦ୍ଦରାଜ ଇନିସ୍‌ପେକ୍ଟରକୁ ଗାଳି ଦେଉଥିଲେ ଏବଂ ତା ବିରୋଧରେ ଗୋଟି ଗୋଟି କରି ଅଭିଯୋଗ ଫର୍ଦ୍ଦ ବାଢ଼ୁଥିଲେ ।

 

ମୁଁ ପଚାରିଲି, “ତୁ ଏତେ ସାହସ କେଉଁଠୁ ପାଇଲୁ ସଚ୍ଚି ?” ସଚ୍ଚି କିଛି କହିଲା ନାହିଁ ।

 

ଆଦିତ୍ୟ କହିଲା, “ତୁ ଆତ୍ମାହୁତି କଥା କେମିତି ଭାବିବସିଲୁ ? ପାଗଳା କିରେ !”

 

ସଚ୍ଚି ଉଁ କି ଚୁଁ କିଛି କହିଲା ନାହିଁ ।

 

ପ୍ରସନ୍ନ ପଚାରିଲା, “ମୁଖ୍ୟମନ୍ତ୍ରୀ ଯଦି ତୋତେ କହିବାକୁ ଅନୁମତି ଦେଇ ନଥାନ୍ତେ !”

 

ମୁଁ କହିଲି, “ସିରାଜ ତୋର କିଏ ? ତା ପାଇଁ ତୁ ଆତ୍ମାହୁତି ଦେବାକଥା କିମିତି ଭାବି ପାରିଲୁ ?”

 

ସଚ୍ଚି ଗୋଟେ ଦୀର୍ଘଶ୍ୱାସ ନେଇ ଉଠିପଡ଼ିଲା । ତାର ସେ ଉଦାସ ଭଙ୍ଗୀ ଦେଖି ଆମେ ଚମକି ପଡ଼ିଲୁ । ବେଶ୍‌ ବଡ଼ପାଟିରେ ସେ କହିଲା, “ତୁମେମାନେ ବି ସେଇ ଏମ୍‌.ଏଲ୍‌.ଏ., ଅଧ୍ୟାପକ ଓ ଖବରକାଗଜ ରିପୋର୍ଟର ପରି କହୁଛ । ସେମାନେ ସମସ୍ତେ ଜଣେ ଜଣେ ପ୍ରବଞ୍ଚକ, ପଳାୟନପନ୍ଥୀ, ସୁବିଧାବାଦୀ । ଚରମ ସ୍ୱାର୍ଥ ତ୍ୟାଗ ବିନା କେବେ କୋଉଠି କିଛି ସମ୍ଭବ ହୋଇନାହିଁ ।” ସଚ୍ଚିର ସ୍ୱର ଆମକୁ ଏଥର ଆଉ ଅଚିହ୍ନା ଶୁଭୁ ନଥିଲା ।

Image